ବାଲେଶ୍ୱର: ନବରଙ୍ଗପୁର ଘଟଣାକୁ ସପ୍ତାହେ ପୂରି ନଥିବା ବେଳେ ପୁଣି ସେହିପରି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ। ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଗଗନଧୂଳି ଗାଁର ଜଣେ ବ୍ୟକ୍ତିଙ୍କ ପାଇଖାନା ଟାଙ୍କି କାମ କରୁଥିବା ବେଳେ ୩ ଶ୍ରମିକଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି। ଗାଁର ବାପି ମାଝୀଙ୍କର ପାଇଖାନା ଟାଙ୍କି କାମ ହେଉଥିବା ବେଳେ ଏହି ଅଘଟଣ ଘଟିଥିଲା।
ପାଇଖାନା ଟାଙ୍କି କାମ କରୁଥିବା ବେଳେ ସେଠାରେ ବିଦ୍ୟୁତ ସଂଯୋଗ କରି ତିନି ଜଣ କାମ କରୁଥିବା ବେଳେ ହଠାତ ବିଦ୍ୟୁତ ତାର ଟାଙ୍କି ଭିତରର ପାଣିକୁ ସ୍ପର୍ଶ କରିଥିଲା। ଯେଉଁଥିରେ ଟାଙ୍କି ଭିତରେ ଥିବା ୩ ଜଣ ଶ୍ରମିକ ବିଦ୍ୟୁତ ଆଘାତରେ ଶିକାର ହୋଇଥିଲେ।
ଘଟଣା ସ୍ଥଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ଭଦ୍ରକ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମେଡିକାଲରେ ମୃତ୍ୟୁ ହୋଇଥିବା ଦୁଇ ଜଣ ବାବାଜୀ ମାଝୀ ଓ ବାପି ଦାସ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକଙ୍କ ପରିଚୟ ମିଳିପାରିନାହିଁ। ତେବେ ସାମାନ୍ୟ ଅସାବଧାନତା ଯୋଗୁଁ ବିଦ୍ୟୁତ ଆଘାତ ଲାଗିଥିବା କଥା କୁହାଯାଉଛି।
ନିର୍ମାଣଧିନ ପାଇଖାନା ଟାଙ୍କିରେ କାମ କରୁଥିବା ବେଳେ ଶ୍ବାସରୁଦ୍ଧ ହୋଇ 4 ମୃତ
ଗତ 3 ତାରିଖରେ ଅନୁରୁପ ଏକ ଘଟଣା ଘଟିଥିଲା ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପଡାଲଗୁଡା ଗାଁରେ। ପାଇଖାନା କାମ ଚାଲିଥିବା ବେଳେ ବଡ଼ ଅଘଟଣ ଘଟିଥିଲା। ନିର୍ମାଣଧିନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ 4 ଜଣଙ୍କ ମୃତ୍ୟୁ ହୋଇଥିଲା।
ପଡାଲଗୁଡା ଗାଁର ଜଣେ ବ୍ୟକ୍ତିଙ୍କ ଘରେ ପାଇଖାନା କାମ ହେଉଥିଲା। ପାଇଖାନା ଗାତ ଖୋଳା ଯିବାପରେ ଏକ ସ୍ଲାବ ଖସିପଡିଥିଲା। ତାହା କାଢିବା ପାଇଁ ଦୁଇ ଜଣ ଟାଙ୍କି ଭିତରକୁ ଯାଇଥିଲେ। ସେଠାରେ ସେମାନଙ୍କ ଶ୍ବାସରୁଦ୍ଧ ହୋଇଥିଲା, ତାଙ୍କୁ ଉଦ୍ଧାର କରିବା ପାଇଁ ଆଉ ଦୁଇ ଜଣ ଭିତରକୁ ପସିଥିଲେ। ଫଳରେ 4 ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିବା ପରେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। 3 ଜଣଙ୍କ ମେଡିକାଲ ନେବା ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କର ହସ୍ପିଟାଲ ଆଇସିୟୁରେ ମୃତ୍ୟୁ ଘଟିଥିଲା।
ଏହା ମଧ୍ୟ ପଢ଼ନ୍ତୁ- କାଳ ହେଲା ପାଇଖାନା ଟାଙ୍କି, ଶ୍ବାସରୁଦ୍ଧ ହୋଇ ଚାଲିଗଲା 4 ଜୀବନ
ଏହା ମଧ୍ୟ ପଢ଼ନ୍ତୁ- ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା, ଗରମ ଡାଲି ପଡ଼ି 7 ଭକ୍ତ ଆହତ
ଇଟିଭି ଭାରତ, ବାଲେଶ୍ବର