Budhi Thakurani Jatra 2025 Dates ବ୍ରହ୍ମପୁର (ଗଞ୍ଜାମ) : ' ପ୍ରଥମେ ଘଟ ରାଜାବାଟୀକୁ ଆସେ । ରାଜା ହିଁ ଏକାକୀ ମାଆ ବୁଢ଼ିଆଣୀ ଠାକୁରାଣୀ ଯାତ୍ରା କରୁଥିଲେ । ପ୍ରଥମେ ରାଜଦର୍ଶନ କରୁଥିଲେ ମାଆ । ପୂଜା ଓ ଆଳତୀ ପରେ ସାହି ପରିକ୍ରମା କରନ୍ତି ବୁଢ଼ି ସାଆନ୍ତାଣୀ । ' ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରାର ଇତିହାସ ଏବଂ ବର୍ତ୍ତମାନ, ମାଆଙ୍କ ଦ୍ବିବାର୍ଷିକ ଯାତ୍ରାର ପ୍ରଥା, ପରମ୍ପରା ଏବଂ ରୀତି ନୀତି ସହ ମହୁରୀ ରାଜ ପରିବାରର ସଂପର୍କକୁ ନେଇ, ମହୁରୀ ରାଜା ଅଶୋକ କୁମାର ନରେନ୍ଦ୍ର ଦେବଙ୍କ ସହ ଇଟିଭି ଭାରତ ପ୍ରତିନିଧି ସମୀର ଆଚାର୍ଯ୍ୟଙ୍କ ସ୍ବତନ୍ତ୍ର ସାକ୍ଷାତକାର ।
Budhi Thakurani Jatra Ganjam Rituals:
ଅତୀତ ହୋଇଛି ରାଜତନ୍ତ୍ର, ବର୍ତ୍ତମାନ ଚାଲିଛି ଗଣତନ୍ତ୍ର । ହେଲେ ପରମ୍ପରା ଓ ରୀତିନୀତିକୁ ନେଇ ଆୟୋଜିତ ହେଉଥିବା ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ସମୟରେ ଦେଖିବାକୁ ମିଳିଥାଏ ସେହି ପୁରାତନ ରାଜତନ୍ତ୍ର ପରମ୍ପରା । ମାଆ ବୁଢ଼ୀ ଠାକୁରାଣୀ ଯାତ୍ରାରେ ମାଆଙ୍କ ପ୍ରଥମ ଭୋଗ ସହିତ ପୂଜାର୍ଚ୍ଚନା ହୋଇଥାଏ ମହୁରୀ ରାଜବାଟୀରେ । ମାଆଙ୍କ ଯାତ୍ରା ସମୟରେ ଆଜ୍ଞାମାଳ ଯେତେବେଳେ ଘଟକୁ ରୂପାନ୍ତରିତ ହୋଇଥାଏ ସେହି ସମୟରେ ମାଆ ପ୍ରଥମେ ଅସ୍ଥାୟୀ ମନ୍ଦିରରୁ ବାହାରି ସିଧା ଯାଇ ପହଞ୍ଚି ଯାଆନ୍ତି ରାଜବାଟୀରେ । ସେଠାରେ ଅପେକ୍ଷା କରି ରହିଥିବା ରାଜାଙ୍କ ପରିବାରରେ ଆଳତୀ ହେବା ପରେ ମାଆ ପୁଣି ଫେରିଥାନ୍ତି । ଏପରିକି ନିୟମିତ ଭାବେ ମାଆ ରାଜବାଟୀ ଦେଇ ବିଭିନ୍ନ ସାହିକୁ ପରିକ୍ରମା କରିବା ଏବଂ ଯାତ୍ରାର ଶେଷ ଦିନରେ ମଧ୍ୟ ମାଆ ରାଜବାଟୀ ଦେଇ ମୁଖ୍ୟପୀଠକୁ ଫେରିଥାନ୍ତି ।
ମହୁରି ରାଜ ପରିବାର ଓ ବ୍ରହ୍ମପୁର ଠାକୁରାଣୀ ଯାତ୍ରା
ବ୍ରହ୍ମପୁର ଠାକୁରାଣୀ ଯାତ୍ରା ସହ ମହୁରୀ ରାଜ ପରିବାର ସମ୍ପର୍କ ନିଆରା ଏବଂ ଅତୁଟ । ମହୁରୀ ରାଜା ଅଶୋକ କୁମାର ନରେନ୍ଦ୍ର ଦେବଙ୍କ କହିବା କଥା ' ପ୍ରତିଦିନ ସନ୍ଧ୍ୟାରେ ମାଆଙ୍କ ଘଟ ପରିକ୍ରମା ରାଜବାଟୀରୁ ହିଁ ଆରମ୍ଭ ହୁଏ । ମାଆଙ୍କ ଘଟ ସାହିରୁ ସାହି ପରିକ୍ରମା କରିବା ପ୍ରକ୍ରିୟାରେ ପ୍ରଥମେ ମହୁରୀ ରାଜ ଉଆସକୁ ଯାଇଥାଏ । ତାପରେ ଅନ୍ୟତ୍ର ଯିବାର ପରମ୍ପରା କାହିଁ କେଉଁ କାଳରୁ ରହି ଆସିଛି । ଯାହାକି ରାଜ ପରିବାରଙ୍କ ପକ୍ଷରୁ ମାଆଙ୍କ ଘଟ ପୁଜାର୍ଚ୍ଚନା କରାଯାଇଥାଏ । ମାଆଙ୍କ ଯାତ୍ରାର ଇତିହାସ ଅନୁଯାୟୀ ମହୁରି ରାଜ ପରିବାର ପକ୍ଷରୁ ହିଁ ପୂର୍ବରୁ ମାଆ ଠାକୁରାଣୀ ଯାତ୍ରା ଆୟୋଜନ କରାଯାଇଥିଲା । ' ଦେବାଙ୍ଗ ବୁଣାକର ସଂପ୍ରଦାୟ ଆନ୍ଧ୍ରପ୍ରଦେଶରୁ ବ୍ରହ୍ମପୁର ଆସି ପହଞ୍ଚିଥିବା ତଥା ରାଜନଅର ଆଖପାଖ ଅଞ୍ଚଳର ବସତି ସ୍ଥାପନ କରିଥିବା ଏବଂ ଦୀର୍ଘ ସମୟ ଧରି ପ୍ରଜା ରୂପେ ପ୍ରତିପାଳିତ ହୋଇଥିବା ହେତୁ ଯାତ୍ରା ପାଳନ ଅବସରରେ ସେମାନଙ୍କ ପ୍ରଭୁ ଭକ୍ତି ସ୍ୱାଭାବିକ ରହିଥିବା କୁହାଯାଏ ।

ମହୁରୀ ରାଜବାଟୀ ଓ ରାଜ ପରିବାର :
ବ୍ରହ୍ମପୁର ସହରର ବଡ଼ ବଜାରସ୍ଥିତ ମହୁରି ରାଜବାଟୀ ଭାବରେ ଯାହା ପରିଚିତ, ମାତ୍ର ବର୍ତ୍ତମାନ ସେଥିରେ ରାଜ ପରିବାର ବସବାସ କରୁନାହାନ୍ତି । ସହରର ଜନଗହଳିପୂର୍ଣ୍ଣ ଦୋକାନ ବଜାରରେ ପରିଣତ ହୋଇଛି ଏହି ଅଞ୍ଚଳ । ମୁଖ୍ୟତଃ ଠାକୁରାଣୀ ଯାତ୍ରାର ପାରମ୍ପାରିକ କାର୍ଯ୍ୟ ପରିଚାଳନା ପାଇଁ କିଛି ଅଂଶ ରାଜ ପରିବାରର ମାଲିକାନାରେ ରହିଛି । ଏହି ରାଜ ଉଆସ ୧୬୬୨ ରୁ ୧୬୭୨ ମସିହା ମଧ୍ୟରେ ନିର୍ମିତ ହୋଇଥିବା ଐତିହାସିକମାନେ ମତ ଦିଅନ୍ତି ।
ମହୁରୀ ରାଜା ଅଶୋକ କୁମାର ନରେନ୍ଦ୍ର ଦେବ କୁହନ୍ତି ' ବର୍ତ୍ତମାନ ଯେଉଁ ସ୍ଥାନ ରାଜବାଟୀ ଭାବରେ ପରିଚିତ, ତାହା ମହୁରୀ ରାଜାଙ୍କ ସେହି ସମୟରେ କଚେରୀ ରହିଥିଲା । ବ୍ରିଟିଶମାନେ ଆସି ଯେତେବେଳେ ମହୁରୀଗଡ଼କୁ ଭାଙ୍ଗି ଦେଲେ ଏହି ମହୁରୀଗଡ଼ରୁ ଆସି ଏହି ସ୍ଥାନରେ ରହିବା ସହିତ ଯାତ୍ରା ଆରମ୍ଭ ହୋଇଥିଲା । ପ୍ରାୟ ଦୁଇ ଶହ ବର୍ଷ ଧରି ଏହି ସ୍ଥାନରେ ମହୁରୀ ରାଜବାଟୀ ରହିଆସିଛି । ରାଜ ପରିବାରର ସନ୍ତାନ ଭାବରେ ମୁଁ ଭାଗ୍ୟବାନ ମନେ କରେ । ଦାୟଦ ଭାବରେ ମାଆଙ୍କ ଆଶୀର୍ବାଦ ରହିଥାଉ । ମାଆ ସମସ୍ତଙ୍କର ମଙ୍ଗଳ କାମନା କରନ୍ତୁ । '

History of Budhi Thakurani Jatra Odisha:
ବୁଢ଼ୀ ଠାକୁରାଣୀ ଯାତ୍ରା ଓ ମହୁରୀ ରାଜ ପରିବାର : ବ୍ରହ୍ମପୁରର ବୁଢ଼ୀ ଠାକୁରାଣୀ ଯାତ୍ରାକୁ ମହୁରୀ ରାଜ ପରିବାର ତତକାଳୀନ ରାଜା ସ୍ୱର୍ଗତ ହରିହର ନରେନ୍ଦ୍ର ଦେବଙ୍କ ସମୟରେ ଆରମ୍ଭ ହୋଇଥିବା କୁହାଯାଏ । ସେତେବେଳେ ଡେରା କୁଳର ମୁଖ୍ୟଙ୍କୁ ଦେଶୀ ବେହେରା ଉପାଧି ଦିଆଯାଇଥିଲା । ରାଜା ସେମାନଙ୍କୁ ଆନ୍ଧ୍ରପ୍ରଦେଶ ରାଜମନ୍ଦ୍ରୀରୁ ଆଣିଥିଲେ । ମହୁରୀ ରାଜା ଅଶୋକ କୁମାର ନରେନ୍ଦ୍ର ଦେବ କହିଛନ୍ତି '୧୮୬୦ରୁ ୧୮୬୫ ମସିହା ମଧ୍ୟରେ ଏହି ଯାତ୍ରା ଆରମ୍ଭ ହୋଇଥିବା ବେଳେ ମହୁରୀଗଡରେ ଦୁଇ ଥର ଯାତ୍ରା ହୋଇଥିଲା । ମାଆ ସେହି ସମୟରେ ଯାତ୍ରା ସମୟରେ କେବଳ ରାଜାଙ୍କ ପାଖକୁ ଆସୁଥିଲେ ଏବଂ ଅନ୍ୟ କେଉଁଆଡେ ବୁଲୁ ନଥିଲେ । ରାଜାଙ୍କ ପାଖରେ ଭୋଗ ନୈବେଦ୍ୟ ଦିଆଯାଇ ମାଆ ଫେରିଯାଉଥିଲେ । ଧିରେ ଧିରେ ଲୋକଙ୍କ ଜନବସତି ବୃଦ୍ଧି ପାଇବା ପରେ ମାଆ ବିଭିନ୍ନ ଅଞ୍ଚଳକୁ ପରିକ୍ରମା କରୁଛନ୍ତି । '

କେଉଁଠି ଅଛି ମହୁରୀ ରାଜବାଟୀ ?
ବର୍ତ୍ତମାନ ବ୍ରହ୍ମପୁରର ପଶ୍ଚିମ ଦିଗରେ ପ୍ରାୟ ୧୨ କିଲୋମିଟର ଦୂରରେ ପଡ଼େ ମହୁଡ଼ାଚିକିଟି । ଟାମଣା ଗ୍ରାମ ନିକଟରେ ରାସ୍ତାରୁ ଓହ୍ଲାଇ କେରାଣ୍ଡିମାଳ ପର୍ବତ ପାଦଦେଶକୁ ଗଲେ ପ୍ରାୟ ଦେଢ଼ କିଲୋମିଟର ପାଦଚଲା ରାସ୍ତା ପରେ ଦେଖିବାକୁ ମିଳେ ମହୁରୀ କିଲ୍ଲାର ଭଗ୍ନାବଶେଷ । ଏବେ ସେଠାରେ ରାଜ ପ୍ରାସାଦର କୌଣସି ଚିହ୍ନବର୍ଣ୍ଣ ନାହିଁ । ମାତ୍ର ତିନିଟି ମନ୍ଦିରର ଭଗ୍ନାବଶେଷ ମହୁରୀ କିଲ୍ଲାର ମୂଳସାକ୍ଷୀ ରୂପେ ଦଣ୍ଡାୟମାନ । ୧୮୩୫ ମସିହାରେ ମହୁରୀ ରାଜା ବ୍ରିଟିଶ ସରକାରଙ୍କୁ ସଲାମି କର (ଟିକସ) ଦେଇ ନପାରିବାରୁ, ବ୍ରହ୍ମପୁର ସହରକୁ ଉକ୍ତ ସଲାମୀ ବକେୟା ଅର୍ଥ ବଦଳରେ ରାଜାଙ୍କଠାରୁ ଇଂରେଜ ସରକାର ଏହାକୁ କିଣି ନେଇଥିବା କୁହାଯାଏ । ୧୮୫୦ ମସିହାରେ ବ୍ରହ୍ମପୁର ସମେତ ସମଗ୍ର ମହୁରୀ ରାଜ୍ୟକୁ ଇଂରେଜ ସରକାର ବାଜ୍ୟାପ୍ତ କରି ଶାସନଭାର ନିଜ ଅଧୀନକୁ ନେଲେ । ଫଳରେ ଏଠାରେ ସରକାରୀ କୋର୍ଟ କଚେରୀ ସ୍ଥାପନ ସାଙ୍ଗକୁ ଦକ୍ଷିଣ ଓଡ଼ିଶାର ଜଙ୍ଗଲଜାତ ଦ୍ରବ୍ୟ ସମୂହ ରପ୍ତାନୀ ଲାଗି ଏକ ବ୍ୟବସାୟ ପେଣ୍ଠ ଗଢ଼ି ଉଠିଲା ।

ମହୁରୀ ରାଜ ପରିବାର ଏବଂ ଗଣମାଧ୍ୟମ :
ମହୁରୀ ରାଜବାଟୀ ସହିତ ସେହି ସମୟରେ ଗଣମାଧ୍ୟମ ଭୂମିକା ରହିଥିଲା । ସହରର ଗଣମାଧ୍ୟମ ଭଳି ଲେଖା ପ୍ରକାଶ କରିବା ସାଙ୍ଗକୁ ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ପ୍ରାକ୍-ସ୍ୱାଧୀନତା କାଳରେ ମହୁରୀ ରାଜ ପରିବାର ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ । ଯାହାକି ମହୁରୀ ରାଜ ଉଆସଠାରେ ପ୍ରତିଷ୍ଠିତ ରୟାଲ ପ୍ରେସ 'ନବୀନ' ଏହାର ମୁକସାକ୍ଷୀ । ଏହି ନାମରେ ଏକ ସାପ୍ତାହିକ ପତ୍ରିକା ନିୟମିତ ପ୍ରକାଶିତ ହେଉଥିଲା । ସେ ସମୟର ଓଡ଼ିଶାର ସମସ୍ତ ପ୍ରତିଷ୍ଠିତ ସାହିତ୍ୟିକ 'ନବୀନ' ପୃଷ୍ଠାରେ ହିଁ ଲେଖାଲେଖି ଆରମ୍ଭ କରିଥିବା ଜଣାଯାଏ ।

ମହୁରୀ ରାଜ ପରିବାର ଓ ରାଜନୀତି:
ମହୁରୀ ରାଜ ପରିବାର ସ୍ୱାଧୀନତା ପରେ ସକ୍ରିୟ ରାଜନୀତିରେ ସାମିଲ ହୋଇଥିଲେ । ୧୯୬୧ରେ ବ୍ରହ୍ମପୁର ବିଧାନସଭା ଆସନରୁ ରାଜା ଶିଶିର କୁମାର ନରେନ୍ଦ୍ର ଦେବ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ । ୧୯୭୭ରେ ରାଣୀ ରତ୍ନମଞ୍ଜରୀ ଦେବୀ ସ୍ବାଧୀନ ପ୍ରାର୍ଥୀଭାବେ ବିଧାୟିକା ନିର୍ବାଚିତ ହୋଇଥିଲେ । ବ୍ରହ୍ମପୁର ପୌରପାଳିକାର ନଗରପାଳ ଭାବେ ରାଜ ପରିବାରର ପ୍ରଭାତ କିରଣ ଦେବ ମଧ୍ୟ ଅବସ୍ଥାପିତ ହୋଇଥିଲେ ।

ଆରମ୍ଭ ହୋଇଛି ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା । ଆଜି ମାଆଙ୍କ ଧର୍ମଝଣ୍ଡା ରୀତି । ପ୍ରତି ଦୁଇବର୍ଷରେ ଥରେ ଆୟୋଜିତ ହେଉଥିବା ବୁଢ଼ୀ ସାଆନ୍ତାଣୀଙ୍କ ଏହି ପବିତ୍ର ଯାତ୍ରା ଚଳିତ ଏପ୍ରିଲ ୨୬ ତାରିଖରେ ଶେଷ ହେବ ।

ବ୍ରହ୍ମପୁର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା ଆରମ୍ଭ, ବାପ ଘରକୁ ଆସିଛନ୍ତି ମା' - BUDHI THAKURANI JATRA BEGINSଏପ୍ରିଲ 3ରୁ ବୁଢ଼ୀ ଠାକୁରାଣୀ ଯାତ୍ରା, ବାପ ଘରେ 26 ଦିନ ଧରି ପୂଜା ପାଇବେ ମା' - BUDHI THAKURANI YATRA |
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟଙ୍କ ରିପୋର୍ଟ, ଇଟିଭି ଭାରତ