Tejas express Narrowly Escape From Major Fire Incident ବାଲେଶ୍ବର: ବଡ଼ ଅଘଟଣରୁ ବର୍ତ୍ତିଗଲା ତେଜସ ରାଜଧାନୀ ଏକ୍ସପ୍ରେସ । ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ନିଆଁରୁ ବର୍ତ୍ତି ଯାଇଛି ତେଜସ ଏକ୍ସପ୍ରେସ । ପ୍ରବଳ ବର୍ଷା ପବନ ଯୋଗୁଁ ରେଳଇଞ୍ଜିନରେ ପଡିଥିଲା ନଡିଆ ବାହୁଙ୍ଗା । ନଡିଆ ବାହୁଙ୍ଗା ଜଳିବାକୁ ଲାଗିଥିବା ବେଳେ ଉପସ୍ଥିତି ବୁଦ୍ଧି ଯୋଗୁଁ ଅଘଟଣରୁ ବର୍ତ୍ତି ଯାଇଛି ।

କଣ ଥିଲା ଘଟଣା ?
ଆଜି(ବୁଧବାର) ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା 22811 ତେଜସ ରାଜଧାନୀ ଏକ୍ସପ୍ରେସ । ବାଲେଶ୍ୱର ଜିଲ୍ଲା ବସ୍ତା ରେଳ ଷ୍ଟେସନ ଦକ୍ଷିଣ କେବିନ ନିକଟରେ ତେଜସ ଏକ୍ସପ୍ରେସ ଉପରେ ଏକ ନଡ଼ିଆ ବାହୁଙ୍ଗା ପଡ଼ିଯିବାରୁ ସେଥିରୁ ନିଆଁ ଲାଗି ଯାଇଥିଲା । ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ପ୍ରବଳ ବର୍ଷା ପବନ ଯୋଗୁଁ ଟ୍ରେନ ଲାଇନ ଉପରେ ଥିବା ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ଉପରେ ନଡ଼ିଆ ଗଛରୁ ନଡିଆ ବାହୁଙ୍ଗା ପଡିବାରୁ ନିଆଁ ଲାଗିଥିଲା।

ଅଟକି ରହିଲା ଟ୍ରେନ:
ତେବେ ଇଞ୍ଜିନରେ ନିଆଁ ଲାଗିବା ଫଳରେ ବସ୍ତା ରେଳ ଷ୍ଟେସନର ଦକ୍ଷିଣ କେବିନ ନିକଟରେ ଟ୍ରେନ ଦୀର୍ଘ ଦେଢ଼ ଘଣ୍ଟା ଅଟକି ଥିବା ଦେଖିବାକୁ ମିଳିଥିଲା । ଜୋର ପବନରେ ରେଳ ଲାଇନ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରୁ ଏକ ନଡିଆ ଗଛରୁ ବାହୁଙ୍ଗା ଉଡି ଆସି ଟ୍ରେନ ଇଞ୍ଜିନ ଉପରେ ପଡିଥିଲା । ଫଳରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଟ୍ରେନ ଇଞ୍ଜିନ ଉପରେ ନଡ଼ିଆ ବାହୁଙ୍ଗା ଜଳିବାକୁ ଲାଗିଥିଲା । ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଟ୍ରେନର ଲୋକ ପାଇଲଟ ଟ୍ରେନକୁ କେବିନ ନିକଟରେ ଅଟକାଇ ଥିଲେ । ନିଆଁରେ ଜଳି ଯାଇଥିବା ନଡ଼ିଆ ବାହୁ ସଫା କରିବା ପରେ ଟ୍ରେନ ଛାଡିଥିଲା । ଟ୍ରେନର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।
କାଳବୈଶାଖୀ ନେଇ ବାଲେଶ୍ବରକୁ ଅଛି ୱାର୍ଣ୍ଣିଂ:
ତେବେ କାଳବୈଶାଖୀ ନେଇ ବାଲେଶ୍ବର ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହାର ପ୍ରଭାବରେ ପ୍ରବଳ ଝଡ ବର୍ଷା କାରଣରୁ ନଡିଆ ବାହୁଙ୍ଗି ଉଡି ଟ୍ରେନ ଇଞ୍ଜିନ ଉପରେ ପଡିଥିଲା । ତେବେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଅଘଟଣରୁ ବର୍ତ୍ତିଯାଇଛନ୍ତି ଯାତ୍ରୀ ।
ଇଟିଭି ଭାରତ, ବାଲେଶ୍ବର