ଗୁରୁ ସୁରେନ୍ଦ୍ରଙ୍କ ନିଆରା ମ୍ୟୁଜିକ ସ୍କୁଲ, 1 ଟଙ୍କାରେ ଶିଖାଉଛନ୍ତି ଶାସ୍ତ୍ରୀୟ ଓ ଲୋକ ସଙ୍ଗୀତ
ବରଗଡ଼ ପଦ୍ମପୁରର 57 ବର୍ଷୀୟ ମ୍ୟୁଜିକ ମାଷ୍ଟର ସୁରେନ୍ଦ୍ର ସାହୁ । 25 ବର୍ଷ ଧରି ପଶ୍ଚିମ ଓଡ଼ିଶାର ଲୋକଗୀତ ଓ ନୃତ୍ୟ ଉପରେ ଜାରି ରଖିଛନ୍ତି ଗବେଷଣା ।

Published : July 29, 2025 at 4:14 PM IST
ସ୍ପେଶାଲ ଷ୍ଟୋରୀ: ବାଦଶାହ ଜୁସ୍ମନ ରାଣା
One Rupee Music School ସମ୍ବଲପୁର/ବରଗଡ: ଟଙ୍କିକିଆ କ୍ଲିନିକ ବାବଦରେ ଆପଣ ସମସ୍ତେ ଉଣା ଅଧିକେ ଜାଣିଥିବେ । ଗରିବ ଲୋକଙ୍କୁ ମାତ୍ର ଏକ ଟଙ୍କାରେ ଚିକିତ୍ସା ଯୋଗାଇ କେବଳ ଓଡ଼ିଶା ନୁହେଁ ଦେଶରେ ପ୍ରଶଂସା ସାଉଁଟିଥିଲେ ଡାକ୍ତର ଶଙ୍କର ରାମଚନ୍ଦାନୀ । କିଛି ମାସ ତଳେ ତାଙ୍କ ପତ୍ନୀ ମଧ୍ୟ ସ୍ବାମୀଙ୍କ ରାସ୍ତାରେ ପାଦ ଦେଇ ଟଙ୍କିକିଆ ଦାନ୍ତ କ୍ଲିନିକ ଖୋଲିଛନ୍ତି । ଆପଣଙ୍କ ମନରେ ପ୍ରଶ୍ନ ଆସୁଛି କି ଆମେ ଡାକ୍ତରଙ୍କ ରାମଚନ୍ଦ୍ରାନୀଙ୍କ କଥା କାହିଁକି କହୁଛୁ ... ହଁ ଆଜ୍ଞା ଭୀମସାର ଡାକ୍ତରଙ୍କ ରାସ୍ତାରେ ଏବେ ଜଣେ ବରଗଡର ସଙ୍ଗୀତ ଶିକ୍ଷକ । ରାମଚନ୍ଦାନୀଙ୍କଠାରୁ ପ୍ରେରଣା ପାଇ ଖୋଲିଛନ୍ତି ଏକ ଟଙ୍କିଆ ମ୍ୟୁଜିକ ସ୍କୁଲ (One Rupee Music School) । ଏହି ସ୍କୁଲରେ ସଙ୍ଗୀତ ଶିକ୍ଷା ପାଇଁ ମାତ୍ର ଏକ ଟଙ୍କା ଫିସ୍ ଦେବାକୁ ପଡ଼ିଥାଏ । ଆସନ୍ତୁ ଜାଣିବା କିଏ ଏହି ସଙ୍ଗୀତ ଶିକ୍ଷକ ? କେବେଠୁ 1 ଟଙ୍କାରେ ଶିକ୍ଷାଉଛନ୍ତି ସଙ୍ଗୀତ ।
କେଉଁଠି ଅଛି ଏକ ଟଙ୍କିଆ ମ୍ୟୁଜିକ ସ୍କୁଲ ?
ବରଗଡ଼ ଜିଲ୍ଲାର ପଦ୍ମପୁର ସହରର ସୂର୍ଯ୍ୟ ନଗରରେ ରହିଛି ଏକ ଟଙ୍କିଆ ମ୍ୟୁଜିକ ସ୍କୁଲ l ପ୍ରତ୍ୟେକ ଶନିବାର ଓ ରବିବାର ସନ୍ଧ୍ୟା 4 ଟାରୁ 07 ଟା ଭିତରେ ଏହି ରାସ୍ତାରେ ଯାଉଥିବା ପ୍ରତ୍ୟେକ ବ୍ୟକ୍ତି ଏହି ସ୍କୁଲରୁ ଆସୁଥିବା ମଧୁର ସଂଗୀତ ଓ ବାଦ୍ୟର ଶବ୍ଦ ନିଶ୍ଚିତ ଶୁଣିଥିବେ l କାରଣ ଶନିବାର ଓ ରବିବାର ଅପରାହ୍ନ 4 ଟାରୁ 7ଟା ଯାଏଁ ଏହି ସ୍କୁଲରେ ବିଭିନ୍ନ ପ୍ରକାରର ନୃତ୍ୟ, ଗୀତ ଓ ବାଦ୍ୟ ଉପରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରନ୍ତି 57 ବର୍ଷୀୟ ଗୁରୁ ସୁରେନ୍ଦ୍ର ସାହୁ l

କଣ କଣ ଶିକ୍ଷା ଦିଆଯାଏ ?
ମୁଖ୍ୟତଃ ଏଠାରେ Classical ଆଉ Folk Traditionalରେ ନୃତ୍ୟ, ଗୀତ ଓ ବାଦ୍ୟ ଉପରେ ଶିକ୍ଷା ଦିଆଯାଇଥାଏ l ଥିଓରୀ ସହ ପ୍ରାକ୍ଟିକାଲ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଥାଏ l ଏହା ସହ ଏଠାରେ ଯୋଗ ଓ ସ୍ପୋକନ ଇଂଲିଶ ଉପରେ ମଧ୍ୟ ଶିକ୍ଷା ଦିଆଯାଇଥାଏ l ସ୍ପୋକେନ ଇଂଲିଶକୁ ବି ଗୁରୁ ସୁରେନ୍ଦ୍ର ସାହୁ ଶିକ୍ଷା ଦେଉଥିବା ବେଳେ ସପ୍ତାହରେ ଥରେ ଜଣେ ଯୋଗ ଶିକ୍ଷକ ଏଠାକୁ ଆସି ଯୋଗ ଶିକ୍ଷା ଦିଅନ୍ତି l

1 ଟଙ୍କାରେ ସଙ୍ଗୀତ ଶିକ୍ଷା:
ଆଉ ଏତିକି ସବୁ ଶିକ୍ଷା ଗ୍ରହଣ ପାଇଁ ଜଣେ ଛାତ୍ର ଅଥବା ଛାତ୍ରୀଙ୍କୁ ମାସିକ ଦେବାକୁ ପଡିଥାଏ ମାତ୍ର ଗୋଟିଏ ଟଙ୍କା, ତାହା ପୁଣି ବାଧ୍ୟତାମୂଳକ ନୁହେଁ l ଜଣେ ସ୍ୱଇଚ୍ଛାରେ ଆସି ସ୍କୁଲରେ ଥିବା ମାଟିର କୁମ୍ପିରେ ଗୋଟିଏ ଟଙ୍କା ଭର୍ତ୍ତି କରିଥାନ୍ତି l
ଟଙ୍କିକିଆ ମ୍ୟୁଜିକ ସ୍କୁଲ ଖୋଲିବା ପଛର କାହାଣୀ:
ଗୁରୁ ସୁରେନ୍ଦ୍ର କୁହନ୍ତି, ‘ମୁଁ 25 ବର୍ଷ ହେଲା ପଶ୍ଚିମ ଓଡିଶାର ଲୋକଗୀତ ଓ ନୃତ୍ୟ ଉପରେ ନିଜ ତରଫରୁ ରୁଚି ରଖି ଗବେଷଣା କରି ଆସୁଛି l ଏଥିପାଇଁ ମୋତେ ଗାଁ ଗାଁ ବୁଲିବାକୁ ପଡ଼େ l ମୁଁ ଦେଖେ ଯେ ଗାଁଗୁଡ଼ିକରେ ଏହି ଲୋକଗୀତ ଓ ବାଦ୍ୟ ଉପରେ ଅନେକ ଯୁବ ପ୍ରତିଭା ରହିଛନ୍ତି l ତେବେ ଆର୍ଥିକ ଅଭାବ ତଥା ଉପଯୁକ୍ତ ତାଲିମ ଓ ମଞ୍ଚ ନମିଳିବାରୁ ସେମାନେ ବଣ ମଲ୍ଲୀ ହୋଇ ରହି ଯାଆନ୍ତି l ଆଉ ସେମାନଙ୍କ ପାଇଁ ପଇସା ଏକ ବହୁତ ବଡ଼ ବାଧକ l ତେଣୁ ମୁଁ ଏକ ମାଗଣା ମ୍ୟୁଜିକ ସ୍କୁଲ ଖୋଲିବାର ନିଷ୍ପତ୍ତି ନେଲି l’

ପ୍ରଥମେ ମାଗଣାରେ ଶିକ୍ଷା, ଏବେ ନେଉଛନ୍ତି ଏକ ଟଙ୍କା:
ଗତ 5 ବର୍ଷ ଧରି ମାଗଣାରେ ସଙ୍ଗୀତ ଶିକ୍ଷା ଦେଇ ଆସୁଥିଲେ ସୁରେନ୍ଦ୍ର । ଏହାପରେ ସମାଜସେବୀ ଡା. ଶଙ୍କର ରାମଚନ୍ଦାନୀ ମାଗଣା ବଦଳରେ ଏକ ଟଙ୍କା ରଖିବାକୁ ତାଙ୍କ ପରାମର୍ଶ ଦେଲେ । ସେଥିପାଇଁ 2023 ଅଗଷ୍ଟ 15ରୁ ଏକ ଟଙ୍କିଆ ମ୍ୟୁଜିକ ସ୍କୁଲ ଆରମ୍ଭ କରିଥିଲେ ବୋଲି କୁହନ୍ତି ଗୁରୁ ସୁରେନ୍ଦ୍ର ।
ସଙ୍ଗୀତ ସ୍କୁଲ ପାଇଁ ସହାୟତା କରିଥିଲେ ପତ୍ନୀ:
ଏହି ସ୍କୁଲ ଖୋଲିବାରେ ଗୁରୁ ସୁରେନ୍ଦ୍ରଙ୍କ ପତ୍ନୀ ତାଙ୍କୁ ସବୁ ପ୍ରକାର ସହାୟତା କରନ୍ତି । ସ୍କୁଲ ପରିଚାଳନାରେ ତାଙ୍କ ପତ୍ନୀ ତାଙ୍କୁ ଆର୍ଥିକ ସହାୟତା ମଧ୍ୟ କରି ଆସୁଛନ୍ତି l ବର୍ତ୍ତମାନ ସ୍କୁଲରେ 35 ଜଣ ଛାତ୍ରଛାତ୍ରୀ ସଂଗୀତ ଶିକ୍ଷା ନେଉଛନ୍ତି l ବର୍ତ୍ତମାନ ଆଧୁନିକ ସଂଗୀତରେ ପାରମ୍ପରିକ ନୃତ୍ୟ ଗୀତରୁ ଛାତ୍ରଛାତ୍ରୀ ଦୂରେଇ ଯାଉଥିବା ବେଳେ ଏଠାରେ କିନ୍ତୁ କ୍ଲାସିକାଲ ଓ ଟ୍ରାଡିସନାଲ ସଂଗୀତ ଶିକ୍ଷା ଉପରେ ଗୁରୁତ୍ବ ଦେଉଛନ୍ତି ଗୁରୁ ସୁରେନ୍ଦ୍ର ସାହୁ l ତାଙ୍କ କହିବା ହେଲା ' ଏଠାରେ ଶିକ୍ଷା ନେଉଥିବା ଛାତ୍ରଛାତ୍ରୀଙ୍କୁ ନିଜ ପୁଅ ଝିଅ ଭାବେ ବିବେଚନା କରି ଶିକ୍ଷା ଦିଆଯାଉଛି । ତେଣୁ ଏଠାରେ ପଇସାର କୌଣସି ଅର୍ଥ ନାହିଁ ।

ସଙ୍ଗୀତ ସହ ଦିଆଯାଉଛି ସ୍ପୋକେନ ଇଂରାଜୀ ଶିକ୍ଷା:
ମ୍ୟୁଜିକ ସ୍କୁଲରେ ସଙ୍ଗୀତ ଶିଖୁଛନ୍ତି ଅନେକ ଛାତ୍ରଛାତ୍ରୀ । ଛାତ୍ରୀ ସ୍ନେହା ନାଥଙ୍କ କହିବା କଥା, ‘ଏଠାରେ 2 ବର୍ଷ ହେଲା ସଙ୍ଗୀତ ଶିକ୍ଷା ଗ୍ରହଣ କରୁଛି l ଛୋଟ ବେଳୁ ମୋର ସଙ୍ଗୀତ ପ୍ରତି ରୁଚି ରହିଥିଲା l ସେଥିପାଇଁ ଏମିତି ଗୀତ ଗାଉଥିଲି l ତେବେ ମୋର ଲୟ, ତାଳ ଉପରେ କିଛି ଜ୍ଞାନ ନଥିଲା l ଏଠାକୁ ଆସିଲା ପରେ ସଂଗୀତରେ ଲୟ ଆଉ ତାଳ କଣ ଜାଣି ପାରିଥିଲି l ଏବେ ମୋର ସଙ୍ଗୀତରେ ବେଶ ଉନ୍ନତି ଆସିଛି l ଗୁରୁ ଆମକୁ ନିଜର ଝିଅ, ପୁଅ ପରି ଦେଖନ୍ତି l ସେ ଆମକୁ ଏଠାରେ ନୃତ୍ୟ, ସଂଗୀତ ସହ ସ୍ପୋକନ ଇଂଲିଶ ଶିକ୍ଷା ମଧ୍ୟ ଦିଅନ୍ତି l କୌଣସି ଅସୁବିଧା ଥିଲେ ବାପାଙ୍କ ପରି ସମସ୍ୟା ପଚାରି ବୁଝନ୍ତି ।’

ସ୍ବପ୍ନ ସାକାର କଲେ ଗୁରୁ:
ଗୁରୁ ସୁରେନ୍ଦ୍ର ସାହୁ ମ୍ୟୁଜିକର Folk format ଆଉ Classical format ଉପରେ ଉଭୟ ପ୍ରାକ୍ଟିକାଲ ଓ ଥିଓରୀ ଉପରେ ଶିକ୍ଷାଦାନ କରୁଛନ୍ତି l ଛାତ୍ର ଆଶିଷ କୁମାର କୁନ୍ଦେଲ କହିଛନ୍ତି ‘ଢୋଲ ବଜାଇବା ସହ ନାଚ, ଗୀତ ଓ ବାଦ୍ୟର ଶିକ୍ଷା ଦେଉଛନ୍ତି ଗୁରୁ । ମନ ଭିତରେ ଯେଉଁ ଇଚ୍ଛା ଥିଲା ଯେ କଳାକୁ ନେଇ କଣ କରିପାରିବି ବୋଲି ତାହା ଆଜି ଗୁରୁଙ୍କ ସହାୟତାରୁ ସାକାର ହୋଇଛି ଓ ଲୋକଙ୍କ ଆଗରେ ମଧ୍ୟ ଆମେ ନିଜର କଳାର ପରିବେଷଣ କରି ପାରୁଛୁ l ଚଳିତ ବର୍ଷ ମୁଁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ CCRT ସ୍କୋଲାରସିପ ପାଇଛି l ’
କେତେ ଛାତ୍ରଛାତ୍ରୀ ପାଇଛନ୍ତି ସ୍କୋଲାରସିପ ?
ସୁରେନ୍ଦ୍ର ସାହୁଙ୍କ ମ୍ୟୁଜିକ ସ୍କୁଲରୁ 5 ଜଣ ଛାତ୍ରଛାତ୍ରୀ ସେଣ୍ଟର ଫଲ କଲଚୁରାଲ ରିସୋର୍ସେସ ଆଣ୍ଡ ଟ୍ରେନିଂ (CCRT) ସ୍କୋଲାରସିପ ପାଇିଛନ୍ତି l ଏହା ସହ ଗୁରୁ ସୁରେନ୍ଦ୍ରଙ୍କ ସହାୟତାରେ 25 ଜଣ ଛାତ୍ରଛାତ୍ରୀ ଫେଲୋସିପ ସ୍କୋଲାରସିପ ପାଇ ସାରିଛନ୍ତି l


ମ୍ୟୁଜିକ ବ୍ୟତିତ ଆଉ କଣ କରନ୍ତି ସୁରେନ୍ଦ୍ର ସାହୁ ?
ଗୁରୁ ସୁରେନ୍ଦ୍ର ସାହୁ 1995ରୁ ବିଭିନ୍ନ ପ୍ରସିଦ୍ଧ କଳାକାରଙ୍କଠାରୁ ସଂଗୀତ ଶିକ୍ଷା ଆରମ୍ଭ କରିଥିଲେ l ଏହା ସହ ସେ ରେଡିଓର ଜଣେ କଳାକାର ଭାବେ ପରିଚିତ l ବିଗତ ଦିନରେ ସେ ଅନେକ ନାଟକରେ ସଂଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି l ପୂର୍ବରୁ ସେ ସମ୍ବଲପୁରୀ ରାମାୟଣ ଉପରେ ଅଡିଓ ରେକଡିଂ ଦାୟିତ୍ୱ ତୁଲେଇ ସାରିଥିବା ବେଳେ ବର୍ତ୍ତମାନ ସମ୍ବଲପୁରୀ ହନୁମାନ ଚାଳିଶା ଅଡିଓ ରେକର୍ଡିଂ ଉପରେ କାମ କରୁଛନ୍ତି l ଏହା ସହ ସେ ନୃସିଂହ ଚରିତ୍ର, ଗାଉଁଳିଆ ରାମାୟଣ ଉପରେ ମଧ୍ୟ କାମ କରୁଛନ୍ତି l ମୁଖ୍ୟତଃ ଆଜିକାଲି ବହୁତ କମ ଲୋକ ବହି ପଢ଼ୁଥିବା ବେଳେ ଏହି ସବୁ ପୌରାଣିକ କଥା ବସ୍ତୁକୁ ଅଡିଓ ମାଧ୍ୟମରେ ଲୋକଙ୍କ ପାଖକୁ ଆଣିଲେ ଅନ୍ତତଃ ଏହାକୁ ଲୋକ ଶୁଣିବେ ଓ ଜାଣିବେ ବୋଲି ଏହିଭଳି ପ୍ରୟାସ ଜାରି ରହିଛି ବୋଲି କହିଛନ୍ତି ଗୁରୁ ସୁରେନ୍ଦ୍ର l
ଇଟିଭି ଭାରତ, ସମ୍ବଲପୁର

