Subhadra Yojana ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଆସନ୍ତା ଏପ୍ରିଲ 22 ଓ 23ରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି । 1 ଲକ୍ଷ 70 ହଜାର ହିତାଧିକାରୀଙ୍କ ଭିତରୁ ଯୋଗ୍ୟ ହିତାଧିକାରୀ ପାଇବେ ସୁଭଦ୍ରାର ତୃତୀୟ କିସ୍ତି । ବିଭିନ୍ନ ଗ୍ରାଉଣ୍ଡରୁ ଏମାନେ ସୁଭଦ୍ରା କିସ୍ତି ପାଇବାରୁ ବଞ୍ଚିତ ହୋଇଥିଲେ । ଏହା ସହ ତୃତୀୟ କିସ୍ତି ପରେ ଯେଉଁ ମାନଙ୍କୁ ୨୧ ବର୍ଷ ହୋଇଯାଇଥିବ ତାଙ୍କ ପାଇଁ ପୁଣି ସୁଭଦ୍ରା ଓପନ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ସୁଭଦ୍ରାକୁ ନେଇ ସର୍ଭେ ହେବ (Subhadra Scheme Survey In Odisha):
ସୁଭଦ୍ରା ଯୋଜନାକୁ ନେଇ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ‘ସୁଭଦ୍ରାକୁ ସହଜ କରିବା ପାଇଁ ସର୍ଭେ ହେବ । ମାର୍ଚ୍ଚ ୩୧ ତାରିଖ ଆବେଦନର ଶେଷ ହେବ ବୋଲି କୁହାଯାଇଥିଲା । ରବିବାର ସୁଦ୍ଧା ଯାହା ରିପୋର୍ଟ ଆସିଛି ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ନୂଆ ଆବେଦନ ଆସିଛି । ଜିଲ୍ଲା ୱାରି ସେ ଆବେଦନର ସର୍ଭେ କରାଯିବ । ଜିଲ୍ଲାରୁ ରିପୋର୍ଟ ଦେବେ ଯେଉଁମାନେ ଆବେଦନ କରିଛନ୍ତି ସେମାନେ ସଠିକ ହିତାଧିକାରୀ କି ନାହିଁ । ଆସନ୍ତା ୨୨ ଏବଂ ୨୩ ତାରିଖରେ ଏହି ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ଭିତରୁ ଯେଉଁମାନେ ଯୋଗ୍ୟ ସେମାନେ ସୁଭଦ୍ରା ଟଙ୍କା ପାଇବେ ।’
ସୁଭଦ୍ରା ଯୋଜନାରୁ ବାଦ ପଡିଥିବା ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ମଧ୍ୟରୁ ସର୍ଭେ ପରେ ଯୋଗ୍ୟ ହିତାଧିକାରୀଙ୍କୁ ଚଳିତ ୨୨ ଓ ୨୩ ତାରିଖରେ ‘ସୁଭଦ୍ରା' ଯୋଜନାର ଟଙ୍କା ଦିଆଯିବ। #subhadra_yojana #DCMPravatiParida pic.twitter.com/dduQlOHIJf
— Pravati Parida (@PravatiPOdisha) April 7, 2025
ଏପ୍ରିଲ 14 ପରେ ସୁଭଦ୍ରା ସର୍ଭେ:
ସେହିପରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ‘ରବିବାର ଭଦ୍ରକର ୫ ଜଣ ହିତାଧିକାରୀ ଯେଉଁମାନେ ଅଯୋଗ୍ୟ ହୋଇଥିଲେ ତାଙ୍କ ସହ ଆଲୋଚନା କରିଥିଲି । ସେମାନେ ସୁଭଦ୍ରାର ପ୍ରଥମ କିସ୍ତି ପାଇଥିଲେ ସେତେବେଳେ ସେମାନେ ଠିକ ଥିଲେ । ମଝିରେ ସେମାନେ କିଛି ଲୋନ ପାଇଁ ତାଙ୍କର ଆଇଟି ରିଟର୍ଣ୍ଣ ୫ ଲକ୍ଷରୁ ଉର୍ଦ୍ଧ୍ବ ବୋଲି ଦର୍ଶାଇ ଥିବାରୁରୁ ସୁଭଦ୍ରାର ଦ୍ଵିତୀୟ କିସ୍ତି ମିଳି ନାହିଁ । ଏହା ଉପରେ ବର୍ତ୍ତମାନ ତର୍ଜମା ଚାଲିଛି । ଘରକୁ ଘର ଯାଇ ସର୍ଭେ ହେବ । କେଉଁ କ୍ୟାଟେଗୋରିରେ କିଭଳି ଅଯୋଗ୍ୟ ହୋଇଛନ୍ତି । ସେନେଇ ତର୍ଜମା ହେବ । ଯେଉଁମାନେ ଧନୀ ବର୍ଗର ଅଛନ୍ତି ସେମାନେ ବାଦ ପଡ଼ି ଯାଆନ୍ତୁ ପଛେ ଯେଉଁ ପ୍ରକୃତରେ ଯୋଗ୍ୟ ସେମାନଙ୍କୁ ନିଶ୍ଚିତ ମିଳିବ ସୁଭଦ୍ରା ଟଙ୍କା । ଅଯୋଗ୍ୟଙ୍କୁ ବିଭିନ୍ନ ବର୍ଗରେ ଭାଗ ସ୍କୁଟିନି ହେବ । ଏପ୍ରିଲ ୧୪ ପରେ ଘରକୁ ଘର ବୁଲି ପୁଣି ସର୍ଭେ କରାଯିବ ।
କାହିଁକି ସୁଭଦ୍ରା ଯୋଜନାରୁ ବାଦ ପଡିଲେ ତର୍ଜମା ହେବ:
ଏକ ଲକ୍ଷ ହିତାଧିକାରୀ ଦ୍ବିତୀୟ କିସ୍ତିରୁ ବାଦ ପଡିଛନ୍ତି । ସେଇ ଏକ ଲକ୍ଷ ମହିଳା ଏବଂ ୧ ଲକ୍ଷ ୭୦ ହଜାର ହିତାଧିକାରୀରୁ ଯେଉଁମାନେ ବାଦ ପଡ଼ିବେ ତାଙ୍କ ପାଇଁ ବ୍ୟକ୍ତିଗତ ଭାବେ ଘରକୁ ଘର ବୁଲି ସର୍ଭେ କରାଯିବ । କାହିଁକି ସେମାନେ ପ୍ରଥମ କିସ୍ତି ପରେ ଦ୍ଵିତୀୟ କିସ୍ତିରୁ ବାଦ ପଡିଛନ୍ତି । ତାପରେ ସାମୁହିକ କାର୍ଯ୍ୟକ୍ରମ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ।
- ଆସନ୍ତା ଏପ୍ରିଲ 22 ଓ 23ରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି
- ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ନୂଆ ଆବେଦନ ଆସିଛି
- ଏହି ହିତାଧିକାରୀଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀ ପାଇବେ ସୁଭଦ୍ରା କିସ୍ତି
- କେଉଁମାନେ ସୁଭଦ୍ରାକୁ ବାଦ ପଡିଲେ ତର୍ଜମା ହେବ
- ଏପ୍ରିଲ 14 ପରଠୁ ଘରଠୁ ଘର ସୁଭଦ୍ରା ସର୍ଭେ ହେବ
ସୁଭଦ୍ରା ଯୋଜନା କଣ (Subhadra Yojana in Odisha) ?
ବିଜେପି ସରକାର କ୍ଷମତାକୁ ଆସିବା ପୂର୍ବରୁ ରାଜ୍ୟରେ ସୁଭଦ୍ରା ଯୋଜନା ନେଇ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିଲା । ବିଜେପି କ୍ଷମତାକୁ ଆସିବା ପରେ ରାଜ୍ୟରେ ଲାଗୁ ହୋଇଛି ସୁଭଦ୍ରା ଯୋଜନା । ଯାହା କେବଳ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ । ଏଥିରେ ରାଜ୍ୟ ସରକାର 5 ବର୍ଷରେ ମହିଳାଙ୍କୁ 50 ହଜାର ଟଙ୍କା ଦେବେ । ବର୍ଷକୁ ଦୁଇଟି କିସ୍ତିରେ 10 ହଜାର ଟଙ୍କା ଦିଆଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ସେପ୍ଟେମ୍ବର 17ରେ ରାଜ୍ୟରେ ଲାଗୁ ହୋଇଥିଲା ସୁଭଦ୍ରା ଯୋଜନା । ପ୍ରଥମ କିସ୍ତି ରାଜ୍ୟ ସରକାର ରାକ୍ଷୀ ପୂର୍ଣ୍ଣିମା ଓ ଦ୍ବିତୀୟ କିସ୍ତି ମାର୍ଚ୍ଚ 8 (ମହିଳା ଦିବସ)ରେ ଦେବାକୁ ଘୋଷଣା କରିଛନ୍ତି । 1 କୋଟି ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଥିଲା ।
ମିଶନ ଶକ୍ତିକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ‘ଭୋଟ ବ୍ୟାଙ୍କ ପାଇଁ ମିଶନ ଶକ୍ତିକୁ ବ୍ୟବହାର କରୁଥିଲା ବିଜେଡି। ବିନା ରେଜିଷ୍ଟ୍ରେସନରେ କୋଟି କୋଟି ଟଙ୍କା ଦିଆଯାଇଛି । ରେଜିଷ୍ଟ୍ରେସନ ନ ଥିବାରୁ ଅଡ଼ିଟ ନାହିଁ, ଯେଉଁଠି ରେଜିଷ୍ଟ୍ରେସନ ନାହିଁ ଓ ଅଡ଼ିଟ ନାହିଁ, ତାର ଉଦ୍ଦେଶ୍ୟ କଣ ଥିଲା ଜଣାପଡୁଛି । ପୂର୍ବରୁ ରାଜନୈତିକ ଉଦ୍ଦେଶ୍ୟ ରଖି ଲୋକଙ୍କୁ ଗ୍ରୁପ ସହ ଯୋଡି ଥିଲେ । ଚଳିତ ମାସରେ ସ୍ଵୟଂ ସହାୟକ ଗୋଷ୍ଠୀକୁ ରି ଅର୍ଗାନାଇଜ କରାଯିବ । ପୂର୍ବରୁ ଯେଉଁମାନେ ସଭାପତି ଓ ସମ୍ପାଦକ ଅଛନ୍ତି, ସେମାନଙ୍କୁ ବାହାର କରି ନୂଆ ଲୋକ ହେବେ ।’
ରି ଅର୍ଗାନାଇଜ ହେବ ସ୍ଵୟଂ ସହାୟକ ଗୋଷ୍ଠୀ (Mission Shakti) :
ସେ ଆହୁରି କହିଛନ୍ତି, ‘ପ୍ରତି ପରିବାରକୁ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଯୋଡିବାକୁ କେନ୍ଦ୍ର ସରକାର କହିଥିଲେ । ହେଲେ ପୂର୍ବ ସରକାରରେ ବହୁତ ବଞ୍ଚିତ ପରିବାର ଅଛି । କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ମହିଳାଙ୍କୁ ବାହାର କରି ଦେଇଥିଲେ । ଏବେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ପ୍ରୟାସ କରି ସବୁ ଘରକୁ ଗ୍ରୁପ ସହ ଯୋଡିବାକୁ ଚେଷ୍ଟା ଆରମ୍ଭ ହୋଇଛି । ପୂର୍ବରୁ ରାଜନୈତିକ ଉଦ୍ଦେଶ୍ୟ ରଖି ଲୋକଙ୍କୁ ଗ୍ରୁପ ସହ ଯୋଡିଥିଲେ । ଏବେ ସମସ୍ତେ ଜିପିଏଲର ନିର୍ବାଚନରେ ଭାଗ ନେବାର ସୁଯୋଗ ମିଳିବ । ପୂର୍ବରୁ ଯେଉଁମାନେ ସଭାପତି ଓ ସମ୍ପାଦକ ଅଛନ୍ତି, ସେମାନଙ୍କୁ ବାହାର କରି ନୂଆ ଲୋକ ହେବେ । ତା ଅର୍ଥ ତୃଣମୂଳ ସ୍ତରରେ ନେତୃତ୍ୱ ସୃଷ୍ଟି ପାଇଁ ଚେଷ୍ଟା ହେବ । ଚଳିତ ମାସରେ ସ୍ଵୟଂ ସହାୟକ ଗୋଷ୍ଠୀକୁ ରି ଅର୍ଗାନାଇଜ କରାଯିବ । ଏହା ପର ମାସରେ ଜିପିଏଲଫ ଓ ସିଏଲଫ, ବିଏଲଏଫଙ୍କୁ ଜିଲ୍ଲାସ୍ତର ଓ ରାଜ୍ୟ ସ୍ତରରେ ନୂଆ ନିଯୁକ୍ତି ଦିଆଯିବ। ଯେଉଁମାନେ 2 ଥର 4 ବର୍ଷରୁ ଅଧିକ ରହି ସାରିଛନ୍ତି । ସେମାନେ ଆଉ ରହି ପାରିବେ ନାହିଁ ।’
ଚଳିତ ମାସରେ ସ୍ବୟଂ ସହାୟକ ଗୋଷ୍ଠୀର ପୁନର୍ଗଠନ ହେବ । ପରେ GPLF, CLF ଓ BLFଙ୍କୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ନୂଆ ନିଯୁକ୍ତି ଦିଆଯିବ। @mission_shakti pic.twitter.com/p9pHGDTnoN
— Pravati Parida (@PravatiPOdisha) April 7, 2025
ମହିଳାଙ୍କ ବିକାଶରେ ପାତର-ଅନ୍ତର ନାହିଁ:
ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ପୂର୍ବ ସରକାର ସେମାନଙ୍କ ଭୋଟ ପାଇଁ ରାଜନୈତିକ ଉଦ୍ଦେଶ୍ୟ ରଖି ତିଆରି କରାଯାଇଥିଲା । ସେଥିପାଇଁ ରାଜ୍ୟରେ SHGଙ୍କ ରେଜିଷ୍ଟ୍ରେସନ ନାହିଁ । ବିନା ରେଜିଷ୍ଟ୍ରେସନରେ କୋଟି କୋଟି ଟଙ୍କା ଦିଆଯାଇଛି । ରେଜିଷ୍ଟ୍ରେସନ ନ ଥିବାରୁ ଅଡ଼ିଟ ନାହିଁ । ଯେଉଁଠି ରେଜିଷ୍ଟ୍ରେସନ ନାହିଁ ଓ ଅଡ଼ିଟ ନାହିଁ ତାର ଉଦ୍ଦେଶ୍ୟ କଣ ଜଣାପଡୁଛି । କିନ୍ତୁ ଏବେ ମହିଳାଙ୍କ ବିକାଶ ପାଇଁ କାମ କରିବେ ନୂଆ ସରକାର । ପାତର ଅନ୍ତର ହେବ ନାହିଁ ।’
ଇଟିଭି ଭାରତ, ଭୁବନେଶ୍ବର