Kotia Development Meeting ଭୁବନେଶ୍ବର: କୋଟିଆ ଗ୍ରାମପୁଞ୍ଜଙ୍କୁ ନେଇ ଥିବା ବିବାଦର ସମାଧାନ ଓ ଅଞ୍ଚଳ ବିକାଶ ପାଇଁ ଗଠିତ ହୋଇଛି କମିଟି । ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ଆଜି ବସିଥିଲା ପ୍ରଥମ ବୈଠକ । କୋଟିଆ ପାଇଁ ତିଆରି ହେବ ସ୍ୱତନ୍ତ୍ର ରୋଡ଼ ମ୍ୟାପ । ଗ୍ରାମପୁଞ୍ଜର ବିକାଶ ପାଇଁ ନିଜ ନିଜ ବିଭାଗର ରୋଡ଼ ମ୍ୟାପ ମାସ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । କୋଟିଆର ଆର୍ଥିକ, ସାମାଜିକ, ସଂସ୍କୃତିକ ବିକାଶ ପାଇଁ ଯୋଜନା ହାତକୁ ନିଆଯିବ । ରାସ୍ତା ଘାଟ ସହ ଭିତ୍ତି ଭୂମିର ବିକାଶ, ଚାଷୀଙ୍କ ପାଇଁ ମାର୍କେଟର ସୁବିଧା, ଯୁବକଙ୍କ ପାଇଁ କାମ ଅଖି ଆଗରେ ରଖି ବିଭାଗ ଗୁଡିକ ରୋଡ଼ ମ୍ୟାପ ପ୍ରସ୍ତୁତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
କୋଟିଆକୁ ନେଇ କୌଣସି ସାଲିସ ହେବନି:
ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ‘ଓଡିଶା ହେଉଛି ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ । କୋଟିଆ ଓଡ଼ିଶାର ଅଭିଚ୍ଛେଦ୍ୟ ଅଙ୍ଗ । କୋଟିଆକୁ ନେଇ କୌଣସି ସାଲିସ ହେବନାହିଁ । କୋଟିଆ ପ୍ରସଙ୍ଗ ଆଜିର ନୁହେଁ, ଏହା 100 ବର୍ଷର ସମସ୍ୟା । ଇଂରେଜ ଶାସନ ଅମଳରୁ ଓଡିଶା ଏବଂ ଆନ୍ଧ୍ର ଭିତରେ ଏହି ବିବାଦ ଲାଗିକି ରହିଛି । ବିବାଦକୁ ନେଇ ସୁପ୍ରିମକୋର୍ଟ ସମେତ ବିଭିନ୍ନ କୋର୍ଟରେ ମାଲିମକଦ୍ଦମା ମଧ୍ୟ ଚାଲିଥିଲା । କୋର୍ଟରେ ମାମଲାର ସଠିକ ପରିଚାଳନା ନହେବା କାରଣରୁ ଓଡିଶା ଅଧିକ କ୍ଷତିଗ୍ରସ୍ଥ ହୋଇଛି । ପୂର୍ବ ସରକାର କୋର୍ଟଙ୍କ ଦ୍ୱାରସ୍ଥ ହେଲେ କିନ୍ତୁ ଠିକ ଭାବେ ତଥ୍ୟ ରଖି ପାରିଲେ ନାହିଁ । ସୁପ୍ରିମକୋର୍ଟରେ ଅନ୍ୟ ଏକ କେସରେ ହାରିବା ପରେ ତାକୁ ପୁନଃ ଜୀବିତ ପାଇଁ ଉଦ୍ୟମ କରାଯାଇଛି । ମାମଲା ଆଗକୁ ବଢ଼େଇବା ଲାଗି ଅଭିଜ୍ଞତା ଥିବା ଓକିଲ ମାନଙ୍କ ସହ ପରାମର୍ଶ କରାଯାଉଛି ।
ଆଜି ବସିଥିଲା ପ୍ରଥମ ବୈଠକ:
ରାଜସ୍ୱ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ‘ବିକଶିତ କୋଟିଆ ପାଇଁ ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା କମିଟିର ଆଜି ବସିଥିଲା ପ୍ରଥମ ବୈଠକ । ଅତୀତ ସରକାରଙ୍କ ପଦକ୍ଷେପ, ବିଧାନସଭାର ଗୃହ କମିଟିର ସୁପାରିଶ ବାବଦରେ ଆଲୋଚନା ହୋଇଛି । ପୂର୍ବରୁ ମିଳିଥିବା ପରାମର୍ଶ ଓ ଏହା ଉପରେ ନିଆଯାଇଥିବା ପଦକ୍ଷେପର ତଥ୍ୟ ଆଗାମୀ ବୈଠକରେ ଉପସ୍ଥାପନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବ ସରକାରର ପଦକ୍ଷେପର ରିପୋର୍ଟ ତଲବ ହୋଇଛି । କୋଟିଆ ପାଇଁ ଯାହା କରିବାର ଆବଶ୍ୟକତା ରହିଛି, ତାହା କରାଯିବ । ବିକାଶ ସହ ଆର୍ଥିକ ସାମାଜିକ ଓ ସଂସ୍କୃତିକ ଉନ୍ନତି ପାଇଁ ପଦକ୍ଷେପ ନିଆଯିବ । ଏହା ସହ ଯୁବ ବର୍ଗଙ୍କୁ ନିଯୁକ୍ତି ଦେବାପାଇଁ ରୋଡ଼ ମ୍ୟାପ ପ୍ରସ୍ତୁତ ହେବ । ଏଥିପାଇଁ ନିଜ ନିଜ ବିଭାଗର ରୋର୍ଡ ମ୍ୟାପ ପ୍ରସ୍ତୁତ କରି ଆଣିବେ ବିଭାଗ ।’
ଉନ୍ନତି ଦିଗରେ ପଦକ୍ଷେପ:
ରାଜସ୍ୱ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ‘ରାସ୍ତାଘାଟର ଉନ୍ନତି ସହ ସ୍ୱାସ୍ଥ୍ୟ ସେବା, ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି, ଚାଷୀ ଓ ଛୋଟ ବ୍ୟବସାୟୀଙ୍କ ଲାଗି ମାର୍କେଟ ବ୍ୟବସ୍ଥା, ଉପଯୁକ୍ତ ମୂଲ୍ୟ ପ୍ରଦାନ ଦିଗରେ ପଦକ୍ଷେପ ନିଆଯିବ । ସମସ୍ତ ଗରିବ କଲ୍ୟାଣ ଯୋଜନା ପହଁଚାଇବା ଲାଗି ପଦକ୍ଷେପ ନିଆଯିବ ।’
ଏହା ମଧ୍ୟ ପଢନ୍ତୁ: ମୁଖ୍ୟମନ୍ତ୍ରୀ ମୋହନଙ୍କ ନିର୍ଦ୍ଦେଶ, 'କୋଟିଆ ସ୍ଥିତି ପରଖିବ କମିଟି ' କୋଟିଆ ସୀମା ବିବାଦ: ଆଇନଗତ ଲଢ଼େଇ ନୁହେଁ, ଆନ୍ଧ୍ର-ଓଡ଼ିଶା ଆନ୍ତଃରାଜ୍ୟ ବୁଝାମଣା ପାଇଁ ବିଶେଷଜ୍ଞଙ୍କ ମତ |
କମିଟିରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଓ ଆଇଜି, କୋରପୁଟ ଜିଲ୍ଲପାଳ ଓ ଏସପି ଏବଂ ପୂର୍ବତନ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର