Shree Jagannath Temple Administration ପୁରୀ: ବୃଦ୍ଧି ପାଇବ ଶ୍ରୀମନ୍ଦିର ଏବଂ ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟ । ସୃଷ୍ଟି ହେବ ଆଧ୍ୟାତ୍ମିକ ପରିବେଶ । ପରିକ୍ରମା ମାର୍ଗ କରିଡର ପରି ଘର ପାଇଁ ଆସିବ ନୂଆ ଗାଇଡଲାଇନ୍ । ନୂଆ ଡିଜାଇନରେ ଘର ନିର୍ମାଣ ହେବ । ଉଚ୍ଚ ଅଟାଳିକ ଆବଶ୍ୟକ ପଡିଲେ ଭଙ୍ଗା ଯିବ । ଦୁଇ ମନ୍ଦିରର ଚାରିପାଖରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ପାଇଁ ସମସ୍ତ ପଦକ୍ଷେପ ନିଆଯିବ ।
ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ପରେ ପୁଣି ଆଉ ଏକ ନୂଆ ପଦକ୍ଷେପ ନେବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ପରିକ୍ରମା ମାର୍ଗକୁ ଲାଗି ରହିଥିବା କୋଠା ଗୃହ ଗୁଡ଼ିକ ନିର୍ଦ୍ଦିଷ୍ଟ ଉଚ୍ଚତାରେ ସୀମିତ ରହିବ । ଘରର ଆକୃତି ମଧ୍ୟ ପାରମ୍ପରିକ କଳିଙ୍ଗ ସ୍ଥାପତ୍ୟ କଳାରେ ଝଲସିବ । ସେହିପରି ଅନୁରୂପ ଭାବରେ ଏହି ନିୟମ ମଧ୍ୟ ଗୁଣ୍ଡିଚା ମନ୍ଦିର ଚାରି ପାର୍ଶ୍ଵ ପାଇଁ ଲାଗୁ ହେବ । ଗୁଣ୍ଡିଚା ମନ୍ଦିର ଚାରିପାଖରେ ହେଉ ଅବା ଶ୍ରୀମନ୍ଦିର ଚାରିପାଖରେ କେହି ମନଇଛା ଘର ନିର୍ମାଣ କରିପାରିବେ ନାହିଁ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଠାରୁ ଅନୁମତି ନେବାକୁ ପଡ଼ିବ । ଶ୍ରୀମନ୍ଦିର ଏବଂ ଗୁଣ୍ଡିଚା ମନ୍ଦିର ଭଳି ଐତିହ୍ୟ କୀର୍ତ୍ତିରାଜିର ସୁରକ୍ଷାକୁ ଦୃଷ୍ଟିରେ ରଖାଯାଇ ଏହି ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛି ଶ୍ରୀମନ୍ଦିର ପ୍ରଶାସନ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପ୍ରଶାସନର ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନୂଆ ପଦକ୍ଷେପକୁ ସ୍ବାଗତ କରିଛନ୍ତି ସେବାୟତ ।

ଶ୍ରୀମନ୍ଦିର ଏବଂ ଗୁଣ୍ଡିଚା ମନ୍ଦିର ଚାରି ପାର୍ଶ୍ଵରେ ଅନେକ ଉଚ୍ଚ ଅଟ୍ଟାଳିକା ଥିବାରୁ ଅନେକ ଗୁପ୍ତ ନୀତି କାନ୍ତି ଦୃଶ୍ୟମାନ ହେଉଛି । ଏହାଦ୍ବାରା ମହାପ୍ରଭୁଙ୍କର ଅନେକ ଗୁପ୍ତ ନୀତି ସାର୍ବଜନୀନ ହୋଇଯାଉଛି । ଯାହାକୁ ନେଇ ସେବାୟତ ମାନେ ଚିନ୍ତାପ୍ରକଟ କରିବା ସହ ଏନେଇ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ କରିଥିଲେ । ସେହିପରି ଶ୍ରୀମନ୍ଦିର ଏବଂ ଗୁଣ୍ଡିଚା ମନ୍ଦିରର ଚତୁଃପାର୍ଶ୍ଵ ବହୁ ଜନଗହଳି ପୂର୍ଣ୍ଣ ଏବଂ ଅଣ ଓସାରିଆ ରାସ୍ତା ଥିବାରୁ ଐତିହ୍ୟ କୀର୍ତ୍ତିରାଜି ପ୍ରତି ବିପଦ ରହିଥିବା ପୂର୍ବରୁ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି ସତର୍କ କରାଇ ଆସିଛି । ତେବେ ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏବେ ଦ୍ବିତୀୟ ପର୍ଯ୍ୟାୟରେ ଗୁଣ୍ଡିଚା ମନ୍ଦିର ଚାରିପାଖରେ ଏକ ସ୍ବତନ୍ତ୍ର କରିଡର ନିର୍ମାଣର ଆବଶ୍ୟକତା ଥିବା ସେବାୟତ ମାନେ କହିଛନ୍ତି।

ଘରର ଆକାର ଓ ରୂପରଙ୍ଗ ବଦଳାଇବାରେ ସରକାରଙ୍କ ଆର୍ଥିକ ସହଯୋଗ ଜରୁରୀ-

ଗୁଣ୍ଡିଚା ମନ୍ଦିର ନିକଟରେ ଘର ଥିବା ଶ୍ରୀମନ୍ଦିର ସେବାୟତ ରାଜାରାମ ଖୁଣ୍ଟିଆ କହିଛନ୍ତି, "ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ଚାରିପାଖରେ ଘର ଗୁଡ଼ିକ ନିର୍ଦ୍ଦିଷ୍ଟ ଉଚ୍ଚତା ରହିବା ସହ କଳିଙ୍ଗ ସ୍ଥାପତ୍ୟ କଳା ଥିବା ଭଳି ଘର ନିର୍ମାଣକୁ ଆମେ ସ୍ବାଗତ କରୁଛୁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିମନ୍ତେ ଯାହା କିଛି ନିଷ୍ପତ୍ତି ହେଉଛି ତାହା ସାରା ବିଶ୍ଵ ପାଇଁ ଏଣୁ ମହାପ୍ରଭୁ ନିମନ୍ତେ ଯେଉଁ ପ୍ରକଳ୍ପ ହେବ ସେବାୟତଙ୍କ ଠାରୁ ଆରମ୍ଭ କରି ପୁରୀ ବାସିନ୍ଦା ସଂପୂର୍ଣ୍ଣ ସହଯୋଗ କରିବେ । ତେବେ ଏହି ପ୍ରକଳ୍ପ ପାଇଁ ଯେଉଁ ବ୍ୟକ୍ତିମାନେ କ୍ଷତି ସହିବେ ଓଡ଼ିଶା ସରକାର ତାହା ବହନ କରିବା ଉଚିତ । କାରଣ ଅନେକ ଲୋକଙ୍କ ଆର୍ଥିକ ସ୍ଥିତି ଭଲ ନାହିଁ । ଏଣୁ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ଚାରିପାଖରେ ଥିବା ଘର ଗୁଡ଼ିକ ଆକାର ଓ ରୂପରଙ୍ଗ ବଦଳାଇବାରେ ସରକାର ଆର୍ଥିକ ସହଯୋଗ ଦେଲେ ଲୋକ ମାନେ ନିଶ୍ଚିତ ସହଯୋଗ କରିବେ ।"

ଉଚ୍ଚ ଅଟ୍ଟାଳିକା ପାଇଁ ଦୃଶ୍ୟମାନ ହେଉନି ଗୁଣ୍ଡିଚା ମନ୍ଦିର-


ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ ଏବଂ ମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ-
ସେପଟେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, "କହିଛନ୍ତି ଏହି ନୂଆ ପଦକ୍ଷେପ ଦ୍ବାରା ଶ୍ରୀମନ୍ଦିର ଏବଂ ଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବା ସହ ଏକ ଭିନ୍ନ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ । ଦେଶର ବିଭିନ୍ନ ବଡ଼ ବଡ଼ ଧର୍ମପୀଠରେ ଏଭଳି ପଦକ୍ଷେପ ନିଆଯାଇଥିବା ବେଳେ ଶ୍ରୀମନ୍ଦିର ଏବଂ ଗୁଣ୍ଡିଚା ମନ୍ଦିର ପାଇଁ ଏଭଳି କିଛି ନିୟମ ଆବଶ୍ୟକତା ଥିବା ଜିଲ୍ଲାପାଳ କହିଛନ୍ତି । ତେବେ ଆଗାମୀ ଦିନରେ ନୂଆ କୋଠାଘର ଗୁଡିକ ପାଇଁ ଏହି ନିୟମ ଲାଗୁ ହେବ । ଯଦି ଦରକାର ପଡେ ପୁରୁଣା ଉଚ୍ଚ ଅଟ୍ଟାଳିକା ଗୁଡ଼ିକୁ ନିର୍ଦ୍ଦିଷ୍ଟ ଉଚ୍ଚତା ପାଇଁ ଯେତିକି ଆବଶ୍ୟକ ସେତିକି ଭଙ୍ଗାଯାଇ ଘର ମାଲିକଙ୍କୁ କ୍ଷତିପୂରଣ ଦିଆଯିବ । ଏନେଇ କୌଣସି ନିୟମ ଆସିନଥିବା ବେଳେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଆସିବା ପରେ ପଦକ୍ଷେପ ନିଆଯିବ ।"
ଇଟିଭି ଭାରତ, ପୁରୀ