Sikkim Tourist Vehicle Accident ଯାଜପୁର: ଛୁଟି ପାଲଟିଲା ଟ୍ରାଜେଡି । ସିକ୍କିମ ତିସ୍ତା ନଦୀ ଦୁର୍ଘଟଣାରେ ଓଡ଼ିଶା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଇତିଶ୍ରୀ ଜେନା ନିଖୋଜ ହୋଇଯାଇଛନ୍ତି । ପୋଲିସର ସୂଚନା ଅନୁସାରେ, 11 ଜଣ ଗାଡିରେ ଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି 2 ଜଣ ଗୁରୁତର ରହିଥିବା ବେଳେ 8 ନିଖୋଜ ଅଛନ୍ତି । ଏହି ଗାଡିରେ 6 ଜଣ ଓଡ଼ିଆ ଥିଲେ । ତେବେ ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ବିଜେପି ନେତ୍ରୀ ଇତିଶ୍ରୀ ଜେନା ନିଖୋଜ:
ଗତକାଲି(ମେ’ 29) ବିଳମ୍ବିତ ରାତିରେ ସିକ୍କିମର ଏକ ଘାଟିରୁ ଫେରୁଥିବା ବେଳେ ଘଟିଲା ଏକ ବଡ଼ ଅଘଟଣ । ଘାଟିରୁ ତଳକୁ ଖସିଲା ଟୁରିଷ୍ଟ ଗାଡି । ଗତ 25 ତାରିଖ ଦିନ ସିକ୍କିମର ଗାଙ୍ଗଟକକୁ ବୁଲିବାକୁ ବାହାରି ଥିଲେ ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ ଉମାପଦା ଅଞ୍ଚଳର ଭାଇ ଭଉଣୀଙ୍କ ଚାରୋଟି ପରିବାର । ଏମାନେ ସିକ୍କିମରେ ପହଞ୍ଚିବା ପରେ ଗତକାଲି ଦୁଇଟି ଗାଡିରେ ସିକ୍କିମର ଏକ ହିଲ ଟପକୁ ବୁଲିବାକୁ ଯାଇଥିଲେ । ମାତ୍ର ରାତ୍ରି ସମୟରେ ଘାଟିରୁ ତଳକୁ ଖସିବା ସମୟରେ ଘଟିଛି ବଡ଼ ଅଘଟଣ । ଭାରସାମ୍ୟ ହରାଇ 11 ଜଣିଆ ଗାଡିଟି ତଳକୁ ଖସିପଡିଥିଲା । ଗାଡିଟି ମାଟି ତଳେ ପୋତିହୋଇ ଯାଇଥିବା ବେଳେ ଏହି ଗାଡିରେ ଥିବା ପଶ୍ଚିମବଙ୍ଗ ଅଞ୍ଚଳର 5 ଜଣ ଓ ଓଡିଶାର 4ଜଣ ଏବେ ବି ନିଖୋଜ ଅଛନ୍ତି ।

ମିଳିଛି ଇତିଶ୍ରୀଙ୍କ ପରିବାରର ପତ୍ତା, ଏବେବି ନିଖୋଜ ଇତିଶ୍ରୀ:
ତେବେ ନିଖୋଜଙ୍କ ମଧ୍ୟରେ ଓଡ଼ିଶାର ଇତିଶ୍ରୀ ଜେନା ନାମକ ରାଜ୍ୟ ବିଜେପିର ଜଣେ ମହିଳା ନେତ୍ରୀ ଅଛନ୍ତି । ଇତିଶ୍ରୀ ନାୟକ ଓ ତାଙ୍କ ବଡପୁଅ ସୋହେଲ ନିଖୋଜ ରହିଛନ୍ତି । ସେହିପରି ଇତିଶ୍ରୀଙ୍କ ସାନ ଭାଇ ଲାଟୁ ଓରଫ୍ ଅଜିତ୍ ନାୟକ ଓ ଭାଉଜ ସୁନିତା ମଧ୍ୟ ନିଖୋଜ ଅଛନ୍ତି । ମୋଟାମୋଟି 4ଜଣ ନିଖୋଜ ଥିବା ବେଳେ ଏହି ଗାଡିରେ ଥିବା ଇତିଶ୍ରୀଙ୍କ ସାନପୁଅ ଓ ପୁତୁରା(ଅଜିତଙ୍କ ପୁଅ) ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ଏବଂ ସେମାନଙ୍କର ଚିକିତ୍ସା କରାଯାଉଛି ।
ଯାଜପୁର ଆଟିଓଙ୍କ ତଦନ୍ତ:
ସ୍ଥାନୀୟ କୋରାଇ ବିଧାୟକ ଆକାଶ ଦାସ ନାୟକ ଓ ଯାଜପୁର ସାଂସଦ ରବିନ୍ଦ୍ର ନାରାୟଣ ବେହେରାଙ୍କ ଅନୁରୋଧ କ୍ରମେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସିକିମ୍ ପ୍ରଭାରୀ ସମ୍ବିତ୍ ପାତ୍ର ଏଥିରେ ହସ୍ତକ୍ଷେପ କରିଥିଲେ । ସେମାନଙ୍କ ଅନୁରୋଧ କ୍ରମେ ସିକିମର ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ବାବଧାନରେ ଘଟଣା ସ୍ଥଳରେ ରେସ୍କ୍ୟୁ ଟିମ୍ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏମାନେ ସମସ୍ତେ ଖୁବ୍ ଶୀଘ୍ର ଉଦ୍ଧାର ହେବେ ବୋଲି ପରିବାର ଲୋକଙ୍କୁ ଆଶ୍ବାସନା ମିଳିଛି । ସେପଟେ ରାଜ୍ୟ ପରିବହନ ବିଭାଗର ନିର୍ଦ୍ଦେଶ କ୍ରମେ ଯାଜପୁର ଆଟିଓ ନିଖୋଜ ଇତିଶ୍ରୀ ଜେନାଙ୍କ ଉମାପଦା ସ୍ଥିତ ବାସଭବନରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l

‘ETV Bharat’କୁ ଇତିଶ୍ରୀଙ୍କ ଭାଇଙ୍କ ପ୍ରତିକ୍ରିୟା:
ଦୁର୍ଘଟଣାର ପ୍ରତ୍ୟକ୍ଷଦର୍ଶୀ ଇତିଶ୍ରୀଙ୍କ ବଡ଼ ଭାଇ ଶିଶିର ନାୟକ ଇଟିଭି ଭାରତକୁ ଫୋନୋ ଯୋଗେ କହିଛନ୍ତି କି, ‘ଦୁର୍ଘଟଣା ଗାଡିଟି ଉଦ୍ଧାର କରାଯାଇଛି । କିଏ କିଏ ଭିତରେ ଅଛନ୍ତି କିଏ କିଏ ଭାସି ଯାଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଘଟଣାକୁ 24 ଘଣ୍ଟା ପୂରିବାକୁ ବସିଥିଲା ବି ଏବେବି ଭଉଣୀ, ଭାଇ,ଭାଇ ବହୁ ଓ ଭଣଜାର ପତ୍ତା ମିଳିନାହିଁ l ସିକ୍କିମ ସରକାର ସମସ୍ତ ସହଯୋଗ କରୁଛନ୍ତି l ସମସ୍ତ ଚିକିତ୍ସା ଫ୍ରି କରିଦେଇଥିବା ବେଳେ ସିକ୍କିମ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ ପହଞ୍ଚି ସମସ୍ତ ସୁବିଧା ଅସୁବିଧା ସମ୍ପର୍କରେ ପଚାରିଛନ୍ତି l ତେବେ 9 ଜଣ ନିଖୋଜଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଦୁଇଟି ଲୋକ ଉଦ୍ଧାର ହେଇଛନ୍ତି l’

ICUରେ ଭଣଜା-ପୁତୁରା:
ସେ ଆହୁରି କହିଛନ୍ତି, ‘ଗତକାଲି ଠାରୁ ଉଦ୍ଧାର ହେଇଥିବା ଭଣଜା, ପୁତୁରା ଆଇସିୟୁରେ ଭର୍ତ୍ତି ହେଇଥିବା ବେଳେ ଗତକାଲି ଅପେକ୍ଷା ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ତେବେ ଜଣେ ଗୁରୁତର ଅଛନ୍ତି l ଗତକାଲି ଆମେ ଆଗ ପଛ ହେଇ ଦୁଇଟି ଗାଡିରେ ଯାଉଥୁଲୁ । ତେବେ 1 ଘଣ୍ଟାର ପରେ ଆମେ ଆଉ ପଛ ଗାଡିକୁ ଦେଖିବାକୁ ପାଇ ନଥିଲୁ । ତେବେ ଭୟଭୀତ ହେଇ ମୋ ଝିଅ ଓ ଭଉଣୀଙ୍କୁ ଆର୍ମି କ୍ୟାମ୍ପରେ ଛାଡି ଆର ଗାଡିକୁ ଦେଖିବାକୁ ଯାଇଥଲୁ l ସେତେବେଳେ ମୋ ଗାଡିଟି ପ୍ରାୟ 1 ହଜାର ଫୁଟ ତଳକୁ ଖସିଯାଇଥିଲା l ତେବେ ଏବେବି ଆର୍ମି,ଏନଡିଆରଏଫ ଠାରୁ ସମସ୍ତ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି l ଦୁର୍ଘଟଣା ହେଇଥିବା ଗାଡିଟି ଉଦ୍ଧାର ହେଇଛି l’

ଟୁରିଷ୍ଟ ଗାଡିରେ ଏମାନେ ଥିଲେ ?
- ଇତିଶ୍ରୀ ଜେନା
- ଅଜିତ କୁମାର ନାୟକ
- ସ୍ବୟଂମ ସୁପ୍ରତିମ ନାୟକ
- ଅଙ୍କିତା ସିଂହ
- ଦେବଜ୍ୟୋତିଜୟ ଦେବ
- ସାହିଲ ଜେନା
- ସାଇରାଜ ଜେନା
- ସୁନିତା ନାୟକ
- କୌଶଲନ୍ଦ୍ରେ ପ୍ରତାପ ସିଂ
- ସ୍ବପ୍ନିଲ ଦେବ
ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୋହନ:
ଏହି ଦୁର୍ଘଟଣାକୁ ନେଇ ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ । ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ 8ରୁ 9ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଏକ ଛୋଟ ଗାଡିରେ ଓଡ଼ିଶାର 6 ଜଣ ଥିଲେ । ଯଦି ସେମାନଙ୍କ ମଧ୍ୟରେ କେହି ଆହତ ଥାଆନ୍ତି ଆମେ ଚିକିତ୍ସା କରିବୁ ବୋଲି ଟେଲିଫୋନିକ ବାର୍ତ୍ତାଳାପରେ କହିଛନ୍ତି ସିକ୍କିମ ମୁଖ୍ୟମନ୍ତ୍ରୀ ।


ଚିକିତ୍ସିତ ଓଡିଆଙ୍କୁ ଭେଟିଲେ ସିକ୍କିମ ବିଜେପି ରାଜ୍ୟ ସଭାପତି:
ନର୍ଥ ସିକ୍କିମ ଦୁର୍ଘଟଣାରେ ଆହତ ପର୍ଯ୍ୟଟକ ନିଖୋଜ ଇତିଶ୍ରୀ ପୁଅ ସ୍ୱୟଂ ସୁପ୍ରତିମ ନାୟକ ଏବଂ ପୁତୁରା ସାଇରାଜ ଜେନା ଏବେ ଚିକିତ୍ସିତ ଅବସ୍ଥାରେ । ସିକ୍କିମ ବିଜେପି ରାଜ୍ୟ ସଭାପତି ଡାକ୍ତରୀ ଦଳ ସହିତ ପରାମର୍ଶ କରିଥିଲେ ଏବଂ ଆହତମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ ।
ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ସିକ୍କିମ ଗସ୍ତରେ ସ୍ବତନ୍ତ୍ର ଟିମ:
ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଗାଡିରେ ଓଡ଼ିଶା ଯାତ୍ରୀ ଥିବା ବେଳେ ସେମାନଙ୍କ ଉଦ୍ଧାର, ଚିକିତ୍ସା ଓ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ସିକ୍କିମ ସରକାରଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ସରକାର । ଏହା ସହ ସିକ୍କିମ ଗସ୍ତରେ ଏକ ସ୍ବତନ୍ତ୍ର ଟିମ ଗସ୍ତ ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଦୁର୍ଘଟଣାରୁ ବଞ୍ଚାଇବା ପାଇଁ ପୁଅକୁ ଠେଲି ଦେଇଥିଲେ ଇତିଶ୍ରୀ:
ଏନେଇ ଇତିଶ୍ରୀଙ୍କ ବଡ ଭଉଣୀର ପୁଅ ସଂଗ୍ରାମ ଦେଓ କହିଛନ୍ତି, ‘ରବିବାର ରାତିରେ ସେମାନେ ଏଠାରୁ ଯାତ୍ରା ଆରମ୍ଭ କରିଥିଲେ । ଗ୍ୟାଙ୍ଗଟକରୁ ଚୁଆଙ୍ଗକୁ ଯାଇଥିଲେ । ବୁଲାବୁଲି କରି ଦୁଇଟି ଗାଡିରେ ଫେରିଥିଲେ । ରାସ୍ତାରେ ଆସୁଥିବା ବେଳେ ଗୋଟିଏ ଗାଡିର ଲାଇଟ କାମ କରିନଥିଲା । ସନ୍ଦେହ କରିକି ପଛକୁ ଯାଇଥିଲେ । କିନ୍ତୁ ସେ ଗାଡି ଆଉ ନଥିଲା । ପାଖରେ ଥିବା ଆର୍ମି ବେସ୍କୁ ପଚରାଉଚରା କରିଥିଲେ । ସେମାନେ ମନା କରିଥିଲେ କିଛି ଗାଡି ଆସିନି ବୋଲି । ମାଉସୀ(ଇତିଶ୍ରୀ)ଙ୍କ ସାନ ପୁଅ କହିବା ଅନୁସାରେ, ଯେତେବେଳେ ଗାଡି ଦୁର୍ଘଟଣା ହେଉଥିଲା ସେତେବେଳେ ସାନ ପୁଅ ଓ ମାମୁଁଙ୍କ ପୁଅକୁ ଗାଡିରୁ ଠେଲି ଦେଇଥିଲେ । ସେଥିପାଇଁ ଦି ଜଣ ଅଛନ୍ତି । ଦୁହେଁ ଗୁରୁତର ଅବସ୍ଥାରେ ଅଛନ୍ତି । ସରକାରଙ୍କୁ ନିବେଦନ ସେମାନଙ୍କୁ କିପରି ଭଲରେ ଆଣି ପହଞ୍ଚାଇ ଦିଅନ୍ତୁ ।’
ସିକ୍କିମର ତିସ୍ତା ନଦୀରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ବିଷୟରେ ଜାଣି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
— CMO Odisha (@CMO_Odisha) May 30, 2025
ଏହି ବସ୍ ରେ ଓଡ଼ିଶାର ଅନେକ ଯାତ୍ରୀ ଥିବାର ସୂଚନା ମିଳିବା ପରେ ଓଡ଼ିଶାର ଦୁର୍ଘଟଣାଗ୍ରସ୍ତ ଯାତ୍ରୀମାନଙ୍କର ଉଦ୍ଧାର, ଚିକିତ୍ସା ଓ ଓଡ଼ିଶା ପ୍ରତ୍ୟାବର୍ତ୍ତନ…
ସିକ୍କିମ ସରକାରଙ୍କ ସହ ଯୋଗାଯୋଗରେ:
ଯାଜପୁର ସାଂସଦ ରବିନ୍ଦ୍ର ନାରାୟଣ ବେହେରା କହିଛନ୍ତି, ‘ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଇତିଶ୍ରୀ ଜେନା ଓ ତାଙ୍କ ପରିବାର ସିକ୍କିମ ବୁଲିବାକୁ ଯାଇଥିଲେ । ସେମାନେ ଟୁରିଷ୍ଟ ଗାଡିରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ମୁଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଯୋଗାଯୋଗ କରିଥିଲି । ସେ ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ଏହାସହ ମୁଁ ମଧ୍ୟ ସିକ୍କିମର ସାଂସଦଙ୍କ ସହ କଥା ହୋଇଥିଲି । ସର୍ଚ୍ଚ ଅପରେସନ ଚାଲିଛି । ଏନଡିଆରଏଫ, ଆଇଟିବିିପି, ଅନ୍ୟ ପୋଲିସ ଫୋର୍ସ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।
ଇଟିଭି ଭାରତ, ଯାଜପୁର