କେନ୍ଦ୍ରାପଡା: ପରିବେଶ ପ୍ରଦୂଷିତ କରୁଛି କି ଚିଙ୍ଗୁଡି ଚାଷ ? କିଏ କହୁଛି ସତ ? ଚାଷୀ ନା ପରିବେଶବିତ୍ତ ? ଚିଙ୍ଗୁଡି ଚାଷ ଦ୍ବାରା ପରିବେଶ ପ୍ରଦୂଷିତ ହେବା ସହ ଚାଷ ନଷ୍ଟ ହେଉଥିବା ଅଭିଯୋଗ ହୋଇଆସୁଛି । କେନ୍ଦ୍ରାପଡାରେ ଥିବା ୯ଟି ବ୍ଲକ ମଧ୍ୟରୁ ତିନୋଟି ବ୍ଲକରେ ହେଉଛି ପର୍ଯ୍ୟାପ୍ତ ପରିମାଣର ଚିଙ୍ଗୁଡ଼ି ଚାଷ। ସମୁଦ୍ରର ଲୁଣା ପାଣି ସାଙ୍ଗକୁ ନଦୀ ଓ ନାଳ ପାଣି ନେଇ ଚିଙ୍ଗୁଡ଼ି ଚାଷ କରାଯାଉଥିବା ବେଳେ ଏହି ଚିଙ୍ଗୁଡ଼ି ଚାଷ ଘେରି(ପୋଖରୀ)ରୁ ବାହାରୁଥିବା ପାଣି ନଦୀ ଓ ସମୁଦ୍ରରେ ମିଶିବା ଦ୍ୱାରା ପରିବେଶ ପ୍ରଦୂଷିତ ହେଉଛି। ତେବେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଶାସନ ଉଚ୍ଛେଦ କରୁଥିବା ବେଳେ ଏହି ଉଚ୍ଛେଦ ବେଳେବେଳେ ପ୍ରହସନ ପାଲଟିଥିବା ଅଭିଯୋଗ ହେଉଛି। ଅନ୍ୟପଟେ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଯାଇ କାମ କରି ଜୀବନ ହାରିବା ଅପେକ୍ଷା ନିଜ ଜମିରେ ଚିଙ୍ଗୁଡ଼ି ଚାଷ କରି ନିଜେ ଆତ୍ମନିର୍ଭର ହେବା ସହ ପରିବାର ଓ ଅନ୍ୟମାନଙ୍କୁ ନିଯୁକ୍ତି ଦିଆ ଯାଇପାରୁଥିବା କୁହନ୍ତି ଚିଙ୍ଗୁଡ଼ି ଚାଷୀ।।
- ଜୀବନ ଜୀବିକା ପାଇଁ ଚିଙ୍ଗୁଡି ଚାଷ
ଏହି ଚିଙ୍ଗୁଡ଼ି ଚାଷକୁ ଜୀବିକା ଭାବେ ଗ୍ରହଣ କରି ନେଇଥିବା ଜଣେ ଚିଙ୍ଗୁଡ଼ି ଚାଷୀ ରୁଦ୍ର ନାରାୟଣ ଦାସ କୁହନ୍ତି,"ଧାନ ଚାଷ ଅପେକ୍ଷା ଚିଙ୍ଗୁଡ଼ି ଚାଷରେ ଲାଭ ଭଲ ହେଉଛି। ପ୍ରଥମେ ସିଜିନ ଆଗରୁ ପୋଖରୀ ଶୁଖାଇ ଚାଂଛୁଛୁ ପରେ ଚୂନ ପକାଇ ବୋରିଂ ପାଣି ଆଣି ଚିଙ୍ଗୁଡ଼ି ଚାଷ କରୁଛୁ। ଏହି ଚିଙ୍ଗୁଡ଼ି ଚାଷ ଫେବ୍ରୁଆରୀ ମାସରୁ ଆରମ୍ଭ କରି ତିନିମାସ ସାଢ଼େ ତିନିମାସରେ ଚିଙ୍ଗୁଡ଼ି ଧରାଯାଏ। ଏହି ଘେରିର ପାଣିକୁ ଆମେ ନିଜେ ବ୍ୟବହାର କରିବା ସହ ବର୍ଷାଦିନେ ଏହି ପୋଖରୀର ଉଦବୃତ ଜଳକୁ ଗାଈଗୋରୁ ପିଇ ଥାଆନ୍ତି ହେଲେ ସେମାନଙ୍କର କିଛି ହୁଏ ନାହିଁ ତେଣୁ ଏହି ଚିଙ୍ଗୁଡ଼ି ଘେରି ପାଣି ଦୂଷିତ କଥା ସମ୍ପୂର୍ଣ୍ଣ ମିଛ। ସରକାରୀ କଥା ତେଣୁ ସେମାନେ ବନେଇ ଚୁନେଇ କହୁଛନ୍ତି।ଆମେ ମଜଭୂତ ଘେରି କରି ବନ୍ଧ କରିଛୁ ତେଣୁ ଏହା ବୁଡିବାର ପ୍ରଶ୍ନ ଉଠୁନି ତେଣୁ ଅନ୍ୟର ଜମିକୁ କେମିତି ପାଣି ଯିବ? ଆମେ ଏହି ଘେରିରେ ଦିନକୁ ଚାରି ଥର ଚିଙ୍ଗୁଡ଼ି ମାନଙ୍କୁ ଖାଇବାକୁ ଦେଉ, ଇରେସନ(ଅକ୍ସୀଜେନ)କରୁ। ସକାଳେ, ୯ଟାରେ, ସାଢେ ବାରଟା ଓ ସନ୍ଧ୍ୟାରେ ଏହି ଇରେସନ ହୋଇଥାଏ। ମୁଁ ଏହି ଚିଙ୍ଗୁଡ଼ି ଚାଷରେ ୩-୪ ବର୍ଷ ହେଲାଣି ଅଛି ଓ ତିନି ଏକର ଜମିରେ ଚିଙ୍ଗୁଡ଼ି ଚାଷ କରୁଛି। ଆମ ଘରର ୬ ଜଣ ଏହି ଚିଙ୍ଗୁଡ଼ି ଚାଷ କରୁଛୁ। ଆଗରୁ ମୁଁ କେରଳରେ ହେଲପର ଭାବେ ରଡ଼,ସିମେଣ୍ଟ କାମ କରୁଥିଲି। ସେଠାରେ ୧୦-୧୨ ହଜାର ଦରମା ମିଳୁଥିଲା। ତେବେ ସେଠାରେ ଗୁଜୁରାଣ ନ ମେଣ୍ଟିବାରୁ ମୁଁ ଗାଁକୁ ଆସି ଏହି ଚାଷ କଲି। ପ୍ରତିବର୍ଷ ମାଇକ ବୁଲାଇ ପ୍ରଚାର କରି ପ୍ରଶାସନ ଘେରି ଉଚ୍ଛେଦ କରେ"ବୋଲି କହିଛନ୍ତି।
- ପରିବେଶବିତ୍ତଙ୍କ ଭିନ୍ନ ଭିନ୍ନ ମତ
କିନ୍ତୁ ଚିଙ୍ଗୁଡି ଚାଷ ପାଇଁ ପରିବେଶ ଦୂଷିତ ହେଉଥିବା ପ୍ରସଙ୍ଗରେ ପରିବେଶବିତଙ୍କ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ପରିବେଶବିତ ଜଗନ୍ନାଥ ଦାସଙ୍କ ମତାନୁଯାୟୀ,"ରାଜନଗର ବ୍ଲକରେ ଚିଙ୍ଗୁଡ଼ି ଘେରି ବହୁ ପରିମାଣରେ ଦେଖାଯାଏ।ବିଶେଷକରି କେନ୍ଦ୍ରାପଡା ଜିଲ୍ଲାର ରାଜନଗର, ରାଜକନିକା,ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଏହି ଚିଙ୍ଗୁଡ଼ି ଘେରି ଦେଖିବାକୁ ମିଳିଥାଏ।ରାଜନଗର ବ୍ଲକର ନଦୀ କୁଳ ଗୁଡିକରେ ଗଢି ଉଠିଥିବା ଚିଙ୍ଗୁଡ଼ି ଘେରି ଗୁଡିକୁ ପ୍ରଶାସନ କିଛିଦିନ ହେବ ଇକୋ ସେନସିଟିଭ ଜୋନ ଆଧାରରେ ବନ୍ଦ କରିଦେଇଛି।କିନ୍ତୁ ଦୁର୍ଭାଗ୍ୟର କଥା ହେଉଛି ଆଜିପର୍ଯ୍ୟନ୍ତ ଯେଉଁ ଚିଙ୍ଗୁଡ଼ି ଘେରି ଚାଷ ଜମି ଗୁଡିକ ମଧ୍ୟରେ ଗଢି ଉଠିଛି ସେଠାରେ ଘେରି ମାଲିକ ଲାଭବାନ ହେଉଥିବା ବେଳେ ପାଖରେ ଥିବା ଚାଷ ଜମି ପ୍ରଭାବିତ ହେଉଛି ଏବଂ ଧାନ ଫସଲ ନଷ୍ଟ ହେଉଛି।
ଧାନ ଚାଷୀମାନେ ବାରମ୍ବାର କ୍ଷତିଗ୍ରସ୍ତ ହୋଇ ଆପତ୍ତି ଅଭିଯୋଗ ମଧ୍ୟ କରୁଛନ୍ତି ଏବଂ ବର୍ଷକର ଦାନା ହରାଉଛନ୍ତି। ବର୍ଷ ବର୍ଷ ଧରି ଲୁଣା ପାଣିରେ ଚିଙ୍ଗୁଡ଼ି ଚାଷ କରାଯାଉଛି ଓ ଲୁଣାପାଣିକୁ ଏହି ଚିଙ୍ଗୁଡ଼ି ଘେରିର ପାଣି ମଧ୍ୟ ଛଡା ଯାଉଛି। ଚିଙ୍ଗୁଡ଼ି ଘେରି ମାନଙ୍କୁ ନଦୀ, ନାଳ ଓ ସମୁଦ୍ର ଜଳ ପ୍ରବେଶ କରାଇ ଚିଙ୍ଗୁଡ଼ି ଚାଷ କରୁଛନ୍ତି।ଅନ୍ୟପଟେ ଚିଙ୍ଗୁଡ଼ି ଘେରିରୁ ନିଷ୍କାସିତ ହେଉଥିବା ଜଳରେ ଔଷଧ ଓ କେମିକାଲ ବ୍ୟବହାର ହେଉଥିବା କାରଣରୁ ଏହା ପରିବେଶ ଉପରେ କୁପ୍ରଭାଵ ପକାଉଥିବା ଦେଖାଯାଉଛି।ଚିଙ୍ଗୁଡ଼ି ଚାଷ କରୁଥିବା ଲୋକମାନେ ଲାଭବାନ ହେଉଥିବା ବେଳେ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ କ୍ଷତିଗ୍ରସ୍ତ ହେଉଛି।ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ପ୍ରଶାସନ କିଛି ପରିମାଣରେ ଘେରି ଉଚ୍ଛେଦ କରିଛି ହେଲେ ଆଜି ମଧ୍ୟ ତିନୋଟି ବ୍ଲକରେ ହଜାର ହଜାର ଚିଙ୍ଗୁଡ଼ି ଘେରି ରହିଛି।ଯାହାଦ୍ୱାରା ଚିଙ୍ଗୁଡ଼ି ସହ ଅନ୍ୟାନ୍ୟ ଜଳଜୀବ ମଧ୍ୟ ପ୍ରଭାବିତ ହେଉଛନ୍ତି। ମ୍ୟାନଗ୍ରୁଭ ଉପରେ ଏହି ଚିଙ୍ଗୁଡ଼ି ଘେରିର ପ୍ରଭାବ ଆକଳନ କରାଯାଉଥିବା ବେଳେ ଏହା ଉପରେ ନିର୍ଭର କରୁଥିବା ଜଳଜୀବ ଯେଉଁମାନେ ଭିତରକନିକା ଓ ଭିତରକନିକା ଆଭ୍ୟନ୍ତରୀଣ ଅଞ୍ଚଳର ପରିବେଶରେ ରହୁଥିବା ଜୀବ ମାନେ ଯେହେତୁ ଏହି ଘେରିର ପାଣି ନିଷ୍କାସିତ ହେଉଛି ନଦୀ ଜଳ ପ୍ରଭାବିତ ହେଉଛି ଓ ସମୁଦ୍ର ଜଳରେ ଏହା ମିଶିବାରୁ ତାହା ମଧ୍ୟ ପ୍ରଦୂଷିତ ହେଉଛି।ତେଣୁ ଚିଙ୍ଗୁଡ଼ି ଘେରି ଭିତରକନିକା ପାଇଁ ବିପଦ ସୃଷ୍ଟି କରିଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ’’।
ଭିତରକନିକା ଜାତୀୟ ଉଦ୍ୟାନ ତାଳଚୁଆ ଠାରୁ ଧାମରା ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ତାଳଚୁଆ ଠାରୁ ପେଣ୍ଠ ବରୁଣେଇ ବେଳାଭୂମି ପର୍ଯ୍ୟନ୍ତ ଭିତରକନିକାର ସୀମା ସରହଦ ଲାଗିଛି।ବ୍ରାହ୍ମଣ ସାହି, ହାତିନା,ଡେରା,ଗୁପ୍ତି, ସାତଭାୟା,ଈଶ୍ୱରପୁର, ଘଡ଼ିଆମାଳ,ଡାଙ୍ଗମାଳ,ଖମାରସାହି, ତାଳଚୁଆ,ବାଘମାରି, ରଂଗଣୀ, କେରୁଆପାଳ ପଞ୍ଚାୟତ ରାଜନଗର ବ୍ଲକର ସମୁଦ୍ର କୂଳବର୍ତ୍ତୀ ପଞ୍ଚାୟତ ହୋଇଥିବାରୁ ଏଠାରେ ଅଧିକ ପରିମାଣରେ ଚିଙ୍ଗୁଡ଼ି ଘେରି ଦେଖାଯାଏ। ବିଶେଷକରି ଅବିଭକ୍ତ ତାଳଚୁଆ ପଞ୍ଚାୟତରେ ଅଧିକ ପରିମାଣରେ ଚିଙ୍ଗୁଡ଼ି ଘେରି ଦେଖିବାକୁ ମିଳିଛି।
ତେବେ ବଡ଼କଥା ହେଉଛି ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରୁ ଏମାନେ ଲୁଣାପାଣି ନେଉଛନ୍ତି ଓ ବର୍ଜ୍ୟ ଜଳ ଏଠାକୁ ଛାଡ଼ୁଛନ୍ତି ଯେଉଁଥିପାଇଁ ଜଳଜୀବ ମାନଙ୍କ ଜୀବନ ସହ ପରିବେଶ ପ୍ରଦୂଷିତ ହେଉଛି ବୋଲି ପରିବେଶବିତ୍ ମତ ପ୍ରକାଶ କରିଛନ୍ତି ।
ଅନ୍ୟପଟେ ଆଉ ଜଣେ ଯୁବ ପରିବେଶବିତ ଶ୍ରୀକାନ୍ତ ଦାସ କୁହନ୍ତି,"ଏତେ ଗୁଡ଼ାଏ ଚିଙ୍ଗୁଡ଼ି ଜମି ତ କହି ହେବନି,ଏହା ଚାଷ ଜମି ଠାରୁ ବହୁତ କମ ଅଛି।ଷ୍ଟାଟିଷ୍ଟିକ୍ସ ଦେଖିବାକୁ ଗଲେ ଦଶରୁ ଦୁଇ ତିନି ହେବ ଚିଙ୍ଗୁଡ଼ି ଘେରି।ଏଠାରେ ମୁଖ୍ୟତଃ ଖରିଫ ଫସଲ ଉପରେ ନିର୍ଭର କରନ୍ତି। ଖରିଫ ଫସଲରେ କେବଳ ହେଉଛି ଧାନ,ଗହମ ଉପରେ ଆମେ ନିର୍ଭର କରିପାରନ୍ତି ନାହିଁ ଏବଂ ରବି ଫସଲର ଏଠି ପ୍ରଶ୍ନ ନାହିଁ କାରଣ ପାଖରେ ହେଉଛି ବଙ୍ଗୋପସାଗର।ବ୍ରାହ୍ମଣୀ,ବୈତରଣୀ ନଦୀ ଏଠି ଯେହେତୁ ବହିଯାଇଛିଲୁଣି ଜଳଟା ଆସୁଛି।ବର୍ଷାର ସମସ୍ୟା ଜାଣିଥିବେ ବିଗତ ଦଶ ବର୍ଷ ଭିତରେ ବର୍ଷା ଠିକ ଭାବେ ହେଉନାହିଁ।ବର୍ଷା ନ ହେବା ହେତୁ ଲୁଣିପାଣି ଅଧିକ ହେବ ଏବଂ ଲୁଣିପାଣି ପାଇଁ ଖରିଫ ଫସଲ ହୋଇପାରେନା।ଲୋକମାନେ ଏଠି କିଛି ଚିଙ୍ଗୁଡ଼ି ଉପରେ ନିର୍ଭର କରୁଛନ୍ତି। କେନ୍ଦ୍ରାପଡା ଜିଲ୍ଲାରୁ ଦାଦନ ତ ଅଧିକ ଯାଉଛନ୍ତି କେରଳ,ବାହାର ଦେଶକୁ ମଧ୍ୟ ଯାଉଛନ୍ତି ଖୁବ ଅଧିକ।ଯେଉଁ ମାନଙ୍କର ପ୍ୟାରେଣ୍ଟସ ରୋଗାକ୍ରାନ୍ତ ଅଛନ୍ତି ସେମାନେ ଏଇଠି ରହିଯାଉଛନ୍ତି।ପରିବେଶ ଯଦି ପ୍ରଦୂଷିତ ହେଉଛି ତାହେଲେ ଷ୍ଟାଟିଷ୍ଟିକ୍ସ ଦେଖନ୍ତୁ। ଭିତରକନିକାର ଯେଉଁ ଜୈବ ବିବିଦ୍ଧତା,ଏଠାରେ ପ୍ରତିବର୍ଷ କୁମ୍ଭୀର ବଢ଼ିଛନ୍ତି, ଅଲିଭ ରିଡ଼ଲେ କଇଁଛ ବଢ଼ିଛନ୍ତି,ଜଙ୍ଗଲ ଏରିଆଟା ବଢିଛି, ନୂତନ ଜଙ୍ଗଲ ସୃଷ୍ଟି କରିଛନ୍ତି ଏବଂ ହରିଣ ଠୁ ଆରମ୍ଭ କରି ପକ୍ଷୀ ପର୍ଯ୍ୟନ୍ତ ସବୁ ବଢୁଛି।ପରିବେଶ ଯଦି ପ୍ରଦୂଷିତ ହେଲା ଏତେ ସଂଖ୍ୟା କେମିତି ବଢୁଛି’’ ?
ସେ ଆହୁରି ମଧ୍ୟ କହିଛନ୍ତି ‘‘ବାସ୍ତବ ଚିତ୍ରକୁ ଦେଖିବାକୁ ଗଲେ ଚିଙ୍ଗୁଡ଼ି ଘେରିର ଯେଉଁ ପାଣି ବାହାରେ ତାହା କୁଆଡକୁ ନିଷ୍କାସିତ ହୁଏନି ବରଂ ତାହା ଘେରି ଭିତରେ ରହିଯାଏ ଏବଂ ଏହା ଅପ୍ରେଲ, ମେ ମାସ ବେଳକୁ ଅଟୋମେଟିକ ଶୁଖିଯାଏ। ତାପରେ ଅଳ୍ପ ଯେଉଁ ପାଣି ରୁହେ ତାକୁ ନିଷ୍କାସିତ କରିଦେଇକି ପୁଣିଥରେ ଚିଙ୍ଗୁଡି ଘେରି କରନ୍ତି,ସମୁଦ୍ର କୁ ପାଣି ଛାଡ଼ନ୍ତିନି।ପ୍ରଶାସକ ମାନେ ଏସି ରୁମରେ ବସିକି ଦେଖିଲେ ହେବନି ଆଜ୍ଞା,ଆପଣ ସ୍ପଟ ଉପରକୁ ଆସନ୍ତୁ ଦେଖନ୍ତୁ ଏଠି କଣ ହେଉଛି ବାସ୍ତବ ଚିତ୍ରଟା କଣ।ଲୋକମାନେ କେମିତି କଣ ଚାଷ କରୁଛନ୍ତି,ସତରେ କଣ ପରିବେଶ ପ୍ରଦୂଷଣ ହେଉଛି?ହଁ, ପରିବେଶ ଯଦି ପ୍ରଦୂଷଣ ହେଉଛି ତା ଉପରେ ଅଙ୍କୁଶ ଲଗାନ୍ତୁ କିନ୍ତୁ ଆସିକି ଦେଖନ୍ତୁ ଏଠି କେତେ ଲୋକ ନିର୍ଭରଶୀଳ ଅଛନ୍ତି ଚିଙ୍ଗୁଡିଘେରି ଉପରେ।ସେମାନଙ୍କର ଗୁଜୁରାଣ କେମିତି ମେଣ୍ଟୁଛି ସେଟା ଦେଖିବା ନିହାତି ଦରକାର।ଗୋଟିଏ ଏକରକୁ ପାଞ୍ଚ ଛଅ ଜଣ ନିଯୁକ୍ତି ପାଇଲେ ଦୁଇଶହ ଏକରକୁ ହିସାବ କରନ୍ତୁ କେତେ ନିଯୁକ୍ତି ପାଉଥିବେ ବୋଲି।
ଦେଖିବାକୁ ଗଲେ ତ ଓଡ଼ିଶାରେ ୧୩% ଭୂତଳ ଜଳ।ଭୂତଳ ଜଳକୁ କଣ ଏଠି ବ୍ୟବହାର କରୁଛନ୍ତି କି?ଓଡ଼ିଶାରେ ତ ବ୍ୟବହାର କରନ୍ତିନି।ପଞ୍ଜାବ ରେ ଦେଖନ୍ତୁ 33% ଜଳ କି କେତେ ବ୍ୟବହାର କରାଯାଏ କିନ୍ତୁ ଓଡ଼ିଶାରେ ୧୩% ଜଳ କେତେ ପ୍ରତିଶତ ବ୍ୟବହାର କରାଗଲା।ତେଣୁ ଏଟା ଭୂତଳ ଜଳ ଉପରେ କିଛି ପ୍ରଭାବ ପଡୁନି।ଭୂତଳ ଜଳ ଏଇଟା ନୁହେଁ।ଏହା କ୍ଷାର ଜଳ ଉପରେ ବ୍ୟବହାର କରାଯାଏ। ଏଠି ଲୁଣି ଜଳରେ ହିଁ ଚାଷ କରାଯାଏ।ତେଣୁ ମିଠା ଜଳର କିଛି ପ୍ରଶ୍ନ ଉଠୁନି।ବାସ୍ତବିକ ଆମେ ଯେଉଁ ଏରିଆରେ ଅଛୁ ସେଠି କ୍ଷାର ଜଳ କିନ୍ତୁ ମୁଁ କହି ପାରିବିନି ଅନ୍ୟ ଜିଲ୍ଲାମାନଙ୍କରେ ଯେମିତି ଜଗତସିଂହପୁର,ବାଲେଶ୍ଵର ହେଲା ସେଠି କେଉଁ ଜଳ ବ୍ୟବହାର କରନ୍ତି ସେ ଜ୍ଞାନ ନାହିଁ’’ ବୋଲି କହିଛନ୍ତି।
- ଚିଙ୍ଗୁଡ଼ି ଘେରି ଓ ଏହାର ଉଚ୍ଛେଦ ସମ୍ପର୍କରେ କଣ କୁହେ ଜିଲ୍ଲା ପ୍ରଶାସନ
ଗୋଟିଏ ପଟେ ଜୀବନ ବଞ୍ଚିବା ପାଇଁ ଜୀବିକା ଭାବରେ ବାଛି ନେଇଥିବା ଚିଙ୍ଗୁଡ଼ି ଘେରି ଓ ଅନ୍ୟପଟେ ପରିବେଶବିତଙ୍କ ବିରୋଧ ମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ରଖା ଯାଇଛି।ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର କହିଛନ୍ତି,"କେନ୍ଦ୍ରାପଡା ଜିଲ୍ଲାରେ ରାଜନଗର, ମହାକାଳପଡ଼ା, ରାଜନଗର ବ୍ଲକରେ ଚିଙ୍ଗୁଡି ଚାଷ ହୋଇଥାଏ ।
ଅନ୍ୟ ତହସିଲ ମାନଙ୍କରେ କମ ମାତ୍ରାରେ ଚିଙ୍ଗୁଡ଼ି ଚାଷ ଅଛି।ନିଜ ଜମିରେ ଯେଉଁମାନେ ଚାଷ କରୁଛନ୍ତି ସେମାନେ ପ୍ରୋସିଜିଓର ପାଳନ କରି କରୁଛନ୍ତି କିନ୍ତୁ ସରକାରୀ ଜମିରେ ଯେଉଁମାନେ ଚାଷ କରୁଛନ୍ତି ସେମାନଙ୍କ ବିରୋଧରେ ଲୋକମାନେ ଅଭିଯୋଗ କରୁଛନ୍ତି।ଯେଉଁଗୁଡିକ କ୍ରାଇଟେରିଆ,ବେଆଇନ ଓ ନିୟମ ବିରୋଧି ହେଉଛି ଆମେ ସେଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ପୂର୍ବକ ଉଚ୍ଛେଦ କରିବୁ।ତେବେ ତିନୋଟି ତହସିଲରେ ଯେଉଁମାନେ ବେଆଇନ ଚିଙ୍ଗୁଡ଼ି ଘେରି କରୁଛନ୍ତି ଆମେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୃକ୍ତ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଛୁ।ନିଜସ୍ୱ ଜମିରେ ଯେଉଁମାନେ ଚାଷ କରୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କଥା ମିଛ।ତେବେ ଜଣେ ଚିଙ୍ଗୁଡ଼ି ଚାଷ କରିବା ଆଗରୁ ଆଉ ଜଣେ ଚାଷୀ ଯେପରି ଅସୁବିଧାରେ ନପଡ଼େ ବା ତା ଚାଷ ଜମି କ୍ଷତିଗ୍ରସ୍ତ ନହୁଏ ସେନେଇ ଯତ୍ନବାନ ହେବା ଉଚିତ।ନିଜ ଜମିରେ ଚାଷ କରନ୍ତୁ ହେଲେ ଅନ୍ୟ ଜମି କ୍ଷତିଗ୍ରସ୍ତ ନହେଉ ସେନେଇ ଧ୍ୟାନ ଦେବା ଉଚିତ"ବୋଲି କହିଛନ୍ତି।
ଏହା ମଧ୍ୟ ପଢନ୍ତୁ ସୁନା ଝିଅ ଦେବସ୍ମିତା: ବାପାଙ୍କୁ ସାହାଯ୍ୟ କରୁ କରୁ ବନିଗଲେ ସଫଳ ଚାଷୀ
ଏହା ମଧ୍ୟ ପଢନ୍ତୁ ଗୋ ସେବାରେ ରାଜକୁମାରୀ: ହମା ରଡିରୁ ଜାଣି ପାରନ୍ତି ଗୋମାତାଙ୍କ ଯନ୍ତ୍ରଣା