Death In Lightning Strikes In Odisha: ବ୍ରହ୍ମପୁର/ଗଜପତି/ବାଲେଶ୍ୱର/ଯାଜପୁର/ଢେଙ୍କାନାଳ/କୋରାପୁଟ: କାଳ ସାଜିଲା କାଳବୈଶାଖୀ । ଗୋଟିଏ ଦିନରେ ବଜ୍ରପାତ ନେଲା ୧୧ ଜୀବନ । ବଜ୍ରପାତ ଯୋଗୁଁ ଗଞ୍ଜାମ ଜିଲ୍ଲାରେ 2 ଜଣ, ଗଜପତି ଜିଲ୍ଲାରେ ଜଣେ, ବାଲେଶ୍ୱର ଜିଲ୍ଲାରେ ଜଣେ, ଯାଜପୁର ଜିଲ୍ଲାରେ 2 ଜଣ, ଢେଙ୍କାନାଳ ଜିଲ୍ଲାରେ 2 ଜଣ ସମେତ କୋରାପୁଟ ଜିଲ୍ଲାରେ 3 ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଏକାଧିକ ଆହତ ହୋଇଥିବା ବେଳେ ଅନେକ ଗୃପପାଳିତ ପଶୁଙ୍କର ମଧ୍ୟ ମୃତ୍ୟୁ ଘଟିଛି । ସେପଟେ ଆହୁରି 3 ଦିନ ଯାଏଁ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବିଶେଷ କରି ମଧ୍ୟାହ୍ନ/ସନ୍ଧ୍ୟା ସମୟର ବଜ୍ରପାତ ଅଧିକା ହେବାକୁ ଥିବାବେଳେ ସତର୍କତା ଜାରି କରାଯାଇଛି ।
ଗଞ୍ଜାମରେ 2 ଜଣଙ୍କ ମୃତ୍ୟୁ (Lightning Strikes in Ganjam):
ସୂଚନା ମୁତାବକ, ଗଞ୍ଜାମ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବାଲିଛାଇ ପାଣ୍ଡି ଅଧିନସ୍ଥ ଏ ବରିଡା ଗ୍ରାମରେ ବଜ୍ରପାତରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ହେଲେ ଓମ୍ ପ୍ରକାଶ ପ୍ରଧାନ । ବ୍ରଜାଘାତ ସମୟରେ ଛାତ୍ର ଜଣଙ୍କ ଘରର ବାରଣ୍ଡା ବସିଥିବା ବେଳେ ବଜ୍ରପାତ ହୋଇଥିଲୀା । ତୁରନ୍ତ ତାଙ୍କୁ ଆସିକା ମେଡିକାଲକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସେହିପରି ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା କେବିରି ବରପୁର ଗ୍ରାମରେ ଆଜି ବଜ୍ରପାତ ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ରିତା ଗୌଡ । ଗ୍ରାମର ନିକଟବର୍ତ୍ତୀ ଆମ୍ଭ ତୋଟାରେ ଆମ୍ଭ ଗୋଟାଉଥିବା ବେଳେ ବଜ୍ରପାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି ।
ଗଜପତି ମୋହନାରେ ବଜ୍ରପାତରେ ଯୁବତୀ ମୃତ (Lightning Strikes in Gajapati):
ସେପଟେ ଗଜପତି ଜିଲ୍ଲାର ରା.ଉଦୟଗିରି ଥାନା କାନକଟା ଗାଁରେ ନିଜ ଦୋକାନ ଆଗରେ ବସିଥିବା ବେଳେ ବଜ୍ରପାତ ହେବା ଯୋଗୁଁ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି l ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ମୃତ ଯୁବତୀ ହେଲେ ୨୨ ବର୍ଷୀୟ ଦମୟନ୍ତୀ ମଣ୍ଡଳ l ଆଜି ଅପରାହ୍ନ ପ୍ରାୟ ୩ ଟା ସମୟରେ ଅଚାନକ ପାଗ ବଦଳିବା ସହ ପବନ, ବର୍ଷା ଆରମ୍ଭ ହୋଇଥିଲା । ଏଥିସହ ବିଜୁଳି ଓ ଘଡଘଡି ମଧ୍ୟ ହୋଇଥିଲା । ସେହି ସମୟରେ କାନକଟା ଗାଁର ଦମୟନ୍ତୀ ମଣ୍ଡଳ ନିଜ ଦୋକାନ ଆଗରେ ବସିଥିବା ବେଳେ ହୋଇଥିଲା ବଜ୍ରପାତ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଗ୍ରାମରେ ରା.ଉଦୟଗିରି ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।
ବାଲେଶ୍ବରରେ ବଜ୍ରପାତ ମୃତ୍ୟୁ (Lightning Strikes in Balasore):
ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ବଡ଼ପୋଖରୀ ପଞ୍ଚାୟତ ବାଲିମୁଣ୍ଡୁଳି ଗାଁ ମାଝୀସାହିରେ ବଜ୍ରାପାତ ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଅପରାହ୍ନରେ ବଜ୍ରାଘାତରେ ଚୁନାରାମ କିସ୍କୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଉଦଳା ମୁର୍ଗାପାଲି ଗ୍ରାମର ଚୁନାରାମ ବଡ଼ପୋଖରୀ ଜଙ୍ଗଲ ବିଭାଗ କାର୍ଯ୍ୟାଳୟରେ ଶ୍ରମିକ ଭାବେ କାର୍ଯ୍ୟ କରି ଭଉଣୀ ଘରକୁ ଫେରିଲା ବେଳେ ବଜ୍ରାପାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତାଙ୍କୁ ସୋର ଡାକ୍ତରଖାନାକୁ ନିଆଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଯାଜପୁର ବଜ୍ରପାତ ମୃତ୍ୟୁ (Lightning Strikes in Jajpur):
ଯାଜପୁର ଜିଲ୍ଲାରେ ମଧ୍ୟ ବଜ୍ରାଘାତରେ ୨ ନାବାଳକଙ୍କ ମୃତ୍ୟୁ ହୋଇଛି । ଧର୍ମଶାଳା ବ୍ଲକ ବୁରୁସାହିରେ ଘଟିଯାଇଛି ଏଭଳି ଅଘଟଣ । ମୃତକ ହେଲେ ବବଲୁ ହେମ୍ବମ ଓ ଜନ ଚାତରା । ଘର ନିକଟରେ ଦୁଇ ଜଣ ଠିଆ ହୋଇଥିବା ସମୟରେ ବଜ୍ରପାତ ହୋଇଥିଲା । ଗୁରୁତର ଅବସ୍ଥାରେ ସେମାନଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କାରଯାଇଥିଲା । ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ଢେଙ୍କାନାଳରେ ବଜ୍ରାଘାତରେ 2 ମୃତ (Lightning Strikes in Dhenkanal):
ଢେଙ୍କାନାଳ ଜିଲ୍ଲାରେ ମଧ୍ୟ କାଳବୈଶାଖୀର ପ୍ରଭାବରେ ବିଭିନ୍ନ ସ୍ଥାନରେ ବଜ୍ରାପାତ ଘଟି ଜଣେ ମହିଳାଙ୍କ ସମେତ ୨ ମୃତୁ ଘଟିଛି । ମୃତକ ମାନେ ହେଲେ ମହାବିରୋଡ ଥାନା କୁହୁମୁଣ୍ଡିଆ ଗ୍ରାମର ସୁରୁଶି ବିଶ୍ୱାଳ ଓ ଗଁଦିଆ କାବେରା ଗ୍ରାମର ସନାତନ ଦିଆଣୀ । ସେହିପରି ଅନେକ ଗୃହପାଳିତ ପଶୁଙ୍କ ମଧ୍ୟ ମୃତ୍ୟୁ ଘଟିଛି । ମହାବିରୋଡ ଥାନା ଦଶିପୁର ପଞ୍ଚାୟତ ଅନ୍ତର୍ଗତ କୁସୁମୁଣ୍ଡିଆ ଗ୍ରାମର ସୁରୁଶି ବିଶ୍ୱାଳ ନିଜ ଘରେ ବସିଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ପରଜଙ୍ଗ ମେଡିକାଲରେ ଭର୍ତିକରିଥିଲେ । ଡାକ୍ତର ସେଠି ତାଙ୍କୁ ମୃତ ଘୋଷଣା କରିଛନ୍ତି । ସେହିପରି ପରଜଙ୍ଗ ଥାନା ଆମ୍ବପଳାସ ଗ୍ରାମ ମୁଣ୍ଡିଆରଗଡି ସାହିରେ ବଜ୍ରାଘାତରେ ମାନସିଂ ଲାଗୁରିଙ୍କ ୪ଟି ଗାଈ, ମହେନ୍ଦ୍ର ଲାଗୁରିଙ୍କ ୧ଟି, ଜୟ ବେଙ୍ଗରାଙ୍କର ୧ଟି ଗାଈଙ୍କ ମୃତ୍ୟୁ ହୋଇଛି ।
ସେହିପରି ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା କାବରା ଗ୍ରାମ ବିଲବାହାଳରେ କାମ କରି ଘରକୁ ଫେରୁଥିବା ବେଳେ କାବରା ଗ୍ରାମର ସ୍ୱର୍ଗତ ନୋହୋରା ଦିଆଣିଙ୍କ ପୁଅ ସନାତନ ଦିଆଣୀ(୪୫)ଙ୍କୁ ବଜ୍ରାଘାତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟ ହୋଇଥିଲା । ବଜ୍ରାପାତ ତାଙ୍କ ମୁଁହ ମାଡି ପଡ଼ିଯିବା ସହିତ ତାଙ୍କର ଶରୀର ପାର୍ଶ୍ଵ ପୋଡିଯାଇ ତାଙ୍କର ମୃତ୍ୟୁ ଘଟିଛି ।
କୋରାପୁଟରେ ବଜ୍ରପାତ ମୃତ୍ୟୁ (Lightning Strikes in Koraput):
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅଞ୍ଚଳରେ ବଜ୍ରପାତ ଯୋଗୁଁ ତିନି ଜଣଙ୍କ ମୃତ୍ୟୁ ହୋଇଛି । ଏହି ଅଞ୍ଚଳରେ ପ୍ରବଳ ଘଡଘଡି ସହ ବର୍ଷା ହୋଇଥିଲା । ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଓଡ଼ିଆପେଣ୍ଠ ଗ୍ରାମପଞ୍ଚାୟତର ପରଡିଗୁଡା ଗାଁରେ ବର୍ଷା ସମୟରେ ନିଜ ଧାନ ବିଲ ନିକଟରେ ଥିବା କୁଡ଼ିଆରେ ଆଇ ଓ ନାତୁଣୀ ଆଶ୍ରୟ ନେଇଥିବା ବେଳେ ତାଙ୍କ କୁଡ଼ିଆ ଉପରେ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ହିଁ ୬୦ ବର୍ଷୀୟା ବୃଦ୍ଧା ବୁଦ୍ରୀ ମାଣ୍ଡିଙ୍ଗା ଓ ତାଙ୍କ ନାତୁଣୀ ୧୬ ବର୍ଷୀୟା କସା ମାଣ୍ଡିଙ୍ଗାଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଗାଁ ନିକଟରେ ବର୍ଷା ଯୋଗୁଁ ଗଛ ତଳେ ଆଶ୍ରୟ ନେଇଥିବା ୩୫ ବର୍ଷୀୟା ଅମ୍ବିକା କାଶୀ ମଧ୍ୟ ବଜ୍ରପାତ ଯୋଗୁଁ ମୃତ୍ୟୁ ଘଟିଥିବା ଜଣାପ଼ଡିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।
ଇଟିଭି ଭାରତ, ବ୍ରହ୍ମପୁର/ଗଜପତି/ବାଲେଶ୍ୱର/ଯାଜପୁର/ଢେଙ୍କାନାଳ/କୋରାପୁଟ