Baula Wood Ceremonial Dress ପୁରୀ: ମହାପ୍ରଭୁ ଦାରୁ ରୂପେ ମର୍ତ୍ତ୍ୟମଣ୍ଡଳରେ ମାନବୀୟ ଲୀଳା କରନ୍ତି । ବଡଠାକୁର ସ୍ନାନ ଓ ଗୁଣ୍ଡିଚା ଯାତ୍ରା ମାଧ୍ୟମରେ ଭକ୍ତଙ୍କ ପାଖକୁ ଚାଲିଆସନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ପର୍ବ ପର୍ବାଣୀ ଭିତରେ ସ୍ନାନଯାତ୍ରା ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା ସ୍ବତନ୍ତ୍ର ପର୍ବ । ଏହାପୂର୍ବରୁ ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହୋଇଥାଏ । ‘‘ବଡସିଂହାର ବେଶ ପରେ ଦଇତାପତି ଓ ପତି ମହାପାତ୍ର ସେବକମାନେ ସେନାପଟା ଲାଗି କରିଥାନ୍ତି । କୋଠ ସୁଆଁସିଆ ଚାରମାଳ ବାନ୍ଧିବା ପରେ ମହାପ୍ରଭୁଙ୍କ ଅନ୍ୟନୀତି ସମ୍ପର୍ନ୍ନ ହୋଇଥାଏ’’ ବୋଲି କୁହନ୍ତି ଜଗନ୍ନାଥ ସଂସ୍କୃତି ପ୍ରଚାରକ ସୌମ୍ୟ ରଞ୍ଜନ ପଣ୍ଡା ।
ବର୍ଷତମାମ ଭକ୍ତଟିଏ ଅପେକ୍ଷା କରିଥାଏ ମହାପ୍ରଭୁଙ୍କ ପ୍ରସିଦ୍ଧ ଘୋଷଯାତ୍ରାକୁ । ମହାପ୍ରଭୁ ରଥାରୂଢ ହୋଇ ଶ୍ରୀଗୁଣ୍ଡିଚା ଯାତ୍ରା କରିବା ପୂର୍ବରୁ ସମ୍ପାଦନ ହୋଇଥାଏ ଅନେକ ନୀତିକାନ୍ତି । ସେଥିମଧ୍ୟରୁ ସ୍ନାନଯାତ୍ରା ଅନ୍ୟତମ, ଯାହାକୁ ମହାପ୍ରଭୁଙ୍କ ଆଦ୍ୟଯାତ୍ରା ମଧ୍ୟ କୁହାଯାଏ । ଏହି ସେନାପଟା ଲାଗି ନୀତି କ'ଣ ଓ କାହିଁକି ହୁଏ, ଜାଣନ୍ତୁ..

- ଶ୍ରୀଅଙ୍ଗର ସୁରକ୍ଷା ପାଇଁ ଲାଗି ହୁଏ ସେନାପଟା ଓ ବାହୁଟ
ସ୍ନାନଯାତ୍ରା ଓ ଶ୍ରୀଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁଙ୍କୁ ଦଇତାପତି ସେବାୟତମାନେ ପହଣ୍ଡି କରି ନେବା ବେଳେ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ସେନାପଟା ଓ ବାହୁଟ କଣ୍ଟ ନୀତି ହୋଇଥାଏ । ଏହା ଏକ ଗୁପ୍ତନୀତି ହୋଇଥିବାରୁ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ କେବଳ ଦଇତାପତି ସେବାୟତମାନେ ଏହି ନୀତି ସମ୍ପାଦନ କରନ୍ତି । ଶ୍ରୀଜୀଉଙ୍କ ପହଣ୍ଡିକାଳୀନ ସୁରକ୍ଷା ପାଇଁ ସେନାପଟା ଓ ବାହୁଟ ଲାଗି ସେବା ପ୍ରଚଳିତ ରହିଛି । ବଉଳ କାଠରୁ ପ୍ରସ୍ତୁତ ସେନାପଟାକୁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲଗାଯାଇଥାଏ । ପରେ ପାଟ କପଡ଼ାରେ ଶ୍ରୀଜୀଉ ସମଗ୍ର ଶ୍ରୀଅଙ୍ଗକୁ ଆବୃତ କରିଦିଆଯାଏ। ଏହା ଦ୍ଵାରା ମହାପ୍ରଭୂ ଶ୍ରୀମନ୍ଦିରରୁ ବାହାରିବା ବେଳେ ସ୍ନାନ ଯାତ୍ରା ଓ ରଥ ଯାତ୍ରାରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ସୁରକ୍ଷିତ ରହିଥାଏ।

- ସାକ୍ଷୀଗୋପାଳରୁ ଆସେ ବଉଳ କାଠ
ସାକ୍ଷୀଗୋପାଳର ବକୁଳ ବନରୁ ସଂଗୃହିତ ବଉଳ କାଠ ଚିରଟ କରାଯାଇ ସେଥିରେ ଶ୍ରୀମନ୍ଦିର ବିଶ୍ଵକର୍ମା ସେବାୟତ ବାହୁଟ ଓ ସେନାପଟା ପ୍ରସ୍ତୁତ କରନ୍ତି । ସାକ୍ଷୀଗୋପାଳକୁ ମହାପ୍ରଭୁଙ୍କ ଅଜାଘର ବୋଲି ମଧ୍ୟ କୁହାଯାଏ । ତେବେ ମହାପ୍ରଭୁଙ୍କ ସେନାପଟା ଓ ବାହୁଟ କଣ୍ଟ ପାଇଁ ବକୁଳ ବନରୁ ହିଁ କାହିଁକି କାଠ ଆସେ ତା ପଛରେ ବି ରହିଛି ଏକାଧିକ କାହାଣୀ ।

- ବକୁଳ ବନରୁ ହିଁ କାହିଁକି ଆସେ କାଠ?
କିମ୍ବଦନ୍ତୀରୁ ଜଣାପଡେ, ଏକଦା ଜଣେ ତପସ୍ବୀ ସିଦ୍ଧ ବକୁଳ ବନରେ ତପସ୍ୟା କରୁଥିଲେ । ସେହି ତପସ୍ବୀଙ୍କୁ ପରଖିବା ପାଇଁ ବଡ଼ ଦେଉଳରୁ ଜଗା, ବଳିଆ ଦୁଇ ଭାଇ ବାହାରି ଆସିଥିଲେ । ପ୍ରକୃତରେ ସେ ସାଧୁ କି ନୁହେଁ ତାହା ଜାଣିବା ପାଇଁ ରତ୍ନସିଂହାସନରୁ ଓହ୍ଲାଇ ଆସିଥିଲେ ଶ୍ରୀଜୀଉ । ପରୀକ୍ଷା କରିବା ପାଇଁ ଆସିବାବେଳେ ବଣରେ ଖୁବ ପାଚିଲା ପଣସ ହୋଇଥିବା ଜଗନ୍ନାଥ ଓ ବଳଭଦ୍ର ଦେଖି ଖାଇବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏପଟେ ତପସ୍ୟାରତ ସାଧୁ ବଣରେ କେହି ପ୍ରବେଶ କରିଥିବା ଜାଣିପାରିଥିଲେ । ସେ ସଙ୍ଗେ ସଙ୍ଗେ ତପସ୍ୟା ଭଙ୍ଗ କରି ପଚାରିଥିଲେ, 'କିଏ ତମେ ? ରାତି ସମୟରେ ବଣରେ ପ୍ରବେଶ କରି ପଣସ ଚୋରି କରୁଛ ?', ଯାହା ପରେ ଦୁଇ ଠାକୁର ଚୋର ନୁହଁନ୍ତି ବୋଲି କହିଥିଲେ । ତପସ୍ବୀ କିନ୍ତୁ କହିଥିଲେ ଯେ ସେ ଦୁହିଁଙ୍କୁ ବକୁଳ ଗଛରେ ବାନ୍ଧି ସକାଳୁ ରଜାଙ୍କ ଆଗରେ ଫେରାଦ ହେବେ । ସେମାନଙ୍କୁ ବାନ୍ଧିବାକୁ ଉଦ୍ୟତ ହୁଅନ୍ତେ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ନିଜର ପରିଚୟ ଦେଇ କହିଥିଲେ ଯେ ସେ ଦୁହେଁ ସାଧୁଙ୍କୁ ପରଖିବା ପାଇଁ ଆସିଥିଲେ । ଏହାପରେ ମହାପ୍ରଭୁଙ୍କୁ ତପସ୍ବୀ କହିଥିଲେ, 'ଏପରି ଆପଣ ଚାଲିଗଲେ ଏହି ଘଟଣା ଲୁଚି ରହିଯିବ । ଭକ୍ତ ଓ ଭଗବାନର ଏହି ସମ୍ପର୍କକୁ ସାରା ଜଗତ ଜାଣିବ କେମିତି ?' ଯାହାପରେ ଭଗବାନ କହିଥିଲେ ଯେ, ଏହି କଥା ସାରା ଜଗତ ଜାଣିବ, ଯେଉଁ ବକୁଳ କାଠରେ ଆପଣ ଆମକୁ ବାନ୍ଧିବେ କହୁଥିଲେ ପ୍ରତିବର୍ଷ ସେହି କାଠରେ ସ୍ନାନଯାତ୍ରା ଓ ଗୁଣ୍ଡିଚା ଯାତ୍ରା ପୂର୍ବରୁ ସେନାପଟା ଓ ବାହୁଟ ନିର୍ମାଣ ହୋଇ ଆମ ଦେହରେ ବନ୍ଧା ହେବ ।

ସେବେଠାରୁ ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପ୍ରତ୍ୟେକ ପହଣ୍ଡିରେ ବକୁଳ କାଠରେ ନିର୍ମିତ ସେନାପଟା ଓ ବାହୁଟ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଲାଗି କରାଯାଇଥାଏ । ସ୍ନାନ ପୂର୍ଣ୍ଣିମା ପୂର୍ବରୁ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଦଇତା ପ୍ରବେଶ ପରେ ଦଇତାପତି ସେବାୟତମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ବାହୁଟ ଓ ସେନାପଟା ଲାଗି କରିବାର ପରମ୍ପରା ରହିଛି । ଲୀଳାମୟ ମହାପ୍ରଭୁଙ୍କ ଅନେକ ଲୀଳା । ମାନବୀୟ ଲୀଳା କରୁଥିବାରୁ ଭଗବାନ ମଧ୍ୟ ଠିକ ମାନବ ପରି ଯାତ୍ରା ସମୟରେ ନିଜ ଅଙ୍ଗ ସୁରକ୍ଷା ପାଇଁ ସେନାପଟା, ବାହୁଟ ଧାରଣ କରନ୍ତି ।


ଏହା ମଧ୍ୟ ପଢନ୍ତୁ ସ୍ନାନଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ସେନାପଟା ନୀତି; ଅପରାହ୍ନ 2ଟା ଯାଏଁ ଦର୍ଶନ ବନ୍ଦ
ଏହା ମଧ୍ୟ ପଢନ୍ତୁ ଜଗା ସେବାରେ ‘ତୁଳସୀ ବାବା’, ତୁଳସୀ ନେଇ ପ୍ରତିଦିନ ଧାଇଁ ଆସନ୍ତି ପୁରୀ ଶ୍ରୀମନ୍ଦିର
ଇଟିଭି ଭାରତ, ପୁରୀ