ସମ୍ବଲପୁର: ସମ୍ବଲପୁରରେ ଜମୁଛି ଶୀତଳଷଷ୍ଠୀ ଯାତ୍ରା । ଦେବ ଦମ୍ପତିଙ୍କ ବିବାହ ପାଇଁ ନନ୍ଦପଡାର ପତରପେଣ୍ଡି ଓ ନୃସିଂହ ନିଉତା ନୀତି ସମ୍ପନ୍ନ ହୋଇଥିବା ବେଳେ ଗୁରୁବାର ରାତିରେ ଅନ୍ୟ ପ୍ରମୁଖ ଯାତ୍ରା କମିଟିର ପତରପେଣ୍ଡି ନୀତି ଶେଷ ହୋଇଛି । ମୁଦିପଡାର ଜାଗେଶ୍ୱର ବାବା , ଝାଡୁଆପଡାର ଲୋକନାଥ ବାବା, ଠାକୁର ପଡା ଗୁପ୍ତେଶ୍ୱର ବାବା, ବଡ଼ବାଜାର ଶୀତଳେଶ୍ୱର ବାବା ଓ କୁମ୍ଭାରପଡା ସହ ସମସ୍ତ ଶୀତଳ ଷଷ୍ଠୀ ଯାତ୍ରା କମିଟିର ଏହି ନୀତି ସମ୍ପନ୍ନ ହୋଇଛି ।
ଝାଡୁଆପଡାର ଲୋକନାଥ ବାବାଙ୍କ ସହ ମାତା ପାର୍ବତୀଙ୍କ ନିର୍ବନ୍ଧ ଶେଷ:

ଏଥର ଝାଡୁଆପଡା ଅରଣ୍ୟକ ଶୀତଳଷଷ୍ଠୀ ଯାତ୍ରାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ତାଙ୍କର ଧର୍ମପତ୍ନୀ ମାତା ପାର୍ବତୀଙ୍କ ପିତା ମାତା ହେବାର ସୌଭାଗ୍ୟ ପାଇଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସାକ୍ଷୀପଡା ସ୍ଥିତ ବାସଗୃହରେ ଝାଡୁଆପଡା ଶୀତଳଷଷ୍ଠୀର ଲୋକନାଥ ବାବାଙ୍କ ପତରପେଣ୍ଡି ବା ନିର୍ବନ୍ଧ ଅନୁଷ୍ଠିତ ହୋଇଯାଇଛି l ରାତି ପ୍ରାୟ 11ଟା ସମୟରେ ଝାଡୁଆପଡାର ବରପକ୍ଷ କନ୍ୟା ପିତା ହୋଇଥିବା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଘରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହା ପରେ ବରପକ୍ଷ ନିଜର ଆସିବାର ଅଭିପ୍ରାୟ କହିବା ପରେ ବିଧିପୂର୍ବକ ବାର୍ତ୍ତାଳାପ ଓ ପୂଜାର୍ଚ୍ଚନା ହୋଇଥିଲା । ପରେ ଲୋକନାଥ ମହାଦେବ ଓ ମାତା ପାର୍ବତୀଙ୍କ ନିର୍ବନ୍ଧ ବା ପତରପେଣ୍ଡି ସମ୍ପନ୍ନ ହୋଇଥିଲା l ଏହି ଅବସରରେ ପାର୍ବତୀ ପିତା ହୋଇଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, ପୂର୍ବ ଜନ୍ମରେ ବହୁତ ପୁଣ୍ୟ କରିଥିଲି ସେଥି ପାଇଁ ମାତା ପାର୍ବତୀଙ୍କ ପିତାହେବାର ସୌଭାଗ୍ୟ ମିଳିଛି l ଏଥର ଏହି ଦେବ ବିବାହରେ ରାଜ୍ୟର ମନ୍ତ୍ରୀ ଗଣ ମଧ୍ୟ ସାମିଲ ହେବେ ।
ଅନ୍ୟ କମିଟିର ପତରପେଣ୍ଡି ନୀତି:

ଅନ୍ୟପଟେ ଗତ ଗୁରୁବାର ରାତି ପ୍ରାୟ ସାଢେ 9 ଟାରେ ସମ୍ବଲପୁରର ଅନ୍ୟତମ ପ୍ରମୁଖ ଶୀତଳଷଷ୍ଠୀ ଯାତ୍ରା କମିଟି ମୁଦିପଡାର ଜାଗେଶ୍ୱର ବାବାଙ୍କ ପାଇଁ କନ୍ୟା ଅନ୍ବେଷଣରେ ବାହାରି ଥିଲେ ବରପିତା ମଧୁସୂଦନ ନେଗୀ ଓ ସପ୍ତଋଷି ତଥା ପଡାବାସୀ l ପାରମ୍ପରିକ ବାଜା, ଶଙ୍ଖ,ଘଣ୍ଟର ତାଳେ ତାଳେ ମୁଦିପଡା ଜାଗେଶ୍ୱର ବାବା ମନ୍ଦିରରୁ ବାହାରି ଥିଲା ଶୋଭାଯାତ୍ରା । ଦିବ୍ୟ ବିମାନରେ ସପ୍ତଋଷି ଓ ବର ପିତା ଅରୁଢ଼ ହୋଇ ବର ପକ୍ଷ ପହଞ୍ଚି ଥିଲେ ପାଟଣେଶ୍ୱରୀ କଲ୍ୟାଣ ମଣ୍ଡପରେ। ସେଠାରେ କନ୍ୟା ପିତାମାତା ମୃତ୍ୟୁଞ୍ଜୟ ଦାଶ ଓ ମଧୁସ୍ମିତା ପଣ୍ଡା ପାରମ୍ପରିକ ରୀତିନୀତି ଅନୁସାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ଏହା ପରେ କନ୍ୟାପକ୍ଷ ବରପକ୍ଷ ଙ୍କୁ ସେମାନଙ୍କ ଆଗମନର ଉଦ୍ଦେଶ୍ୟ ବିଷୟରେ ପଚାରି ଥିଲେ l ଏହାପରେ ସପ୍ତଋଷି କହିଥିଲେ ଯେ, ଏହି ଘରେ ସର୍ବଗୁଣ ସମ୍ପନ୍ନା ଜଣେ କନ୍ୟା ଥିବାର ସୂଚନା ପାଇଁ ମୁଦିପଡାର ଜାଗେଶ୍ୱର ବାବାଙ୍କ ବିବାହ ପ୍ରସ୍ତାବ ପାଇଁ ଆସିଅଛୁ l ପରେ କନ୍ୟାପକ୍ଷ ବର କଣ କରନ୍ତି ବୋଲି ପଚାରନ୍ତି l ଏହାର ଉତ୍ତରରେ ସପ୍ତଋଷି ମହାଦେବ ଶ୍ମାଶାନ ବାସ କରନ୍ତି ବୋଲି କହିବା ପରେ ପ୍ରଥମେ କନ୍ୟା ପକ୍ଷ ବିବାହ ପ୍ରସ୍ତାବରେ ଅରାଜି ହୋଇ ଥିଲେ l ପରେ ସପ୍ତଋଷି ସ୍ତୋତ୍ର ପାଠ କରି ମହାଦେବଙ୍କ ଗୁଣ ଗାନ କରିବାରୁ କନ୍ୟା ପିତା ମାତା ଏହି ବିବାହ ପ୍ରସ୍ତାବରେ ରାଜି ହୋଇ ଯାଆନ୍ତି l ଏହା ପରେ ସ୍ଥାନୀୟ ପାରମ୍ପରିକ ରୀତିନୀତି ଓ ଲୋକାଚାର ଅନୁସାରେ ପୂଜାର୍ତ୍ତନା କରିବା ପରେ ବର ପକ୍ଷ 72 ଟି ସରଗି ପତ୍ର ବା ଶାଳ ପତ୍ରର ଏକା ବିଡା କନ୍ୟା ପକ୍ଷଙ୍କୁ ପ୍ରଦାନ କରି ବିବାହ ସ୍ଥିରୀକୃତ କରିଥିଲେ l

ଶନିବାର ଶିବ-ପାର୍ବତୀଙ୍କ ବିବାହ:
ଆଜି ରାତିରେ ସମସ୍ତ ଯାତ୍ରା କମିଟିର ହନୁମାନ ନିଉତା ନୀତି ଅନୁଷ୍ଠିତ ହେବ l ଆସନ୍ତା 31 ତାରିଖ, ଶନିବାର ରାତି 11ଟା ରେ ମହାଦେବଙ୍କ ବରଯାତ୍ରୀ ଶୋଭାଯାତ୍ରା ବାହାରିବ ଓ ବିଳମ୍ବିତ ରାତିରେ ଦେବ ଦମ୍ପତିଙ୍କ ବିବାହ ଅନୁଷ୍ଠିତ ହେବ l ଏହା ପରେ ଆସନ୍ତା ଜୁନ 1 ତାରିଖ ରବିବାର ରାତି ପ୍ରାୟ 11 ଟାରୁ ଯୁଗଳ ମୂର୍ତ୍ତି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜୁନ 2 ତାରିଖ ସୋମବାର ଅପରାହ୍ନ ପର୍ଯ୍ୟନ୍ତ ଚାଲିବ ଓ ସନ୍ଧ୍ୟାରେ ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ ହେବ l
କାହିଁକି ସମ୍ବଲପୁରରେ ହେଉଛି ଶୀତଳଷଷ୍ଠୀ ?

ମୁଖ୍ୟତଃ ଇତିହାସକାରଙ୍କ ମତରେ ସମ୍ବଲପୁରରେ ଚୌହାନ ବଂଶୀୟ ରାଜାଙ୍କ ରାଜୁତି କାଳରେ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହୋଇଥିଲା । ତତ୍କାଳୀନ ରାଜା ମାନେ ନିଜର ରାଜ କାର୍ଯ୍ୟରେ ସହାୟତା ପାଇଁ ପୁରୀରୁ କିଛି ଉତ୍କଳୀୟ ବ୍ରାହ୍ମଣ ପରିବାରକୁ ଆଣି ସମ୍ବଲପୁରରେ ଅବସ୍ଥାନ କରାଇଥିଲେ l ଆଉ ଉତ୍କଳୀୟ ବ୍ରାହ୍ମଣ ମାନେ ଯେହେତୁ ଶିବ ଭକ୍ତ ଥିଲେ ସେତେବେଳେ ସେମାନେ ଶିବ ବିବାହ କରିବାକୁ ଆରମ୍ଭ କରିଥିଲେ l ଶିବ ଓ ପାର୍ବତୀଙ୍କ ଏହି ବିବାହ ସମ୍ପୂର୍ଣ୍ଣ ଲୌକିକ ଅଚାର ହୋଇଥାଏ l ଶିବ ପାର୍ବତୀଙ୍କ ବିବାହର ସମ୍ପୂର୍ଣ ପରମ୍ପରାକୁ ଶୀତଳଷଷ୍ଠୀ ଯାତ୍ରା କୁହାଯାଏ l ସମ୍ବଲପୁର ଅଞ୍ଚଳରେ କୌଣସି ବିବାହ ସ୍ଥିରୀକୃତ ହେବା ସମୟରେ ବରପକ୍ଷ କନ୍ୟାପକ୍ଷ କୁ ଶାଳ ପତ୍ର ବା ସରଗି ପତ୍ରର ବିଡା ଦେବାର ପରମ୍ପରା ଥିବାରୁ ଦେବ ବିବାହରେ ମଧ୍ୟ ଏହି ପରମ୍ପରା ନିହିତ ରହିଛି l
ଇଟିଭି ଭାରତ, ସମ୍ବଲପୁର