ETV Bharat / state

ପୁଷ୍ପାଞ୍ଜଳିଙ୍କୁ ପରିଚୟ ଦେଇଛି ଜୈବିକ ଚାଷ, ଖୋଲିଛନ୍ତି ସିଡ୍ ବ୍ୟାଙ୍କ, ସଂରକ୍ଷଣ କଲେଣି 9 ଦେଶୀ ଧାନ

ସ୍ବାମୀ ବାକ୍‌ ଓ ଶ୍ରବଣ ବାଧିତ । ମୁଣ୍ଡ ଉପରେ ଥିଲା ପରିବାର ପ୍ରତିପୋଷଣର ଭାର । 5 ବର୍ଷ ହେଲା ଜୈବିକ ଧାନ ଚାଷ କରି ସଫଳତା ସାଉଣ୍ଟିଛନ୍ତି ପୁଷ୍ପାଞ୍ଜଳି ସାହୁ ।

Seed Saver of Sambalpur
ଧାନ କ୍ଷେତରେ ପୁଷ୍ପାଞ୍ଜଳି (ETV Bharat Odisha)
author img

By ETV Bharat Odisha Team

Published : September 26, 2025 at 6:12 PM IST

4 Min Read
Choose ETV Bharat

ସ୍ପେଶାଲ ଷ୍ଟୋରୀ: ବାଦଶାହ ଜୁସ୍ମନ ରାଣା

Pushpanjali Sahu Organic Farmer ସମ୍ବଲପୁର: ମୁଣ୍ଡରେ ଓଢ଼ଣା ...ମନ ଭିତରେ ଦୃଢ ଆତ୍ମବିଶ୍ବାସ । ମୁଣ୍ଡ ଉପରେ ଶାଶୁଙ୍କ ଆଶୀର୍ବାଦ...ସାଥିରେ ସ୍ବାମୀଙ୍କ ସହଯୋଗ । ସ୍ବାମୀ କହିପାରନ୍ତିନି କି ଶୁଣିପାରନ୍ତିନି... ପରିବାର ଦାୟିତ୍ବ ବୋଝ ମୁଣ୍ଡାଇ ପଦାକୁ ଗୋଡ଼ କାଢିଛନ୍ତି ... ଜୈବିକ ପ୍ରଣାଳୀରେ ଧାନ ଚାଷ କରି ସଫଳତାର କାହାଣୀ ଲେଖିଛନ୍ତି ସମ୍ବଲପୁର ଜିଲ୍ଲା ଜୁଯୁମୁରା ବ୍ଲକ ହାତୀପଡା ଗାଁର ପୁଷ୍ପାଞ୍ଜଳି ସାହୁ । ଦିନେ ଘର କୋଣରେ ରହୁଥିଲେ, ଏବେ ଚାଷରେ ନୂଆ ପରିଚୟ ସୃଷ୍ଟି କରିଛନ୍ତି । ପୁଷ୍ପାଞ୍ଜଳିଙ୍କ ଏ ଯାତ୍ରା କିପରି ଥିଲା, ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ ।

Sambalpur Seed Saver Puspanjali Sahu (ETV Bharat Odisha)

ଶାଶୁଙ୍କ ପାଇଁ ହୋଇଗଲେ ମହିଳା ଚାଷୀ:

ଆଖିରେ ଅସୁମାରୀ ସ୍ବପ୍ନ ନେଇ ଗତ 10 ବର୍ଷ ତଳେ ସମ୍ବଲପୁର ଜିଲ୍ଲା ଜୁଯୁମୁରା ବ୍ଲକର ଛାମୁଣ୍ଡା ପଞ୍ଚାୟତର ହାତୀପଡା ଗାଁକୁ ବୋହୂ ହୋଇ ଆସିଥିଲେ ପୁଷ୍ପାଞ୍ଜଳି ସାହୁ । ପରିବାର କହିଲେ ସ୍ବାମୀ, ଶାଶୂ, ଗୋଟିଏ ଝିଅ । ସ୍ବାମୀ ଜନ୍ମରୁ ବାକ୍‌ ଓ ଶ୍ରବଣ ବାଧିତ । ବାହାର କାମ ଧନ୍ଧା କରିପାରନ୍ତି ନାହିଁ । ଶାଶୁ ବିଲରେ ଖଟନ୍ତି ଯାହା ହୁଏ ସେଥିରେ ଗଡୁଥିଲା ସଂସାର ରଥ । ବୟସ ବଢିବା ସହ ଚାଷ କାର୍ଯ୍ୟ କରିବା କଷ୍ଟକର ହୋଇପଡୁଥାଏ । ଏହାରି ଭିତରେ ପୁଷ୍ପାଞ୍ଜଳି ଚିନ୍ତା କଲେ ପଦାକୁ ଗୋଡ କାଢିବାର ଅଛି । ପରିବାର ବୋଝ ମୁଣ୍ଡାଇବାର ଅଛି । ବୋହୂର ଇଚ୍ଛାକୁ ଶାଶୁ ଓ ସ୍ବାମୀ ସମର୍ଥନ କଲେ । ନିଜ ପ୍ରଚେଷ୍ଠାରେ 2020 ମସିହାରୁ ଜୈବିକ ପଦ୍ଧତିରେ ଧାନ ଚାଷ କରିବା ସହ ଦେଶୀ ବିହନ ମଧ୍ୟ ସଂରକ୍ଷଣ କରୁଛନ୍ତି 35 ବର୍ଷୀୟା ପୁଷ୍ପାଞ୍ଜଳି ।

Seed Saver of Sambalpur
ପରିବାର ସହ ପୁଷ୍ପାଞ୍ଜଳି (ETV Bharat Odisha)

ଶ୍ରମିକ ଖୋଜିବାଠୁ ବିକ୍ରି ସବୁ ବୁଝନ୍ତି ପୁଷ୍ପାଞ୍ଜଳି:

ସମ୍ବଲପୁରର ହାତୀପଡ଼ା ଗାଁ l ସମ୍ବଲପୁର ସହରରୁ ଦୂରତା ପ୍ରାୟ 40 କିଲୋମିଟର l ଗାଁଟି ବଣ ଜଙ୍ଗଲ ଘେରା l ଏହି ଗାଁଟି ହାତୀ କରିଡରରେ ରହିଛି l ସନ୍ଧ୍ୟା ହେଲେ ଗାଁ ନିକଟରେ ହାତୀ ପଲ ଯାତାୟାତ ଏକ ସ୍ୱାଭାବିକ କଥା l ସେଥିପାଇଁ ଗାଁର ଚାରିଆଡ଼େ ଲାଗିଛି ସୋଲାର ଫେନସିଂ l 11 ବର୍ଷ ପୂର୍ବରୁ ଏହି ଅଞ୍ଚଳକୁ ମାଓ ପ୍ରଭାବିତ ଥିଲା l ଏହି ଗାଁର ମହିଳା ଚାଷୀ ହେଉଛନ୍ତି ପୁଷ୍ପାଞ୍ଜଳି ସାହୁ l ଚାଷ କାର୍ଯ୍ୟ ପାଇଁ ଶ୍ରମିକ ଖୋଜିବା ସହ ଜମିର ଦେଖା ଶୁଣା ଓ ଧାନ ବିକ୍ରି କଥା ସେ ନିଜେ ବୁଝନ୍ତି । ପୁଷ୍ପାଞ୍ଜଳି 5 ବର୍ଷ ହେଲା ନିଜର 4 ଏକର ଜମିରେ ଚାଷ କରୁଛନ୍ତି । ସେଥିରୁ 2 ଏକର ଜମିରେ 9 ପ୍ରକାର ଦେଶୀ ଧାନ ଜୈବିକ ପଦ୍ଧତିରେ ଧାନ ଚାଷ କରୁଛନ୍ତି ।

Seed Saver of Sambalpur
ଧାନ କ୍ଷେତରେ ପୁଷ୍ପାଞ୍ଜଳି (ETV Bharat Odisha)

ଜୈବିକ ପଦ୍ଧତି ଚାଷକୁ ଫୋକସ୍‌:

କେବଳ ଧାନ ଚାଷ ନୁହେଁ ଦେଶୀ ବିହନ ସଂଗ୍ରହ ଅଭିଯାନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ପୁଷ୍ପାଞ୍ଜଳି । ଏନେଇ ପୁଷ୍ପାଞ୍ଜଳି ସାହୁ କୁହନ୍ତି, ‘5 ବର୍ଷ ହେଲା ଜୈବିକ ପଦ୍ଧତିରେ ଚାଷ କରି ଆସୁଛି l ଏଥିରେ ଆମେ କୌଣସି ରାସାୟନିକ ସାର କିମ୍ବା କୀଟନାଶକ ପ୍ରୟୋଗ କରିନାହୁଁ l ଜୀଵାମୃତ, ହାଣ୍ଡି ଖତ, ବ୍ରାହ୍ମସ୍ତ୍ର, ନିମାସ୍ତ୍ର ଆଦି ଜୈବିକ ସାର ଦେଇ ଚାଷ କରୁଛୁ l ଚଳିତ ବର୍ଷ ଆମେ 9 ପ୍ରକାର ଦେଶୀ ଧାନର ଚାଷ କରୁଛୁ ।’


ବୋହୂ ଚାଷ କାର୍ଯ୍ୟକୁ ନେଇ ଶାଶୁ ଖୁସି:
ପୁଷ୍ପାଞ୍ଜଳିଙ୍କ ଶାଶୁ କୁଲେନ ସାହୁ ଚାଷ କାର୍ଯ୍ୟକୁ ନେଇ ବେଶ ଖୁସି l ଶାଶୁ କୁଲେନ ସାହୁ କୁହନ୍ତି, ‘ମୋ ବୋହୂ ସବୁ ଚାଷ କରୁଛି, ଏଥିପାଇଁ ମୁଁ ବହୁତ ଖୁସି l ବର୍ତ୍ତମାନ ପରିବାରର ବୋଝ ମୁଣ୍ଡେଇବାର ସମୟ ମୋ ବୋହୂର ଅଟେ l ପୁଅ ବାକ୍‌ ଓ ଶ୍ରବଣ ବାଧିତ ହୋଇଥିବାରୁ ବୋହୂ ଚାଷର ଦାୟିତ୍ବ ନେଇଛି ।’

Seed Saver of Sambalpur
9 ପ୍ରକାର ଦେଶୀ ଧାନ ଚାଷ କରୁଛନ୍ତି ପୁଷ୍ପାଞ୍ଜଳି (ETV Bharat Odisha)

ଦେଶୀ ଧାନ କେତେ ଟଙ୍କାରେ ବିକ୍ରି ହୁଏ, କେଉଁ ଧାନ ଚାଷ କରୁଛନ୍ତି ?

ସାଧାରଣ ଧାନ ଅପେକ୍ଷା ଜୈବିକ ପଦ୍ଧତିରେ ହେଉଥିବା ଦେଶୀ ଧାନର ଚାଉଳର ଦାମ ଅଧିକ ରହୁଛି l ଦେଶୀ ଧାନରୁ ଉତ୍ପନ୍ନ ଚାଉଳର ଦାମ କେଜି ପ୍ରତି 80 ରୁ 120 ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି l ପୁଷ୍ପାଞ୍ଜଳି କୁସୁମକଲି, ସୁନା ହରିଣ, ଶିରାଗା, ସାମ୍ବା, ସୁନା କାଠି,ବଦଲି ବୁଟା, ଲାଲ ବାଲସା, କର୍ପୁରବାସ, କଳା ଜିରା ଆଦି 9 କିସମର ଦେଶୀ ଧାନ ଚାଷ କରି ନିଜ ଘରେ ସଂରକ୍ଷଣ କରି ରଖିଛନ୍ତି l ଏହି ଧାନ ବିହନକୁ ନିଜ ଅଞ୍ଚଳର ଚାଷୀଙ୍କୁ ଦେଇ ସଂରକ୍ଷଣ ପାଇଁ ମଧ୍ୟ କାର୍ଯ୍ୟ କରି ଆସୁଛନ୍ତି l ଏଥିସହ ଦେଶୀ ଧାନ ବିହନ ନେଇ ପୁଷ୍ପାଞ୍ଜଳି ସମ୍ବଲପୁର, ନୂଆପଡ଼ା ଓ କୋରାପୁଟରେ ଅନୁଷ୍ଠିତ ଜିଲ୍ଲା ପ୍ରଶାସନର ବିଭିନ୍ନ କାର୍ଯ୍ୟକ୍ରମରେ ନିଜର ଷ୍ଟଲ ପକେଇ ପ୍ରଶଂସିତ ମଧ୍ୟ ହୋଇଛନ୍ତି l ଏହି ଚାଷ କାର୍ଯ୍ୟରୁ ବାର୍ଷିକ 3 ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ସେ ।

Seed Saver of Sambalpur
ସ୍ବାମୀଙ୍କ ସହ ପୁଷ୍ପାଞ୍ଜଳି ସାହୁ (ETV Bharat Odisha)

ଆଗକୁ ଲୋକଙ୍କୁ ଜୈବିକ ଚାଷ ଉପରେ ସଚେତନ କରିବେ:
ଚାଷ କାର୍ଯ୍ୟ ପାଇଁ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି l ଆଗକୁ ଅଧିକ ପରିମାଣର ଜୈବିକ ଚାଷ କରି ଅଧିକ ଦେଶୀ ବିହନ ସଂରକ୍ଷଣ କରିବାକୁ ଲୋକଙ୍କୁ ସଚେତନ କରିବେ ବୋଲି କୁହନ୍ତି ପୁଷ୍ପାଞ୍ଜଳି । ଏଥିସହ କୌଣସି କାର୍ଯ୍ୟରେ ନ ଡରି ଆଗକୁ ଆସି କାମ କରନ୍ତୁ କୌଣସି ଅସୁବିଧା ହେବନି ବୋଲି ମହିଳାଙ୍କୁ ବାର୍ତ୍ତା ଦେଇଛନ୍ତି ସେ ।

Seed Saver of Sambalpur
4 ଏକର ଜମିରେ ଚାଷ କରୁଛନ୍ତି ସମ୍ବଲପୁରର ମହିଳା ଚାଷୀ ପୁଷ୍ପାଞ୍ଜଳି (ETV Bharat Odisha)


ପ୍ରେରଣାର ଉତ୍ସ ସାଜିଛନ୍ତି ପୁଷ୍ପାଞ୍ଜଳି:

ପୁଷ୍ପାଞ୍ଜଳିଙ୍କ ଏହି ଚାଷ କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳରେ ସେ ବେଶ ପରିଚିତ l ସେ ସ୍ଥାନୀୟ ଅଞ୍ଚଳରେ ଜୈବିକ ଚାଷରେ ଚାଷୀ ମାନଙ୍କ ନେତୃତ୍ୱ ନେଉଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ l ସ୍ଥାନୀୟ ଅଞ୍ଚଳର ଆଉ ଜଣେ ମହିଳା ଚାଷୀ ସୌଭାଗିନୀ ଦେହୁରୀ କୁହନ୍ତି, ‘ପୁଷ୍ପାଞ୍ଜଳି 4 ରୁ 5 ଏକର ଜମିରେ ଏକାକୀ ଚାଷ କରିଛନ୍ତି l ସେ ଦେଶୀ ବିହନ ଚାଷ କରି ଚାଉଳକୁ ବାହାରେ ବିକ୍ରି କରି ଭଲ ରୋଜଗାର କରୁଛନ୍ତି l ବିଭିନ୍ନ ସ୍ଥାନରେ ତାଙ୍କର ଷ୍ଟଲ ପଡିଥାଏ l ଖୁସି ଲାଗେ ଯେ ଆମ ପରି ଜଣେ ମହିଳା ଘରୁ ବାହାରି ଏକାକୀ ଚାଷ କରି ସଫଳ ହୋଇଛନ୍ତି l ଆଗକୁ ଗାଁର ସବୁ ମହିଳା ଦେଶୀ ଧାନ ଜୈବିକ ପଦ୍ଧତିରେ କରିବାକୁ ଆଶା ରଖିଛୁ l’

Seed Saver of Sambalpur
ଘର ବାହାରେ ବସିଛନ୍ତି ଶାଶୁ, ସ୍ବାମୀ , ପୁଷ୍ପାଞ୍ଜଳି ଓ ଜଣେ ମହିଳା ଚାଷୀ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ଦିନେ ଦାଦନ ଖଟୁଥିଲେ ଏବେ ସ୍ବାବଲମ୍ବୀ, ଅନ୍ୟଙ୍କୁ ଦେଉଛନ୍ତି ରୋଜଗାର

30 ଆଦିବାସୀ ମହିଳାଙ୍କୁ ସ୍ବାବଲମ୍ବୀ କରିଛି ମହୁଚାଷ, ବର୍ଷକରେ 200 କେଜି ଉତ୍ପାଦନ

ସମ୍ବଲପୁରରେ ବିଦେଶୀ ଫୁଲ 'ୟୁଷ୍ଟୋମା', ଗୋଟିଏ ଫୁଲ ତୋଡ଼ା 1500 ଟଙ୍କା

ବ୍ରହ୍ମଗିରିର 14 ଗାଁର 170 ଚାଷୀଙ୍କ ଜୈବିକ କୃଷି, କମ୍‌ ଖର୍ଚ୍ଚ ଅଧିକ ଲାଭ

Seed Saver of Sambalpur
ସ୍ବାମୀଙ୍କ ସହ ମହିଳା ଚାଷୀ ପୁଷ୍ପାଞ୍ଜଳି ସାହୁ, ପ୍ରଶାସନ ପକ୍ଷରୁ ମିଳିଛି ପ୍ରଶଂସା ପତ୍ର (ETV Bharat Odisha)

ପ୍ରଶଂସା କରିଛି ପ୍ରଶାସନ:
ପୁଷ୍ପାଞ୍ଜଳିଙ୍କ ଚାଷ କାର୍ଯ୍ୟ ପାଇଁ ସେ ସମଗ୍ର ଛାମୁଣ୍ଡା ପଞ୍ଚାୟତରେ ସେ ବେଶ ଜଣାଶୁଣା l ସ୍ଥାନୀୟ ସରପଞ୍ଚ ବନିତା ଭୋଇ କୁହନ୍ତି,‘ ପୁଷ୍ପାଞ୍ଜଳି ଜଣେ ଭଲ ଚାଷୀ ହେବା ସହ ଭଲ ମଣିଷ ଟିଏ ମଧ୍ୟ l ସବୁବେଳେ ନିଜ ଚାଷ ବାବଦରେ ଲୋକଙ୍କୁ ସଚେତନ କରନ୍ତି l ସେ ଦେଶୀ ବିହନ ଚାଷ କରି ଭଲ ଲାଭବାନ ହୋଇଛନ୍ତି l ତାଙ୍କୁ ଦେଖି ମହିଳା ମାନେ ଉତ୍ସାହିତ ହୋଇ ଚାଷ କରିବାକୁ ଆଗ୍ରହୀ ହୁଅନ୍ତି l ତାଙ୍କର ଏହି କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶଂସା ପତ୍ର ମଧ୍ୟ ପ୍ରଦାନ କରାଯାଇଛି l ସେ ଯେଉଁ ବିପରିତ ପରିସ୍ଥିତିରେ ଆଜି ଏକ ସଫଳ ଚାଷୀ ହୋଇ ପାରିଛନ୍ତି ତେଣୁ ସେ ଆମ ପଞ୍ଚାୟତର ଗୌରବ ଅଟନ୍ତି l’

ଇଟିଭି ଭାରତ, ସମ୍ବଲପୁର