ସ୍ପେଶାଲ ରିପୋର୍ଟ: ବାଦଶାହ ଜୁସ୍ମନ ରାଣା
Sambalpur Kamli Bazaar ସମ୍ବଲପୁର: ଚାଲିଛି ବିବାହ ଋତୁ ... ଝିଅଟି ନୂଆ ବାହା ହୋଇ ଶାଶୂଘର ଗଲେ ଛୁଞ୍ଚିଠୁ ଝାଡୁ ସବୁ କିଛି ଦିଆଯାଏ । ବାହାଘରଟିଏ ଘରେ ହେଉଛି ମାନେ ... ସବୁକିଛି ଖୋଜାପଡେ । ସମସ୍ତଙ୍କ ଚିନ୍ତା ଥାଏ ଜିନିଷ କେଉଁଠୁ ଆସିବ । ମାର୍କେଟ ଧାଇଁ ଧାଇଁ ଚପଲ ଘୁରି ଯାଏ । ଆପଣ ଯଦି ବାହାଘର ପାଇଁ A To Z ସାମଗ୍ରୀ ଗୋଟିଏ ସ୍ଥାନରୁ ଖୋଜୁଛନ୍ତି କି ? ଆମେ କହିବୁ ଏମିତି ଏକ ମାର୍କେଟ ବିଷୟରେ ଯେଉଁଠି ଶାଢୀ, ଚୁଡିଠୁ, ସୁନାଗହଣା, ଖଟ, ପଲଙ୍କ ସବୁକିଛି ମିଳେ । ସମ୍ବଲପୁରରେ ବ୍ରିଟିଶ ଅମଳରୁ ରହିଛି ଏମିତି ଏକ ମାର୍କେଟ... ଯାହାକୁ ନେଇ ଆମର ସ୍ପେଶାଲ ରିପୋର୍ଟ..‘ବ୍ରିଟିଶ ଅମଳର କମଲି ବଜାର’ । ଲୋକେ କୁହନ୍ତି ବିବାହ ପାଇଁ ଜଣେ ଯଦି କଲ୍ୟାଣ ମଣ୍ଡପକୁ ଖାଲି ହାତରେ ଆସେ । ଏଇ ହାଟଠୁ ସବୁକିଛି ମିଳିଯାଏ ।
କମଲି ବଜାର...
ସମ୍ବଲପୁରରେ ଗୋଟିଏ କଥା ଅଛି... ଆପଣଙ୍କୁ ଯଦି କୌଣସି ସାମଗ୍ରୀ ସମ୍ବଲପୁର ସହରରେ ନମିଳୁଛି ତାହା କମଲି ବଜାର ସାପ୍ତାହିକ ହାଟରେ ମିଳିଯିବ । ଯଦି ଆପଣଙ୍କ ଝିଅ ବାହାଘର କେଵଳ ଗୋଟିଏ ଦିନ ଭିତରେ କରିବାର ଅଛି ତେବେ ଗୋଟିଏ ଜାଗାରେ ବାହାଘରିଆ ସବୁ ସାମଗ୍ରୀ ମିଳିଯିବ, ସେହି ଜାଗା ହେଉଛି କମଲି ବଜାର l ଏହି ହାଟକୁ ପଶ୍ଚିମ ଓଡ଼ିଶାର ସର୍ବ ପୁରାତନ ଓ ଐତିହାସିକ ହାଟ ବୋଲି ଐତିହାସିକ କୁହନ୍ତି l ବଡ଼ କଥା ହେଲା 1864-65 ମସିହାରେ ଜଣେ ବ୍ରିଟିଶ ଅଧିକାରୀ ଏହି ହାଟକୁ ଆରମ୍ଭ କରିଥିବା ବେଳେ ତାଙ୍କ ନାଁ ଅନୁସାରେ ଏହାକୁ କମଲି ବଜାର ବୋଲି ରଖାଯାଇଛି l

କେଉଁଠି ଅଛି ଏହି ସାପ୍ତାହିକ ହାଟ ?
କେଉଁଠି ଅଛି ଏହି କମଲି ବଜାର ସାପ୍ତାହିକ ହାଟ ? ଏହି ପ୍ରଶ୍ନ ଉଠିବ l ସମ୍ବଲପୁର ଜିଲ୍ଲାର କୌଣସି ଉପାନ୍ତ ଅଞ୍ଚଳରେ କିମ୍ବା ଗ୍ରାମାଞ୍ଚଳ ଏହା ଥିବ ବୋଲି ଯଦି ଆପଣ ଭାବୁଛନ୍ତି ତେବେ ତାହା ଭୁଲ ଅଟେ l କାରଣ ଏହା ସମ୍ବଲପୁର ସହର ଭିତରେ ହିଁ ଅଛି ଯାହା ସହର ଭିତରେ ଏକ ଗାଉଁଲି ପରିବେଶର ଅନୁଭବ ଦେଇଥାଏ ।

କେବେ ବସେ ହାଟ ?
ହାଟ କହିଲା ମାତ୍ରେ ଆମ ମନ ଭିତରେ ଏକ ଗାଁ ପରିବେଶର ଛବି ଆସିଥାଏ l କାରଣ ପ୍ରତ୍ୟେକ ପ୍ରମୁଖ ଗାଁ ଗୁଡିକରେ ସାପ୍ତାହିକ ହାଟ ଦେଖିବାକୁ ମିଳିଥାଏ । ତେଵେ ସମ୍ବଲପୁର ସହରର କୁଞ୍ଜେଲ ପଡା ଛକରୁ ସମଲେଶ୍ୱରୀ ମନ୍ଦିର ଯିବା ରାସ୍ତା ଏକ ଐତିହାସିକ ସାପ୍ତାହିକ ହାଟ ବସେ l ରବିବାର ଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ହାଟ ବସେ l ଏହାକୁ ସ୍ଥାନୀୟ ଲୋକେ ‘କମଲି ବଜାର’ ହାଟ ବୋଲି ଜାଣନ୍ତି l
କଣ କଣ ମିଳେ ଏହି ହାଟରୁ ?
- ପନିପରିବା
- ଜଙ୍ଗଲୀ ଫଳ
- ଜଙ୍ଗଲଜାତ ଅନ୍ୟାନ୍ୟ ସାମଗ୍ରୀ
- ଲୁହା ସାମଗ୍ରୀ
- କାଠ ତିଆରି ଘର କରଣା ସାମଗ୍ରୀ
- ପଲଙ୍କ
- ଖଟ
- ଟେବୁଲ
- ଚୌକି
- ସୋଫା
- ସବୁ ପ୍ରକାର ଆସବାବପତ୍ର
- ମସଲା
- ଚାଉଳ
- ମାଟି ପାତ୍ର
- ବାଉଁଶ ତିଆରି ସାମଗ୍ରୀ
- ସୁନା
- ରୁପା ଗହଣା
- ପ୍ରଶାଧନ
- ଶାଢ଼ୀ ସୁଟ
- କପଡା
- ଷ୍ଟିଲ ଆଲମିରା
- କଂସା ବାସନ
- ଚୁଡ଼ି
ସାମଗ୍ରୀ ଆଦି ସବୁ ପ୍ରକାର ଜିନିଷ ଏଠାରେ ମିଳିଥାଏ l ସେଥିପାଇଁ ରବିବାର ସକାଳୁ ବାଲିବନ୍ଧା ଛକରୁ ସମଲେଶ୍ୱରୀ ମନ୍ଦିର ଯିବାର ଅଣଓସାରିଆ ରାସ୍ତାରେ ଏହି ହାଟ ବାସୁଥିବାରୁ ଏଠାରେ ଲୋକଙ୍କ ଭିଡ଼ ଜମି ଯାଇଥାଏ l

କଣ ରହିଛି ଏହି ହାଟର ଐତିହାସିକ ପୃଷ୍ଠଭୂମି ?
ଏହି ହାଟକୁ ପଶ୍ଚିମ ଓଡିଶାର ସବୁଠାରୁ ପୁରୁଣା ଓ ବଡ଼ ହାଟ ବୋଲି କୁହାଯାଏ । ବ୍ରିଟିଶ ଅମଳରୁ ଏହି ହାଟ ବସୁଛି । ଜଣେ ବରିଷ୍ଠ ବ୍ରିଟିଶ ଅଧିକାରୀ ଏହି ହାଟର ଆରମ୍ଭ କରିଥିଲେ । ତେବେ କେଉଁ ପରିସ୍ଥିତିରେ ଏହି ହାଟର ଆରମ୍ଭ ହୋଇଥିଲା ଓ କାହିଁକି ଏହାର ନାମ କମଲି ବଜାର ହେଲା ଏହା ପଛରେ ରହିଛି ଇତିହାସ l
ପୁଞ୍ଜିଭୂତ ଅସନ୍ତୋଷକୁ ପ୍ରଶମିତ ପାଇଁ ଆରମ୍ଭ ହୋଇଥିଲା କମଲି ହାଟ:
ସମ୍ବଲପୁରର ବିଶିଷ୍ଟ ଇତିହାସକାର ଦୀପକ ପଣ୍ଡା କହିଛନ୍ତି, ‘ସେତେବେଳେ ସମ୍ବଲପୁରରେ ବ୍ରିଟିଶ ଶାସନ ଚାଲୁଥିଲା l 1864 ମସିହାରେ ସମ୍ବଲପୁର ଡେପୁଟି କମିଶନର ଥିଲେ 'Alexander Bullstrode Cumberledg' । ସେତେବେଳେ ଇଂରେଜ ମାନଙ୍କ ବିରୁଦ୍ଧରେ ଗରିଲା ଯୁଦ୍ଧ କରୁଥିବା ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ତାଙ୍କ ସାଥି ମାନଙ୍କୁ ଏହି ବ୍ରିଟିଶ ଅଧିକାରୀଙ୍କ ନେତୃତ୍ୱରେ ଧରାଯାଇ ଗିରଫ କରାଯାଇଥିଲା । ପରେ ସୁରେନ୍ଦ୍ର ସାଏ ଓ ତାଙ୍କ ସାଥି ମାନଙ୍କୁ ଦଣ୍ଡାଦେଶ ହୋଇଥିଲା l ଏଭଳି ସ୍ଥିତିରେ ସେତେବେଳେ ସୁରେନ୍ଦ୍ର ସାଏଙ୍କ ଲୋକପ୍ରିୟତା ବହୁତ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ, କ୍ରୋଧ ପ୍ରକାଶ ପାଇଥିଲା l ଲୋକଙ୍କ ଭିତରେ ଥିବା ଏହି ପୁଞ୍ଜିଭୂତ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଡେପୁଟି କମିଶନର Alexander Bullstrode Cumberledge ଏକ ବିକାଶ ମୂଳକ କାର୍ଯ୍ୟ ଦେଖେଇବା ପାଇଁ ଏହି ସାପ୍ତାହିକ ହାଟର ବସେଇଥିଲେ l’

କେବେଠୁ ଆରମ୍ଭ ହୋଇଥିଲା ହାଟ, କାହିିଁକି ଏହାର ନାଁ କମଲି ବଜାର ?
ବିଶିଷ୍ଟ ଇତିହାସକାର ଦୀପକ ପଣ୍ଡା ଆହୁରି କହିଛନ୍ତି, ‘ଏହି ହାଟ 1865 ବେଳକୁ ଆରମ୍ଭ ହୋଇଥିଲା l ଆଉ ଏହି ହାଟରେ ସବୁ ପ୍ରକାର ସାମଗ୍ରୀ ଉପଲବ୍ଧ ହେଉଥିଲା ଯାହା ଆଜି ପର୍ଯ୍ୟନ୍ତ ବଜାୟ ରହିଛି । ଏହି ବ୍ରିଟିଶ ଅଧିକାରୀଙ୍କୁ Cumberledge ସାହେବ କହିବା ପରିବର୍ତ୍ତେ ଲୋକେ ଉଚ୍ଚାରଣଗତ ସମସ୍ୟା ଯୋଗୁଁ କମଲି ସାହେବ କହୁଥିଲେ l ସେଥିପାଇଁ ଏହି ହାଟକୁ କମଲି ବଜାର ବୋଲି ଲୋକେ କହିବା ଆରମ୍ଭ କରିଥିଲେ ଯାହା ଆଜି ପର୍ଯ୍ୟନ୍ତ ଚାଲିଛି । ଏହି ସ୍ଥାନରେ ବାହାଘର ପାଇଁ ଆବଶ୍ୟକ ସବୁ ସାମଗ୍ରୀ ଗୋଟିଏ ସ୍ଥାନରେ ଉପଲବ୍ଧ ହେଉଥିଲା ଓ ଆଜି ବି ହେଉଛି l’
ପୂର୍ବରୁ ଏହି ହାଟରେ ବିକ୍ରି ହେଉଥିଲା ଘୋଢା:
ଇତିହାସକାର ଦୀପକ ପଣ୍ଡା କହିଛନ୍ତି, ‘ପୂର୍ବେ ଏଠାରେ ଗାଈଗୋରୁ ଓ ଘୋଡା ମଧ୍ୟ ବିକ୍ରି ହେଉଥିଲା l 25 ବର୍ଷ ତଳେ ଏଠାରେ ଗାଈଗୋରୁ ମଧ୍ୟ ବିକ୍ରି ହେଉଥିଲେ ତେବେ ବର୍ତ୍ତମାନ ତାହା ବନ୍ଦ ହୋଇଯାଇଛି l’

ରୋଜଗାରାର ପନ୍ଥା କମଲି ହାଟ:
ଏହି ବଜାର ଶହଶହ ଉଠା ଦୋକାନୀଙ୍କ ରୋଜଗାରର ପନ୍ଥା ହୋଇ ଆସିଛି l ଆଜି ବି ରବିବାର ସକାଳୁ ସକାଳୁ ଏଠାରେ ଛୋଟ ବଡ଼ ବ୍ୟବସାୟୀଙ୍କ ଦୋକାନ ବସିଥାଏ l ଅଧିକାଂଶ ସ୍ଥାନୀୟ ଓ ଆଖ ପାଖ ଗାଁର ବ୍ୟବସାୟୀ ଅଟନ୍ତି l ସମସ୍ତେ ବାପା ଅଜା ଅମଳରୁ ଏହି ବଜାରରେ ଦୋକାନ ବସାଉଛନ୍ତି l ଏହି ଭଳି ଜଣେ ବ୍ୟବସାୟୀ ହେଲେ ସମ୍ବଲପୁର ସହରର ଦଳେଇ ପଡାର ଅବଦୁଲ ରସିଦ ଖାନ l ତାଙ୍କର ଅଜାଙ୍କ ସମୟରୁ ଏଠାରେ ଏକ ଚୁଡ଼ି ଦୋକାନ ବସୁଛି ।

ଗୋଟିଏ ଜାଗାରେ ମିଳୁଛି ସବୁ ଜିନିଷ:
ଏହି ବଜାର ନେଇ ଅବଦୁଲ ରସିଦ ଖାନ ‘ETV Bharat’କୁ କହିଛନ୍ତି, ‘ ମୁଁ ଛୋଟ ବେଳୁ ଏହି ହାଟ ବସୁଥିବାର ଦେଖିଛି l ତେବେ ଆମର ଏହି ଦୋକାନ ମୋର ଦାଦାଙ୍କ ବାପାଙ୍କ ଅମଳରୁ ଏହି କମଲି ବଜାରରେ ଲାଗୁଛି । ଏହି ବଜାରର ସବୁଠାରୁ ବଡ଼ ସୁବିଧା ହେଉଛି ଯଦି କୌଣସି ବ୍ୟକ୍ତି ସେ ଧନୀ, ଗରିବ ହେଉକି ମଧ୍ୟବର୍ଗର ହେଉ ବିବାହ କଲେ ଗୋଟିଏ ଦିନରେ ଏଠାରୁ ସବୁ ଜିନିଷ କିଣିକି ନେଇ ପାରିବ l ଏଠାରେ ଶାଢ଼ୀ, ସୁଟ, କପଡା, ଷ୍ଟିଲ ଆଲମିରା,କଂସା ବାସନ, ଚୁଡ଼ି, ଲୁହା ସାମଗ୍ରୀ ସବୁ ଏହି ଗୋଟିଏ ସ୍ଥାନରେ ଆପଣ କିଣି ପାରିବେ ଓ ଗୋଟିଏ ଦିନରେ ବାହା କରିପାରିବେ l ଏପରିକି ଏହା ପାଖରେ ସୁନା, ରୁପାର ଜିନିଷ ମଧ୍ୟ ଏଠାରେ ଉପଲବ୍ଧ ହେଉଛି l’

ସେଥିପାଇଁ ରବିବାର ଦିନ ସକାଳୁ ସକାଳୁ ଏହି ହାଟକୁ ଲୋକେ ଆସନ୍ତି ସବୁ ପ୍ରକାର ଜିନିଷ କିଣିବା ପାଇଁ l ଆଉ ଏହି ହାଟ ବିଷୟରେ ସମ୍ବଲପୁର ବାସୀ ସମସ୍ତେ ଉଣା ଅଧିକେ ଜାଣିଛନ୍ତି । ସେହିଭଳି ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଗୀତେଶ୍ବରୀ ବେହେରା ଏହି ହାଟ ବାବଦରେ କହିଛନ୍ତି, ‘ଏହି ହାଟ ବହୁତ ପୁରୁଣା ଅଟେ l ମୋର ଜନ୍ମ ପୂର୍ବରୁ ଏହି ହାଟ ବସୁଛି l ସମ୍ବଲପୁର ସହରରେ ଯାହା ମିଳିବନି ତାହା ଏଠାରେ ମିଳିଯାଏ l ଏପରିକି ଏଠାରେ ଥିବା ପାଟଣେଶ୍ୱରୀ କଲ୍ୟାଣ ମଣ୍ଡପରେ ଜଣେ ବ୍ୟକ୍ତି ଖାଲି ହାତରେ ବି ଯଦି ବିବାହ କରିବାକୁ ଆସେ ତାହେଲେ ଏହି ହାଟରୁ ସବୁ କିଣି ଝିଅ ବିବାହ କରେଇ ପାରିବ । କାରଣ ଏଠାରେ ଖଟ, ପଲଙ୍କ, ଡ୍ରେସିଂ ଟେବୁଲ, କୁଲର, ଷ୍ଟିଲ ଆଲମିରା ପରି ସାମଗ୍ରୀ ଶସ୍ତାରେ ମିଳିଯାଏ l ଏହା ସହ ଇଲେକ୍ଟ୍ରିକ ସାମଗ୍ରୀ ସୁନା, ରୁପା ସବୁ ମିଳିଯାଏ ’
ଏହା ମଧ୍ୟ ପଢନ୍ତୁ: ଅର୍ଦ୍ଧନାରୀଶ୍ୱର ଏବଂ କିନ୍ନର, ସମ୍ବଲପୁର ଶୀତଳଷଷ୍ଠୀର ଅନନ୍ୟ ପରମ୍ପରା ପାଞ୍ଚ ପିଢ଼ି ଧରି ତିଆରି କରୁଛନ୍ତି ସରସତିଆ , କେବେ ମିଳିବ ଜିଆଇ ଟ୍ୟାଗ ? |
ମାର୍କେଟକୁ ବ୍ୟବସ୍ଥିତ କରିବାର ଆବଶ୍ୟକତା ରହିଛି:
ମାର୍କେଟକୁ ନେଇ ସ୍ଥାନୀୟ ବ୍ୟକ୍ତି ରମେଶ କୁମାର ପୁରୋହିତ କହିଛନ୍ତି, ‘ଏହି ହାଟ ବହୁତ ପୁରୁଣା ଅଟେ । ଏହାର ବିଶେଷତ୍ୱ ହେଉଛି ଏଠାରେ ସବୁ ପ୍ରକାର ଘରକରଣା ସାମଗ୍ରୀ ଉପଲବ୍ଧ । ତେବେ ଏହି ବଜାରଟି ରାସ୍ତା କଡରେ ବସୁଥିବାରୁ ଏହାକୁ ବ୍ୟବସ୍ଥିତ କରିବାର ଆବଶ୍ୟକତା ରହିଛି l ଏଥିପାଇଁ ସରକାର ବ୍ୟବସ୍ଥା କରନ୍ତୁ ।’
ଶହ ଶହ ବର୍ଷ ତଳର ପୁରୁଣା ଏହି ହାଟ । ଯାହାକି ଜଣେ ବିଟ୍ରିଶ ଅଧିକାରୀଙ୍କ ନାଁ ଅନୁସାରେ ଆଜିବି ଚାଲିଆସିଛି । ଗୋଟିଏ ସ୍ଥାନରେ ସବୁକିଛି ସାମଗ୍ରୀ ମିଳୁଥିବାରୁ ବେଶ ଖୁସି ସ୍ଥାନୀୟ ବାସିନ୍ଦା । ସେଥିପାଇଁ ତ ଏହାକୁ ‘ବାହାଘର ହାଟ’ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଇଟିଭି ଭାରତ, ସମ୍ବଲପୁର