Chinmayee Deo Gauseva:ପୁରୀ: ସେ ରାଜ ପରିବାରର ଝିଅ, ପାଦରେ ମାଟି ଲାଗିବା କଥା ନୁହଁ । ରାଜ ଉଆସରେ ସମୟ ବିତାଇ ଚାକର ଚାକରାଣୀଙ୍କ ସେବା ପାଇ ପଲଙ୍କରେ ବିନା ଚିନ୍ତାରେ ଶୋଇବା କଥା । କିନ୍ତୁ ରାଜା ଘରର ଚାକଚକ୍ୟ ତାଙ୍କୁ ବାନ୍ଧି ରଖିପାରିନି ଉଆସରେ ଭିତରେ । ସବୁ ଚାକ ଚକ୍ୟକୁ ଛାଡି ସେ ଗୋମାତାଙ୍କ ସେବା କରୁଛନ୍ତି । ଆମେ କହୁଛୁ ବଣେଇ ରାଜପରିବାରର ଝିଅ ଚିନ୍ମୟୀ ଦେଓଙ୍କ କଥା । ରାଜ ପରିବାରର ଝିଅ ସତ, କିନ୍ତୁ ତାଙ୍କ ମନରେ ଟିକିଏ ବି ଗର୍ବ ନାହିଁ । ପିଲାଟି ଦିନକୁ ସେ ନିଜକୁ ଗୋ ସେବାରେ ସମର୍ପିତ କରିଦେଇଛନ୍ତି ।
Odisha royal family cow protection:
ଗୋ ସେବା ପାଇଁ ସମର୍ପିତ ରାଜ ପରିବାରର ଝିଅ: ଗାଈର ହମା ରଡିରେ ସେ ତାର ମନ କଥା ବୁଝି ପାରନ୍ତି ଓ ଯନ୍ତ୍ରଣା ହେଲେ ଅନୁଭବ କରିପାରନ୍ତି । ଗୋମାତାଙ୍କ ମାଆ ପରି ସେ ରୋଗରେ ପୀଡିତ ଗାଈ ଓ ଦୁର୍ଘଟଣାରେ ଆହତ ହୋଇଥିବା ଗାଈଙ୍କ ସେବା କରୁଛନ୍ତି । ଏଥି ପାଇଁ ତାଙ୍କୁ ମିଳେ ଆତ୍ମ ତୃପ୍ତି । ରାସ୍ତା ରେ କ୍ଷତାକ୍ତ ଅବସ୍ଥା ରେ ଗାଈ ଦେଖିଲେ ଚିନ୍ମୟୀ ଆଉ ନିଜକୁ ଅଟକାଇ ପାରିନଥାନ୍ତି । ସଙ୍ଗେ ସଙ୍ଗେ ଉଦ୍ଧାର କରି ବାଘ ଆଖଡ଼ା ମଠକୁ ନେଇ ଆସନ୍ତି। ସେଠାରେ ଥିବା ଗୋ ଚିକିତ୍ସାଳୟରେ ସେ ଗାଈର ଉପଚାର କରିବା ସହ ଭଲ ହେବା ଯାଏ ସେବା କରନ୍ତି। ମନେ ମନେ ସେ ତାଙ୍କ ସହ କଥା ହୋଇ ମନ କଥା ବୁଝିଥାନ୍ତି। ମଲମ ଲେପି ଦେଇ ବ୍ୟାଣ୍ଡେଜ୍ କରିଦେବା ବେଳେ ଗୋ ମାତା ତାଙ୍କୁ ଚାଟି ଦେଇ କୃତଜ୍ଞତା ପ୍ରକାଶ କରନ୍ତି ।
Royal family Daughter Cow Seva
ମାଆଙ୍କ ଠାରୁ ଗୋ ସେବା ପ୍ରେରଣା ପାଇଥିଲେ ଚିନ୍ମୟୀ: ବଣେଇର ପୂର୍ବତନ ରାଜା ସ୍ବର୍ଗତ କଦମ୍ବ କେଶରୀ ଚନ୍ଦ୍ରଦେଓଙ୍କ ଝିଆରୀ ହେଉଛନ୍ତି ଚିନ୍ମୟୀ । କଳାହାଣ୍ଡି ମଦନପୁର ରାମପୁରର ରାଜା ସ୍ବର୍ଗତ ଦୁର୍ଗା ମାଧବ ସିଂହଦେଓ ତାଙ୍କ ଅଜା। ପିଲାବେଳୁ ରାଜ ପରିବାରର ଚାକଚକ୍ୟରେ ସେ ବଢିଥିଲେ। କିନ୍ତୁ ଚିନ୍ମୟୀ ଙ୍କ ମା ଉତ୍ପଳ ମଞ୍ଜରୀ ଦେବୀଙ୍କ ଠାରୁ ପୁରାଣ ଶାସ୍ତ୍ର ଶୁଣି ଓ ଗୋମାତାଙ୍କ ସେବା କରୁଥିବା ଦେଖି ସେ ଏହା ଦ୍ବାରା ବିଶେଷ ପ୍ରଭାବିତ ହୋଇଥିଲେ। ତାଙ୍କ ପରିବାରର ଏକ ବଡ ଗୋଶାଳା ଥିଲା। ସେଠାର ନିଜ ମା ଙ୍କ ଗୋମାତା ସେବା କରିବା ଦେଖି ଗୋମାତାଙ୍କ ସେବା ପାଇଁ ପ୍ରେରଣା ପାଇଥିଲେ। ପିଲାଦିନେ ଚିନ୍ମୟୀ ଗାଈ ମାନଙ୍କ ପାଖରେ ବିଭିନ୍ନ ଖାଦ୍ୟ ଜିନିଷ ଆଣି ଦେଉଥିଲେ। ଯାହାକୁ ଗାଈ ମାନେ ଅତି ଶ୍ରଦ୍ଧାରେ ଖାଇ ଦେଉଥିଲେ।

Who is Chinmayee Deo Puri ?
ପିଲାଟି ଦିନରୁ ଗୋ ସେବାରେ ଚିନ୍ମୟୀ, 500 ରୁ ଅଧିକ ଗାଈଙ୍କୁ ସୁସ୍ଥ କରିଛନ୍ତି : ପୁରୀ ସ୍ବର୍ଗ ଦ୍ଵାର ନିକଟରେ ତାଙ୍କ ପରିବାର ଘର ରହିଛି । ସେ ପିଲାଦିନୁ ପୁରୀରେ ମଧ୍ୟ ଚଳିଆସିଛନ୍ତି। ପିଲାଟି ଦିନ ଗୋମାତାଙ୍କ ପ୍ରତି ଭଲ ପାଇବା ଓ ଶ୍ରଦ୍ଧା ଥିଲା। ଏଣୁ ସେ ପୁରୀ ରେ ଥିବା ଶଙ୍କରାଚାର୍ଯ୍ୟ ମଠକୁ ଯାଇ ଗୋ ସେବାରେ ଯୋଗ ଦେଇଥିଲେ। ବିଶେଷ କରି ଦୁର୍ଘଟଣାରେ କ୍ଷତ ବିକ୍ଷତ ହେଉଥିବା ଗାଈଙ୍କ ଚିକିତ୍ସା ପାଈଁ ବାପା ସ୍ବର୍ଗତ କଦମ୍ବ ବିହାରୀ ଦେଓଙ୍କୁ କହି ଔଷଧ ଆଣି ଗାଈଙ୍କ ସେବା କରନ୍ତି । 2017 ମସିହାରେ ପୁରୀ ବଡ ଶଙ୍ଖରେ ଥିବା ବାଘ ଆଖଡ଼ା ମଠରେ ତିଆରି ହୋଇଥିଲା ରାଜ୍ୟର ପ୍ରଥମ ଗୋ ଚିକିତ୍ସା କେନ୍ଦ୍ର । ସେଠାରେ ସେ ଯୋଗ ଦେଇ ଗାଈଙ୍କ ଚିକିତ୍ସା ସେବାରେ ନିଜକୁ ଉତ୍ସର୍ଗ କରିଦେଇଥିଲେ । ଇତି ମଧ୍ୟରେ 500 ରୁ ଅଧିକ ଗାଈଙ୍କୁ ସେ ସୁସ୍ଥ କରିଛନ୍ତି । ନିଜ ଭ୍ୟାନିଟରେ ଚିନ୍ମୟୀ ସବୁବେଳେ କିଛି ବିସ୍କୁଟ, ବେଟାଡିନ ଓ କ୍ଷତକୁ ଉପଶମ କରୁଥିବା ଔଷଧ ରଖିଥାନ୍ତି।

Chinmayee Deo cow seva story:
ସେବା ପାଇଁ ସମର୍ପିତ: ଏପରିକି ଗାଈ ଗୋରୁଙ୍କ ସହ ରାସ୍ତା ବୁଲୁଥିବା କୁକୁର ମଧ୍ୟ ଆହତ ଓ ଅସୁସ୍ଥ ଥିଲେ ଚିକିତ୍ସା କରିଥାନ୍ତି। ପ୍ରତିଦିନ ସେ ସ୍ବର୍ଗ ଦ୍ଵାରର ବଡ ଶଙ୍ଖ ବାଘ ଆଖଡ଼ା ମଠ ଯାଏଁ 5 କିଲୋମିଟର ଚାଲି ଚାଲି ଆସନ୍ତି। ରାସ୍ତାରେ ବୁଲା ଗାଈ, କୁକୁର ଙ୍କୁ ଖାଇବାକୁ ଦିଅନ୍ତି। ତେବେ ବୁଲା ଗୋରୁ ଗାଈଙ୍କ ସେବା ଶୁଶ୍ରୁଷା ରେ ଚିନ୍ମୟୀ ନିଜ ଜୀବନକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଥିବାରୁ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଅନେକ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ହୋଇଛନ୍ତି। ଚିନ୍ମୟୀ ଏଭଳି ଗୋମାତା ଙ୍କ ସେବା କାର୍ଯ୍ୟ ଦେଖି ଏବେ ଅନେକ ଯୁବ ପୀଢ଼ି ଗୋମାତା ଙ୍କ ସେବାରେ ମଧ୍ୟ ନିଜକୁ ଉତ୍ସର୍ଗ କରିଛନ୍ତି। ଗୋମାତାର ସୁରକ୍ଷା ସହିତ ଉପଯୁକ୍ତ ସମ୍ମାନ ଓ ରକ୍ଷଣାବେକ୍ଷଣ ସହ ଅଧିକ ରୁ ଅଧିକ ଗୋ ଚିକିତ୍ସାଳୟ ଖୋଲି ଯୁବକ ମାନେ ଗୋମାତାଙ୍କ ସୁରକ୍ଷାରେ ଲାଗିବାକୁ ଚିନ୍ମୟୀ ଦେଓ ଆହ୍ଵାନ ଦେଇଛନ୍ତି।

'ଗୋମାତାଙ୍କ ଚିକିତ୍ସା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ମୋର ନ ଥାଏ':
ଗୋସେବାରେ ନିଜକୁ ସମ୍ପୂର୍ଣ ଉତ୍ସର୍ଗ କରିଥିବା ଚିନ୍ମୟୀ ଦେଓ ନିଜ ପ୍ରତିକ୍ରିୟାରେ କହିଛନ୍ତି, ''ରାସ୍ତାରେ ବୁଲୁଥିବା ଗାଈ ଯାହାର କେହି ମାଲିକ ନଥାନ୍ତି ତାଙ୍କୁ ଆଣି ଆମେ ଗୋ ସେବା ଚିକିତ୍ସାଳୟରେ ଚିକିତ୍ସା କରୁ। ଦୁର୍ଘଟଣାରେ ଠିଆ ହୋଇପାରୁନଥିବା ଗାଈଙ୍କୁ ଉଦ୍ଧାର କରାଯାଇ ଗୋ ସେବା ଚିକିତ୍ସାଳୟ ଟ୍ରାକ ସନ୍ ଦ୍ଵାରା ଠିଆ କରାଯାଏ। ଗୋମାତାଙ୍କ ଚିକିତ୍ସା ପାଇଁ କୌଣସି କାର୍ଯ୍ୟକରିବାର ନିର୍ଦ୍ଦିଷ୍ଟ ସମୟ ମୋର ନ ଥାଏ । ଯଦି ଆହତ ହୋଇ କେହି ଗାଈ ବାଘ ଆଖଡ଼ା ମଠରେ ଗାଈ ଗୋ ସେବା ଚିକିତ୍ସାଳୟକୁ ଆସନ୍ତି ମୁଁ ସେମାନଙ୍କ ଚିକିତ୍ସା ଉପଚାର ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କରେ। ଏହି କାର୍ଯ୍ୟରେ ବହୁତ୍ ଶାନ୍ତି ମିଳେ। ଯାହାକି ମୁଁ ଏହାକୁ ଶବ୍ଦରେ ବର୍ଣ୍ଣନା କରିପାରିବି ନାହିଁ। କେବଳ ଏହା ଅନୁଭବ କରିହୁଏ। ଆମ ଘରେ ବହୁତ୍ ପ୍ରାଣୀ ଥିଲେ। ଏହା ଭିତରୁ ଗୋମାତାଙ୍କ ସଂଖ୍ୟା ଅଧିକ ଥିଲା। 3 ଶହ ଗାଈ ଗୋରୁଙ୍କ ସହ ମୁଁ ପିଲାଦିନୁ ଚଳି ଆସିଛି। ଆମେ ମାନେ ତାଙ୍କ ସହ ଖେଳି ଥାଉ। ଗାଈଙ୍କ ଦେହ ଖରାପ ହେଲେ ମାଆ ତାଙ୍କର ଚିକିତ୍ସା କରୁଥିଲେ। ମୁଁ ମାଙ୍କୁ ବହୁତ୍ ସାହାଯ୍ୟ କରେ। ଯଦି କୋଉ ଗାଈର ଦେହ ଭଲ ହୋଇଯାଏ ମତେ ବହୁତ୍ ଖୁସି ଲାଗେ। ଯେତେବେଳେ ଯେ କୌଣସି ପଶୁ ସହିତ ଅଧିକ ସମୟ ବିତାଇବେ ତାଙ୍କର ମନ କଥା ବୁଝି ହୁଏ। ମୋର ଲକ୍ଷ୍ୟ କେମିତି ଗୋ ମାତା ସୁରକ୍ଷିତ ରୁହନ୍ତୁ। ହିନ୍ଦୁ ଧର୍ମର ପ୍ରତୀକ ହେଉଛନ୍ତି ଗୋ ମାତା। ସଚେତନତା ଅଭାବରୁ ଅନେକ ଲୋକ ଘରେ ଗୋମାତାଙ୍କୁ ରଖୁ ନାହାନ୍ତି। ପୂର୍ବରୁ ଘରେ ଘରେ ଗୋମାତା ଥିଲେ। ଗୋ ମାତା ସୁରକ୍ଷିତ ରୁହନ୍ତି, କଂସେଇ ଖାନାକୁ ଗୋମାତା ନ ଯାଆନ୍ତୁ, ଏ ଦିଗରେ କାର୍ଯ୍ୟ କରିବାକୁ ମୁଁ ଯୁବପିଢ଼ିଙ୍କୁ ଆହ୍ଵାନ କରୁଛି । ଯୁବକ ମାନେ ନିଜକୁ ଗୋ ସେବାରେ ସମର୍ପିତ କରନ୍ତୁ ନ ହେଲେ ଆଗାମୀ ଦିନରେ ଗୋମାତା ଲୋପ ପାଇଯିବ। ''

ଅନ୍ୟ ଜୀବଜନ୍ତୁଙ୍କ ମଧ୍ୟ ସେବା କରନ୍ତି :
ଚିନ୍ମୟୀ ସହ ଗୋ ସେବା କରୁଥିବା ସୁଜିତ୍ କହିଛନ୍ତି, ''ମୁଁ ଦୀର୍ଘ 12 ବର୍ଷ ହେଲା ଦେଖି ଆସୁଛି ଚିନ୍ମୟୀ ଗୋ ସେବାରେ ନିଜକୁ ସମ୍ପୂର୍ଣ ସମର୍ପିତ ଦେଇଛନ୍ତି। କେବଳ ଗୋ ମାତା ନୁହନ୍ତି ବାହାରେ ବୁଲା କୁକୁର ଯଦି କେହି ଆହତ ଓ ଅସୁସ୍ଥ ଥାଏ ସେ ଚିକିତ୍ସା ସେବା କରିଥାନ୍ତି । ଜୀବଜନ୍ତୁଙ୍କ ଦେହରେ କ୍ଷତ ହୋଇଥିଲେ ସେ ଘୃଣା ନ କରି ସେବା ଓ ଚିକିତ୍ସା କରିଥାନ୍ତି । ନିଜ ଘର ପରିବାରକୁ ଛାଡି ଗୋମାତାଙ୍କ ସେବାରେ ସେ ସବୁବେଳେ ଥିବାରୁ ଆମକୁ ବହୁତ୍ ଖୁସି ଲାଗିଥାଏ। ଜୀବଜନ୍ତୁ ଙ୍କୁ ଭଲ ପାଇବା, ତାଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ନେଇ ସେ ଆମକୁ ସବୁବେଳେ ପରାମର୍ଶ ଦେଇଥାନ୍ତି । ଜଣେ ରାଜ ପରିବାର ଝିଅ ଯେଭଳି ଗୋମାତାଙ୍କ ସେବାରେ ନିଜକୁ ସମ୍ପୂର୍ଣ ସମର୍ପିତ କରିଛନ୍ତି ତାକୁ ଦେଖି ଆମେ ବହୁତ ଉତ୍ସାହିତ ହୋଇଥାଉ । ଗୋ ମାତାଙ୍କ ସେବାରେ ଆମେ ତାଙ୍କୁ ସହଯୋଗ କରୁଛୁ । ବାଘ ଆଖଡ଼ା ମଠରେ ହୋଇଥିବା ଗୋ ଚିକିତ୍ସାଳୟରେ ଆମେ 10 ଜଣ ଗାଈଙ୍କ ଚିକିତ୍ସାରେ ନିୟୋଜିତ ଅଛୁ । ପଶୁ ଡାକ୍ତର କମଲେଶ ପ୍ରଧାନ ଆମ ଗୋ ଚିକିତ୍ସାଳୟକୁ ଆସି ଗାଇଙ୍କ ଚିକିତ୍ସା କରିଥାନ୍ତି। ଆମର ଲକ୍ଷ୍ୟ ରହିଛି ଆମ ଗୋ ଚିକିତ୍ସାଳୟ ଆହୁରି ପରିବର୍ଦ୍ଧିତ ହେଉ। ଏଥି ପାଇଁ ପ୍ରଶାସନ ଆମକୁ କିଛି ଆର୍ଥିକ ସାହାଯ୍ୟ ପ୍ରଦାନ କରୁ।''

'ଚିନ୍ମୟୀଙ୍କ ଗୋ ସେବା ଆମକୁ ପ୍ରଭାବିତ କରିଥିଲା':
ଚିନ୍ମୟୀଙ୍କ ଜଣେ ସହଯୋଗୀ ପ୍ରହଲ୍ଲାଦ କହିଛନ୍ତି, ''ଗୋ ସେବାରେ ଅନେକ ଆନନ୍ଦ ମିଳିଥାଏ। ଆମ ପୁରାଣରେ ମଧ୍ୟ ବର୍ଣ୍ଣନା ରହିଛି ଗୋ ସେବା ଏକ ମହାପୂଣ୍ୟ କାର୍ଯ୍ୟ। । ଚିନ୍ମୟୀ ଦେଓଙ୍କ ଗୋ ସେବା ପ୍ରତି ସମର୍ପଣ ମନୋଭାବ ଆମକୁ ପ୍ରଭାବିତ କରିଥିଲା । ମୁଁ ଏବେ ଗୋ ସେବାରେ ନିୟୋଜିତ ଅଛି। ଆହତ ଗାଈଙ୍କ ଡ୍ରେସିଂ କରାଯିବା ସହ ଠିଆ ହେବା ପାଇଁ ଟ୍ରାକସନ୍ ଦିଆଯାଏ। ଅନ୍ୟାନ୍ୟ ଚିକିତ୍ସା ମଧ୍ୟ କରାଯାଏ। ତେବେ ଚିନ୍ମୟୀ ଦେଓ କେବଳ ଗୋ ସେବା ନୁହେଁ ଅନ୍ୟ ଜୀବ ଜନ୍ତୁ ଙ୍କୁ ଖାଦ୍ୟ ସହ ଚିକିତ୍ସା ଯୋଗାଇ ଦିଅନ୍ତି। ତାଙ୍କର ଏହି କାର୍ଯ୍ୟ ଆମକୁ ବହୁତ୍ ପ୍ରେରଣା ଦିଏ। ସେଥିପାଇଁ ଅନୁପ୍ରାଣିତ ହୋଇ ମୁଁ ଗୋ ସେବାରେ ନିୟୋଜିତ ହୋଇଛି। ଆମେ ଚାହୁଁଛୁ ଯୁବପିଢ଼ି ଅଧିକ ଗୋ ସେବାରେ ନିଜକୁ ସାମିଲ କରନ୍ତୁ। ଚିନ୍ମୟୀ ଅପା୍କ ପରିବାର ରାଜ ପରିବାର ବଂଶ। ହେଲେ ସେ କେବେ ନିଜର ପରିଚୟ ନିଜ ରାଜ ପରିବାର ସହ ଯୋଡ଼ି କହିନଥାଆନ୍ତି । ସେ ଅତି ସାଧାରଣ ଜୀବନ ଯାପନ କରନ୍ତି। ସେ ଆମକୁ ଅନେକ ପ୍ରେରଣା ଦିଅନ୍ତି। କିଛି ଭୁଲ ହେଲେ ତ୍ରୁଟି ସୁଧାରି ଦିଅନ୍ତି। ଆମର ଲକ୍ଷ୍ୟ ରହିଛି ବାଘ ଆଖଡ଼ା ମଠରେ ଥିବା ଗୋ ଚିକିତ୍ସା କେନ୍ଦ୍ରକୁ ଆମେ ବଡ଼ ଆକାରରେ କରିବୁ । ଏଥି ପାଇଁ ପ୍ରଶାସନ ପକ୍ଷରୁ କିଛି ସହଯୋଗ ଦରକାର। ଏହା ଯେତେ ବଡ ଆକାରରେ ହୋଇ ପାରିବ ସେତେ ଅଧିକ ଗୋ ମାତା ଙ୍କୁ ଆମେ ଚିକିତ୍ସା ସେବା ଯୋଗାଇ ପାରିବୁ। ''
