ଭୁବନେଶ୍ବର: ରାଜ୍ୟରେ ଦିଆଯାଉଛି ମାଗଣା ସିଭିଲ ସର୍ଭିସ ପାଇଁ କୋଚିଂ। ଯୁବପିଢ଼ି ଏହି ମାଗଣା ସିଭିଲ ସର୍ଭିସ ପ୍ରତି ଆକୃଷ୍ଟ ହେଉଛନ୍ତି ସତ ହେଲେ ସିଭିଲ ସର୍ଭିସ ପାଇଁ ନୁହେଁ ଅନ୍ୟ ସରକାରୀ ସ୍ତରର ପରୀକ୍ଷା ପାଇଁ ହେଉଛନ୍ତି ପ୍ରସ୍ତୁତ। ଏପଟେ ମାଗଣା କୋଚିଂରେ ନାମ ଲେଖାଉଛନ୍ତି ସେପଟେ ଅଧାରୁ କୋଚିଂ ଛାଡୁଛନ୍ତି। ଏପରିକି ଅନେକ ଛାତ୍ରଛାତ୍ରୀ କୋଚିଂ ନେବାକୁ ଇଚ୍ଛୁକ ନୁହଁନ୍ତି। ଆଇଏଏସ ବଦଳରେ, ସେମାନେ କୋଚିଂ ନେବା ପରେ ଅନ୍ୟ ପରୀକ୍ଷା ଦେଉଛନ୍ତି। ଯାହାକୁ ନେଇ ଉଚ୍ଚଶିକ୍ଷା ବିଭାଗ ଏହାକୁ ଗୁରୁତ୍ଵର ଭାବରେ ଗ୍ରହଣ କରିଛି। ତେବେ ଚଳିତ ବର୍ଷ ଏହି ମାଗଣା କୋଚିଂ କୁ ଏକ ପରୀକ୍ଷାମୂଳକ ଭାବରେ ଗ୍ରହଣ କରାଯାଇଛି। ଏପରିକି ଅନେକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି।
ଆଇଏଏସ ପରୀକ୍ଷା ପରିବର୍ତ୍ତେ ଅନ୍ୟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି
ୟୁନିୟନ ପବ୍ଲିକ ସର୍ଭିସ୍ କମିଶନ (ୟୁପିଏସ୍ସି) ପରୀକ୍ଷରେ କୃତକାର୍ଯ୍ୟ ପାଇଁ ମାଗଣା କୋଚିଂର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ମାତ୍ର କୋଚିଂ ସମୟରେ ସେମାନେ ରାଜ୍ୟ ସରକାରଙ୍କର ଯେକୌଣସି ପରୀକ୍ଷା ଦେଇ ଅଧାରୁ ଚାଲି ଯାଉଛନ୍ତି। ଯେଉଁ ଚାକିରି ପାଇଁ ପିଲାମାନେ କୋଚିଂ ନେଉଛନ୍ତି ସେମାନେ ସେଥିରେ ଯାଉନାହାନ୍ତି। ବିଶେଷ ଭାବରେ ଏସ୍ଏସ୍ଟି, ଓଏସ୍ଏସ୍ସି, ଓଏସ୍ଏସ୍ଏସି ପରିଚାଳିତ ବିଭିନ୍ନ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ତେଣୁ କୋଚିଂ ନେଉଛନ୍ତି ଆଇଏଏସ ପାଇଁ ହେଲେ ରାଜ୍ୟରୁ ଆଇଏଏସ ବାହାରୁନହାନ୍ତି।
ବ୍ୟବସ୍ଥାରେ ଅଣାଯିବ ସଂସ୍କାର
"ଏହି ଆଇଏଏସ କୋଚିଂ ବ୍ୟବସ୍ଥାରେ ଅଣାଯିବ ସଂସ୍କାର। ଏନେଇ ଶିକ୍ଷାର୍ଥୀଙ୍କ ପାଇଁ କରାଯିବ ସ୍ବତନ୍ତ୍ର କ୍ଳାସ। ଯେଉଁ କ୍ଲାସ କୁ ପରିଚାଳନା କରିବେ ବରିଷ୍ଠ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ" ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଏନେଇ ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ଯେଉଁ ମାଗଣାରେ କୋଚିଂ ଦିଆଯାଉଛି ସେଥିରେ ଅନେକ ସମସ୍ୟା ରହିଛି। ତେବେ ଚଳିତ ବର୍ଷ ମାଗଣା କୋଚିଂ କୁ ପରୀକ୍ଷାମୂଳକ ଭାବରେ କରାଯିବ। ସମାନ ଢାଞ୍ଚାରେ ପରୀକ୍ଷା ପାଇଁ କୋଚିଂ ଦିଆଯିବ। ଏନେଇ ପିଲାଙ୍କ ସହ ବ୍ୟକ୍ତିଗତ ଭାବରେ ଆଲୋଚନା କରାଯିବ" ବୋଲି କହିଛନ୍ତି।
ଆଇଏଏସ ଦେବେ ଗୁରୁମନ୍ତ୍ର
ଏହି ଆଇଏଏସ ମାଗଣା କୋଚିଂକୁ ନେଇ ରାଜ୍ୟ ସରକାର ଚିନ୍ତାରେ ରହିଥିବା ବେଳେ ଆଗାମୀ ଦିନରେ ରାଜ୍ୟରୁ ଅଧିକରୁ ଅଧିକ ଆଇଏଏସ ଅଧିକାରୀ ବାହାରିବେ ସେନେଇ ଲକ୍ଷ୍ୟ ରଖାଯାଇଛି। ତେବେ ସେନେଇ ଦିଆଯାଉଥିବା ମାଗଣା କୋଚିଙ୍ଗ ରେ ଗୋଟିଏ ଗୋଟିଏ ଦିନ ଆଇଏଏସ ମାନଙ୍କୁ କ୍ଲାସ କରିବାକୁ ନିଷ୍ପତି ନିଆଯାଇଛି। ଯାହା ଫଳରେ ଆଶା କରାଯାଉଛି ଅଧିକରୁ ଅଧିକ ରାଜ୍ୟରୁ ଆଇଏଏସ ପାଇବେ ।
କେବେ ଠାରୁ ଆରମ୍ଭ ହୋଇଥିଲା ମାଗଣା ଆଇଏଏସ କୋଚିଂ
ରାଜ୍ୟ ସରକାର ୨୦୧୯ ମସିହାରେ ମାଗଣା ସିଭିଲ ସର୍ଭିସ କୋଟିଂ କାର୍ଯ୍ୟକ୍ରମକୁ ବିଶ୍ବବିଦ୍ୟାଳୟସ୍ତରରେ ଆରମ୍ଭ କରିଥିଲେ।ଏନେଇ ଏକ ଘରୋଇ ସଂସ୍ଥାକୁ କୋଚିଂ ଦାୟିତ୍ବ ଦିଆଯାଇଥିଲା। ମାତ୍ର ଏହି ଯୋଜନା ସଫଳ ହୋଇନଥିଲା। ଏପରି ଭାବରେ ସ୍ଥିତି ଥିଲା ଯେ, ଗୋଟିଏ ବି ପିଲା ଭାରତୀୟ ପ୍ରଶାସନିକ ସେବା ପ୍ରିଲିମ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନଥିଲେ। ଗତବର୍ଷ ଏକ ଘରୋଇ ବିଶ୍ବବିଦ୍ୟାଳୟରେ ୟୁପିଏସ୍ସି କୋଚିଂ ପାଇଁ ବ୍ୟବସ୍ଥା କରାଯାଇଥିଲା। ଏଥିରେ ୨୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଚୟନ କରାଯାଇ କୋଚିଂ ନେବାର ସୁଯୋଗ ଦିଆଯାଇଛି। ସେଠାରେ ପାଠପଢ଼ିବା ସହ ଖାଇବା, ରହିବା ବ୍ୟବସ୍ଥା ମଧ୍ୟ ସରକାର ବହନ କରୁଛନ୍ତି। ତେବେ ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ନୂଆ ସରକାର ଅଣ୍ଟା ଭିଡ଼ିଛନ୍ତି।
କେବେ ଠାରୁ ଆରମ୍ଭ ହେବ ପ୍ରବେଶିକା ପରୀକ୍ଷା
ମାଗଣା ସିଭିଲ ସର୍ଭିସ କୋଚିଂ ପାଇଁ ପ୍ରବେଶିକା ଆବେଦନ ଆରମ୍ଭ ହୋଇଛି। ତେବେ ଆବେଦନ ଏପ୍ରିଲ ୧୫ ତାରିଖରୁ ଆରମ୍ଭ ହୋଇ ମଇ ୯ ତାରିଖ ରେ ଶେଷ ହେବ। ଏହା ସମେତ ଜୁନ ୮ ତାରିଖରେ ମାଗଣା ସିଭିଲ ସର୍ଭିସ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସର୍ବଭାରତୀୟ ପ୍ରଶାସନିକ ସେବା କ୍ଷେତ୍ରରେ ଓଡ଼ିଶାର ସଫଳତାର ହାର କମିବାରେ ଲାଗିଛି। ଦୀର୍ଘ ବର୍ଷ ଧରି ରାଜ୍ୟରୁ ବହୁତ କମ ମାତ୍ରାରେ ଏହି ପ୍ରଶାସନିକ ସେବା କ୍ଷେତ୍ରରେ ଉତ୍ତୀର୍ଣ୍ଣ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଯାହା ବିନା ମୂଲ୍ୟରେ ସିଭିଲ ସର୍ଭିସ କୋଚିଂ ନେଇପାରିବେ ଯୁବକଯୁବତୀ। ଏହି ଯୋଜନା ମାଧ୍ୟମରେ ରାଜ୍ୟର ୨୦୦ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଟ୍ରେନିଂ ପ୍ରଦାନ କରାଯାଉଛି।
କ’ଣ ରହିବ ନିୟମ ?
ପ୍ରବେଶିକା ପରୀକ୍ଷାର ଅବଦ୍ଧି ୨ ଘଣ୍ଟା ରହିବ। ପ୍ରତ୍ଯେକ ଛାତ୍ରଛାତ୍ରୀଙ୍କର ବୟସ ୨୧ ରୁ ୩୦ ବର୍ଷ ହୋଇଥିବା ଆବଶ୍ୟକ। ଏହା ସମେତ ପ୍ରତ୍ଯେକ ପିଲାଙ୍କର ଶିକ୍ଷାଗତା ଯୋଗ୍ୟତା ସ୍ଥ୍ନତକ ବା ଅଧିକ ଶିକ୍ଷାଗତା ଯୋଗ୍ୟତା ଥିବା ଆବଶ୍ୟକ। ୩୩ ପ୍ରତିଶତ ମହିଳାଙ୍କ ପାଇଁ ସିଟ ରହିଥିବା ବେଳେ ପରୀକ୍ଷାରେ ୩୩ ପ୍ରତିଶତ ମାର୍କ ରଖିଲେ ମାଗଣା ସିଭିଲ ସର୍ଭିସ ପାଇଁ ଚୟନ ହୋଇପାରିବେ।
ଅନ୍ୟପଟେ ରାଜ୍ୟରେ ଥିବା ୫ ଟି ସହରରେ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, ଜୟପୁର ଓ ସମ୍ବଲପୁର ସହରରେ ଅନୁଷ୍ଠିତ ହେବ ପରୀକ୍ଷା। ଏହି ପରୀକ୍ଷାକୁ ଷ୍ଟେଟ ସିଲେକ୍ସନ ବୋର୍ଡ (ଏସଏସବି) ପରିଚାଳନା କରିବ। ଯେଉଁମାନେ ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବେ ସେମାନଙ୍କୁ ରାଜ୍ୟ ସରକାର ଭୁବନେଶ୍ୱରରେ ମାଗଣାରେ ସିଭିଲ ସର୍ଭିସ କୋଚିଂ ପ୍ରଦାନ କରିବେ।
ପୂର୍ବରୁ ବିଶ୍ୱବିଦ୍ୟାଳୟ ସ୍ତରରେ ହୋଇଥିଲା ମାଗଣା କୋଚିଂ ବ୍ୟବସ୍ଥା
ପ୍ରତିବର୍ଷ ରାଜ୍ୟରୁ ପ୍ରାୟ ୫ ରୁ ୬ ଲକ୍ଷ ଛାତ୍ର ଛାତ୍ରୀମାନେ ଉଚ୍ଚଶିକ୍ଷା ରେ ଉତ୍ତୀର୍ଣ୍ଣ ହେଉଛନ୍ତି। ହେଲେ କମ ଓଡ଼ିଆ ପିଲା ୟୁପିଏସସିରେ ସଫଳ ହେଉଥିବା ନଜରକୁ ଆସୁଛି। ଏନେଇ ଛାତ୍ରୀଛାତ୍ରମାନଙ୍କୁ ଦକ୍ଷ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଆଇଏଏସ କୋଚିଂ ବ୍ୟବସ୍ଥା କରାଯାଇଥିଲା। ୨୦୧୬-୧୭ ମସିହାରେ ବିଶ୍ବବିଦ୍ୟାଳୟ ସ୍ତରରେ ଏଭଳି ମାଗଣା କୋଚିଂ ଆରମ୍ଭ କରାଯାଇଥିଲା। ହେଲେ ଦୁର୍ଭାଗ୍ୟର କଥା, ସରକାରୀ କୋଚିଂ ନେଇଥିବା ଜଣେ ବି ପିଲା ଆଇଏଏସ ପାଇଲେ ନାହିଁ। ପରବର୍ତ୍ତୀ ସମୟରେ ୨୦୧୯-୨୦ରେ ସରକାର ପୁଣି ମାଗଣା କୋଚିଂ ବ୍ୟବସ୍ଥା କରିଥିଲେ।