ରାୟଗଡା: କୁହାଯାଏ ଜଣେ ସଧବା ନାରୀର ସୁନ୍ଦରତା ତାର ମଥାର ସିନ୍ଦୂର ଓ ହାତରେ ଥିବା ଶଙ୍ଖା । କିନ୍ତୁ ଯେତେବେଳେ ଦଇବ ଏହାକୁ ଛଡାଇ ନିଏ ସେତେବେଳେ ସ୍ତ୍ରୀ ତାର ସୌନ୍ଦର୍ଯ୍ୟ ହରାଇଥାଏ ବୋଲି କୁହାଯାଏ । ଏମିତିକି ନିଜର ପରିଚୟ ଦେବାକୁ ବି ସେ ସଙ୍କୋଚ ମନେ କରେ । ଏବେ କିନ୍ତୁ ରାୟଗଡାର ଜଣେ ମହିଳା ସ୍ବାମୀଙ୍କ ମୃତ୍ୟୁ ପରେ ଘରେ ତାଙ୍କ ଅବିକଳ ସିଲିକନ ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି । ଘରେ ସ୍ବାମୀଙ୍କ ପ୍ରାଣ ପ୍ରତିଷ୍ଠା କରିବା ସହ ମଥାରେ ସିନ୍ଦୂର ଓ ହାତରେ ପୁଣି ଥରେ ଶଙ୍ଖା ପିନ୍ଧିଛନ୍ତି ।
ସ୍ବାମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ସ୍ତ୍ରୀ ପିନ୍ଧିଲେ ସିନ୍ଦୁର:
ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାର ଡାକ୍ତର ସମୀର ରାୟ । ଗତ ୨ ବର୍ଷ ପୂର୍ବେ ଅସୁସ୍ଥ ହୋଇପଡ଼ିବାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ବାମୀଙ୍କୁ ହରାଇବା ପରେ ସ୍ତ୍ରୀ ସାଗରିକା ରାୟ ଦୁଃଖରେ ଭାଙ୍ଗି ପଡିଥିଲେ । ପ୍ରତିଦିନ ବାପାଙ୍କୁ ପୁଅ ଓ ଝିଅ ମଧ୍ୟ ଝୁରୁଥିଲେ । ସମୀରଙ୍କୁ ହରାଇ ପରିବାର ଲୋକେ ଅସହାୟ ମନେ କରୁଥିଲେ । ଫଳରେ ସମୀରଙ୍କ ସିଲିକନ ପ୍ରତିମୂର୍ତ୍ତି ତିଆରି କରିବାକୁ ଚିନ୍ତା କରିଥିଲେ ସ୍ତ୍ରୀ ସାଗରିକା । ପଶ୍ଚିମବଙ୍ଗରେ ମୂର୍ତ୍ତି ତିଆରି ପାଇଁ ଅର୍ଡର ଦେଇଥିଲେ । ଦୀର୍ଘ 6 ମାସ ପରେ ଘରେ ଆସି ପହଞ୍ଚିଥିଲା ସମୀରଙ୍କ ପ୍ରତିମୂର୍ତ୍ତି । ଘରେ ଏହାକୁ ସ୍ଥାପନ କରିବା ପରେ ସାଗରିକା ମଥାରେ ସିନ୍ଦୂର ପିନ୍ଧିଛନ୍ତି । ସ୍ବାମୀ ସ୍ତ୍ରୀ ମଧ୍ୟରେ ଥିବା ଶାଶ୍ବତ ଓ ଚିରନ୍ତନ ପ୍ରେମର ଉଦାହରଣ ଦେଇଛନ୍ତି ସାଗରିକା ।
ଏହା ବି ପଢନ୍ତୁ...ରାମୋଜୀ ରାଓଙ୍କ ୭.୫ ଫୁଟର ପ୍ରତିମୂର୍ତ୍ତି, ୪ଦିନରେ ନେଇଛି ଜୀବନ୍ତ ରୂପ ! - Ramoji Rao Statue

ସିଲିକନ ମୂର୍ତ୍ତିରେ ଜୀବନ୍ତ ଲାଗୁଛନ୍ତି ସମୀର:
ସିଲିକନ ପ୍ରତିମୂର୍ତ୍ତିରେ ପୂରା ଜୀବନ୍ତ ଦିଶୁଛନ୍ତି ସମୀର । ତାଙ୍କର ନିର୍ମଳ ଚେହେରା ଓ ସୁନ୍ଦର ଠାଣି, ଆଉ ହସ ହସ ମୁଖ ଦେଖି ପରିବାରରେ ଖୁସି ପୁଣି ଥରେ ଫେରି ଆସିଛି । ଏହି ମୂର୍ତ୍ତିଟିକୁ ତିଆରି କରିବା ପାଇଁ ପ୍ରାୟ 6 ମାସ ସମୟ ଲାଗିଥିଲା । ନିଜ ସୁନାଗହଣା ବିକ୍ରି କରି ପ୍ରତିମୂର୍ତ୍ତିଟିଏ ଗଢି ତୋଳିଛନ୍ତି ସାଗରିକା । ଏଥି ପାଇଁ 5 ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା ।

ପ୍ରତିମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା:
ସମୀରଙ୍କ ସିଲିକନ ପ୍ରତିମୂର୍ତ୍ତିକୁ ମୁନିଗୁଡାର ପୁରୋହିତ ନିକୁଞ୍ଜ ଶତପଥୀ ହିନ୍ଦୁ ରୀତିନୀତିରେ ପୂଜାର୍ଚ୍ଚନା ପରି ପ୍ରାଣ ପ୍ରତିଷ୍ଠା କରାଇଛନ୍ତି । ସେପଟେ ସ୍ବାମୀଙ୍କ ଦେହାନ୍ତ ପରେ ସ୍ତ୍ରୀ ସାଗାରିକା ଗୋଟିଏ ମେଡିକାଲ ଷ୍ଟୋର କରି ପରିବାରର ଗୁଜୁରାଣ ମେଣ୍ଟାଇବା ସହ ଦୁଇ ପୁଅ ଝିଅଙ୍କୁ ଉଚ୍ଚ ଶିକ୍ଷା ପଢ଼ାଇ ଭଲ ମଣିଷ କରି ସ୍ଵାମୀଙ୍କ ସ୍ବପ୍ନ ପୂରଣ କରିବା ନେଇ ଅଣ୍ଟା ଭିଡିଛନ୍ତି । ମୃତ ଡାକ୍ତର ସମୀର ହେଉଛନ୍ତି ପଶ୍ଚିମବଙ୍ଗର । ସେ ପରିବାର ସାଙ୍ଗରେ 6ରୁ 7 ବର୍ଷ ହେଲା ମୁନିଗୁଡାରେ ଆସି ରହୁଥିଲେ ।

ଇଟିଭି ଭାରତ, ରାୟଗଡ଼ା