Ratha yatra 2025 ପୁରୀ: ପୁଣି ଇସ୍କନର ରଥଯାତ୍ରାକୁ ନେଇ ବିବାଦ ମୁଣ୍ଡ ଟେକିଛି । ଏଥର ଅଦିନିଆ ରଥଯାତ୍ରା ନୁହେଁ ବରଂ ରଥ ଚକକୁ ନେଇ ବିବାଦ ସୃଷ୍ଟି ହୋଇଛି । କୋଲକାତାରେ ଇସ୍କନ୍ ପକ୍ଷରୁ ଆଗାମୀ ଦିନରେ ହେବାକୁ ଥିବା ରଥଯାତ୍ରା ପାଇଁ କାଠର ରଥ ଚକ ପରିବର୍ତ୍ତେ ସୁଖୋଇ ଯୁଦ୍ଧ ବିମାନର ଚକ ରଥ ଚକ ଭାବରେ ବ୍ୟବହାର ପାଇଁ ଲଗାଯାଇଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

Sukhoi fighter jet tyres ତେବେ ଏହି ଘଟଣା କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସାମ୍ନାକୁ ଆସିଛି । ରଥର ଏଭଳି ବିକୃତ ଅବସ୍ଥାକୁ ଦେଖି ସେବାୟତ ଓ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଶ୍ରୀମନ୍ଦିରର ସେବାୟତ କହିଛନ୍ତି ରଥ ସମ୍ପୂର୍ଣ୍ଣ କାଠରେ ହେବା ଉଚିତ୍ । ହେଲେ ଦୁର୍ଭାଗ୍ୟର ବିଷୟ ଇସ୍କନ ଏହି ପରମ୍ପରାକୁ ନମାନି ଏକ ଯୁଦ୍ଧ ବିମାନର ଚକା ରଥ ଚକରେ ବ୍ୟବହାର କରିବା ସମ୍ପୂର୍ଣ୍ଣ ପରମ୍ପରା ବିରୋଧୀ । ଇସ୍କନ ଯେଉଁଭଳି ଭାବେ ମହାପ୍ରଭୁଙ୍କ ପରମ୍ପରାକୁ ନେଇ ଖେଳ ଖେଳୁଛି ସାରା ଦେଶରୁ ଇସ୍କନକୁ ବହିଷ୍କାର କରିବାକୁ ସେବାୟତ ମତ ରଖିଛନ୍ତି ।
Lord Jagannath chariot wheel controversy ବିଦେଶରେ ଅଦିନିଆ ରଥଯାତ୍ରା କରି ସମାଲୋଚନାର ସରବ୍ୟ ହୋଇଛି ଇସ୍କନ । ଏଭଳି ଜଗନ୍ନାଥ ସଂସ୍କୃତି ପରମ୍ପରା ବିରୋଧୀ କାର୍ଯ୍ୟ ନକରିବାକୁ ଗଜପତି ମହାରାଜା ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ପୂର୍ବରୁ ଇସ୍କନକୁ ଅବଗତ କରାଯାଇଛି । ଏଣୁ ଜଗନ୍ନାଥ ସଂସ୍କୃତି, ପରମ୍ପରା ଭିତରେ ରହି ମହାପ୍ରଭୁଙ୍କ ସମସ୍ତ ପର୍ବ ପର୍ବାଣୀ ପାଳନ ପାଇଁ ଇସ୍କନକୁ ଶ୍ରୀମନ୍ଦିର ପ୍ରଶାସନ ଏବଂ ଜଗନ୍ନାଥ ପ୍ରେମୀମାନେ ଦାବି କରିଆସୁଛନ୍ତି । ତେବେ ଏହା ସତ୍ତ୍ୱେ ରଥ ନିର୍ମାଣକୁ ଇସ୍କନ୍ ବିକୃତ କରି କାଠର ରଥ ଚକ ପରିବର୍ତ୍ତେ ଯୁଦ୍ଧ ବିମାନ ଟାୟାର ଥିବା ଚକକୁ ରଥରେ ଲଗାଇବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେବାୟତ ମତ ରଖିଛନ୍ତି ।
ଏହା ବି ପଢନ୍ତୁ- ପୁଣି ଇସ୍କନର ମନମାନି, କାଲି ଲଣ୍ଡନରେ ଅଦିନିଆ ରଥଯାତ୍ରା - ISKCON RATH YATRA IN LONDON
Ratha yatra 2025 ଶ୍ରୀମନ୍ଦିର ସେବାୟତ ଗୌରହରି ପ୍ରଧାନ କହିଛନ୍ତି, "ଇସ୍କନ ସଂସ୍ଥା ଟଙ୍କାର ମନଈଛା ଅଦିନିଆ ରଥଯାତ୍ରା କରୁଛନ୍ତି । ଯେତେ କହିଲେ ମଧ୍ୟ ସେମାନେ ଶୁଣୁ ନାହାଁନ୍ତି । ଏବେ ଜଣାପଡିଛି ଯେ ସେମାନେ ଏକ ଯୁଦ୍ଧ ବିମାନର ଚକ ଆଣି ରଥରେ ଲଗାଇଛନ୍ତି । ଲାଗୁଛି ଏହା କେବଳ ସେମାନେ ଚର୍ଚ୍ଚାରେ ରହିବାକୁ କରୁଛନ୍ତି । କଣ ତାଙ୍କର ଉଦ୍ଦେଶ୍ୟ ଆମେ ଜାଣି ପାରୁନୁ । ସବୁବେଳେ ଜଗନ୍ନାଥ ସଂସ୍କୃତିକୁ ବିକୃତ କରିବାରେ ଲାଗିଛି ଇସ୍କନ । ଏହା ଠିକ୍ ନୁହେଁ । ତାଙ୍କ ପାଖରେ ଯେତିକି ଅର୍ଥ ଅଛି ସେମାନେ ସମ୍ପୂର୍ଣ ରଥକୁ କାଠରେ ନିର୍ମାଣ କରିପାରିବେ । ତାଙ୍କୁ ଅନେକ ଦାନ ମିଳୁଛି । ସେମାନେ ମହାପ୍ରଭୂଙ୍କୁ ନେଇ ସମ୍ପୂର୍ଣ ବ୍ୟବସାୟ ଚଳାଇଛନ୍ତି । ବିମାନର ଚକ ଆଣି ରଥ ଚକ ବ୍ୟବହାର କରିବା ଠିକ୍ ନୁହେଁ । ମହାପ୍ରଭୁଙ୍କୁ ଭକ୍ତି କରୁଥିବା ଯେ କୌଣସି ବ୍ୟକ୍ତି ଓ ଅନୁଷ୍ଠାନ ପର୍ବ ପର୍ବାଣୀ ପାଳନ କରନ୍ତୁ ଏଥିରେ କୌଣସି ଅସୁବିଧା ନାହିଁ । ହେଲେ ମହାପ୍ରଭୁଙ୍କ ପରମ୍ପରା ଓ ସଂସ୍କୃତିକୁ ମାନିବା ଉଚିତ୍ ।"
ISKCON Rath Yatra in Kolkata Sukhoi fighter jet tyres ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର କହିଛନ୍ତି, "ମହାପ୍ରଭୁ ରଥରେ ବିମାନ ଚକ ଲଗାଯିବା ଠିକ୍ ନୁହେଁ । ମହାପ୍ରଭୁଙ୍କ ରଥ ରେ କାଠ ଚକ ପରିବର୍ତ୍ତେ ଅନ୍ୟ ଚକ ଲାଗିବା ଏହା ପରମ୍ପରା ବିରୋଧୀ । ଇସ୍କନ ଏହାକୁ ବନ୍ଦ କରିବା ଉଚିତ୍ । ମହାପ୍ରଭୁ ଙ୍କ ରଥ ସମ୍ପୂର୍ଣ କାଠରେ ହେବା ଉଚିତ୍ । ମହାପ୍ରଭୁଙ୍କ ନାମରେ ଇସ୍କନ କେବଳ ବ୍ୟବସାୟ ଚଳାଇଛି । ଯଦି ମହାପ୍ରଭୁଙ୍କ ନିୟମ ନ ମାନି ଇସ୍କନ କିଛି କାର୍ଯ୍ୟ କରେ ଏହାକୁ ଜଗନ୍ନାଥପ୍ରେମୀ ଓ ଭକ୍ତ ଦୃଢ଼ ବିରୋଧ କରିବା ଉଚିତ୍ ।"
ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି, "ଇସ୍କନ ମହାପ୍ରଭୁଙ୍କ ପରମ୍ପରା ବିରୋଧୀ କାର୍ଯ୍ୟ ବନ୍ଦ ପାଇଁ ପୂର୍ବରୁ ଗଜପତି ମହାରାଜା ଓ ଶ୍ରୀମନ୍ଦିର ପ୍ରଶାସନ ଇସ୍କନକୁ ଅବଗତ କରାଇଛନ୍ତି । ଅଦିନିଆ ରଥଯାତ୍ରା ହେଉ କି ମହାପ୍ରଭୁଙ୍କ ଅନ୍ୟ ପର୍ବ ପର୍ବାଣୀ ପାଳନ ବେଳେ ଇସ୍କନ ଜଗନ୍ନାଥ ସଂସ୍କୃତି ପରମ୍ପରାକୁ ବଜାୟ ରଖିବା ପାଇଁ ଆମେ ଆଗାମୀ ଦିନରେ ମଧ୍ୟ ଇସ୍କନକୁ ସଚେତନ କରାଇବୁ । ଏଣୁ ମହାପ୍ରଭୁ ଙ୍କ ପରମ୍ପରା ବିରୋଧୀ କାର୍ଯ୍ୟ ଇସ୍କନ ନ କରିବାକୁ ଆମେ ପୁଣି ଅନୁରୋଧ କରୁଛୁ।"
ଇଟିଭି ଭାରତ, ପୁରୀ