ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା, ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ । ତିନି ରଥର ଦୁଆର ବେଢ଼ାକୁ ମଜବୁତ୍ କରି ରଖିବା ପାଇଁ ଦୁଆର ବେଢ଼ା ଗୁଡ଼ିକର ଉପର ଭାଗ ଚନ୍ଦ୍ର ଶାଳୀରେ ଧ୍ଵଜ ବତା ସଂଯୋଗ କରାଯାଇ ମଝି ଭୂଇଁ ସେଣୀରେ କଣ୍ଟା ବସି ସେଟିଙ୍ଗ କରାଯାଇଛି । ଏଥିସହ ତିନି ରଥର ଦୁଆର ବେଢ଼ାକୁ ବାନ୍ଧି ରଖିବା ପାଇଁ ପ୍ରତି ଦୁଆର ବେଢ଼ାର ନାଟ ଗୋଡ଼ ସହ ଚଉଦ ନାହାକାରେ ଦୁଇଟି ଲେଖାଏଁ ସପୋର୍ଟ ବଟନ୍ ବା ଦୁଆର ବାଣିଆ ପ୍ରତି ରଥରେ ୧୬ଟି ଲେଖାଏଁ ଫିଟିଙ୍ଗ କରା ଯାଇଛି।

ତିନି ରଥର ମଣ୍ଡଣିବତା ଲାଗି ଶେଷ:
ମହାରଣା ସେବକ ମାନେ ତିନି ରଥ ଭୋଇ ସେବକ ମାନଙ୍କ ସହଯୋଗରେ ତିନି ରଥର ପ୍ରତି କୋଣ ଦୁଡ଼ିକରେ ଦୁଇଟି ଲେଖାଏଁ କଣି ଫାଉଡ଼ି ବସାଇ ତିନି ରଥର ଚାରି ପାର୍ଶ୍ବରେ ଦୁଇଟି ଲେଖାଏଁ ମଣ୍ଡଣୀବତା ପଡ଼ି ବଡ଼ଥଳ ପୋଟଳ ଠାରୁ ଚନ୍ଦ୍ର ଶାଳୀ ପର୍ଯ୍ୟନ୍ତ ଲାଗିଛି । ଆସନ୍ତାକାଲି 'ହାତିଆଳ ମାଳ'ବା କାଠ ବଟନ୍ ଆଠଟି ଲେଖାଏଁ ବଡ଼ ଥଳ ପୋଟଳ ଠାରୁ ଦୁଆର ବେଢ଼ା ପର୍ଯ୍ୟନ୍ତ ଫିଟିଙ୍ଗ କରାଯିବ। ଫଳରେ ରଥରେ କନା ପଡ଼ିବା ସୁବିଧା ଜଣକ ହେବା ସହ,ରଥର କନା ଆବରଣ ଏକ ଗୋଲାକାର ଆକୃତି ଦୃଶ୍ୟମାନ ହେବାସହ, ରଥର ଗଠନ ଶୈଳୀ ସୁନ୍ଦର ଦେଖାଯିବା ସହ, ରଥ କନା ସୁରକ୍ଷିତ ରୁହେ ।

ତିନି ରଥର ପ୍ରଭାରେ ରୂପ ଖୋଦେଇ ଜାରି:
ରୂପକାର ସେବକ ମାନେ ତିନି ରଥର ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନି ରଥର ଧ୍ଵଜ ବତା କଣ୍ଟା ଯୋଗାଇବା ସହ, ଶୁଆ ପାଇଁ ନାରାଜ କଣ୍ଟା ଏବଂ କଳସ ପାଇଁ ଫାନ୍ଦ କଣ୍ଟା ଯୋଗାଇ ସାରି ତିନି ରଥର ପ୍ରଭା ପାଇଁ ପ୍ରଭା ବିଡିଆ କଣ୍ଟା ନିର୍ମାଣ କରୁଛନ୍ତି । ଚିତ୍ରକାର ସେବକ ମାନେ ରଥର ବାହ୍ୟ ଅଂଶ ଗୁଡିକର ରଙ୍ଗ କାର୍ଯ୍ୟ ସହ ସାରଥି,ଘୋଡ଼ା ଇତ୍ୟାଦିର ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି ।

ଇଟିଭି ଭାରତ, ପୁରୀ