ବ୍ରହ୍ମପୁର: ଏମକେସିଜିରେ ବିରଳ ଅସ୍ତ୍ରୋପଚାର। ତିନି ଘଣ୍ଟାର ପରିଶ୍ରମ ପରେ ଫୁସଫୁସ୍ ମଧ୍ୟରୁ ତୀରକୁ ବାହାର କଲେ ଡାକ୍ତରୀ ଟିମ୍। ଆଉ ପୁଣି ଥରେ କମାଲ କରି ଦେଖାଇଛନ୍ତି, ଏମକେସିଜି ସିଟିଭିଏସ୍ ବିଭାଗର ବିଭାଗୀୟ ମୁଖ୍ୟ ଡାକ୍ତର ସାରଦା ପ୍ରସାଦ ସାହୁ।
ଏମକେସିଜି ସିଟିଭିଏସ୍ ବିଭାଗର ବିଭାଗୀୟ ମୁଖ୍ୟ ଡାକ୍ତର ସାରଦା ପ୍ରସାଦ ସାହୁଙ୍କ ନେତୃତ୍ବରେ ଏହି ଅସ୍ତ୍ରୋପଚାର କରାଯାଇଛି। ହୃତପିଣ୍ଡରୁ ମାତ୍ର ୨ ସେଣ୍ଟିମିଟର ଦୂରରେ ତୀର ଫଶି ରହିଥିଲା। ଯାହାକି ଏମକେସିଜି ମେଡିକାଲର ବିଭିନ୍ନ ବିଭାଗର ମିଳିତ ସମନ୍ବୟର ଏହି ବିରଳ ଅସ୍ତ୍ରୋପଚାର ସଫଳ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ଫାଲକାଗୁଡ଼ା ଗ୍ରାମର ତ୍ରିପତି ମୁଦୁଲିଙ୍କୁ ସମ୍ପର୍କୀୟ ଭାଇ ହାଡ଼ି ମୁଦୁଲି ପାରିବାରିକ କଳିକୁ ନେଇ ଅତି ନିର୍ମମ ଭାବେ ଧନୁ ତୀରରେ ଆକ୍ରମଣ କରିଥିଲେ। ଆହତଙ୍କୁ ପରିବାର ବର୍ଗ ଉଦ୍ଧାର କରି ସ୍ଥାନୀୟ ଖଇରିପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଉନ୍ନତ ଚିକିତ୍ସା ପାଇଁ କୋରାପୁଟ ସ୍ଥିତ ମେଡିକାଲ କଲେଜକୁ ପଠାଇ ଦିଆଯାଇଥିଲା । ହେଲେ ସେଠାରୁ ପୁନର୍ବାର ଗତ ୯ ତାରିଖରେ ଏମକେସିଜିକୁ ଅସ୍ତ୍ରୋପଚାର ପାଇଁ ଯିବାକୁ ପରାମର୍ଶ ଦିଆଯାଇଥିଲା।

ଏପରିସ୍ଥଳେ ଗତକାଲି ତ୍ରିପତିଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଥିବା ବେଳେ ସମସ୍ତ ପ୍ରକାର ନମୁନା ସଂଗ୍ରହ କରାଯିବା ପରେ ସିଟିଭିଏସ ବିଭାଗ ମୁଖ୍ୟଙ୍କ ନେତୃତ୍ୱରେ ଅସ୍ତ୍ରୋପଚାର କରାଯାଇଥିଲା। ତୀର ଛାତି ଚିରି ଫୁସଫୁସ ଆରପାର ହୋଇଥିଲା।
ଅସ୍ତ୍ରୋପଚାରକୁ ନେଇ ଏମକେସିଜି ମେଡିକାଲ କଲେଜରେ ଟ୍ରାନସଫ୍ୟୁଜନ୍, ରଶ୍ମି ବିଭାଗ, ନିଶ୍ଚେତକ ବିଭାଗର ବରିଷ୍ଠ ଡାକ୍ତରଙ୍କ ଉପସ୍ଥିତିରେ ତିନି ଘଣ୍ଟାରେ ଏହି ସଫଳ ଅସ୍ତ୍ରୋପଚାର ହୋଇଛି। ବର୍ତ୍ତମାନ ରୋଗୀଙ୍କୁ ଆଇସିୟୁରୁ ୱାର୍ଡକୁ ଅଣାଯାଇଛି ଏବଂ ତ୍ରିପତି ମୁଦୁଲି ସମ୍ପୂର୍ଣ୍ଣ ବିପଦମୁକ୍ତ ଥିବା ଜଣାପଡ଼ିଛି। ଏମକେସିଜିରେ ଏହି ଚିକିତ୍ସା ଦଳରେ ଡାକ୍ତର ଶିବ ପ୍ରସାଦ ଦାସ, ଡାକ୍ତର ଜଗଦୀପ୍ ନାୟକ ଓ ଅନ୍ୟାନ୍ୟ ଡାକ୍ତର ଓ ନର୍ସିଂ ଅଫିସରମାନେ ଦୀର୍ଘ ସମୟ ଧରି ଅସ୍ତ୍ରୋପଚାରରେ ସାହାଯ୍ୟ କରିଥିଲେ।

ଏହା ପୂର୍ବରୁ ମଧ୍ୟ ଏମକେସିଜିରେ ଏକ ବିରଳ ଅସ୍ତ୍ରୋପ୍ରଚାର ହୋଇଥିଲା ଗତ ଏପ୍ରିଲ 24 ତାରିଖରେ। ଯେଉଁଥିରେ 22 ବର୍ଷିୟ ଯୁବକଙ୍କ ଛାତିରୁ 8 ସେମି ଲମ୍ୱର ଭଙ୍ଗା ଛୁରୀ ବାହାର କରିଥିଲେ ଡାକ୍ତର। ଯୁବକଙ୍କର ଛାତିରେ ତିନି ବର୍ଷ ହେବ ଛୁରୀଟି ପଶିରହିଥିଲା। ଯାହାକୁ ବାହାର କରିବାରେ ସଫଳ ହୋଇଥିଲେ ମେଡିକାଲର ଡାକ୍ତରୀ ଟିମ୍। ଶେଷରେ ମେଡିକାଲର ହୃଦବକ୍ଷ ଶଲ୍ୟ ଚିକିତ୍ସା ବିଭାଗର ମୁଖ୍ୟ ଆସୋସିଏଟ୍ ପ୍ରଫେସର ଡାକ୍ତର ସାରଦା ପ୍ରସନ୍ନ ସାହୁଙ୍କ ନେତୃତ୍ୱରେ ଗଠିତ ଡାକ୍ତରୀ ଟିମ୍ କୁ ଏହି ସଫଳତା ମିଳିଥିଲା।
ଏହା ମଧ୍ୟ ପଢ଼ନ୍ତୁ- MKCGରେ ବିରଳ ଅସ୍ତ୍ରୋପଚାର, ଯୁବକଙ୍କ ଛାତିରୁ ବହାରିଲା 8 ସେମିର ଛୁରୀ
ଇଟିଭି ଭାରତ, ବ୍ରହ୍ମପୁର