Police security for Ram Navami In Sambalpur: ରାତି ପାହିଲେ ଶ୍ରୀରାମ ନବମୀ । ଏଥର ସମ୍ବଲପୁରରେ ଶ୍ରୀରାମ ନବମୀ ନିଆରା ଢଙ୍ଗରେ ପାଳନ କରାଯିବ l ଏଥିପାଇଁ ସମ୍ବଲପୁର ପୋଲିସ ପ୍ରଶାସନ ସୁରକ୍ଷା ବନ୍ଦୋବସ୍ତ କଡାକଡ଼ି କରାଯାଇଛି l 2023ରେ ହନୁମାନ ଜୟନ୍ତୀରେ ପଥର ମାଡ ପରେ ଏଥର ଚେକିଂ ଜୋରଦାର କରିଛି ପୋଲିସ । ବମ୍ ସ୍କୁଆର୍ଡ଼ ଓ ସନ୍ଧାନୀ କୁକୁର ତନାଘନା ଜାରି ରଖିଛନ୍ତି l ନଜର ରଖିବ ସିସିଟିଭି ଓ ଡ୍ରୋନ କ୍ୟାମେରା ।

ପୋଲିସର ଚେକିଂ ଜୋରଦାର (Police security for Ram Navami):
ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯିବା ସହ ଆଜି ସୁନାପାଲି ଅଞ୍ଚଳରେ ବମ୍ ସ୍କୁଆର୍ଡ଼ ଓ ସନ୍ଧାନୀ କୁକୁର ତନାଘନା ଜାରି ରଖିଛନ୍ତି l ଏହା ସହ ଡ୍ରୋନ କ୍ୟାମେରା ସାହାଯ୍ୟରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରାଯାଇଛି l ମୁଖ୍ୟତଃ 2023 ମସିହାରେ ହନୁମାନ ଜୟନ୍ତୀ ବାଇକ ରାଲିରେ ଯେଉଁ ଅଞ୍ଚଳରେ ପଥର ମାଡ଼ କରାଯାଇଥିଲା ସେହି ଅଞ୍ଚଳରେ ଆଜି ପୋଲିସ ପ୍ରଶାସନ ପକ୍ଷରୁ ଚେକିଂ ଜାରି ରହିଛି l
କିପରି ହୋଇଛି ସୁରକ୍ଷା ବ୍ୟବସ୍ଥା ?
ଏଥର ଶ୍ରୀରାମ ନବମୀ ଓ ହନୁମାନ ଜୟନ୍ତୀକୁ ସୁରୁଖୁରୁରେ ପାଳନ କରାଇବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ସମ୍ବଲପୁର ଏସପି ମୁକେଶ ଭାମୁ ସୂଚନା ଦେଇଛନ୍ତି l ସୁରକ୍ଷା ବ୍ୟବସ୍ଥା ନେଇ ସମ୍ବଲପୁର ଏସପି କହିଛନ୍ତି, ‘ସମ୍ବଲପୁରରେ ଶ୍ରୀରାମ ନବମୀ ଓ ହନୁମାନ ଜୟନ୍ତୀ ବଡ଼ ପର୍ବ ଅଟେ l ଏଥିପାଇଁ ଆମେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବା ପାଇଁ ଏକ ଇଣ୍ଟିଗ୍ରେଟେଡ଼ କଣ୍ଟ୍ରୋଲ ରୁମ ପ୍ରସ୍ତୁତ କରିଛୁ l ଏହା ସହ ସିସିଟିଭି ଓ ଏଆଇ କ୍ୟାମେରାର ବ୍ୟବସ୍ଥା କରିଛୁ l’

49ଟି ସ୍ଥାନ ଚିହ୍ନଟ, ଅସାମାଜିକ ଲୋକଙ୍କ ବିରୋଧରେ ଡ୍ରାଇଭ:
ଏସପି ମୁକେଶ ଭାମୁ ଆହୁରି କହିଛନ୍ତି, ‘ସୁରକ୍ଷା ବ୍ୟବସ୍ଥା ପାଇଁ ଆମେ 49ଟି ସ୍ଥାନ ଚିହ୍ନଟ କରିଛୁ ଯେଉଁଠି 160ଟି ସିସିଟିଭି କ୍ୟାମେରା ଲାଗିଛି ଓ 20ଟି ଡ୍ରୋନ କ୍ୟାମେରା ନିୟୋଜିତ କରାଯାଇଛି l ଏହା ସହ ଅସାମାଜିକ ବ୍ୟକ୍ତିଙ୍କ ବିରୁଦ୍ଧରେ ଡ୍ରାଇଭ ଜାରି ରହିଛି l ଏ ଯେଉଁ ରୁଟରେ ଶୋଭାଯାତ୍ରା ଯିବ ସେହି ରୁଟରେ ପୋଲିସ ସ୍ୱତନ୍ତ୍ର ଦୃଷ୍ଟି ରଖିଛି l ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବିଶ୍ୱାସ ବୃଦ୍ଧି କରିବା ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ପୋଲିସ ସହ ଆରଏଏଫ, ବିଏସଏଫ ମୁତୟନ ହୋଇଛନ୍ତି l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି ଆଉ ସନ୍ଦିଗ୍ଧ ଲୋକଙ୍କୁ 107ରେ ନୋଟିସ ଜାରି କରାଯାଇଛି l ଶାନ୍ତି କମିଟିରେ ଯୋଗ ଦେଇଥିବା ଉଭୟ ପକ୍ଷର ଲୋକଙ୍କୁ କୌଣସି ପ୍ରକାର ବିଶୃଙ୍ଖଳା ହେବାର ଆଶଙ୍କା ଦେଖିଲେ ଆଗୁଆ ସୂଚନା ଦେବାକୁ କୁହାଯାଇଛି l’

ସମ୍ବଲପୁର ସୁରକ୍ଷାରେ 25 ପ୍ଲାଟୁନ ଫୋର୍ସ:


2023ରେ ଶୋଭାଯାତ୍ରା ଉପରେ ହୋଇଥିଲା ପଥର ମାଡ:
ସୂଚନା ଥାଉକି, ଗତ 2023 ମସିହାରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଚାଲିଥିବା ବେଳେ ପଥର ମାଡ ହୋଇଥିଲା । ଏହାକୁ ନେଇ ଅପ୍ରିତିକର ପରିସ୍ଥିତି ଉପୁଜିଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ସମ୍ବଲପୁରରେ କିଛି ଦିନ ପାଇଁ ଇଣ୍ଟରନେଟ ବନ୍ଦ ରଖାଯାଇଥିଲା ।

ଇଟିଭି ଭାରତ, ସମ୍ବଲପୁର