ପୁରୀ: ‘‘ମହାପ୍ରଭୁ ଶ୍ରୀଜଗନ୍ନାଥ ଅନାଦି କାଳରୁ ଶ୍ରୀକ୍ଷେତ୍ରରେ ଅବସ୍ଥାନ କରିଛନ୍ତି। ଶ୍ରୀମନ୍ଦିର ଉପରେ ବହୁତ ବାହ୍ୟ ଶତ୍ରୁ ଆକ୍ରମଣ କରିଛନ୍ତି। ଶତ୍ରୁ ଆକ୍ରମଣରୁ ଶ୍ରୀମନ୍ଦିରକୁ ରକ୍ଷା କରିବା ପାଇଁ ରାଜା ମହାରାଜା ମାନେ ଶ୍ରୀକ୍ଷେତ୍ରରେ ଜାଗା ଆଖଡ଼ା ସୃଷ୍ଟି କରିଥିଲେ। ପୁରୀରେ କୁସ୍ତି ବହୁ ପୁରାତନ ସମର କଳା। ରାଜା ମହାରାଜା ମାନେ ସେବାୟତ ଯୁବପିଢ଼ିଙ୍କୁ ଜାଗା ଘରେ କୁସ୍ତି ଶିକ୍ଷା ଦେଉଥିଲେ । ଏହି ଶିକ୍ଷା ଲାଭ କରି ଯୁବ ସେବାୟତମାନେ ଶ୍ରୀମନ୍ଦିରକୁ ବାହ୍ୟ ଶତ୍ରୁ ଆକ୍ରମଣରୁ ରକ୍ଷା କରୁଥିଲେ। କୁସ୍ତି ପ୍ରତି ପୁରୀ ଲୋକଙ୍କ ଅଧିକ ଆଗ୍ରହ ଓ ଲୋକପ୍ରିୟତା ଯୋଗୁଁ ଖେଳର ବିକାଶ ପାଇଁ ପୁରୀରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ହଷ୍ଟେଲ ଓ କୋଚ୍ ବ୍ୟବସ୍ଥା କରିଥିଲେ। ହେଲେ ଏହାକୁ ଏବେ କଟକକୁ ଉଠେଇ ନିଆଯାଇଛି। ତାହା ଠିକ ନୁହେଁ। ତାହା ସରକାର ବିଚାର କରି ପୁରୀରେ ପୁଣି କୁସ୍ତି ପାଇଁ ହଷ୍ଟେଲ ଓ କୋଚ୍ ବ୍ୟବସ୍ଥା କରିବା ଉଚିତ୍’’ ବୋଲି ସହରର ବୁଦ୍ଧିଜୀବୀ ତଥା କ୍ରୀଡାପ୍ରେମୀ ଗୋପୀନାଥ ମହାପାତ୍ର ଦାବି କରିଛନ୍ତି ।
- ପୁରୀରୁ ନିଶ୍ଚିହ୍ନ ହେବାକୁ ବସିଛି କୁସ୍ତି କବାଡି
ଜିଲ୍ଲାରେ ସ୍ପୋର୍ଟସ ହଷ୍ଟେଲ ଅଛି । ପିଲାମାନଙ୍କ ଖେଳିବା ପାଇଁ ବିଭିନ୍ନ ବିଭାଗ ମଧ୍ୟ ରହିଛି । କିନ୍ତୁ କୁସ୍ତିର ଏନ୍ତୁଡିଶାଳ ଭାବେ ପରିଚିତ ପୁରୀ ଖେଳ ହଷ୍ଟେଲରେ ନାହିଁ କୁସ୍ତି ପାଇଁ କୌଣସି ବ୍ୟବସ୍ଥା । କୁସ୍ତିରେ ପ୍ରଶିକ୍ଷଣ ନେବାକୁ ହେଲେ କଟକ ଯିବାକୁ ପଡିବ । କାରଣ ପୁରୀରୁ କୁସ୍ତି ବିଭାଗକୁ କଟକ ସ୍ଥାନାନ୍ତରଣ କରାଯାଇଛି । ଏକଦା ପୁରୀର ଘରେ ଘରେ କୁସ୍ତି ଖେଳ ପ୍ରତି ରହିଥିଲା ଯଥେଷ୍ଟ ଆଗ୍ରହ। କୁସ୍ତି ଖେଳକୁ ନେଇ ଅନେକ ଜାତୀୟ ସ୍ତରରେ ଖେଳାଯାଇଥିବା କ୍ରୀଡ଼ା ପ୍ରତିଯୋଗିତାରେ ପୁରୀର ପିଲାମାନେ ବେଶ୍ ସଫଳତା ପାଇଛନ୍ତି। ରାଉରକେଲାର ପାନପୋଷ ଯେଭଳି ହକି ପାଇଁ ପ୍ରସିଦ୍ଧ, କଟକ ଯେଭଳି ଫୁଟବଲ ପାଇଁ ପ୍ରସିଦ୍ଧ, ପୁରୀ ସେହିଭଳି କୁସ୍ତି ଓ କବାଡି ଖେଳକୁ ନେଇ ପ୍ରସିଦ୍ଧ। କୁସ୍ତି ଓ କବାଡି ପୁରୀ ବାସିନ୍ଦାଙ୍କ ଜୀବନ ରେଖା।

ହେଲେ ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ପୁରୀରୁ ନିଶ୍ଚିହ୍ନ ହେବାକୁ ବସିଛି କୁସ୍ତି ଓ କବାଡି । ବିଲୁପ୍ତ ଅବସ୍ଥାରେ ଏବେ ଶ୍ରୀକ୍ଷେତ୍ର ପୁରୀର ପାରମ୍ପରିକ କ୍ରୀଡ଼ା କୁସ୍ତି ଓ କବାଡି। ପୁରୀ କ୍ରୀଡ଼ା ଛାତ୍ରାବାସରୁ କଟକକୁ ଉଠିଯାଇଛି କୁସ୍ତି ଓ କବାଡି। ପୁରୀ କ୍ରୀଡା ଛାତ୍ରାବାସରେ କୁସ୍ତି ଓ କବାଡି କୋଚ୍ ନ ଥିବାରୁ ନିରାଶ ହେଉଛନ୍ତି ଖେଳାଳି। କୁସ୍ତି ଓ କବାଡି ଖେଳ ପାଇଁ ପୁରୀ କ୍ରୀଡ଼ା ଛାତ୍ରାବାସରେ ଉପଯୁକ୍ତ ଭିତ୍ତିଭୂମି ଓ କୋଚ୍ ନ ଥିବାରୁ କୁସ୍ତି ଓ କବାଡି ପ୍ରତି ଆଉ ଆଗ୍ରହ ପ୍ରକାଶ କରୁନାହାନ୍ତି ଯୁବପିଢ଼ି। ଯଦି ହକି ପାଇଁ ପାନପୋଷରେ ସ୍ଵତନ୍ତ୍ର ହଷ୍ଟେଲ ରହିଛି, କଟକରେ ଫୁଟବଲ ପାଇଁ ହଷ୍ଟେଲ ଓ କୋଚ୍ ରହିଛନ୍ତି ତେବେ କୁସ୍ତି ଖେଳ ପାଇଁ କାହିଁକି ପୁରୀରେ ହଷ୍ଟେଲ ଓ କୋଚ୍ ନ ରହିବେ ସେ ନେଇ ପ୍ରଶ୍ନ କରିଛନ୍ତି ପୂର୍ବତନ ହକି ଖେଳାଳି ଓ କୋଚ୍। ରାଜ୍ୟ ସରକାର ଯେଭଳି କିଛି ବିଚାର ନ କରି ପୁରୀ କ୍ରୀଡ଼ା ଛାତ୍ରାବାସରେ କୁସ୍ତି ଓ କବାଡି କୁ କଟକକୁ ଉଠାଇନେଲେ ତାହା ଠିକ୍ ହୋଇନାହିଁ ବୋଲି ପୂର୍ବତନ ଖେଳାଳି ଓ କୋଚ୍ କହିଛନ୍ତି। ପୁରୀରୁ ପାରମ୍ପରିକ କ୍ରୀଡ଼ା କୁସ୍ତି ଓ କବାଡିକୁ ବିଲୋପ ଷଡ଼ଯନ୍ତ୍ର ହୋଇଥିବା ପୂର୍ବତନ ଖେଳାଳି ଓ କୋଚ୍ ଅଭିଯୋଗ କରିଛନ୍ତି।

କୁସ୍ତି ପ୍ରଶିକ୍ଷଣ ନେଉଥିବା ଜଣେ ଖେଳାଳି ଲୋକନାଥ ଦଳେଇ କହିଛନ୍ତି, ‘‘ଆମେ କୁସ୍ତି ଖେଳାଳି ମାନେ ଖୁଣ୍ଟିଆ ଜାଗାରେ ସବୁଦିନ କୁସ୍ତି ଅଭ୍ୟାସ କରୁଚୁ। ଏବେ ପ୍ରିୟଜିତ୍ ସାର୍ ଆମକୁ ପ୍ରଶିକ୍ଷଣ ଦେଉଛନ୍ତି। ଆମକୁ ପ୍ରଶିକ୍ଷଣ ଦେବା ପାଈଁ କୌଣସି ସ୍ୱତନ୍ତ୍ର କୋଚ ନାହାନ୍ତି। ଆମେ 35 ଜଣ ପିଲା ଏବେ କୁସ୍ତି ପ୍ରଶିକ୍ଷକ ନେଇଛୁ। ତେବେ ମ୍ୟାଟ ଅଭାବ ହେତୁ ଭଲରେ ପ୍ରଶିକ୍ଷଣ ହୋଇପାରୁନାହିଁ। ଆମେ ଆମ ରାଜ୍ୟ ଓ ଦେଶ ପାଇଁ ଖେଳିବା ଲକ୍ଷ୍ୟ ରଖିଛୁ। ହେଲେ ସେଥିପାଇଁ ଆଧୁନିକ ପ୍ରଶିକ୍ଷଣ ଦରକାର। ଏହା ପାଇଁ କ୍ରୀଡା ଭିତ୍ତିଭୂମି ଦରକାର। କିନ୍ତୁ ଏହା ନାହିଁ। ପ୍ରଶିକ୍ଷଣ ପାଇଁ ବଡ ମ୍ୟାଟ ଓ ଜୀମ ଉପକରଣ ଦରକାର। ଏହା ମଧ୍ୟ ନାହିଁ। ଆମ ପାଖରେ କୌଣସି ଉନ୍ନତ ମାନର କ୍ରୀଡା ଉପକରଣ ଓ ଭିତ୍ତିଭୂମି ନଥିବାରୁ ଆମେ ଭଲ ପ୍ରଶିକ୍ଷଣ ନେଇପାରୁନାହୁଁ। ପୁରୀରେ ଥିବା ହଷ୍ଟେଲ ମଧ୍ୟ ଉଠାଇ ନିଆଗଲା। ହଷ୍ଟେଲ ଥିଲେ କୁସ୍ତି ଖେଳାଳି ମାନେ ଭଲ ପ୍ରଶିକ୍ଷଣ ନେଇପାରିଥାନ୍ତେ। କଟକକୁ କୁସ୍ତି ହଷ୍ଟେଲ ଉଠିଯାଇଥିବାରୁ ପୁରୀର ପିଲା ମାନେ ବହୁତ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ପୁରୀରେ କୁସ୍ତି ପ୍ରଶିକ୍ଷଣ ପାଇଁ ହଷ୍ଟେଲ ରହିଲେ ପୁରୀର ଖେଳାଳି ମାନେ ଏହାର ଫାଇଦା ନେଇ ପାରନ୍ତେ। ଭଲ ତାଲିମ ନେଇ ପାରିବେ। ପୁରୀରେ କୁସ୍ତି ହଷ୍ଟେଲ ପୁନର୍ବାର ସ୍ଥାପନ ପାଇଁ ଆମେ ଦାବି କରୁଥିବା ବେଳେ କେହି ଏହାକୁ ଶୁଣୁନାହାନ୍ତି। ଆମେ ଚାହୁଁଛୁ ପୁରୀରେ କୁସ୍ତି ହଷ୍ଟେଲ ହେଉ। ଭଲ କୋଚ୍ ରୁହନ୍ତୁ। ତେବେ କୁସ୍ତି ପାଇଁ ପୁରୀରେ ଥିବା ହଷ୍ଟେଲ ଉଠିଯିବା ପରେ ଅନେକ ଖେଳାଳି ମଧ୍ୟ କୁସ୍ତି ଖେଳ ଛାଡ଼ି ଦେଲେଣି’’।
- କାହିଁକି କଟକକୁ କରାଗଲା ସ୍ଥାନାନ୍ତର ?
ପୁର୍ବରୁ ପୁରୀରୁ ଅନେକ ପ୍ରସିଦ୍ଧ କୁସ୍ତି ଓ କବାଡି ଖେଳାଳି ସୃଷ୍ଟି ହୋଇ ଓଡ଼ିଶାକୁ ଜାତୀୟ ସ୍ତରରେ ଅନେକ ଥର ଚମ୍ପିୟାନ କରାଇଛନ୍ତି। ପୂର୍ବରୁ ରାଜ୍ୟ ହେଉ ଅବା ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ କୁସ୍ତି ଓ କବାଡି ଟିମ୍ ରେ ଅଧା ପୁରୀର ଖେଳାଳିଙ୍କ ସ୍ଥାନ ଥିଲା। ପୁରୀରେ ପାରମ୍ପରିକ କ୍ରୀଡା କୁସ୍ତି ଓ କବାଡି ଖେଳର ରହିଛି ସ୍ଵତନ୍ତ୍ର କିମ୍ୱଦନ୍ତୀ। ପୂର୍ବରୁ ରାଜା ମହାରାଜା ମାନେ ଶ୍ରୀମନ୍ଦିରକୁ ବାହ୍ୟ ଶତ୍ରୁ ଆକ୍ରମଣରୁ ରକ୍ଷା କରିବା ପାଇଁ ସେବାୟତ ଘରର ଯୁବକଙ୍କୁ ମଲ୍ଲ ଯୁଦ୍ଧ ଶିକ୍ଷା ଦିଆଯାଉଥିଲା। ଶ୍ରୀମନ୍ଦିର ଚାରିପାଖରେ ଥିବା ସେବାୟତଙ୍କ ସାହି ଗୁଡିକ ରେ ଜାଗା ଘର ସ୍ଥାପନ କରାଯାଇଥିଲା। ସେଠାରେ ସେବାୟତ ଘରର ଯୁବକଙ୍କୁ କୁସ୍ତି ଶିକ୍ଷା ଦିଆଯାଉଥିଲା। ପରବର୍ତ୍ତୀ ସମୟରେ ପୁରୀର ପିଲାମାନେ ମଧ୍ୟ କୁସ୍ତି ଶିକ୍ଷା କରିଥିଲେ। ଏହା ପୁରୀ ବାସିନ୍ଦାଙ୍କ ଏକ ପାରମ୍ପାରିକ କ୍ରୀଡ଼ାରେ ପରିଣତ ହୋଇଥିଲା। ଅନେକ ପୁରୀର ପିଲା କୁସ୍ତି ରେ ଜାତୀୟ ସ୍ତରରେ ବେଶ୍ ଖ୍ୟାତି ଅର୍ଜନ କରିଛନ୍ତି। ପୁରୀରେ କୁସ୍ତି ଖେଳର ଖ୍ୟାତିକୁ ଦୃଷ୍ଟି ରେ ରଖି ଏହି ଖେଳର ବିକାଶ ପାଈଁ ପୁରୀରେ କ୍ରୀଡ଼ା ଛାତ୍ରାବାସ ଖୋଲିଥିଲେ। ଅଭିଜ୍ଞ କୋଚଙ୍କ ଦ୍ଵାରା ତାଲିମ ଦିଆଯାଉଥିଲା। ଅନେକ ପିଲା ଉନ୍ନତ ମାନର ପ୍ରଶିକ୍ଷଣ ପାଇ ଭଲ କୁସ୍ତି ଖେଳାଳି ଭାବେ ଉଭା ହୋଇଥିଲେ।

ତେବେ ଗତ 2019 ଫୋନି ମହାବାତ୍ୟାରେ ପୁରୀର କ୍ରୀଡ଼ା ଛାତ୍ରାବାସ ଅନେକ କ୍ଷତି ସହିଥିଲା। ହଷ୍ଟେଲ କ୍ଷତିଗ୍ରସ୍ତ ହେବା ଯୋଗୁଁ କିଛି ଦିନ ପାଇଁ କଟକକୁ କୁସ୍ତି ଓ କବାଡି ଉଠାଇ ନିଆଯାଇଥିଲା। ତେବେ କ୍ରୀଡ଼ା ଛାତ୍ରାବାସ ମରାମତି ହୋଇ ସାରିଥିଲେ ମଧ୍ଯ କଟକରୁ ପୁରୀକୁ ଆଉ କୁସ୍ତି ଓ କବାଡି ଖେଳକୁ ସ୍ଥାନାନ୍ତର କରାଯାଇନାହିଁ। ଫଳରେ ପୁରୀର ଯୁବକ ମାନେ କୁସ୍ତି ପ୍ରଶିକ୍ଷଣରୁ ମୁହଁ ଫେରାଇ ନେଲେଣି। ପୁରୀରୁ କୁସ୍ତି ଖେଳ ଲୋପ ହେବାକୁ ବସିଲାଣି। ଯାହାକୁ ନେଇ କ୍ରୀଡ଼ାପ୍ରେମୀ ଉଦବେଗ ପ୍ରକାଶ କରିଛନ୍ତି।

ପୂର୍ବତନ କୋଚ ପ୍ରୀୟଜିତ୍ ମହାପାତ୍ର କହିଛନ୍ତି, ‘‘ପୁରୀରୁ କୁସ୍ତି ଓ କବାଡି ଖେଳ କ୍ରୀଡ଼ା ଛାତ୍ରାବାସରୁ କଟକକୁ ଉଠିଯିବା ବଡ ଦୁର୍ଭାଗ୍ୟ ଓ ନିନ୍ଦନୀୟ। ପୁରୀ ବାସୀଙ୍କ ପାରମ୍ପରିକ କ୍ରୀଡା ହେଉଛି କୁସ୍ତି ଓ କବାଡି। ଏହି ଖେଳ ପୁରୀର ମାଟି ସହ ଯୋଡ଼ି ହୋଇ ରହିଛି। ଏହାକୁ ଧ୍ଵଂସ କରିବା ପାଇଁ ଏକ ଚକ୍ରାନ୍ତ ଚାଲିଛି। ଫନୀ ବାତ୍ୟା ରେ ଇଣ୍ଡୋର ଷ୍ଟାଡିୟମ କ୍ଷତି ହୋଇଥିଲା। ଏହି ବାହାନାରେ କଟକକୁ କୁସ୍ତି ଉଠାଇ ନେଲେ। ଷ୍ଟାଡିୟମ ଠିକ୍ ପରେ କିନ୍ତୁ କୁସ୍ତି ଓ କବାଡିକୁ କ୍ରୀଡ଼ା ଛାତ୍ରାବାସକୁ ଅଣାଗଲା ନାହିଁ। ପିଲା ମାନେ ଯେଉଁ ମାନେ କୁସ୍ତିରେ କ୍ୟାରିଅର କରିବାକୁ ଚାହୁଛନ୍ତି ସେମାନେ ଏବେ ଯିବେ କୁଆଡେ? ହଷ୍ଟେଲରେ ପ୍ରଶିକ୍ଷକ ନ ଥିବାରୁ କୁସ୍ତି ଖେଳ କୁ ନେଇ ପିଲା ମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି। ଜାଗା ଆଖଡ଼ା ଘରେ କୁସ୍ତି ଖେଳର ବିକାଶ ପାଇଁ ଭିତ୍ତିଭୂମି ନାହିଁ। ତେବେ ପୁରୀ ର ପାରମ୍ପରିକ କ୍ରୀଡ଼ା କୁ ନିଶ୍ଚିହ୍ନ କରିବାକୁ ଯେଉଁ ମାନେ ଚକ୍ରାନ୍ତ କରୁଛନ୍ତି ଏହାକୁ ବରଦାସ୍ତ କରାଯିବନି। ଆଗାମୀ ଦିନରେ ପୁରୀ ବାସୀ ଏହାକୁ ଘୋର ବିରୋଧ କରିବେ’’।
- 1988ରେ ପୁରୀରେ ସ୍ଥାପିତ ହୋଇଥିଲା କ୍ରୀଡା ଛାତ୍ରବାସ
ପୁରୀରେ କୁସ୍ତି ଖେଳର ଯଥେଷ୍ଟ ଖ୍ୟାତି ଥିବାରୁ ଓଡ଼ିଶା ସରକାର ପୁରୀ ରେ 1988 ମସିହାରେ ହଷ୍ଟେଲ ଖୋଲି କୁସ୍ତି ଶିକ୍ଷା ଆରମ୍ଭ କରିଥିଲେ। ପ୍ରଥମେ 15 ଜଣ ପିଲାଙ୍କୁ ନେଇ ହଷ୍ଟେଲ ଆରମ୍ଭ ହୋଇଥଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ। ହେଲେ ଦୁଃଖର ବିଷୟ ଗତ ଦୁଇ ବର୍ଷ ହେବ କୁସ୍ତି ଓ କବାଡି ଖେଳ ତାଲିମକୁ କଟକକୁ ଉଠାଇ ନିଆଯାଇ ଅନ୍ୟାନ୍ୟ ଖେଳ ପ୍ରଶିକ୍ଷଣ ଦିଆଯାଉଛି। ଏହା ଏକ ଷଡ଼ଯନ୍ତ୍ର ବୋଲି ଅଭିଯୋଗ ହୋଇ ଆସୁଛି। ପୁରୀ ପ୍ରତି ଓଡ଼ିଶା ସରକାରଙ୍କ ଏଭଳି ବୈମାତୃକ ମନୋଭାବକୁ ପୁରୀର କ୍ରୀଡ଼ା ପ୍ରେମୀ, କୋଚ୍ ଓ ପୂର୍ବତନ ଖେଳାଳୀ କ୍ଷୋଭ ପ୍ରକାଶ କରିଛନ୍ତି। ଆଗାମୀ ଦିନ ରେ ଏହାକୁ ଦୃଢ଼ ବିରୋଧ କରାଯିବ। ରାଜ୍ୟ ସରକାର ପୁରୀର ପାରମ୍ପରିକ କ୍ରୀଡ଼ା କୁସ୍ତି ଓ କବାଡିକୁ ବଞ୍ଚାଇବା ସହ ଆହୁରି ପ୍ରତିଭାବାନ ଖେଳାଳି ସୃଷ୍ଟି କରିବା ପାଈଁ ପୂର୍ବ ଭଳି ପୁରୀ କ୍ରୀଡ଼ା ଛାତ୍ରାବାସରେ କୁସ୍ତି ଓ କବାଡି କୋଚ୍ ରଖି ଖେଳାଳିଙ୍କୁ ଉପଯୁକ୍ତ ତାଲିମ ଦେବାକୁ ଦାବି ହୋଇଛି।

ପୂର୍ବତନ ଖେଳାଳୀ ନିରଞ୍ଜନ ପତି କହିଛନ୍ତି, ‘‘ମୋ ମତରେ ପୁରୀରୁ କୁସ୍ତି ଓ କବାଡି ଖେଳ କ୍ରୀଡ଼ା ଛାତ୍ରାବାସରୁ କଟକକୁ ଉଠିଯିବା ଏକ ଦୁଃଖ ଦାୟକ ଘଟଣା। ଏହାକୁ ନେଇ ମୁଁ ମର୍ମାହତ। 1988 ମସିହାରେ ଯେତେବେଳେ ପୁରୀରେ କ୍ରୀଡ଼ା ଛାତ୍ରାବାସ ଆରମ୍ଭ ହୋଇଥଲା ପ୍ରଥମେ କୁସ୍ତି ଖେଳରୁ ହିଁ ଆରମ୍ଭ ହୋଇଥଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ। ସେବେଠୁ ଆମେ ଭାବିଥିଲୁ ଓଡ଼ିଶାରେ କୁସ୍ତି ଖେଳ ବେଶ ଉନ୍ନତି କରିବ। ବେଶ୍ ଭଲ ଭାବରେ ମଧ୍ୟ ହଷ୍ଟେଲ ଚାଲିଥିଲା। କିନ୍ତୁ ଏବେ ପୁରୀର ପାରମ୍ପରିକ କ୍ରୀଡ଼ା ଲୋପ ହେବାକୁ ବସିଛି। ପୁରୀର ସ୍ଥାନୀୟ ଖେଳ ହେଉଚି କୁସ୍ତି। ହଷ୍ଟେଲ ଓ ପ୍ରଶିକ୍ଷକ ନ ରହିବାରୁ ଏହି ଖେଳ ଲୋପ ହେବାକୁ ବସିଲାଣି। ଏହାର ବିକାଶ ହେବା ଦରକାର୍। କୁସ୍ତି ଖେଳ କୁ ନେଇ ପୁରୀ ର ଯଥେଷ୍ଟ ଖ୍ୟାତି ଥିବାରୁ ପୁରୀରେ ପୂର୍ବଭଳି କୁସ୍ତି ହଷ୍ଟେଲ ସ୍ଥାପନ ପାଈଁ ରାଜ୍ୟ ସରକାର ଦୃଷ୍ଟି ଦିଅନ୍ତୁ। ଏହା ଦ୍ବାରା କୁସ୍ତିର ବିକାଶ ହୋଇପାରିବ’’।

- ସରକାରଙ୍କ ନିଷ୍ପତ୍ତିକ୍ରମେ କାର୍ଯ୍ୟକାରୀ ହେଉଛି
ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜିଲ୍ଲା କ୍ରୀଡ଼ା ଅଧିକାରୀ। ସେ କହିଛନ୍ତି, ‘‘ପୁରୀରେ ଥିବା କୁସ୍ତି ହଷ୍ଟେଲଟି ରାଜ୍ୟ ସ୍ତରୀୟ ହଷ୍ଟେଲ ଥିଲା। ଏହା କେବଳ ପୁରୀ ପାଇଁ ନଥିଲା। ପ୍ରତିବର୍ଷ ସାରା ରାଜ୍ୟ ପାଇଁ ପିଲାଙ୍କୁ ଚୟନ କରାଯାଏ। ଚୟନ ହୋଇଥିବା ପିଲାଙ୍କୁ ପ୍ରଶିକ୍ଷଣ ପାଇଁ କ୍ରୀଡ଼ା ଛାତ୍ରାବାସରେ ରଖାଯାଉଥିଲା। ଆମର 13 ଟି ଜିଲ୍ଲାରେ କ୍ରୀଡ଼ା ଛାତ୍ରାବାସ ରହିଛି। ତେବେ କେଉଁ ଖେଳ କେଉଁ ସ୍ଥାନରେ ରହିବ ଓ ପ୍ରଶିକ୍ଷଣ ଦିଆଯିବ ତାହା ରାଜ୍ୟ ସରକାର ନିଷ୍ପତ୍ତି ନେଇଥାଆନ୍ତି। ଏଣୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟକାରୀ ହୋଇଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଏହା କଟକରେ କାର୍ଯ୍ୟ କରୁଛି। ଏହା 2 ବର୍ଷ ହେବ ସେଠାକୁ ସ୍ଥାନାନ୍ତର ହୋଇଛି। ତେବେ ନିଶ୍ଚିତ ଭାବେ ପୁରୀ ହେଉଛି କୁସ୍ତି ର ଗନ୍ତାଘର। ତେଣୁ ସମସ୍ତେ ଚାହୁଁଛନ୍ତୀ ପୁରୀରେ କୁସ୍ତି ହଷ୍ଟେଲ ରହିଲେ ଭଲ। ତେବେ ପୁରୀର କ୍ରୀଡ଼ାପ୍ରେମୀ ସରକାରଙ୍କ ନିକଟରେ ଏ ନେଇ ଅନୁରୋଧ କଲେ ସରକାର ପୁରୀରେ କୁସ୍ତି ପ୍ରଶିକ୍ଷକ ନିଯୁକ୍ତି ନେଇ ପଦକ୍ଷେପ ନେଇ ପାରିବେ। ତେବେ ପୁରୀରେ କୁସ୍ତି ଖେଳର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ବହୁତ୍ ସହଯୋଗ ରହିଛି। ଜାଗା ଆଖଡ଼ାରେ ଜିମ୍ ସ୍ଥାପନ ପାଈଁ ସରକାର ଆର୍ଥିକ ସାହାଯ୍ୟ ପ୍ରଦାନ କରିଛନ୍ତି। କୁସ୍ତି ଖେଳକୁ ନେଇ ଅନେକ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଉଛି’’।