Puri Social Worker Badri Mishra ପୁରୀ: ‘ମୋ ବୋଉ ଏଇଠି ଅଛି...ବୋଉକୁ ଖୋଜିବାକୁ ଯିବି...3 ବର୍ଷର ହୋଇଥିଲି...ବୋଉର ମୃତ୍ୟୁ ହେଲା...ସ୍ବର୍ଗଦ୍ବାରକୁ ଅନ୍ତିମ ସଂସ୍କାର ପାଇଁ ଆଣିଲେ...ସେବେଠୁ ସ୍ବର୍ଗଦ୍ବାର ପ୍ରତି ଭାବ ଆସିଲା । ମୋତେ ଲାଗିବା ମୋ ବୋଉ ଏଇଠି ଅଛି ଖୋଜିବି..ଛୋଟ ଥିଲି ଯିବାର ସୁଯୋଗ ନଥିଲା...’ଅବୋଧ ଶିଶୁ...ଦୁନିଆକୁ ଭଲ ସେ ଜାଣିବା ଆଗରୁ ଦୁନିଆକୁ ପର କରି ଆରପାରିକୁ ଚାଲିଯାଇଥିଲେ ମା’ । ବାସ୍ ବୋଉର ସନ୍ଧାନ କରୁ କରୁ ସମାଜ ସେବାର ବ୍ରତୀହୋଇଗଲେ ବଦ୍ରି । ବର୍ତ୍ତମାନ ସୁଦ୍ଧା କଲେଣି ହଜାରରୁ ଊର୍ଦ୍ଧ୍ବ ମୃତଦେହ ସଂସ୍କାର । ତାଙ୍କୁ ‘କଳିଯୁଗର ହରିଶ୍ଚନ୍ଦ୍ର’ କହିଲେ ଅତ୍ୟୁକ୍ତି ହେବନି । କିଏ ଏହି ‘ମୃତଦେହର ସାଥି’ ? ପୁରୀର ସମାଜସେବୀ ବଦ୍ରି ମିଶ୍ରଙ୍କୁ ନେଇ ଏହି ସ୍ବତନ୍ତ୍ର ଉପସ୍ଥାପନା ।
ଥକିନି କାନ୍ଧ, ଛାଡିନି ନିଶା:
ପୁରୀର ସମାଜସେବୀ ବଦ୍ରି ମିଶ୍ର...ସମସ୍ତଙ୍କ ପ୍ରିୟ ବଦ୍ରି ଭାଇନା... ବୟସ ୬୭ ଛୁଇଁଲାଣି । ମୃତଦେହ ବୋହି ବୋହି ତାଙ୍କ ଛ'ଫୁଟିଆ କାନ୍ଧରେ ଶଗଡବୁହା ବଳଦ ପରି ବିଣ୍ଡି ହୋଇଗଲାଣି । ହେଲେ ଛାଡିନି ତାଙ୍କ ନିଶା । ଏମିତି ଜଣେ ଦରଦୀ ମଣିଷ ଯିଏକି ଶହେ କି ଦୁଇ ଶହ ନୁହେଁ ସେ 1200ରୁ ଊର୍ଦ୍ଧ୍ବ ମୃତଦେହ ଦାହ କଲେଣି । ସେ ଚିହ୍ନା ହେଉକି ଅଚିହ୍ନା ଯେତେବେଳେ ବି ଖବର ପାଆନ୍ତି ଦାହ କରିବା ପାଇଁ ସଙ୍ଗେ ସଙ୍ଗେ ସେ ପହଞ୍ଚି ଯାଆନ୍ତି । କେବଳ ସେ ନିଜ ଅଞ୍ଚଳରେ ନୁହେଁ ଦେଶ ବିଦେଶକୁ ମଧ୍ୟ ଯାଇ ଗଣ ମୃତଦାହ ମଧ୍ୟ କରିଛନ୍ତି । ଏହି ନିଶା ତାଙ୍କୁ ଏକ ନୂଆ ପରିଚୟ ଦେଇଛି । ଏପରିକି ଅସହାୟ, ଅଚିହ୍ନା ମୃତଦେହର ସତ୍କାର ସେ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ଦାହ କରନ୍ତି । ତାଙ୍କର ମହତକାର୍ଯ୍ୟ ଓ ନିଃସ୍ଵାର୍ଥପର ସମାଜ ସେବା ପାଇଁ ସେ ଅନେକ ରାଜ୍ୟ ସ୍ତରୀୟ ପୁରସ୍କାର ପାଇଛନ୍ତି ।

ବଦ୍ରି ମିଶ୍ର କିଏ ?
1959 ଫେବୃଆରୀ 5ରେ ସମାଜସେବୀ ବଦ୍ରି ମିଶ୍ର ପୁରୀରେ ଜନ୍ମ । ସେ M.A, LLB ସହିତ PG JMC ଶିକ୍ଷା ଲାଭ କରିଛନ୍ତି । କିଛି ବର୍ଷ ସରକାରୀ ଚାକିରିରେ କାର୍ଯ୍ୟ କରିଥିଲେ ମଧ୍ୟ ସ୍ୱାଭିମାନକୁ ନେଇ ଚାକିରି ଛାଡି ସମାଜସେବାରେ ନିଜକୁ ସାମିଲ କରିଥିଲେ । ସରକାରୀ ଚାକିରି ଛାଡି ପରେ ଆର୍ଥିକ ସ୍ଥିତି ଠିକ୍ ନଥିଲେ ମଧ୍ୟ ସମାଜସେବାକୁ ଛାଡି ନଥିଲେ ବଦ୍ରି ମିଶ୍ର । ଏଥି ପାଇଁ ତାଙ୍କ ପତ୍ନୀ ବହୁତ୍ ସହଯୋଗ କରିଆସୁଛନ୍ତି । ତାଙ୍କର ପରିବାର କହିଲେ ପତ୍ନୀଙ୍କ ସମେତ ଜଣେ ପୁଅ ଓ ଝିଅ । ତେବେ ସମାଜସେବା ପାଇଁ ନିଜ ପରିବାରକୁ ସମୟ ଦେଇପାରୁନଥିଲେ ମଧ୍ୟ ପତ୍ନୀ ସୁଲୋଚନା ମିଶ୍ର ପରିବାରକୁ ସମ୍ଭାଳି ଥାଆନ୍ତି । ପତ୍ନୀଙ୍କ ସହଯୋଗ ପାଇଁ ଡକ୍ଟର ବଦ୍ରି ମିଶ୍ର ସବୁବେଳେ ସମାଜସେବାରେ ଲାଗି ରହିଛନ୍ତି ।

ନାଁ ଏକ ପରିଚୟ ଅନେକ:
ବଦ୍ରି ମିଶ୍ର ଜଣେ ସାହିତ୍ୟିକ, ସଂଗଠକ, ରକ୍ତଦାତା, ପରିବେଶପ୍ରେମୀ, ସ୍ତମ୍ଭକାର ସହ ସମାଜସେବୀ । ପୁରୀ ଜିଲ୍ଲାର ବିଭିନ୍ନ ସରକାରୀ କମିଟିରେ ସେ ସଦସ୍ୟ ରହିଛନ୍ତି । ସେହିପରି 50ଟି ବିଭିନ୍ନ ଧାର୍ମିକ, ଶିକ୍ଷା, ସାଂସ୍କୃତିକ, ସାମାଜିକ ସଂଗଠନର ସେ ସଭାପତି ରୂପେ ଅଛନ୍ତି । ଏକାଧିକ ସାହିତ୍ୟିକ, ସାମ୍ବାଦିକ ସଂଗଠନର ସେ ସଦସ୍ୟ ଅଛନ୍ତି । ଅନେକ ପୁସ୍ତକ ସେ ରଚନା କରିଥିବା ବେଳେ ବିଭିନ୍ନ ପତ୍ରପତ୍ରିକାରେ ସେ ସମ୍ପାଦନା କାର୍ଯ୍ୟ ମଧ୍ୟ କରିଛନ୍ତି ।

ଅସହାୟଙ୍କ ବନ୍ଧୁ ବଦ୍ରି (Badri Mishra selfless Funeral Service):
ସରକାରୀ ଚାକିରି କରୁଥିବା ବେଳେ ନିଶା ଥିଲା ତାଙ୍କର ସମାଜ ସେବା । ସ୍ବର୍ଗଦ୍ବାରର ଏକ ଆକର୍ଷଣ ତାଙ୍କୁ ସଜାଇ ଦେଇଥିଲା ମୃତଦେହର ସାଥୀ । ଏହା ତାଙ୍କର ଏକ ନିଶା । ତାଙ୍କର ମୋଟର ସାଇକେଲ ଆଗରେ ସବୁବେଳେ ପଡିଥାଏ ଖଣ୍ଡେ ଗାମୁଛା । ଗାଡି ଡିକିରେ ରହିଥାଏ ଗଙ୍ଗାପାଣି ଓ କୁଶମରା ପଇତା । ରାତି ଦୁଇ ହେଉ କି' ଉଦୁଉଦିଆ ଦ୍ୱିପ୍ରହର । ଯେତେବେଳେ ଯିଏ ଯେଉଁଠୁ ଫୋନ କରେ, ତୁରନ୍ତ ଶେଜ ଛାଡି ସ୍ବର୍ଗଦ୍ବାର ଚାଲନ୍ତି । ପୁରୀର ପବିତ୍ର ମହୋଦଧି ତଟରେ ଥିବା ସ୍ବର୍ଗଦ୍ବାରରେ ଦୀର୍ଘ ୫୦ବର୍ଷ ତଳୁ କରିଚାଲିଛନ୍ତି ଶହ ଶହ ମୃତଦେହ ଦାହ । ଦୁର୍ଘଟଣାରେ ପ୍ରାଣ ହରାଉଥିବା ଅଜଣା ମଣିଷ, ହସ୍ପିଟାଲରେ ପ୍ରାଣ ହରାଉଥିବା ଅସହାୟ ମଣିଷ, ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ମଣିଷ ଠାରୁ ଅସହାୟ-ନିଃସହାୟ ମଣିଷମାନଙ୍କ ବନ୍ଧୁ ହେଉଛନ୍ତି ଡକ୍ଟର ବଦ୍ରୀ ମିଶ୍ର ।

ସଚ୍ଚି ରାଉତଙ୍କଠୁ ନେଇ ସାତକଡି...ଏମାନଙ୍କ କରିଛନ୍ତି ମୃତଦେହ ଦାହ:
୧୯୭୪ରୁ ଶବଵାହକ ଜୀବନ ଆରମ୍ଭ କରିଥିବା ବଦ୍ରି ମିଶ୍ର । ନିମ୍ନ ଲିଖିତ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ କରିଛନ୍ତି ମୃତଦେହ ସଂସ୍କାର..
- ପଦ୍ମଶ୍ରୀ ସଦାଶିବ ରଥଶର୍ମା
- ପଦ୍ମଵିଭୂଷଣ ରଘୁନାଥ ମହାପାତ୍ର
- ପଦ୍ମଶ୍ରୀ ପ୍ରଫୁଲ୍ଲ କର
- ପଦ୍ମଶ୍ରୀ ରଜତ କର
- ପଦ୍ମଶ୍ରୀ ସଚ୍ଚି ରାଉତରାୟ
- ପଦ୍ମଶ୍ରୀ ରଘୁନାଥ ପାଣିଗ୍ରାହୀ
- ପଦ୍ମଭୂଷଣ ରମାକାନ୍ତ ରଥ
- ସଂଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତି
- ଭଜନ ସମ୍ରାଟ ଭିକାରୀ ବଳ
- ସଂଗୀତଜ୍ଞ କାଶୀନାଥ ପୂଜାପଣ୍ଡା
- ସାହିତ୍ୟିକ ସାତକଡି ହୋତା
- ଦଧିଚି ପ୍ରିୟଙ୍କାରାଣୀ ପାତ୍ର
- ଦମୟନ୍ତୀ ମହାନ୍ତ

ମହାବାତ୍ୟାରୁ କାଠମାଣ୍ଡୁ, ରୋକି ପାରିନି କୋରୋନା:
୧୯୯୯ ମହାବାତ୍ୟା, ୨୦୦୧ରେ ଗୁଜୁରାଟର କଚ୍ଛ ଓ ୨୦୧୫ରେ କାଠମାଣ୍ଡୁରେ ମୃତ୍ୟୁବରଣ କରିଥିବା ଅନେକ ମୃତଦେହକୁ ସେ ଗଣଦାହ କରିଛନ୍ତି । ବିଗତ କୋରୋନା ସମୟରେ ଅନେକ କଟକଣା ସତ୍ତ୍ୱେ ଭୁବନେଶ୍ୱର ସତ୍ୟନଗର ଓ କଟକର ସତୀଚୌରା ଶ୍ମଶାନରେ ମୃତଦେହ ଦାହ କରୁକରୁ ତାଙ୍କ ମୃତେଦହ ଦାହ ସଂଖ୍ୟା ପହଞ୍ଚିଲାଣି ୧୨୦୬ରେ ।

ସ୍ବର୍ଗଦ୍ବାର ନୁହେଁ ବଦ୍ରିଙ୍କ ଶେଷ ଠିକଣା...
ଶହ ଶହ ମୃତଦେହ ବୋହୁଥିବା ଵଦ୍ରି ମିଶ୍ର, ମୃତ୍ୟୁ ପରେ ନିଜେ ଆସିବେନି ସ୍ବର୍ଗଦ୍ବାର । ମୃତ୍ୟୁ ପରେ ତାଙ୍କ ମୃତଦେହ ଯିବ କଟକ ହସ୍ପିଟାଲ । ଏକଥା ଆମେ କହୁନୁ ସେ ‘ETV Bharat’ ସହ ଆଲୋଚନା ବେଳେ କହିଛନ୍ତି । ଜୀବନର 50 ବର୍ଷ ସେ ସମାଜ ସେବା ବା ସ୍ବର୍ଗଦ୍ବାରରେ ମୃତଦେହ ପୋଡିବାରେ ବିତାଇ ଦେଇଛନ୍ତି । କିନ୍ତୁ ତାଙ୍କ ଇଚ୍ଛା ରହିଛି ମୃତ୍ୟୁପରେ ଅଙ୍ଗଦାନ ପାଇଁ ।

ଅଙ୍ଗଦାନ ପାଇଁ ସଚେତନ କରୁଛନ୍ତି ବଦ୍ରି:
ଏନେଇ ବଦ୍ରି ମିଶ୍ର କୁହନ୍ତି, ‘ମୃତ୍ୟୁ ପରେ ସ୍ବର୍ଗଦ୍ବାରରେ ପାଉଁଶ ହେବା ଅପେକ୍ଷା ଯଦି ମୋ ଶରୀର ଓ ଅଙ୍ଗଦାନ ପରେ ମୋ ଆଖିରେ କିଏ ନୂଆ ପୃଥିବୀ ଦେଖିବ, ମୋ କିଡନୀରେ କାହା ସଂସାର ହସିବ, ତାହା ହେବ ମୋ ଜନ୍ମର ସାର୍ଥକତା ।’ ଶରୀର ଓ ଅଙ୍ଗ ଦାନ ନେଇ ସେ ଅହରହ ସଚେତନ କରିଆସୁଛନ୍ତି । ଏହା ମଧ୍ୟ ବେଶ୍ ସଫଳ ହୋଇଛି । ଶହେ ଅଧିକ ଲୋକ ତାଙ୍କ ବାର୍ତ୍ତାରେ ପ୍ରଭାବିତ ହୋଇ ମେଡିକାଲକୁ ନିଜ ଶରୀରକୁ ଦାନ କରିଛନ୍ତି ।




କେଉଁ ପୁରସ୍କାର ପାଇଛନ୍ତି ?
ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ..
- ୧୯୯୪ରେ ନେଫେଡ଼ା
- ୨୦୧୯ରେ ଉତ୍କଳ ରତ୍ନ
- ୨୦୨୦ରେ ପ୍ରଣମ୍ୟ ଗୁରୁ
- ୨୦୨୩ରେ ପ୍ରକୃତି ବନ୍ଧୁ
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
- ବିଜୁ ପଟ୍ଟନାୟକ ଯୁବ ପୁରସ୍କାର
- ଦଧିଚି ପୁରସ୍କାର ସମେତ ସାହିତ୍ୟ, ସମାଜସେବା କ୍ଷେତ୍ରରେ ୧୦୦ରୁ ଅଧିକ ରାଜ୍ୟ ସ୍ତରୀର ପୁରସ୍କାର ତାଙ୍କୁ ମିଳିଛି ।
କେବେଠୁ ଆରମ୍ଭ ହେଲା ଏହି ଯାତ୍ରା ?

ଅଙ୍ଗଦାନ କରିବି..
ସେ ଆହୁରି କହିଛନ୍ତି, ‘ଚାକିରିରେ ଥିବା ବେଳେ ମୃତଦେହ ଦାହ କରିଆସୁଥିଲି । ଚାକିରି ଛାଡ଼ି ଆସିବା ପରେ ପୁରୀରେ ମଧ୍ୟ ମୁଁ ମୃତଦେହ ପୋଡ଼ି ଆସୁଛି । ଭୁବନେଶ୍ବର ସତ୍ୟ ନଗର, କଟକ ସତିଚଉରାରେ ବି ମୁଁ ମୃତଦେହ ପୋଡ଼ିଛି । ତେବେ ଅନେକ ମୃତଦେହ ଦାହ କଲା ପରେ ମୁଁ ଦେଖେ ମୃତଦେହ ସବୁ ପାଉଁଶ ହୋଇଯାଉଛି । ତେଣୁ ମୁଁ ଭାବେ କାହିଁକି ଏମିତି ଧୂଳି ହୋଇଯିବା । ଯଦି ମୁଁ ଅଙ୍ଗଦାନ କରିବି କେହି ଜଣେ ମଣିଷ ଉପକାର ପାଇବ, ଶରୀରକୁ ମେଡିକାଲରେ ପାଠ ପଡୁଥିବା ଛାତ୍ରଛାତ୍ରୀ ଗବେଷଣା କରି ପାରିବେ । ଏଣୁ 2014 ମସିହାର ମୁଁ କଟକ ଏସ ସି ବି ମେଡିକାଲ କଲେଜକୁ ମୋର ଶରୀର ଓ ଅଙ୍ଗଦାନ କରିଦେଇଛି । ଲୋକଙ୍କୁ ମଧ୍ୟ ଶରୀର ଦାନ କରିବା ପାଇଁ ସଚେତନ କରୁଛି ।’

ଅଟକାଇ ପାରିନି ସମାଲୋଚନା:
ସେ ଆହୁରି କହିଛନ୍ତି, ‘ମୋ କାର୍ଯ୍ୟ ପାଇଁ ଲୋକଙ୍କ ସମାଲୋଚନା ଶୁଣିଛି । ହେଲେ ମୁଁ ଏହା ଖାତିର ନ କରି ମୋ କାର୍ଯ୍ୟ କରିଚାଲିଛି । କୋଭିଡ ସମୟରେ ଯେତେବେଳେ ଲୋକେ ଘରୁ ବାହାରୁ ନଥିଲେ ସେତେବେଳେ ମୁଁ ମୃତଦେହ ପୋଡ଼ିଛି । ମୋର ଥିବା ଓଡ଼ିଶା ଯୁବ ଚେତନା ସଂଗଠନର ସ୍ବେଚ୍ଛାସେବୀ ଭାଇଙ୍କୁ ନେଇ ଏହି କାର୍ଯ୍ୟ ଜାରି ରଖିଛି । ରାଜ୍ୟରେ ଏକ ହଜାରରୁ ଅଧିକ ମୋର ସହକର୍ମୀ ଥିବା ବେଳେ ୧୯୮୫ ମସିହାରୁ ମୋର ସଂଗଠନ କରି ମୃତଦାହ, ରକ୍ତଦାନ, ବୃକ୍ଷ ରୋପଣ କାର୍ଯ୍ୟ କରାଯାଉଛି ।’
ଭାଇଚାରା ବଜାୟ ରଖନ୍ତୁ:
ସେ ଆହୁରି କହିଛନ୍ତି, ‘ମୋର ସମସ୍ତଙ୍କୁ ଅନୁରୋଧ ଭାଇଚାରା ବଜାୟ ରହୁ । ନିଜ ପଡୋଶୀ ଚାଲିଗଲେ ମୃତଦେହକୁ କାନ୍ଧ ଦିଅନ୍ତୁ । ସେଥିରେ ଅନେକ ଆତ୍ମ ସନ୍ତୋଷ ମିଳିବ । କିନ୍ତୁ ଏବେ ସ୍ଥିତି ଖରାପ ହେଲାଣି । ଭାଇଚାରା ନାହିଁ । ଗାଁ ହେଉକି ସହର ମୃତଦେହକୁ କାନ୍ଧ ଦେବା ପାଇଁ ଲୋକ ନାହାନ୍ତି । ଯାହାକି ବେଶ୍ ଦୁଃଖର ବିଷୟ । ମୋର ସମସ୍ତଙ୍କୁ ଅନୁରୋଧ ସମାଜସେବା କରନ୍ତୁ । ଭଗବାନ ଭଲରେ ଆପଣଙ୍କୁ ରଖିବେ ।

ବଦ୍ରି ମିଶ୍ରଙ୍କ ପତ୍ନୀ ସୁଲୋଚନା ମିଶ୍ର କୁହନ୍ତି, ‘ମୁଁ ମୋ ବିବାହ ଠାରୁ ଦେଖି ଆସୁଛି ସେ ସବୁବେଳେ ସମାଜସେବାରେ ଅଛନ୍ତି । ତାଙ୍କର ଘରକୁ ଫେରିବାର କୌଣସି ସମୟ ନଥାଏ । ଯେହେତୁ ସମାଜସେବା କରିବାରେ ସେ ଆନନ୍ଦ ପାଆନ୍ତି ମୁଁ କେବେବି ବାଧା ଦେଇନି । ସବୁ କାର୍ଯ୍ୟରେ ସହଯୋଗ କରିଆସୁଛି । ରାତି ଦୁଇଟା ଘରକୁ ଫେରି ପୁଣି ରାତି ଚାରିଟାରେ ଘରୁ ବାହାରି ପଡ଼ନ୍ତି । ଖରା, ବର୍ଷାକୁ ସେ ଖାତିର କରନ୍ତି ନାହିଁ । ତେବେ ଅନ୍ୟକୁ ସହଯୋଗ କରି ସେ ଯେତେବେଳେ ଖୁସି ହୁଅନ୍ତି ତାହାକୁ ଆମେ ଅନୁଭବ କରୁ । ସମାଜସେବା କରିବା ତାଙ୍କର ଏକ ନିଶା । ସେ ଏହାକୁ ଛାଡି ରହିପାରିବେ ନାହିଁ । ଆମେ ତାଙ୍କୁ ସହଯୋଗ କରୁ।’
ମୃତଦେହ ଦାହ ଖର୍ଚ୍ଚ ନିଜେ ବହନ କରନ୍ତି ବଦ୍ରି:
ସମାଜସେବୀ ସୌମ୍ୟ ରଞ୍ଜନ ପାତ୍ର କୁହନ୍ତି, ‘ବଦ୍ରି ମିଶ୍ରଙ୍କ ଭଳିଆ ନିଆରା ବ୍ୟକ୍ତି ବିରଳ । ସେ ଯୁବ ପିଢ଼ିଙ୍କ ଆଦର୍ଶ । ତାଙ୍କୁ ଦେଖି ଆମେ ସମାଜସେବା କରୁଛୁ । ମୁଁ ୧୫ବର୍ଷ ହେବ ତାଙ୍କ ସମ୍ପର୍କରେ ଅଛି । ମୃତଦେହ ଦାହ, ରକ୍ତ ଦାନ, ବୃକ୍ଷ ରୋପଣ କାର୍ଯ୍ୟ ଦେଖି ଆମେ ମଧ୍ୟ ସେହି କାର୍ଯ୍ୟ କରୁଛୁ । ସେ ରାତି ହେଉକି ଦିନ ୨୪ ଘଣ୍ଟା ଯେତେବେଳେ ଆମେ ମୃତଦେହ ଦାହ ପାଇଁ ତାଙ୍କର ସହଯୋଗ ଲୋଡୁ ସେ ନିଜେ ଆସି ସହଯୋଗ କରନ୍ତି । ଯାହା ଖର୍ଚ୍ଚ ସେ ବହନ କରନ୍ତି । ସେ ପରିଚିତ ହେଉ କି ଅପରିଚିତ ସବୁ ମୃତଦେହକୁ କାନ୍ଧ ଦେବା ପାଇଁ ପହଞ୍ଚି ଯାଆନ୍ତି । କେବଳ ପୁରୀ ନୁହେଁ ରାଜ୍ୟ ଓ ରାଜ୍ୟ ବାହାରେ ମଧ୍ୟ ସେ ଅନେକ ମୃତଦେହ ଦାହ କରିଛନ୍ତି । ରକ୍ତ ଦାନ କରିବା ସହ ଆମକୁ ରକ୍ତ ଦାନ ପାଇଁ ପ୍ରେରଣା ଦିଅନ୍ତି । ବର୍ତ୍ତମାନ ମୃତଦେହ ଦେବା ପାଇଁ କାନ୍ଧ ମିଳୁନଥିବା ବେଳେ ବଦ୍ରି ମିଶ୍ର ଜଣେ ଅନନ୍ୟ ଉଦାହରଣ । ଯୁବ ପିଢ଼ି କିଭଳି ସମାଜସେବାରେ ରହିବେ ସେ ଦିଗରେ ବଦ୍ରି ମିଶ୍ର କାର୍ଯ୍ୟ କରୁଛନ୍ତି । ଏଥି ପାଇଁ ସେ ଅନେକ ପୁରସ୍କାର ପାଇଛନ୍ତି । ତାଙ୍କର ମୁଖ୍ୟ ବାର୍ତ୍ତା ରହିଛି ସେ ସମୟ ହେଉକି ଅସମୟ ସବୁବେଳେ ଆମେ ସମସ୍ତଙ୍କୁ ସହଯୋଗ କରିବା ।’

ନିକଟରେ ICC କରିଛି ସମ୍ମାନିତ:
ଏହି ମହାନ କାର୍ଯ୍ୟ ପାଇଁ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ବଦ୍ରି ମିଶ୍ରଙ୍କୁ ଭୁବନେଶ୍ବରରେ ସମ୍ମାନିତ କରିଥିଲା । ଏହି ଆୱାର୍ଡ ସେରିମନିରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ରଙ୍କ ରିପୋର୍ଟ, ଇଟିଭି ଭାରତ