Snana Yatra 2025 Significance ପୁରୀ: ଲୀଳାମୟ ଶ୍ରୀକ୍ଷେତ୍ର ସାଆନ୍ତେ । ତାଙ୍କର ପ୍ରତି ଲୀଳା ପଛରେ ଯେମିତି ଲୁଚି ରହିଥାଏ ଅଲୌକିକ କଥା । ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରେ ତିନୋଟି ଯାତ୍ରା ହେଉଛି ଶ୍ରେଷ୍ଠ । ସେ ଗୁଡ଼ିକ ହେଲା ଦୋଳ ଯାତ୍ରା, ସ୍ନାନଯାତ୍ରା ଓ ଶ୍ରୀଗୁଣ୍ଡିଚା ଯାତ୍ରା । ସେଥିମଧ୍ୟରୁ ବର୍ଷରେ ଦୁଇଥର ମହାପ୍ରଭୁ ରତ୍ନବେଦୀ ଛାଡ଼ି ବଡଦାଣ୍ଡରେ ଉଭା ହୁଅନ୍ତି । ପ୍ରଥମେ ସ୍ନାନ ଯାତ୍ରାରେ ଓ ପରେ ଗୁଣ୍ଡିଚା ଯାତ୍ରାରେ । ଗୁଣ୍ଡିଚା ଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ଏହି ଯାତ୍ରା ଅନୁଷ୍ଠିତ ହୁଏ । ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ ହୁଏ ଦେବସ୍ନାନ ପୂର୍ଣ୍ଣିମା ।
108 ଗରା ଜଳରେ ସ୍ନାନ କରନ୍ତି ଶ୍ରୀଜିଉ:
ଶ୍ରୀମନ୍ଦିର ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦ ଧ୍ବନି ପୂର୍ବକ 108 କଳସୀ ଜଳରେ ସ୍ନାନ କରାଯାଏ । ଏହାପରେ ଶ୍ରୀଜିଉଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଏ । ବର୍ଷରେ ଥରୁଟିଏ ଶ୍ରୀଜଗନ୍ନାଥ ମହାପ୍ରଭୁ ଭାଇ ଭଉଣୀଙ୍କ ସହିତ ପ୍ରତ୍ୟକ୍ଷ ଜଳ ସ୍ନାନ କରିଥାନ୍ତି । ଅନ୍ୟ ସମୟରେ ତଥା ରତ୍ନସିଂହାସନରେ ମହାପ୍ରଭୁଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହି ଦିନକୁ ପ୍ରଭୁ ଜଗନ୍ନାଥଙ୍କ ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଏ ।
ସ୍ନାନଯାତ୍ରାକୁ ମଞ୍ଚ ସ୍ନାନ ମଧ୍ୟ କୁହାଯାଏ:
ଏନେଇ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ସୌମ୍ୟ ରଞ୍ଜନ ପଣ୍ଡା କୁହନ୍ତି, ‘ପୂରାଣ ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବାରୁ ଏହାକୁ ଶ୍ରୀଜିଉଙ୍କ ଆଦ୍ୟଲୀଳା କୁହାଯାଏ । ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ୍ନ । ସେତେବେଳେ ସ୍ନାନମଣ୍ଡପ ନ ଥିବା ଯୋଗୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନ ବିଧି ସମାପନ ହୋଇଥିଲା । ସେଥିପାଇଁ ଅନେକ ଶାସ୍ତ୍ରରେ ଏହା ମଞ୍ଚ ସ୍ନାନ ବୋଲି ମଧ୍ୟ ଉଲ୍ଲେଖ ରହିଛି । 108 ସୁନା କଳସ ଜଳରେ ଅଭିମନ୍ତ୍ରିତ ପବିତ୍ର ଜଳରେ ଦାରୁବ୍ରହ୍ମଙ୍କ ଏହି ନୀତି ସମ୍ପନ୍ନ ହୋଇଥାଏ । ସେହି ଶାସ୍ତ୍ରୀୟ ମତକୁ ଅନୁସରଣ କରାଯାଇ ପ୍ରତିବର୍ଷ ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି ।’

ସୁନାକୂଅ ଜଳରେ ସ୍ନାନ କରନ୍ତି ଚତୁର୍ଦ୍ଧାମୂର୍ତ୍ତି:
ସ୍ନାନଯାତ୍ରା ଦିନ ରତ୍ନ ସିଂହାସନରୁ ଦଇତାପତି ସେବକମାନେ ପହଣ୍ଡି କରି ଶ୍ରୀଜିଉଙ୍କୁ ସ୍ନାନ ମଣ୍ଡପରେ ଅବସ୍ଥାନ କରାଇଥାନ୍ତି। ପରେ ସ୍ନାନଯାତ୍ରା ନୀତି ଆରମ୍ଭ ହୋଇଥାଏ । ଉତ୍ତର ଦ୍ବାର ନିକଟରେ ଥିବା ସୂବର୍ଣ୍ଣ କୂଅରୁ 108 କଳସ ଜଳ ଅଣାଯାଇ ଏହାକୁ ମନ୍ତ୍ର ଦ୍ବାରା ଅଭିମନ୍ତ୍ରିତ କରାଯାଏ । ବର୍ଷ ତମାମ ଏହି କୂଅର ଜଳ ବ୍ୟବହାର ହୋଇ ନ ଥାଏ । କେଵଳ ସ୍ନାନ ପୂର୍ଣ୍ଣିମାରେ ଜଳ ଆସି ମହାପ୍ରଭୁଙ୍କୁ ସ୍ନାନ କରାଯାଏ । ଏହି ଅଭିମନ୍ତ୍ରିତ ଜଳରୁ 35 କଳସ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ, 33 ଗରା ବଳଭଦ୍ରଙ୍କୁ , 22 ଗରା ଦେବୀ ସୁଭଦ୍ରାଙ୍କୁ ଓ 18 ଗରା ଜଳରେ ସୁଦର୍ଶନଙ୍କୁ ସ୍ନାନ କରାଯାଏ ।

ଗଜାନନ ବେଶରେ ବିଭୂଷିତ ହୁଅନ୍ତି ମହାପ୍ରଭୁ:
ସ୍ନାନ ଯାତ୍ରା ପରେ ମହାପ୍ରଭୁଙ୍କୁ ଗଜାନନ ବେଶରେ ବିଭୂଷିତ କରାଯାଏ । ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ସୌମ୍ୟ ରଞ୍ଜନ ପଣ୍ଡା କୁହନ୍ତି, ‘ଏହି ଗଜାନନ ବେଶ ସହ ରହିଛି ଏକ କିମ୍ବଦନ୍ତୀ । ଏକଦା ମହାରାଷ୍ଟ୍ରରୁ ଗାଣପତ୍ୟ ସମ୍ପ୍ରଦାୟର ଗଣପତି ଭଟ୍ଟ ନାମକ ଜନୈକ ଭକ୍ତ ଜଗନ୍ନାଥଙ୍କ ମହିମା ବିଷୟରେ ଶୁଣି ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସିଥିଲେ । ସେ ଭଗବାନ ଗଣେଶଙ୍କର ପରମ ଭକ୍ତ ଥିଲେ ।
କଣେ କୁହେ କିମ୍ବଦନ୍ତୀ:
ଗଣପତି ଭଟ୍ଟ ମନେ ମନେ ଭାବିଥିଲେ ଶ୍ରୀମନ୍ଦିରରେ ବ୍ରହ୍ମ ରୂପରେ ଗଣପତି ହିଁ ବିଦ୍ୟମାନ ହୋଇଥିବେ । ମନରେ ଦାରୁବ୍ରହ୍ମଙ୍କୁ ଦର୍ଶନର ଉତ୍କଣ୍ଠା ନେଇ ଶ୍ରୀମନ୍ଦିର ଆଡକୁ ଅଗ୍ରସର ହେଲେ ଗଣପତି ଭଟ୍ଟ । ମହାପ୍ରଭୁଙ୍କ ଦାରୁ ବିଗ୍ରହ ଦେଖି ସେ ସନ୍ତୋଷ ଲାଭ କରି ପାରିଲେ ନାହିଁ । ସେ ମନେ ମନେ ବିଚାର କଲେ ଏ ତ ଗଣପତି ନୁହନ୍ତି । ଏ ଠାକୁର କଦାପି ବ୍ରହ୍ମ ନୁହନ୍ତି ବୋଲି ସେ ଭାବିଲେ । ଏତେ ବାଟରୁ ଧାଇଁ ଆସି ଦାରୁବ୍ରହ୍ମଙ୍କ ଦର୍ଶନ ନପାଇ ସେ ନିରାଶ ହୋଇ ଶ୍ରୀକ୍ଷେତ୍ର ତ୍ୟାଗ କଲେ । କିଛିବାଟ ଯିବା ପରେ ସେ ଥକି ଯାଇ ଘୁମେଇ ପଡ଼ିଲେ । ଏତିକି ବେଳେ କେହି ଜଣେ ତାଙ୍କୁ କହିଲେ ମନ ଦୁଃଖ କାହିଁକି ବୋଲି ପଚାରିଲେ, ସେ ବ୍ରହ୍ମରୂପି ଗଜାନନଙ୍କ ଦର୍ଶନ ନପାଇ ତାଙ୍କ ମନ ଦୁଃଖ ବୋଲି କହିଥିଲେ ।
ଲୀଳାମୟ ଠାକୁରଙ୍କ ଅପୂର୍ବ ଲୀଳା:
ହଠାତ ନିଦ ଭାଙ୍ଗିବାରୁ କେହି ଜଣେ କହିଲେ, କଣ ଥକି ଗଲ କି, ବଡ଼ଦାଣ୍ଡରେ ତୁମ ଗଣପତି ପରା ଉଭା ହୋଇଛନ୍ତି, ଯାଉନ ମନ ପୂରେଇ ଦେଖି ଆସିବ । ଆଶ୍ଚର୍ଯ୍ୟ ହୋଇ ଦେଖିଲେ ଗଣପତି ଭଟ୍ଟ । କେହି କେଉଁଠି ନଥିଲେ । ପୁଣି ସେ ଫେରିଆସିଲେ ବଡଦାଣ୍ଡ ଆଡକୁ । ବଡ଼ଦାଣ୍ଡରେ ଜନ ସମୁଦ୍ର ମଧ୍ୟରେ ସେ ଦର୍ଶନ କଲେ ଗଜାନନ ବେଶରେ ସୁଶୋଭିତ ଜଗତ ଠାକୁରଙ୍କୁ । ବିଭୋର ହୋଇ ଉଠିଲା ମନପ୍ରାଣ । ବଡ଼ଦାଣ୍ଡରେ ଲୋଟି ମହାବାହୁଙ୍କୁ ପ୍ରଣୀପାତ ପୂର୍ବକ କ୍ଷମା ପ୍ରାର୍ଥନା କଲେ ଭଟ୍ଟ । ମହାବାହୁଙ୍କ ଗଜ ବେଶ ଦେଖି ଆତ୍ମ ସନ୍ତୋଷରେ ଫେରିଗଲେ ନିଜ ପ୍ରଦେଶକୁ ।
ଏହା ମଧ୍ୟ ପଢନ୍ତୁ: ଲାଇଭ ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି, ଲୋକାରଣ୍ୟ ଶ୍ରୀକ୍ଷେତ୍ରସୁନାକୂଅ ଜଳରେ ସ୍ନାନ କରନ୍ତି ସୁନା ଠାକୁର, କେଉଁଠି ଅଛି ରହସ୍ୟମୟ କୂପ ? |
15 ଦିନ ଜ୍ବରରେ ପୀଡିତ ହୁଅନ୍ତି ଶ୍ରୀଜିଉ:
ଗଜାନନ ବେଶ ପରେ ଶ୍ରୀମନ୍ଦିରକୁ ଠାକୁର ମାନେ ଗୋଟି ପହଣ୍ଡିରେ ବିଜେ କରନ୍ତି । ଭିତର କାଠ ପାଖ ଅଣସର ପିଣ୍ଡିରେ ଠାକୁର ମାନେ ବିଜେ କରିବା ପରେ ତାଟି ବନ୍ଧାଯାଏ ଓ ପଟି ଦିଅଁ ପୂଜା ପାଆନ୍ତି। ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ପୂର୍ଣ୍ଣିମାରୁ ନେତ୍ରୋତ୍ସବ ଯାଏ 15 ଦିନ ଧରି ଜ୍ବରରେ ଆକ୍ରାନ୍ତ ହୁଅନ୍ତି । ଏହାକୁ ଅଣସର କୁହାଯାଏ । ଏହି 15 ଦିନ ଭକ୍ତ ମାନେ ଶ୍ରୀଜୀଉଙ୍କ ଦର୍ଶନ ପାଆନ୍ତି ନାହିଁ। ଏହି ସମୟରେ ବ୍ରହ୍ମଗିରିରେ ପୂଜିତ ହେଉଥିବା ପ୍ରଭୁ ଅଲାର ନାଥଙ୍କୁ ଦର୍ଶନ କରନ୍ତି ଭକ୍ତ ଓ ଶ୍ରଦ୍ଧାଳୁ। ଅଣସରରୁ ମହାପ୍ରଭୁ ସୁସ୍ଥ ହେବା ପରେ ଶ୍ରୀଗୁଣ୍ଡିଚା ଯାତ୍ରା କରନ୍ତି ।
ଇଟିଭି ଭାରତ, ପୁରୀ