Puri's Palm Leaf Craft Fights For Survival Amid Urbanisation ପୁରୀ: ଶ୍ରୀମନ୍ଦିର ଆନନ୍ଦ ବଜାରକୁ ଚାହିଦା ଅନୁଯାୟୀ ତାଳପତ୍ର ଭୋଗେଇ ଯୋଗାଣରେ ଅଭାବ ସୃଷ୍ଟି ହେଲାଣି । ଚାହିଦା ମୁତାବକ ତାଳପତ୍ର ଭୋଗେଇ ଯୋଗାଣରେ ଅଭାବୀ ସ୍ଥିତି ଯୋଗୁଁ ଆନନ୍ଦ ବଜାରରେ ତାଳପତ୍ର ଭୋଗେଇର ସ୍ଥାନ ନେଲାଣି ପଲିଥିନ । କଞ୍ଚାମାଲ ଅଭାବ, କଞ୍ଚାମାଲର ଦରବୃଦ୍ଧି, ପରିଶ୍ରମ ମୁତାବକ ଉପଯୁକ୍ତ ମୂଲ୍ୟ ନ ମିଳିବା ଯୋଗୁଁ ତାଳପତ୍ର ଭୋଗେଇ ପ୍ରସ୍ତୁତି ନେଇ ଆଉ କାରିଗର ଆଗ୍ରହ ପ୍ରକାଶ କରୁନାହାଁନ୍ତି । ପରମ୍ପରା ଅନୁଯାୟୀ ପୁର୍ବରୁ ଭକ୍ତ ମାନେ ତାଳପତ୍ର ଭିଗେଇରେ ମହାପ୍ରସାଦ ନେଉଥିଲେ । ହେଲେ ଚାହିଦା ମୁତାବକ ଭୋଗେଇ କାରିଗର ମାନେ ଯୋଗାଇ ପାରୁନଥିବାରୁ ତାଳପତ୍ର ଭୋଗେଇର ସ୍ଥାନ ନେଇ ଗଲାଣି ପଲିଥିନ । ଆନନ୍ଦ ବଜାରରେ ପଲିଥିନ ବ୍ୟବହାର ନିଷିଦ୍ଧ ଥିବା ବେଳେ କିନ୍ତୁ ଏହାର ବ୍ୟବହାରରେ ରୋକ ଲଗିପରୁନାହିଁ। ଅନ୍ୟ ପକ୍ଷରେ ଶସ୍ତାରେ ପଲିଥିନରେ ଭୋଗ ଆଣିବା ପାଇଁ ସୁଯୋଗ ମିଳିଯାଉଥିବାରୁ କେହି ବି ପ୍ରତିବାଦ କରୁନାହାଁନ୍ତି ।
Palm craft artisans struggling ବୁଡିଯିବ ପରମ୍ପରା, ସଙ୍କଟରେ କାରିଗରଙ୍କ ଜୀବିକା-
ସବୁଠୁ ବଡ କଥା ହେଉଛି ଦ୍ରୁତ ସହରୀକରଣ ଯୋଗୁଁ ହଜାର ହଜାର ତାଳଗଛ କଟା ଯାଇଥିବାରୁ ଏବେ ତାଳପତ୍ର ମିଳିବା ବଡ ସମସ୍ୟା ହୋଇଛି । ତେବେ କଞ୍ଚାମାଲ ଅଭାବ ଓ ବାହାରୁ ଚଢା ଦରରେ ତାଳପତ୍ର କିଣିବାକୁ ପଡୁଥିବାରୁ କାରିଗର ଏହି ବ୍ୟବସାୟ ପ୍ରତି ବିମୁଖ ହେଲେଣି । ପୁରୀ ସିଦ୍ଧମହାବୀର ରେଳ ଫାଟକ ନିକଟରେ ଥିବା ଚମାର ସାହିରେ 30ରୁ ଅଧିକ ପରିବାରର 60ରୁ ଅଧିକ ବ୍ୟକ୍ତି ତଥା ତାଳପତ୍ର କାରିଗର ତାଳପତ୍ର ଭୋଗେଇ ଓ ଅନ୍ୟ ସାମଗ୍ରୀ ପ୍ରସ୍ତୁତ କରି ନିଜ ନିଜ ଜୀବିକା ନିର୍ବାହ କରୁଛନ୍ତି । ପୁରା ପରିବାର ସଦସ୍ୟ କାର୍ଯ୍ୟ କଲେ ଏଥିରୁ ମାସକୁ ମାତ୍ର 10 ରୁ 12 ହଜାର ଟଙ୍କା ରୋଜଗାର ହୋଇପାରୁଛି ।

Odisha palm leaf art କାହିଁକି ତାଳପତ୍ର କାରିଗରୀ ଦିନକୁ ଦିନ ଲୋପ ପାଉଛି ?
ଆବଶ୍ୟକତା ଅନୁଯାଯୀ, ରୋଜଗାର ମିଳୁନଥିବାରୁ ବର୍ତ୍ତମାନ ଯୁବ ପିଢ଼ି ଏହି ପାରମ୍ପରିକ କାରିଗରୀକୁ ଆଗକୁ ନେବାରେ ମୁଁହ ଫେରାଇ ନେଲେଣି । ପାରମ୍ପରିକ ତାଳପତ୍ର କାରିଗରୀକୁ ପ୍ରୋତ୍ସାହନ ନ ମିଳିବା ଯୋଗୁଁ ଏହା ଆଗାମୀ ଦିନରେ ବୁଡି ଯିବାର ସଂଭାବନା ରହିଛି । ଦିନେ ତାଳଗଛ ପାଇଁ ପରିଚୟ ବହନ କରୁଥିବା ପୁରୀ ସହରର ତାଳବଣିଆ ଏବେ ତାଳ ଗଛ ଶୂନ୍ୟ ହୋଇ ପଡ଼ିଛି । ସହରୀ କରଣ ବଢିବା ଫଳରେ ତାଳବଣିଆ ଅଞ୍ଚଳ ବିକଶିତ ହେବା ସହ ତାଳ ଗଛକୁ ସବୁ କାଟି ଦିଆଯାଇଛି । ପୂର୍ବରୁ ଏହି ତାଳ ବଣିଆରେ ଥିବା ତାଳ ଗଛ ଚମାର ସାହି ବାସିନ୍ଦାଙ୍କ ଜୀବିକା ପାଲଟିଥିଲା । ପୁର୍ବରୁ ତାଳ ଗଛରୁ ତାଳପତ୍ର ଆଣିବା ପାଇଁ କିଛିବି ଖର୍ଚ୍ଚ କରିବାକୁ ପଡୁନଥିଲା । ପୂର୍ବରୁ ହଜାର ହଜାର ତାଳଗଛ ଥିଲା । ହେଲେ ଏବେ ଅଳ୍ପ କିଛି ଗଛ ରହିଛି । ଯାହାକି କାରିଗରଙ୍କ ଚାହିଦା ପୂରଣ କରିବାରେ ସକ୍ଷମ ନୁହେଁ ।

କଞ୍ଚାମାଲ କିଣା ଅଧିକା, ବିକ୍ରି ପରେ ଲାଭ କମ୍-
ଫଳରେ ତାଳପତ୍ର କାରିଗର ମାନେ ଏବେ ପୁରୀ ଜିଲ୍ଲାର ଡେଲାଙ୍ଗ, କଣାସ ଓ ବ୍ରହ୍ମଗିରି ଅଞ୍ଚଳ ଉପରେ ନିର୍ଭର କରିବାକୁ ପଡ଼ୁଛି । ପୁରୀ ସହର ଠାରୁ ଦୂରରୁ ତାଳପତ୍ର ଆସୁଥିବାରୁ ପରିବହନ ଖର୍ଚ୍ଚ ଅଧିକ ପଡ଼ୁଛି । 100ଟି ତାଳପତ୍ର ବାରଡା କିଣିବା ପାଇଁ 800 ଟଙ୍କା ପଡୁଛି । ଗୋଟିଏ ତାଳପତ୍ର ବରଡା ଦାମ୍ 8 ଟଙ୍କା ହୋଇଥିବା ବେଳେ ଏଥିରେ ପ୍ରସ୍ତୁତ ହେଉଥିବା ଭୋଗେଇ 14 ଟଙ୍କାରେ ବିକ୍ରୀ ହେଉଛି । ଏଣୁ ଅଧା ଖର୍ଚ୍ଚ କଞ୍ଚାମାଲ କିଣାରେ ଯାଉଛି । ସେଥିରେ ପୁଣି ମଜୁରୀ ଥିବାରୁ ବଜାର ଦର୍ ଅନୁଯାୟୀ ବିକ୍ରି କଲେ ବହୁତ୍ ସ୍ୱଳ୍ପ ଲାଭ ମିଳୁଛି ।

ତାଳପତ୍ରରେ କାମ ଛାଡି ମୂଲ ମଜୁରୀ ଲାଗୁଛନ୍ତି-
ପୀଢ଼ି ପରେ ପୀଢ଼ି ବଂଶଗତ ଭାଗରେ ପିଲାମାନେ ତାଳପତ୍ରରେ ବିଭିନ୍ନ କାରିଗରୀ ଶିଖିଥାନ୍ତି । ଝୁମୁକା, କଣ୍ଢେଇ, ବିଭିନ୍ନ ଘରକରଣା ସାମଗ୍ରୀ ତିଆରି କରିଥାଆନ୍ତି । ତେବେ ବର୍ଷ ସାରା ସବୁଦିନିଆ ଶ୍ରୀମନ୍ଦିରକୁ ତାଳପତ୍ର ଭୋଗେଇ ଯୋଗାଇଥାନ୍ତି ଏହି ତାଳପତ୍ର କାରିଗର ମାନେ । ମାତ୍ର ଏବେ କଞ୍ଚାମାଲ ଅଭାବ ଯୋଗୁଁ ଅଧିକାଂଶ ଯୁବକ ଏବେ ମୂଲ ମଜୁରୀକୁ ଯାଉଛନ୍ତି । ପୁରୀ ଜିଲ୍ଲାର ସାକ୍ଷୀଗୋପାଳ, ଅଳୁଗୁମ୍, ବଳଙ୍ଗା, ମଙ୍ଗଳପୁର, ଡେଲାଙ୍ଗ, ବ୍ରହ୍ମଗିରି, ଚନ୍ଦନପୁର ଅଞ୍ଚଳରୁ ବହୁ ପାରିବାର ଶ୍ରୀମନ୍ଦିର ପାଇଁ ଭୋଗେଇ ପ୍ରସ୍ତୁତ କରୁଛନ୍ତି । ମାତ୍ର ଦ୍ରୁତ ସହରୀକରଣ ଯୋଗୁ ଏହି ତାଳପତ୍ର କାରିଗରୀ ହଜିଯିବାକୁ ବସିଲାଣି । କଞ୍ଚାମାଲ ଅଭାବ ତଥା ତାଳଗଛ ଅଭାବ ଯୋଗୁ ଆଗାମୀ ଦିନରେ ତାଳପତ୍ରରୁ ପ୍ରସ୍ତୁତ ଭୋଗେଇ ସହ ବିଭିନ୍ନ ସାମଗ୍ରୀ ଆଗାମୀ ଦିନରେ ମିଳିବା ବଡ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ କରିଛନ୍ତି କାରିଗର ମାନେ ।

ତାଳପତ୍ର ସଂଗ୍ରହରେ ଅଧିକ ଖର୍ଚ୍ଚ ପଡୁଛି-
ତାଳପତ୍ର କାରିଗର ଟୁଲୁ ବେହେରା ନିଜ ପ୍ରତିକ୍ରିୟାରେ କହିଛନ୍ତି, "ଆମର ମୁଖ୍ୟ କାମ ହେଉଛି ଶ୍ରୀ ମନ୍ଦିରକୁ ତାଳପତ୍ର ଭୋଗେଇ ଯୋଗାଇବା । ଏହା ଛଡା ପିଲା ମାନଙ୍କ ବିଭିନ୍ନ ଖେଳଣା ସାମଗ୍ରୀ ସହିତ ବିଭିନ୍ନ ଘର କରଣା ସାମଗ୍ରୀ ଆମେ ପ୍ରସ୍ତୁତ କରୁଛୁ । ଆମେ ବିଭିନ୍ନ ଯାତ୍ରା, ମେଳଣକୁ ଯାଇ ବିଭିନ୍ନ ସାମଗ୍ରୀ ବିକ୍ରି କରିଥାଉ । ପୁରୀ ସହରରୁ 30 କିଲୋମିଟର ଦୂରରୁ ଆମେ ଏବେ ତାଳପତ୍ର ସଂଗ୍ରହ କରୁଛୁ । ଯାହାକି ଆମକୁ ଅଧିକ ଟଙ୍କା ଦେବାକୁ ପଡ଼ୁଛି । କାରଣ ପୁରୀ ସହର ବଢିବା ସହ ତାଳ ଗଛକୁ ସବୁ ଲୋକ କାଟି ଦେଲେ । ଗୋଟେ ଭୋଗେଇ 10 ରୁ 15 ଟଙ୍କ ଦାମରେ ବିକ୍ରି କରୁଥିବା ବେଳେ ଏ ନେଇ ଅଧା ଖର୍ଚ୍ଚ ଯାଉଛି । ପରିଶ୍ରମକୁ ଦେଖିଲେ ଯେଉଁ ଦରରେ ଆମେ ବିକ୍ରି କରୁଛୁ ତାହା ଆମକୁ ପୋଷଉ ନାହିଁ । କେବଳ ଆମର କୌଳିକ ବୃତ୍ତି ବୋଲି ଆମେ କରିଚାଲିଛି ।

ଯେହେତୁ ପରିଶ୍ରମ ଅନୁଯାୟୀ ସାମଗ୍ରୀର ଉଚିତ୍ ଦର ମିଳୁନାହିଁ ଆଜିକାଲିର ପିଲାମାନେ ଏହି କାର୍ଯ୍ୟ କରିବାକୁ ଇଛା ପ୍ରକାଶ କରୁନାହାଁନ୍ତି । ଅନ୍ୟାନ୍ୟ କାର୍ଯ୍ୟ କରି ରୋଜଗାର କରୁଛନ୍ତି । ତାଳପତ୍ର ସାମଗ୍ରୀ ବିକ୍ରୀ କରି ଜଣେ ମାସିକ 10 ହଜାରରୁ 12 ହଜାର ଯାଏ ରୋଜଗାର କରିପାରିବ । ହେଲେ ଏତିକି ଅର୍ଥରେ ଏବେ ଘର ପ୍ରତିପୋଷଣ କରିବା ସମ୍ଭବ ନୁହେଁ । ଫଳରେ ଯୁବ ପୀଢ଼ି ଅନ୍ୟ କାର୍ଯ୍ୟ କରି ଅର୍ଥ ରୋଜଗାର କରୁଛନ୍ତି । ଯଦି ପଲିଥିନ ବନ୍ଦ ହୋଇ ପାରନ୍ତା ତାଳପତ୍ର ସାମଗ୍ରୀର ଚାହିଦା ବଢ଼ି ପାରନ୍ତା । ହେଲେ ଏନେଇ କୌଣସି ପଦକ୍ଷେପ ନିଆଯାଉନାହିଁ । ତେବେ ଏବେ ସ୍ଥିତି ଦେଖିଲେ ଜଣାପଡ଼ୁଛି ଆଗାମୀ ଦିନରେ ଏହି ତାଳପତ୍ର କାରିଗରୀ ଲୋପ ପାଇ ଯିବାର ଆଶଙ୍କା ରହିଛି । ବେଶୀ ରୋଜଗାର ନ ଥିବାରୁ କେହି ଯୁବ ପୀଢ଼ି ଏହାକୁ ଆଉ ବୃତ୍ତି କରିବାକୁ ଆଗ୍ରହ ପ୍ରକାଶ କରୁନାହାଁନ୍ତି ।"

ପଲିଥିନ ପାଇଁ କମିଲା ତାଳପତ୍ର ଚାହିଦା-
ଆଉ ଜଣେ ବରିଷ୍ଠ ତାଳପତ୍ର କାରିଗର ହୃଷିକେଶ ବେହେରା କହିଛନ୍ତି, "ମୋ ପିଲା ଦିନରୁ ଦେଖିଛି ତାଳପତ୍ର ସାମଗ୍ରୀର ବେଶ୍ ଚାହିଦା ରହିଥିଲା । ହେଲେ ପଲିଥିନ ବହୁଳ ବ୍ୟବହାର ଫଳରେ ତାଳପତ୍ର ସାମଗ୍ରୀର ଚାହିଦା କମିଗଲା । ଏବେ ସହର ବାହାରୁ ଅଧିକ ଉଚ୍ଚ ଦରରେ ତାଳପତ୍ର ଆସୁଛି । ଯେତିକି ସାମଗ୍ରୀ ଉତ୍ପାଦନ ହେଉଛି ତାହାର ଅଧା ଖର୍ଚ୍ଚ କଞ୍ଚାମାଲରେ କିଣାରେ ଯାଉଛି । କେବଳ ଆମେ ବୃତ୍ତିକୁ ବଞ୍ଚେଇ ରଖିବା ପାଇଁ କାର୍ଯ୍ୟ କରୁଛୁ । ହେଲେ ପରିଶ୍ରମ ଅନୁଯାୟୀ ବିକ୍ରି ଜିନିଷର ଉଚିତ୍ ଦର ଆମକୁ ମିଳୁନାହିଁ । ଯଦି ପଲିଥିନ ନିଷେଧ ହୋଇ ପାରନ୍ତା ତାହା ହେଲେ ଆମ ତାଳପତ୍ର କାରିଗର ମାନେ ବେଶ୍ ଉପକୃତ ହୋଇ ପାରନ୍ତେ । ଏବେ ପିଲା ମାନେ ଏହି କାର୍ଯ୍ୟ ଛାଡି ଅନ୍ୟ କାର୍ଯ୍ୟ କରୁଛନ୍ତି ଘର ପ୍ରତିପୋଷଣ କରିବା ପାଇଁ। କୌଣସି ପ୍ରୋତ୍ସାହନ ଆମକୁ ଦିଆଯାଉନାହିଁ । ଶ୍ରୀମନ୍ଦିର ଆନନ୍ଦ ବଜାରରେ ମଧ୍ୟ ପଲିଥିନ ବହୁଳ ବ୍ୟବହାର ଯୋଗୁ ଭୋଗେଇ ଚାହିଦା କମିବାରେ ଲାଗିଛି । ଆଗାମୀ ଦିନରେ ଆହୁରି ସ୍ଥିତି ଆମର ଖରାପ ହେବାର ଆଶଙ୍କା ରହିଛି ।"

ବୁଡିଯିବ କି ତାଳପତ୍ର କାରିଗରୀ ?
- ଦିନକୁ ଦିନ ତାଳଗଛ ଲୋପ ପାଉଛି
- ସହରିକରଣ ପାଇଁ କଟାଯାଉଛି ତାଳଗଛ
- ତାଳବଣିଆରେ ଆଉ ଠିଆ ହୋଇନି ତାଳଗଛ
- ଶ୍ରୀମନ୍ଦିର ଆନନ୍ଦ ବଜାରରେ ମଧ୍ୟ ତାଳ ଭୋଗେଇ ବ୍ୟବହାର କମୁଛି
- ସ୍ୱଳ୍ପ ଦର ଯୋଗୁଁ ପଲିଥିନ ବ୍ୟବହାର ବଢୁଛି
- ତଳପତ୍ର ସଂଗ୍ରହରେ ଅଧିକ ଖର୍ଚ୍ଚ ହେଉଛି
- ଶ୍ରୀମନ୍ଦିର ସଂସ୍କୃତି ସହିତ ଶହ ଶହ ବର୍ଷରୁ ଜଡିତ
- ତାଳପତ୍ର ଭୋଗେଇରେ ଜଗନ୍ନାଥଙ୍କ ନିକଟରେ ଲାଗିହୁଅ ଶୁଖୁଲି ଭୋଗ

ତାଳପତ୍ର ସଂଗ୍ରହ ବିପଦଜନକ-
ଜଣେ ଯୁବ କାରିଗର ବାଞ୍ଛା ବେହେରା କହିଛନ୍ତି, "ତାଳଗଛରେ ତାଳପତ୍ର କାଟିବା ପାଇଁ ଚଢ଼ିବା ବେଳେ ଅନେକ ଅଘଟଣ ଘଟିଛି । 60 ରୁ 70 ଫୁଟ ଗଛ ରୁ ପଡ଼ି ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଅକର୍ମଣ୍ୟ ହୋଇଛନ୍ତି। ଏଣୁ ଏହି ବିପଦ ପାଇଁ ଆଜିର ଯୁବ ପୀଢ଼ି ଆଉ କେହି ଏହି ବ୍ୟବସାୟ କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ବିଭିନ୍ନ ମୂଲ ମଜୁରୀକୁ ଯାଇ ରୋଜଗାର କରୁଛିନ୍ତି । କଞ୍ଚାମାଲ ଅଭାବ ଓ ବାହାରୁ ଉଚ୍ଚ ଦରରେ କଞ୍ଚାମାଲ ଆସିଥିବାରୁ ତାଳପତ୍ର ଭୋଗେଇ ତିଆରି କରିଲେ ଉଚିତ୍ ଦର ମିଳୁ ନାହିଁ । ଶ୍ରୀମନ୍ଦିରକୁ ଆମେ ଯୋଗାଇ ଦେଉଥିବା ଭୋଗେଇରେ ମଧ୍ୟ ଉଚିତ୍ ମୂଲ୍ୟ ମିଳୁନାହିଁ । ଏଣୁ ଆଗାମୀ ଦିନରେ ଭୋଗେଇ ଯୋଗାଇବା ସମ୍ଭବ ହେବ ନାହିଁ ।"

ମାହାଙ୍ଗା ଯୁଗରେ ମାସିକ ସ୍ୱଳ୍ପ ରୋଜଗାର-
ମହିଳା ତାଳପତ୍ର କାରିଗର ଯମୁନା ବେହେରା କହିଛନ୍ତି, "ଆମେ ଶ୍ରୀମନ୍ଦିରକୁ ତାଳପତ୍ର ଭୋଗେଇ ଯୋଗାଇ ଦେଉଛୁ। ହେଲେ ଯେତିକି ମୂଲ୍ୟ ମିଳିବା କଥା ତାହା ମିଳୁନାହିଁ । ଯାହା ଫଳରେ ସ୍ୱଳ୍ପ ରୋଜଗାରରେ ଘର ଚଳାଇବା ବେଶ କଷ୍ଟକର। ଆମେ ସାମଗ୍ରୀ ପ୍ରସ୍ତୁତ କରି ଯୋଗାଉ ଥିବା ବେଳେ ଆମଠୁ ବେପାରି ନେଇ ବେଶୀ ଦାମରେ ବିକ୍ରି କରି ଭଲ ଆୟ କରୁଛନ୍ତି। କିନ୍ତୁ ଆମେ ଉପଯୁକ୍ତ ମୂଲ୍ୟ ପାଉନାହୁଁ । ଆମେ ଅଧିକ ଦରରେ ପତ୍ର କିଣି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଥିବା ବେଳେ ପରିଶ୍ରମ ଅନୁଯାୟୀ ଜିନିଷର ଉପଯୁକ୍ତ ମୂଲ୍ୟ ମିଳୁନି । ଖାଲି ପେଟ ପୋଷିବା ପାଇଁ ବାଧ୍ୟରେ ଏହି କାର୍ଯ୍ୟ କରୁଛୁ । ମାସକୁ 10 ହଜାର ପାଖାପାଖି ଗୋଟିଏ ପରିବାର ଆୟ କରୁଛି । ଆଜିର ମାହାଙ୍ଗା ଯୁଗରେ ଏହା ଯଥେଷ୍ଟ ହେଉନାହିଁ । ଆଜିର ଯୁବ ପୀଢ଼ି ମଧ୍ୟ ଏହି ତାଳପତ୍ର ସାମଗ୍ରୀ ପ୍ରସ୍ତୁତ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ରୋଜଗାର କମ ହେଉଥିବାରୁ କେହି ଆଗ୍ରହ ପ୍ରକାଶ କରୁନାହାଁନ୍ତି । ଅନ୍ୟ କାର୍ଯ୍ୟ କରି ରୋଜଗାର କରୁଛନ୍ତି । ସରକାର କାରିଗରଙ୍କୁ କିଛି ପ୍ରୋତ୍ସାହନ ଦେଲେ ଆମେ ଉପକୃତ ହୋଇପାରନ୍ତୁ ।"

ଶ୍ରୀମନ୍ଦିର ଏବଂ ତାଳପତ୍ର ଭୋଗେଇ ପରମ୍ପରା-
ଶ୍ରୀମନ୍ଦିର ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି, ଶ୍ରୀମନ୍ଦିରରେ ତାଳପତ୍ର ଭୋଗେଇ ପରମ୍ପରା ଶହଶହ ବର୍ଷର ପରମ୍ପରା । ଭକ୍ତ ମାନେ ସୁଖିଲି ମହାପ୍ରସାଦ ଓ ଅନ୍ୟ ଭୋଗ ମଧ୍ୟ ଏହି ତାଳପତ୍ର ଭୋଗେଇରେ ଭକ୍ତ ନିଅନ୍ତି । ତାଳପତ୍ର ଭୋଗେଇର ମହତ୍ତ୍ଵ ରହିଛି । ହେଲେ କଞ୍ଚାମାଲର ଅଭାବ ଓ ଉଚ୍ଚ ଦର ଯୋଗୁ ଚାହିଦା ଅନୁଯାୟୀ ତାଳପତ୍ର ଭୋଗେଇ ଯୋଗାଣ ସମ୍ଭବ ହେଉନାହିଁ । ଏହା ଛଡା ଆନନ୍ଦ ବଜାର ସହିତ ବିଭିନ୍ନ ଖଜା ଦୋକାନରେ ପଲିଥିନ ବହୁଳ ବ୍ୟବହାର ଯୋଗୁଁ ତାଳପତ୍ର ଭୋଗେଇ ଚାହିଦା କମୁଛି । ତେବେ ପ୍ରଶାସନ ପଲିଥିନ ସମ୍ପୂର୍ଣ ନିଷିଦ୍ଧ କରିବା ଉଚିତ୍। ଫଳରେ ତାଳପତ୍ର ଭୋଗେଇ ଚାହିଦା ବଢିବ । ଫଳରେ ଏହାକୁ ବୃତ୍ତି କରି ଗୁଜୁରାଣ ମେଣ୍ଟାଉଥିବା ପରିବାରର ଆୟ ବଢିବା ସହ ଉପକୃତ ହୋଇ ପାରିବେ ହଜାର ହଜାର ପରିବାର ।"

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ