ETV Bharat / state

ଆଜି ବାହୁଡା ଯାତ୍ରା: ଗୁଣ୍ଡିଚା ମନ୍ଦିରରୁ ବାହୁଡିବେ ବଡ଼ ଠାକୁର

ଆଜି ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା । ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ଶ୍ରୀଜିଉ । ଅପରାହ୍ନ ୪ଟାରେ ଆରମ୍ଭ ହେବ ରଥଟଣା ଆରମ୍ଭ ।

Last Adapa Darshan Of Mahaprabhu Jagannth
Last Adapa Darshan Of Mahaprabhu Jagannth (ETV Bharat Odisha)
author img

By ETV Bharat Odisha Team

Published : July 4, 2025 at 2:21 PM IST

5 Min Read
Choose ETV Bharat

Bahuda Yatra 2025 ପୁରୀ: ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିବେ ବ୍ରହ୍ମାଣ୍ଡ ଗୋସାଇଁ । ଜନ୍ମବେଦୀରେ ସରିଆସୁଛି ମହାପ୍ରଭୁ ଲୀଳାଖେଳା । ରାତି ପାହିଲେ ବାହୁଡା ଯାତ୍ରା । ଭାଇଭଉଣୀକୁ ସାଙ୍ଗରେ ନେଇ ଶ୍ରୀମନ୍ଦିର ଫେରିବେ କାଳିଆ ସାଆନ୍ତ । ଆଜି ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ଶେଷ ଦର୍ଶନ । ଏଥିପାଇଁ ଗୁଣ୍ଡିଚା ମନ୍ଦିରରେ ଲାଗିଛି ଭକ୍ତଙ୍କ ଗହଳି । ଏପଟେ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ପୁରୀରେ ଉପସ୍ଥିତ ରହି ଦର୍ଶନ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ସେପଟେ ବାହୁଡା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି ।

ବାହୁଡିବେ ମହାପ୍ରଭୁ (ETV Bharat Odisha)

ଆଡ଼ପ ମଣ୍ଡପରେ ଶେଷ ଦର୍ଶନ:

ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା । ଆଜି ଶ୍ରୀଜିଉ ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଶେଷ ଦର୍ଶନ ଦେଉଛନ୍ତି । ପୁଣି ଆସନ୍ତାବର୍ଷ ରଥଯାତ୍ରାକୁ ଅପେକ୍ଷା କରିବାକୁ ପଡ଼ିବ ଭକ୍ତଙ୍କୁ । ଶୃଙ୍ଖଳିତ ଦର୍ଶନ ପୋଲିସ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା । ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ଦେଇ ଭକ୍ତ ପ୍ରବେଶ କରୁଥିବା ବେଳେ ନାକଚଣା ଦ୍ଵାର ଦେଇ ଭକ୍ତ ପ୍ରସ୍ଥାନ କରୁଛନ୍ତି ।

କେତେଟା ଯାଏଁ କରିବେ ପାରିବେ ଆଡପ ଦର୍ଶନ ?

ଆସନ୍ତାକାଲି(ଜୁଲାଇ 5) ବାହୁଡା଼ ଯାତ୍ରା ଥିବାରୁ ପ୍ରସ୍ତୁତି ପାଇଁ ଆଜି(ଶୁକ୍ରବାର) ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଭକ୍ତ ମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସମୟ ଅବଧି ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ କରାଯାଇଛି । ଏହା ପରେ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର କରାଯିବ ।

ବାହୁଡ଼ା ଯାତ୍ରା ନୀତି ନିର୍ଘଣ୍ଟ
  • ମଙ୍ଗଳ ଆଳତୀ ଭୋର୍‌ ୪.୦୦
  • ମଇଲମ ଭୋର ୪.୧୫
  • ତଡ଼ପଲାଗି ଭୋର୍‌ ୪.୩୦
  • ରୋଷହୋମ ଭୋର୍‌ ୪.୩୦
  • ଅବକାଶ ସକାଳ ୫.୦୦
  • ସୂର୍ଯ୍ୟପୂଜା ସକାଳ ୫.୧୫
  • ଦ୍ଵାରପାଳ ପୂଜା ସକାଳ ୫.୩୦
  • ବେଶଶେଷ ସକାଳ ୫.୩୦
  • ଗୋପାଳ ବଲ୍ଲଭ ଓ ସକାଳ ଧୂପ ୫.୪୫ ରୁ ୬.୪୫
  • ସେନାପଟାଲାଗି ସକାଳ ୭.୦୦ ରୁ ୧୧.୩୦
  • ମଙ୍ଗଳାର୍ପଣ ଦିନ ୧୧.୪୫
  • ବାହୁଡ଼ା ପହଣ୍ଡି ଦିବା ୧୨.୦୦ ରୁ ୨.୩୦
  • ବେଶଶେଷ ଦିବା ୧.୦୦ ରୁ ୨.୩୦
  • ଛେରା ପହଁରା ଦିନ ୨.୩୦ ରୁ ୩.୩୦
  • ଚାରମାଳ ଫିଟା ଓ ଘୋଡ଼ା ଲାଗିବା ଦିନ ୩.୦୦ ରୁ ୪.୦୦ଟା
  • ରଥଟଣା ଆରମ୍ଭ ଅପରାହ୍ନ ୪.୦୦ଟା

ଆଡ଼ପ ଦର୍ଶନର ମାହାତ୍ମ୍ୟ କଣ ?

ବିଶ୍ବାସ ରହିଛି, ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଡପ ମଣ୍ଡପରେ ଦର୍ଶନ କଲେ ଶ୍ରୀମନ୍ଦିରରେ 10 ବର୍ଷ ଦର୍ଶନର ସମାନ ଫଳ ମିଳିଥାଏ । ଏପରିକି ଅଶ୍ବମେଧ ଯଜ୍ଞର ଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ମହାପ୍ରଭୁ ରଥଯାତ୍ରାରେ ଜନ୍ମବେଦୀକୁ ଆସିବା ବେଳେ ସପ୍ତାହ ଧରି ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରନ୍ତି । ମହାପ୍ରଭୁଙ୍କୁ ଆଡପ ମଣ୍ଡପରେ ଦର୍ଶନ ପାଇଁ କୋଣଅନୁକୋଣରୁ ଭକ୍ତ ଧାଇଁ ଆସନ୍ତି ଶ୍ରୀକ୍ଷେତ୍ରକୁ ।

ଏହା ମଧ୍ୟ ପଢନ୍ତୁ:

ବାହୁଡ଼ା ବେଳେ ମାଉସୀ ମା’ ହାତରୁ ପୋଡ଼ପିଠା ଖାଇବେ ବିଶ୍ବନିୟନ୍ତା, କେମିତି ପ୍ରସ୍ତୁତି ହୁଏ ପିଠା...

ନାକଚଣା ଦ୍ଵାର ସମ୍ମୁଖରେ ଲାଗିଲା ତିନି ରଥ, ଆସନ୍ତା ଶନିବାର ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା

ଦେବଦଳନ ଓ ତାଳଧ୍ୱଜ ରଥର ଦକ୍ଷିଣ ମୋଡ, କାଲି ମୋଡ ନେବ ନନ୍ଦିଘୋଷ

ଆଡ଼ପ ଦର୍ଶନ ମାହାତ୍ମ୍ୟ କଣ ? ଶ୍ରୀମନ୍ଦିରରେ 10 ବର୍ଷର ଦର୍ଶନ ସହ ସମାନ


ଦର୍ଶନ ବ୍ୟବସ୍ଥା ଅନୁଧ୍ୟାନ କଲେ ପୋଲିସ ଡିଜି:

ସେପଟେ ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ନିଜେ ଉପସ୍ଥିତ ରହି ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି । ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି, ‘ଆଜି ପ୍ରବଳ ଭକ୍ତ ଭିଡ ହୋଇଛି । ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଭକ୍ତ ମାନେ ଦର୍ଶନ କରୁଛନ୍ତି । ସବୁ ସ୍ଥାନରେ ପୋଲିସ ମୁତୟନ ଅଛନ୍ତି । ଲୋକଙ୍କ ସହଯୋଗ ଆମେ ପାଉଛୁ । ମୁଁ ଆଶା କରୁଛି ଭକ୍ତ ମାନେ ଭଲରେ ଦର୍ଶନ ପାଇବେ । ବାହୁଡ଼ା ଯାତ୍ରା ପାଇଁ ଆମର ସବୁ ପ୍ରସ୍ତୁତି ସରିଛି । ଉଭୟ ବାହୁଡା଼ ଓ ସୁନା ବେଶ୍ ପାଇଁ ଟ୍ରାଫିକ ନିୟମାବଳୀ ଜାରି କରାଯାଇଛି । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେଉଁ ମାନେ ବାହୁଡା଼ ଯାତ୍ରା ପାଇଁ ପୁରୀ ଅଭିମୁଖେ ଆସୁଛନ୍ତି ସେମାନେ ପୋଲିସ ପକ୍ଷରୁ ଜାରି କରାଯାଇଥିବା ଟ୍ରାଫିକ ନିୟମାବଳୀକୁ ପାଳନ କରନ୍ତୁ । ଭଲରେ ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ବାଦ ଲାଭ କରନ୍ତୁ ।

ବାହୁଡା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା:

ପୁରୀ ଏସପି ପିନାକ ମିଶ୍ର କହିଛନ୍ତି, ‘ଗତକାଲି ହଜାର ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଆଜି ମହାପ୍ରଭୁଙ୍କ ମଙ୍ଗଳ ଆଳତି ନୀତି ପରେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭକ୍ତ । ମହାପ୍ରଭୁଙ୍କ ନୀତିକାନ୍ତି ସଠିକ୍ ସମୟରେ ଚାଲିଛି । ଆଜି ଯେହେତୁ ମହାପ୍ରଭୁଙ୍କ ନବମୀ ଦର୍ଶନ ଏଣୁ ବହୁତ୍ ଭକ୍ତଙ୍କ ଭିଡ ରହିଛି । ତେବେ ଆସନ୍ତାକାଲି ବାହୁଡା଼ ଦିନ । ଏହା ପୂର୍ବରୁ ମହାପ୍ରଭୁଙ୍କ ଅନେକ ନୀତିକାନ୍ତି ରହିଥାଏ । ଏଣୁ ଏହାର ପ୍ରସ୍ତୁତି ନିମନ୍ତେ ଆଜି ସନ୍ଧ୍ୟା 6ଟା ଯାଏ ଦର୍ଶନ ସମୟ ନିର୍ଦ୍ଧାରଣ କରାଯାଇଛି । ବାହୁଡା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ବ୍ୟବସ୍ଥା ହୋଇଛି । ରଥର ଭିତର କର୍ଡନ ବ୍ୟବସ୍ଥା, ସାଧାରଣ କର୍ଡନ ବ୍ୟବସ୍ଥା , ରଥ ଟଣା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ଟ୍ରାଫିକ ଓ ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସହିତ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ।’

ସବୁ ପ୍ରକାର ବ୍ୟବସ୍ଥା ହୋଇଛି:

ପୁରୀ ଜିଲ୍ଲାପାଳ ଚଞ୍ଚଳ ରାଣା କହିଛନ୍ତି, ‘ଆଜି ମହାପ୍ରଭୁଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ସବୁ ବ୍ୟବସ୍ଥା ହୋଇଛି । ମହାପ୍ରଭୁଙ୍କ ସବୁ ନୀତିକାନ୍ତି ଠିକରେ ଚାଲିଛି । ତେବେ ଆସନ୍ତାକାଲି ବାହୁଡା଼ ଯାତ୍ରା ପାଇଁ ପୁରୀକୁ ଭକ୍ତଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି । ତେବେ ଆମେ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ । ଭକ୍ତ ମାନେ କିଭଳି ଭଲରେ ମହାପ୍ରଭୁଙ୍କ ଦର୍ଶନ ପାଇବେ ସେ ନେଇ ସବୁ ପ୍ରକାର ବ୍ୟବସ୍ଥା ହୋଇଛି । ତେବେ ବାହୁଡା଼ ଦିନ ଶ୍ରୀମନ୍ଦିର ସିଂହଦ୍ଵାରରେ ରଥ ପହଞ୍ଚିବା ଆବଶ୍ୟକ ଥିବାରୁ ରଥ ଭିତର କର୍ଡନରେ ଯେତିକି ଆବଶ୍ୟକ ଲୋକ ସେତିକି ହିଁ ରହିବେ । ଏହା ଉପରେ ଆମେ ବେଶୀ ଗୁରୁତ୍ଵ ଦେଉଛୁ ।

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ମହାପ୍ରଭୁଙ୍କ ନୀତିକାନ୍ତିକୁ ସଠିକ୍ ସମୟରେ କରିବା ପାଇଁ ସବୁ ସେବାୟତ ବନ୍ଧୁ ମାନେ ଚେଷ୍ଟିତ ଅଛନ୍ତି । ନୀତିକୁ ଶୃଙ୍ଖଳିତ କରିବା ପାଇଁ ଯାହା ସମ୍ଭବ ପ୍ରଶାସନ ପକ୍ଷରୁ ସହଯୋଗ କରାଯାଉଛି । ଆଜି ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସବୁ କିଛି ଶୃଙ୍ଖଳିତ ଢଙ୍ଗରେ ଚାଲିଛି । ମୋର ଆଶା ବାହୁଡା଼ ଯାତ୍ରା ବି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେବ । ବାହୁଡ଼ା, ସୁନାବେଶ ଓ ନୀଳାଦ୍ରି ବିଜେ ଏହି ତିନିଟି ଗୁରୁତ୍ୱପୂର୍ଣ୍ଣ ନୀତିକୁ ସୁରୁଖୁରୁରେ ସମାପନ ନେଇ ପ୍ରଶାସନ ଠାରୁ ଆରମ୍ଭ କରି ସେବାୟତ ମାନେ ସମସ୍ତେ କାର୍ଯ୍ୟ କରୁଛନ୍ତି । ଆଜି ସନ୍ଧ୍ୟା ଦର୍ଶନ ସନ୍ଧ୍ୟା 6 ଟା ଯାଏ କରାଯାଇଛି । ଯଦି ଦର୍ଶନ ସମୟ ବୃଦ୍ଧି ହେବ ତାହା ହେଲେ ବାହୁଡା଼ ଯାତ୍ରା ନୀତି କାନ୍ତି ବିଳମ୍ବ ହେବ । ପହଣ୍ଡି ନୀତି, ରଥ ଟଣା ବିଳମ୍ବ ହେବ । ଫଳରେ ଆସନ୍ତାକାଲି ତିନିରଥ ଶ୍ରୀ ମନ୍ଦିର ସିଂହଦ୍ଵାରରେ ଲାଗିବା ବିଳମ୍ବ ହେବ।’

ସହାୟତା କରୁଛି ଏଆଇ କ୍ୟାମେରା:

ସେ ଆହୁରି କହିଛନ୍ତି, ‘ବାହୁଡା଼ ପରଦିନ ସୁନାବେଶ୍ ଅଛି । ସିଂହଦ୍ଵାରରେ ତିନି ରଥ ନ ଲାଗିଲେ ଆଗାମୀ ନୀତିରେ ବିଭ୍ରାଟ ହେବ । ସବୁ କିଛି ସମନ୍ଵୟ ଠିକ୍ ଅଛି । ମହାପ୍ରଭୁଙ୍କ କୃପାରୁ ବାହୁଡା଼ ଯାତ୍ରା ନୀତି ମଧ୍ୟ ଠିକରେ ଅନୁଷ୍ଠିତ ହେବ ବୋଲି ମୋର ଆଶା ଅଛି । ତେବେ ରଥ ଯାତ୍ରାକୁ ନେଇ ଯେଉଁ ମାନେ ରାଜନୀତି କରୁଛନ୍ତି ତାଙ୍କୁ କୌଣସି ମନ୍ତବ୍ୟ ଦେବାକୁ ମୁଁ ଉଚିତ୍ ବୋଲି ଭାବୁନାହିଁ । ଆମେ ଜଗନ୍ନାଥ ପ୍ରେମୀ । ଆମର ମହାପ୍ରଭୁଙ୍କ ଉପରେ ବିଶ୍ୱାସ ରହିଛି ତାଙ୍କରି ଇଚ୍ଛା ଓ ଆଶୀର୍ବାଦରେ ଠିକରେ ରଥ ଯାତ୍ରା ଅନୁଷ୍ଠିତ ହେବ । ଏଆଇ କ୍ୟାମେରା ଲାଗିବା ଦ୍ଵାରା ଆମକୁ ବହୁତ୍ ସହାୟତା ମିଳୁଛି ।

ସେ ଆହୁରି କହିଛନ୍ତି, ‘ଭୁବନେଶ୍ଵରରୁ ପୁରୀ ଓ ପୁରୀ ସହରରେ ଟ୍ରାଫିକ ବ୍ୟବସ୍ଥା ସୁପରିଚାଳନା ହୋଇପାରୁଛି । ଆଗାମୀ ଦିନରେ ଏହି ଏଆଇ କ୍ୟାମେରାର ସୁଫଳ ଆହୁରି ମିଳିବ । ତେବେ ଶରଧା ବାଲିରେ ଭକ୍ତଙ୍କ ମୃତ୍ୟୁ ଘଟଣା ଏକ ମନୁଷ୍ୟକୃତ୍ ତ୍ରୁଟି ଥିଲା । ଏହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଏହି ଘଟଣାରେ ତଦନ୍ତ ଚାଲିଛି । ତଦନ୍ତ ରିପୋର୍ଟ ଆସିବା ପରେ ଯିଏ ବି ଦୋଷୀ ଥିବ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆସନ୍ତା ନିଳାଦ୍ରୀ ବିଜେ ସୁଦ୍ଧା ଶେଷ ହେବ । ପରେ ଏଏସଆଇ ରତ୍ନ ଭଣ୍ଡାରକୁ ଶ୍ରୀ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବେ । ଏହା ପରେ ରାଜ୍ୟ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ।’

ବାହୁଡା ଯାତ୍ରା ନୀତିକାନ୍ତି ଆଗୁଆ ହେବ:

ସେପଟେ ବରିଷ୍ଠ ଦଇତାପତି ସେବକ ବିନାୟକ ଦାସ ମହାପାତ୍ର କହିଛନ୍ତି,‘ମହାପ୍ରଭୁଙ୍କ ବାହୁଡା଼ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସେବାୟତ ମାନେ ସବୁ କାର୍ଯ୍ୟ ଜାରି ରଖିଛନ୍ତି । ବାହୁଡା଼ ଯାତ୍ରା ନୀତିକାନ୍ତି କିଭଳି ଆଗୁଆ ହୋଇପାରିବ ସେ ନେଇ ସବୁ ସେବାୟତ ଲାଗିଛନ୍ତି । ମହାପ୍ରଭୁଙ୍କ କୃପାରୁ ସବୁ କିଛି ଭଲରେ ଅନୁଷ୍ଠିତ ହେବ ବୋଲି ଆମର ଆଶା ରହିଛି ।’

ଇଟିଭି ଭାରତ, ପୁରୀ