ଭୁବନେଶ୍ବର: ପ୍ରବାସୀ ଭାରତୀୟ ଦିବସରେ ରାଜଧାନୀରେ ପୋଲିସ ଇନଫର୍ମର ସହଦେବ ନାୟକ ହତ୍ୟା ଘଟଣା । ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ ରମା ନାୟକ । ଦୀର୍ଘ 40ଦିନ ଧରି ଲୁଚକାଳି ପରେ ଶେଷରେ ମଞ୍ଚେଶ୍ବର ଥାନାରେ ଆତ୍ମସମର୍ପଣ ପରେ ଗିରଫ କଲା ପୋଲିସ। ସାମ୍ନାକୁ ଆସିଲା ହତ୍ୟା ପାଇଁ ଷଡ଼ଯନ୍ତ୍ର ପଛରେ ସିଣ୍ଡିକେଟର ମେଳି । ଥାନାରେ ପହଞ୍ଚି ନିଜକୁ ରମା ନାୟକ ବୋଲି ପରିଚୟ ଦେଇଥିଲା ଅଭିଯୁକ୍ତ । ଯାହା ପରେ ପୋଲିସ ମଧ୍ୟ ତାଜୁବ ହୋଇଥିଲା । ତୁରନ୍ତ ଥାନାଧିକାରୀ ଓ ତଦନ୍ତକାକରୀ ଅଧିକାରୀଙ୍କ ପାଖରେ ଖବର ପହଞ୍ଚିବା ପରେ ଶେଷରେ ପୋଲିସ ରମାକୁ ଗିରଫ କରି ହାଜତକୁ ନେଇଥିଲା ।
ହତ୍ୟାର 40 ଦିନ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ:
ତେବେ ଗତ ଜାନୁଆରୀ 8 ତାରିଖରେ ରସୁଲଗଡ ଓଭରବ୍ରିଜ ଉପରେ ଅତି ବୀଭତ୍ସ ଭାବେ ପୋଲିସ ଇନଫର୍ମର ସହଦେବ ନାୟକକୁ ହତ୍ୟା କରାଯାଇଥିଲା । ଏହି ହତ୍ୟା ଘଟଣାରେ ପୂର୍ବରୁ 6ଜଣ ଗିରଫ ହୋଇଥିବା ବେଳେ ଆଜି ରମାନାୟକକୁ ଗିରଫ କରିଛି କମିଶନରେଟ ପୋଲିସ। ହତ୍ୟା ପରେ ଧରାନପଡିବା ପାଇଁ ଦୀର୍ଘ 40ଦିନ ଧରି ଲୁଚକାଳୀ ଖେଳୁଥିଲା ରମା ନାୟକ ।

ଗିରଫଦାରୀ ସଂଖ୍ୟା 7ରେ ପହଞ୍ଚିଲା:
ଏନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି ,''ଏହି ଘଟଣାରେ ସାଇଣ୍ଟିଫିକାଲ ତଦନ୍ତ ହୋଇଥିଲା । ଅନେକ ଲୋକଙ୍କୁ ପଚରାଉଚରା କରାଯାଇଥିଲା । ପୋଲିସକୁ ହୃଦୟଙ୍ଗମ ହୋଇଥିଲା ଏହି ଘଟଣା ପଛରେ କିଛି ଷଡ଼ଯନ୍ତ୍ର ରହିଛି । ସେନେଇ ଯାଞ୍ଚ ବେଳେ ରମା ନାୟକଙ୍କୁ ଧରିବା ପାଇଁ ଉଦ୍ୟମ ରହିଥିଲା । ରମା ନାୟକ ବିରୋଧରେ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଯେତେବଳେ କୌଣସି ଅଭିଯୁକ୍ତ ଯଦି ଗିରଫ ଦାରି ନ ହୋଇ ତଦନ୍ତକାରୀକୁ ସହଯୋଗ କରୁନାହିଁ ସେତେବେଳେ ଅପରାଧି ବିରୋଧରେ ଗିରଫ ବିହୀନ ପରୱାନା ଜାରି ସହ ଘର ସମ୍ପତ୍ତି ସିଜ କରିବାର କ୍ଷମତା ଅଛି । ସେନେଇ ରମା ନାୟକ କର ବିଭିନ୍ନ ଘର ଓ ସମ୍ପର୍କୀୟଙ୍କ ଘରେ ଘନ ଘନ ରେଡ ପରେ ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀକୁ ଗିରଫ କରିଛି ପୋଲିସ । ଏହି ଘଟଣାରେ ମୋଟ ଗିରଫଦାରୀ 7ଜଣରେ ପହଞ୍ଚିଛି । ରମା ନାୟକ ଗିରଫ ହୋଇଛି ଆମେ ଏହି ଘଟଣାର ତୁରନ୍ତ ଚାର୍ଜସିଟ୍ ଦାଖଲ କରିବୁ । ଆମକୁ ରମା ନାୟକ ବିରୋଧରେ ପ୍ରମାଣ ମିଳିଛି।''

ପିଙ୍କି ନାୟକ ଗିରଫ ପରେ ରମାର ଆତ୍ମସମର୍ପଣ:
ହତ୍ୟାକାଣ୍ଡ ଦିନକ ପୂର୍ବରୁ ଡୁମୁଡୁମାରେ ସୁଶେଇ ନାୟକ ଘରେ ରମା ନାୟକ ଓ ଅନ୍ୟ ହତ୍ୟାକାରୀ ମିଶି ଷଡ଼ଯନ୍ତ୍ର ରଚିଥିବା ପୋଲିସ ପାଖରେ ସହଦେବର ପରିବାର ଅଭିଯୋଗ ଆଣିଥିଲେ । ଏହାପରେ ହତ୍ୟା ଦିନ ପରଠାରୁ ରମା ଓ ତାର ପୁଅ ବାଇକ ଯୋଗେ ଖସି ପଳାଇ ଟ୍ରେନ ଯୋଗେ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିଥିଲେ। ବ୍ରହ୍ମପୁର ରେଳ ଷ୍ଟେସନରେ ଅଭିଯୁକ୍ତ ବିଚରଣ କରୁଥିବା ସିସିଟିଭି ଫୁଟେଜରୁ ଖବର ପାଇଥିଲା ପୋଲିସ । ସେଠାରେ ତନାଘନା ପରେ କୌଣସି ଖୋଜ ଖବର ନ ପାଇ ରାଜ୍ୟ ବାହାରକୁ ଖସିଯାଇଥିବା ସନ୍ଦେହ କରୁଥିଲା ପୋଲିସ । ହେଲେ ରମାର ସାମ୍ରାଜ୍ୟ ସମ୍ଭାଳୁଥିବା ଅନ୍ୟତମ ସହଯୋଗୀ ପିଙ୍କି ନାୟକ ଗତ ଦୁଇ ଦିନ ତଳେ ଗିରଫ ପରେ ଜଣାପଡିଥିଲା ରମା ନାୟକ ପିଙ୍କି ବିନା କିଛି କରିପାରୁନି । ଏପରିକି ତାର ଆର୍ଥିକ ଓ ସମସ୍ତ କାରବାର ପିଙ୍କି ସମ୍ଭାଳୁଥିଲା । ତେବେ ପିଙ୍କି ଗିରଫ ପରେ ରମାର ବାଙ୍କି, ଖୋର୍ଦ୍ଧାର ଦୁଇ ତିନି ଗୋଟି ସ୍ଥାନରେ ଘନ ଘନ ପୋଲିସ ରେଡ ସହ ଗଙ୍ଗନାଗର ରହୁଥିବା କମାର ଘରେ ମଧ୍ୟ ସିଲ୍ କରିଥିଲା । ପୋଲିସ ଭୟରେ ଶେଷରେ ଆତ୍ମସମର୍ପଣ କରିଥିଲା ରମା ନାୟକ।

ରମା ଓ ସହଦେବ ପରିବାର ମଧ୍ୟରେ ଶୀତଳ ଯୁଦ୍ଧ:
ରମା ନାୟକ ଘର ଗଙ୍ଗନାଗର ଛକରେ । 25ବର୍ଷ ତଳେ ରମାର ସ୍ବାମୀ ସୁରେନ୍ଦ୍ର ନାୟକକୁ କେଦାରପଲ୍ଲୀ ବସ୍ତି ପାଖରେ ହତ୍ୟା କରାଯାଇଥିଲା । ରମା ମୃତ ସହଦେବ ନାୟକର ପାରିବାରିକ ସମ୍ପର୍କୀୟ ଥିଲେ। ସେ ଏସସିବି ମେଡିକାଲ ରେଗୁଲାର ପୋଷ୍ଟରେ ସୁଇପର ଭାବେ ଚାକିରି କରିଥିଲା । ହେଲେ ଅଧିକାଂଶ ସମୟରେ ସେ ଭୁବନେଶ୍ୱରରେ ରହୁଥିଲା । ରମା କେଦାର ପଲ୍ଲୀ ବସ୍ତିରେ ଅନେକ ଲୋକଙ୍କୁ ସୁଧ ଲଗାଇଥିଲା । ଏଥିପାଇଁ ରମାର ଦବଦବା ବସ୍ତିରେ ବଢିଥିଲା । ଆଉ ସେହି ବସ୍ତିରେ ସହଦେବ ନାୟକ ମଧ୍ୟ ସମସ୍ତ ସଫେଇ କର୍ମଚାରୀଙ୍କ ନେତା ଥିଲେ। ସେ ରମାକୁ ବିରୋଧ କରି ଆସୁଥିଲେ । ଶେଷରେ ରମା ଓ ସହଦେବ ପରିବାର ମଧ୍ୟରେ ଏକ ପ୍ରକାର ଶୀତଳ ଯୁଦ୍ଧ ଚାଲିଥିଲା । ପୋଲିସ ଇନଫର୍ମର ଭାବି ତା ଦେହରେ ହାତ ଲଗାଉନଥିଲା।
ସହଦେବ ବିରୋଧରେ ମେଳି:
ବିଗତ ଦିନ ମାନଙ୍କରେ ରମା ସହଦେବର ବିରୋଧି ମାନଙ୍କୁ ମେଳି କରି ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚିଥିଲା। ଜେଲ୍ ଯାଇଥିବା ଲୋକଙ୍କୁ ଜେଲରୁ ମୁକାଳିବା ପାଇଁ ମଧ୍ୟ ରମା ସହଯୋଗ କରୁଥିଲା । ରମା ସହିତ ସହଦେବ ପ୍ରତି ରାଗ ଥିବା ତିନୋଟି ପରିବାର ଷଡ଼ଯନ୍ତ୍ର ରଚିଥିଲେ। ଜାନୁଆରୀ 8 ତାରିଖରେ ରସୁଲଗଡ ଓଭରବ୍ରିଜ ଉପରେ ତାକୁ ପିଛା କରି ସିସିଟିଭି ନଥିବା ସ୍ଥାନ ପାଖରେ ସହଦେବକୁ ହତ୍ୟା କରିଥିଲେ। ଲିପିକା, ଲକ୍ଷ୍ମୀଧର ନାୟକ, ସୁଶେଇ ଓ ରକି ମିଶି ହତ୍ୟା କରି ଖସିଯାଉଥିବା ବେଳେ ଏକ ମୋବାଇଲ ଫୁଟେଜ ଆଧାରରେ ପ୍ରଥମେ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଥିଲା । ପୁଣି ଆଉ ଜଣେ ସହଯୋଗୀକୁ ମଧ୍ୟ ଗିରଫ କରିଥିଲା ପୋଲିସ ।

ଏହି ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇଥିବା ଲିପିକା ନାୟକ ଓ ତାର ସ୍ବାମୀ ପୂର୍ବରୁ ଗିରଫ ହୋଇ ଜେଲ ଯାଇଥିଲେ । ସେମାନେ ଭାବୁଥିଲେ ସେମାନଙ୍କୁ ଗିରଫ ପଛରେ ସହଦେବର ହାତ ଥାଇପାରେ । ଏନେଇ ସହଦେବ ପ୍ରତି ରାଗ ଥିଲା । ଆଉ ସେମାନେ ଜେଲରୁ ମୁକୁଳିବା ପାଇଁ ରମା ମଧ୍ୟ ସହଯୋଗ କରିଥିଲା। ତେଣୁ ଲିପିକା ଓ ଲକ୍ଷ୍ମୀଧର ରମା ପକ୍ଷରେ ରହିଥିଲେ । ସେହିପରି ଲକି ଓ ତାର ସ୍ବାମୀ ରାକେଶ ମଧ୍ୟ ସହଦେବକୁ ଶତୃ ମାନୁଥିଲେ । ଯେହେତୁ ସହଦେବ ଲକିକୁ ଲୋକ ଲଗାଇ ମାଡ଼ ମାରିଥିବା ସେମାନେ ଭାବୁଥିଲେ।ଏନେଇ ରାଗ ରଖି ରମା ସହ ହାତ ମିଳାଇଥିଲେ ଉଭୟ। ସେହିପରି ପୂର୍ବରୁ ଦୁଇ ତିନି ଥର ଜେଲ ଯାଇଥିବା ସୁଶେଇ ମଧ୍ୟ ସହଦେବକୁ ହତ୍ୟା ପାଇଁଭଣଜା ସହ ଷଡ଼ଯନ୍ତ୍ର ରଚିଥିଲା। ଏନେଇ ଏଭଳି ଭାବେ ଗୋଟିଏ ପରେ ଗୋଟିଏ ସହଦେବ ବିରୋଧରେ ମେଣ୍ଟ ହୋଇ ଏକ ମେଳି କରି ହତ୍ୟା ପାଇଁ ଷଡ଼ଯନ୍ତ୍ର କରିଥିଲେ ଆଉ ହତ୍ୟା କରି ଧରାପଡ଼ି ଥିଲେ।
ଇଟିଭି ଭାରତ, ଭୁବନେଶ୍ବର