ବାଲେଶ୍ବର: କୁହାଯାଏ ମା’ ଚୈତ୍ର ମାସ ଠାରୁ ପଣା ସଂକ୍ରାନ୍ତି ଯାଏଁ ଜଗତ ମଙ୍ଗଳ କରିବା ପାଇଁ ସ୍ୱଦେହରେ ମର୍ତ୍ତ୍ୟରେ ଆବିର୍ଭାବ ହୋଇଥାନ୍ତି। ଏଥିପାଇଁ ରାଜ୍ୟର ବିଭିନ୍ନ ଦେବୀ ପୀଠରେ ଘଟ ଯାତ୍ରା ଆରମ୍ଭର ପରମ୍ପରା ରହିଛି । ଓଡିଆଙ୍କ ଆସ୍ଥା ଓ ବିଶ୍ୱାସର ଅନେକ ପର୍ବ ପର୍ବାଣୀ ଚାଲିଥିବା ବେଳେ ସେସବୁ ଭିତରୁ ଉଡ଼ା ପର୍ବ, ନିଅନପାଟୁଆ, ଖଣ୍ଡା ପାଟୁଆ ପର୍ବ ଅନ୍ୟତମ। ଉତ୍ତର ଓଡିଶାରେ ବିଶେଷ କରି ଏହି ପର୍ବ ଦେଖିବାକୁ ମିଳେ। କିଛି ଜାଗାରେ ଚୈତ୍ର ମାସ ଠାରୁ ପଣା ସଂକ୍ରାନ୍ତି ଯାଏ ପର୍ବ ଚାଲୁଥିବା ବେଳେ ଅନ୍ୟକିଛି ଜାଗାରେ ଗ୍ରାମଦେବତୀଙ୍କ ଆରାଧନା କରାଯାଇଥାଏ । ପଣା ସଂକ୍ରାନ୍ତି ପରେ ଉଡ଼ାପର୍ବ ଅନୁଷ୍ଠିତ ହୋଇଥାଏ। ପ୍ରତି ଗାଁରେ ଥିବା ଗ୍ରାମଦେବତୀ ମାନଙ୍କୁ ପୂର୍ବରୁ ଆରାଧନା କରାଯାଉଥିବା ବେଳେ କିଛି ସ୍ଥାନରେ ଏହି ଉଡ଼ା ପର୍ବ ବେଶ ଧୂମଧାମରେ ପାଳନ କରାଯାଇଥାଏ। ଏମିତି ପରମ୍ପରା, ଆସ୍ଥା ଓ ବିଶ୍ୱାସର ଅନ୍ୟ ଏକ ପ୍ରତୀକ ହେଉଛି ଘଟ। ଯେଉଁ ଠାକୁରାଣୀଙ୍କ ପାଖରୁ ଏହି ଘଟ ବାହାରି ଥାଆନ୍ତି ସେ ଗାଁ ଗାଁ ବୁଲି ଲୋକଙ୍କୁ ଆଶୀର୍ବାଦ କରିଥାନ୍ତି।
- ମା’ ସିରେଇଙ୍କ ଘଟଯାତ୍ରା
ପୂର୍ବରୁ ଏହା ମଧ୍ୟ ବିଶ୍ୱାସ ଥିଲା ଯେ ମା’ ଘଟ ଭାବେ ଘରକୁ ଆସିଲେ ଘରର ଦୁଃଖ, ରୋଗ ଦୁରେଇ ଯାଏ। ଏବେ ମଧ୍ୟ ସେହି ବିଶ୍ୱାସ କିଛି ଗାଁରେ ରହିଥିବା ଦେଖିବାକୁ ମିଳେ। ଯେମିତି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଶ୍ରୀରାମପୁର ଅଞ୍ଚଳରେ ଥିବା ମା ସିରେଇଙ୍କ ଘଟ ଏବେ ଗାଁ ଗାଁ ବୁଲି ଲୋକମାନଙ୍କୁ ଆଶୀର୍ବାଦ କରିବା ସହ ଜଗତ ମଙ୍ଗଳ କାର୍ଯ୍ୟରେ ବାହାରିଛନ୍ତି। ଚୈତ୍ର ମାସ ଅଧାରୁ ପଣା ସଂକ୍ରାନ୍ତି ଯାଏ ଏହି ଘଟ ବାହାରି ଥାଆନ୍ତି। ଯିଏ ଏହି ଘଟର ରୂପ ନିଅନ୍ତି ସେ ସମ୍ପୂର୍ଣ୍ଣ ଭାବେ ନୀତି ନିୟମରେ ରୁହନ୍ତି। ଏମିତି କି ସେ ପରିବାର ଭିତରେ ରହି ମଧ୍ୟ ଅଲଗା ରୁହନ୍ତି। ଏ ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସୁଥିବା ବେଳେ ଏବେ କିନ୍ତୁ ଏହା ବହୁତ କମ ଦେଖିବାକୁ ମିଳୁଛି।
ଘଟ ମା’ଙ୍କ ଏକ ରୂପ ହୋଇଥିବା ବେଳେ ଘାଗରା ପିନ୍ଧି, ସିନ୍ଦୁର ଲଗାଇ, ପାଦରେ ଅଳତା ପିନ୍ଧି ପୁରା ମା’ଙ୍କ ଭଳି ବେଶ ହୋଇ ଚାଲିଚାଲି ଗାଁ ବୁଲିଥାନ୍ତି। ତାଙ୍କ ସହିତ ଢୋଲ ଏବଂ ଜଣେ ପୂଜାରୀ ମଧ୍ୟ ରହିଥାନ୍ତି। ଖାଲି ପାଦରେ ବହୁ ଦୂର ଦୁରାନ୍ତକୁ ଘଟ ଯାଇ ଲୋକମାନଙ୍କୁ ଆଶୀର୍ବାଦ କରିଥାନ୍ତି।
- କାହିଁକି ମହିଳାଙ୍କ ପୋଷାକ ପରିଧାନ କରନ୍ତି ଘଟ ?
ତେବେ ଏହି ଘଟ କଣ ଏବଂ କେଉଁମାନେ ଏହି ଘଟର ରୂପ ନେଇ ପାରିବେ, କେଉଁକେଉଁ ନୀତି ନିୟମ ରହିଛି ସେ ବିଷୟରେ ସୂଚନା ଦେଇ ପୂଜକ ସୁରେନ୍ଦ୍ର ସାହୁ କହିଛନ୍ତି ଯେ,"ଏ ପରମ୍ପରା ଆମର ବାପଜେଜେ ଅମଳରୁ ଚାଲିଛି। ଇଏ ମାଙ୍କର ପର୍ବ, ମା ଘଟବାସୁଳି, ମା ସିରାଦେବୀ, ମା ସିରାଦେଇ, ମା କାଛିନିଙ୍କର ସବୁ ରହୁଛି ପୂଜା। ମା ସିରାଦେଇଙ୍କ ପୂଜା ରହୁଥିବା ବେଳେ ତାଙ୍କ ଭଉଣୀ ଘଟ ବାସୁଳିଙ୍କ ଉଡାପର୍ବ ରହୁଛି। ଚୈତ୍ର ମାସ ୧୫, ୧୬ ତାରିଖ ଠାରୁ ବୈଶାଖ ମାସ ୧୫ ତାରିଖ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ପର୍ବ ରହୁଛି। ଇଏ ମାଙ୍କ ପରମ୍ପରାର ଗୋଟେ ନାଚ ଓ ଅଙ୍ଗ ରହୁଛି। ଘଟ ସିଏ ହୋଇ ପାରିବେ ଯିଏ ନୀତି ନିୟମ ଭିତରେ ରହି ପାରିବେ। ଯେବେଠୁ ଘଟ ବାହାରିବେ ସିଏ ଅଲଗା ବିଛଣାରେ ଶୋଇବେ, ଅରୁଆ ଖାଇବେ, ପିଆଜ ରସୁଣ ଖାଇବେନି, ଆମିଷ ଖାଇବେନି ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ଏହି ନିୟମ ମାନିବାକୁ ହୁଏ। ମାଙ୍କର ଶାଢ଼ୀ ରହୁଛି ଏହାସହ ଏହି ପ୍ରକାର ଡ୍ରେସ ମଧ୍ୟ ରହୁଛି, ଆମର ତ ସ୍ତ୍ରୀ ଲୋକ ନାହାନ୍ତି ପୁରୁଷ ହିଁ ପିନ୍ଧିବେ। ଯିଏ ମାଙ୍କ ଅବତାର ନେବ ମାଙ୍କ ଏହି ଡ୍ରେସ ରହିବ, ଶାଢ଼ୀ ବି କିଛି ଜାଗାରେ ଚାଲିଛି। ମାଆଙ୍କର ଏହି ଡ୍ରେସ କୁ ଘାଗରା ଚୁନି କୁହାଯାଏ। ମା’ଙ୍କର ଯେଉଁ ପରମ୍ପରା ଓ ନିୟମ ରହିଛି ଆମକୁ ସେହି ନିୟମରେ ଚାଲିବାକୁ ପଡିବ। ମା ଘରକୁ ଆସିଲେ ତାର ନିୟମ ରହୁଛି ହଳଦୀ ପାଣି, ଗନ୍ଧା ପାଣି ପକାଇ ମାଙ୍କୁ ଆବାହନ କରିବେ। ତା ପରେ ମା ଘରକୁ ପ୍ରବେଶ କରିବେ। ଏବେତ ସେହି ନିୟମ କେହି ମାନୁନାହାନ୍ତି ଖାଲି ପାଣି ପକାଇ ମାଙ୍କୁ ଆବାହନ କରାଯାଉଛି। ନିୟମ ରହିଛି ଯେ ମା ଆଶୀର୍ବାଦ ସ୍ୱରୂପ ବେତ ବୁଲାଇବେ, ଫୁଲଟିଏ ଦେବେ, ଅରୁଆ ଚାଉଳ, ଜଳ ଦେବେ। ବିଧି ବିଧାନରେ ଯେଉଁମାନେ ମାନୁଛନ୍ତି ସେମାନେ ଏମିତି ଘଟ ବାହାର କରୁଛନ୍ତି ସମସ୍ତେ ତ ଏହି ବିଧି ବିଧାନ ମାନି ପାରୁ ନାହାନ୍ତି ସେଇଥିପାଇଁ କରି ପାରୁନାହାନ୍ତି। ଉଡାପର୍ବ, ନିଆଁ ପାଟୁଆ ସରିବା ପରେ ମାଙ୍କ ପର୍ବ ସରିବ।"

ଏହି ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସୁଥିବା ବେଳେ ଏବେ ଆଧୁନିକତାର ଆଢୁଆଳରେ ସତେ ଯେମିତି ଆସ୍ଥା ଓ ବିଶ୍ୱାସ କିଛି ମାତ୍ରାରେ କମି ଯାଇଥିବା କଥା କହିଛନ୍ତି କୈଳାସ ପରିଡ଼ା। କୈଳାସ ଏହି ଉଡାପର୍ବ ଓ ଘଟ ସମ୍ପର୍କରେ କହିଛନ୍ତି ଯେ," କାହିଁ କେଉଁ କାଳରୁ ଏ ପରମ୍ପରା ରହି ଆସିଛି। ଆଜିକାଲି ଲୋକ କିଏ ମାନୁଚି କିଏ ମାନୁ ନାହାନ୍ତି। ଏହି ଯେଉଁ ନୀତି ନିୟମ ରହି ଆସିଛି, ଏ ବହୁତ ଯୁଗରୁ ରହି ଆସିଛି। ଏସବୁ ଦେଖିବାକୁ ମିଳୁଛି ହେଲେ ବହୁତ କମ। ଲୋକ ଆଜିକାଲି ଆଧୁନିକ ଯୁଗରେ ସେସବୁ ଭୁଲିଗଲେଣି। ଆଗରୁ ଥିଲେ ପୁରୁଣା ଲୋକ ଏସବୁ ମାନୁଥିଲେ, ଏବେ ସବୁ ନୂଆପିଲା ମାନେ ମାନୁ ନାହାନ୍ତି। ତଥାପି ବହୁତ ଜାଗାରେ ଏସବୁ ଚାଲିଛି।"
- ଏବେ ଏହି ପରମ୍ପରା ଲୁଚିବାକୁ ବସିଲାଣି
ଘଟ ଆଗରୁ କେମିତି ଗାଁକୁ ଆସୁଥିଲେ କେମିତି ଆଶୀର୍ବାଦ କରୁଥିଲେ ଏବଂ ଲୋକମାନଙ୍କର କଣ ବିଶ୍ୱାସ ରହିଥିଲା ସେ ସମ୍ପର୍କରେ ସୂଚନା ଦେଇ ବ୍ୟବସାୟୀ ଅକ୍ଷୟ ମହାନ୍ତି କହିଛନ୍ତି ଯେ," ବହୁତ ଲୋକ ମାନସିକ କରିଥାନ୍ତି, ସେମାନଙ୍କର ମାନସିକ ପୂରଣ ହୁଏ। ଘଟ ଆସନ୍ତି ଗାଁ ଗାଁ ବୁଲନ୍ତି, ବେତ ଆଣିଥାନ୍ତି, ଘାଗରା ପିନ୍ଧି ଆସିଥାନ୍ତି। ସେମାନେ ପ୍ରଥମେ ଗାଁ ପିଲାମାନଙ୍କୁ ଧାଡି କରି ବସାଇ ଦେବାପରେ ମୁଣ୍ଡରେ ବେତ ବୁଲାଇ ଆଶୀର୍ବାଦ କରନ୍ତି ତା ପରେ କାନିରେ ଆଶୀର୍ବାଦ କରନ୍ତି। ସମସ୍ତଙ୍କ ଗୋଟେ ଆଗ୍ରହ ଅଛି ଯେ ମାଙ୍କ ଏହିପ୍ରକାର ଆଶୀର୍ବାଦ ପାଇଲେ ତାଙ୍କର ବିଭିନ୍ନ ପ୍ରକାର ରୋଗ ଭଲ ହୋଇଯାଏ । ଏବେ କିନ୍ତୁ ଲୋକଙ୍କର ଟିକେ ଆସ୍ଥା କମି ଯାଇଛି, ତଥାପି ଚାଲିଛି କିନ୍ତୁ ବହୁତ କମ ଚାଲିଛି। ଆଗରୁ ଯେଉଁ ପ୍ରକାର ପ୍ରତ୍ୟେକ ଗାଁ ଗାଁ ବୁଲିଥାନ୍ତି ଏବେ କିନ୍ତୁ ସେମାନଙ୍କର ସଂସ୍ଥା ବି କମି ଗଲାଣି। ପ୍ରତି ଗାଁ ରେ ଗ୍ରାମଦେବତୀ ଅଛନ୍ତି କିନ୍ତୁ କିଛି ଅନୁଷ୍ଠାନରେ ଏପରି ଉଡ଼ା ହୁଏ ଏବଂ ମା ଆସନ୍ତି। ଲୋକଙ୍କର ଭରସା ଅଛି, ଯେ କୌଣସି ଶୁଭ କାମ କଲେ ବି ପ୍ରଥମେ ସେମାନେ ଗ୍ରାମ ଦେବତୀଙ୍କ ପୂଜା କରନ୍ତି ତା ପରେ ଅନ୍ୟ କାମ ଆରମ୍ଭ ହୁଏ। ବର୍ତ୍ତମାନ ଲୋକଙ୍କ ଭିତରେ ସେ ଆସ୍ଥା ଓ ବିଶ୍ୱାସ ରହିଛି କିନ୍ତୁ ଆଧୁନିକ ଯୁଗରେ ଟିକେ ପରିବର୍ତ୍ତନ ଦେଖିବାକୁ ମିଳିଛି। ବୈଶାଖ ମାସ ଆସିଲେ ସମସ୍ତଙ୍କର ବିଶ୍ୱାସ ଅଛି ଯେ ମା ସ୍ୱଦେହରେ ମର୍ତ୍ତ୍ୟକୁ ଆସନ୍ତି। ଏଠାରେ ଯେତେଦିନ ରୁହନ୍ତି ସେତିକି ଦିନ ପରେ ପୁଣି ପ୍ରତ୍ୟବର୍ତ୍ତନ କରି ଯାଆନ୍ତି।"
ଏହା ମଧ୍ୟ ପଢନ୍ତୁ ବୁଢ଼ୀ ଠାକୁରାଣୀ ଯାତ୍ରାରେ 'ଧର୍ମଝଣ୍ଡା', କାହିଁକି ମହିଳା କରନ୍ତି ପୂଜାର୍ଚ୍ଚନା ?
ଏହା ମଧ୍ୟ ପଢନ୍ତୁ ବୁଢ଼ୀ ଠାକୁରାଣୀ ଯାତ୍ରାରେ ମହୁରୀ ରାଜ ପରିବାର, ପ୍ରଥମେ ରାଜବାଟୀକୁ ଆସନ୍ତି ମାଆ, ପରେ ସାହି ପରିକ୍ରମା