ପୁରୀ: ରାତି ପାହିଲେ ମହାପ୍ରଭୁଙ୍କର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲାପରେ ଜ୍ୱରରେ ପଡ଼ିବେ ମହାପ୍ରଭୁ। ତେବେ ୧୫ ଦିନ ଧରି ଅଣସର ଘରେ ଚତୁଃର୍ଦ୍ଧାମୂର୍ତ୍ତିଙ୍କ କରାଯିବ ଗୁପ୍ତସେବା। ଏହି ସମୟରେ ଶ୍ରୀମନ୍ଦିରରେ ମନ୍ତ୍ରୋଚାରଣ ଓ ଅନ୍ୟାନ୍ୟ ନିତୀ ବନ୍ଦ ରହିବ। ଭକ୍ତମାନଙ୍କୁ ନିରାଶ ନକରି ଶ୍ରୀମନ୍ଦିରରେ ପଟିଦିଅଁ ରୂପରେ ଦର୍ଶନ ଦେବେ ମହାପ୍ରଭୁ। ଏଥିପାଇଁ ଚିତ୍ରକର ସାହି ଓ ବାସେଳୀ ସାହି ପଣାପ୍ରିୟା ଲେନରେ ଚିତ୍ରକର ସେବାୟତ ମାନେ ଅତି ନିଷ୍ଠା, ଭକ୍ତି, ସମର୍ପଣ ମନୋଭାବର ସହ ପ୍ରସ୍ତୁତ କରୁଛନ୍ତି ପଟ୍ଟି ଦିଅଁ।
ଚିତ୍ରକର ସେବକ ରିତୁରାଜ ମହାରଣା କୁହନ୍ତି ‘‘ଶୀତଳଷଷ୍ଟୀରୁ ପଟ୍ଟି ପ୍ରସ୍ତୁତ କରାଯାଏ । ଏଥିପାଇଁ ଖଡି, କନା ଓ ଅଠାର ବ୍ୟବହାର କରାଯାଏ । ପଟ୍ଟି ପ୍ରସ୍ତୁତ ପରେ ଟିପ୍ପଣୀ ହୁଏ । ଏହାପରେ ରଙ୍ଗ କାମ ହୁଏ ’’।
- ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ
ସ୍ନାନବେଦୀରେ ସ୍ନାନ କରିବା ପରେ ଦୀର୍ଘ ୧୫ ଦିନ ଦିନ ଧରି ଅଣସର ଘରେ ଜ୍ୱରରେ ପୀଡ଼ିତ ହେବେ ଚତୁଃର୍ଦ୍ଧାମୂର୍ତ୍ତି । ମହାପ୍ରଭୁଙ୍କ ଉପଚାର ଲାଗି ଦଇତାପତି ସେବାୟତମାନେ ଅଣସର ଘରେ ଗୁପ୍ତ ସେବା କରିବେ। ଅଣସର ୧୫ ଦିନ ଶ୍ରୀବିଗ୍ରହଙ୍କ ସ୍ଥାନରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ । ଏଣୁ ପାରମ୍ପରିକ ବିଧି ଅନୁଯାୟୀ ଚିତ୍ରକର ସେବକମାନେ ରୁକ୍ମିଣୀ ହରଣ ଏକାଦଶୀ ତିଥିରୁ ପଟିଦିଅଁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ଚିତ୍ରକରଙ୍କ ପାରମ୍ପରିକ ରଙ୍ଗ ଓ ତୂଳୀ ସ୍ପର୍ଶରେ ଜୀବନ୍ତ ରୂପ ନେଉଛନ୍ତି ମହାପ୍ରଭୁମାନେ। ପଟିଦିଅଁ ପ୍ରସ୍ତୁତି ସମୟରେ ଚିତ୍ରକର ସେବାୟତ ଓ ତାଙ୍କ ପରିବାର ଲୋକେ ହବିଷାନ୍ନ ଗ୍ରହଣ କରିଥାନ୍ତି।
- କେମିତି ପ୍ରସ୍ତୁତ କରାଯାଏ ପଟିଦିଅଁ ?
ପଟିଦିଅଁ ପ୍ରସ୍ତୁତି ପାଇଁ ପ୍ରଥମେ ନୂଆ ସୂତାକନା ଅଣାଯାଏ। ତେନ୍ତୁଳି ମଞ୍ଜିକୁ ପାଣିରେ ବତୁରା ଯାଇ ବାଟି ଅଠା ପ୍ରସ୍ତୁତ କରାଯିବା ପରେ ସୂତାକନାର ଗୋଟିଏ ପାର୍ଶ୍ୱରେ ଲେପନ କରାଯାଇ ଖରାରେ ଶୁଖାଇ ଦିଆଯାଏ। ଧଳା ଓ ଗେରୁଆ ରଙ୍ଗ ପାଣିରେ ତିନି ଦିଅଁଙ୍କ ଆକୃତି ଅଙ୍କନ କରାଯିବା ପରେ ବନକା କରାଯାଇ ପଟିଦିଅଁ ପ୍ରସ୍ତୁତ କରାଯାଏ। ତେବେ ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା ଭୂବନେଶ୍ୱରୀ, ଶ୍ରୀ ଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ, ଏବଂ ଶ୍ରୀ ସୁଦର୍ଶନଙ୍କ ସ୍ଥାନରେ ପତିତପାବନ ପୂଜା ପାଇଥାନ୍ତି ବୋଲି କହିଛନ୍ତି ଚିତ୍ରକର ସେବକ।
ଚିତ୍ରକର ସେବକ ଅନନ୍ତ ମହାରଣା କୁହନ୍ତି ‘‘ଜେଜେଙ୍କ ଅମଳରୁ ପଟ୍ଟିଦିଅଁ ଚିତ୍ର କରୁଛୁ । ଆମେ ଅନ୍ତବାସୁଦେବ, ଅନ୍ତନାରାୟଣ, ଭୁବନେଶ୍ବରୀ ଓ ଜାଗେଶ୍ବରୀ ପଟ୍ଟି ତିଆରି କରୁଛୁ ’’।
ସ୍ନାନବେଦୀରୁ ଠାକୁରଙ୍କ ବାହୁଡା ପହଣ୍ଡି ଶେଷ ପରେ ବିଳମ୍ବିତ ରାତିରେ ଶ୍ରୀମନ୍ଦିରରୁ ଏକ ପଟୁଆର ବାହାରି ଚିତ୍ରକରଙ୍କ ଘରକୁ ଯାଇଥାଏ। ଚିତ୍ରକର ସେବାୟତଙ୍କ ଘରର ମହିଳାମାନେ ପାରମ୍ପରିକ ପୂଜାର୍ଚ୍ଚନା ସାରିବା ପରେ ଘଣ୍ଟ, ଛତ୍ରୀ, କାହାଳୀ ସହ ଶ୍ରୀମନ୍ଦିରକୁ ପଟ୍ଟି ଦିଅଁ ବିଜେ କରିଥାନ୍ତି। ଏହି ସମୟରେ ଯେଉଁ ଭକ୍ତ ମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅନନ୍ତ ନାରାୟଣ, ପ୍ରଭୁ ଶ୍ରୀବଳଭଦ୍ରଙ୍କୁ ଅନନ୍ତ ବାସୁଦେବ ଏବଂ ଦେବୀ ସୁଭଦ୍ରାଙ୍କୁ ଭୁବନେଶ୍ଵରୀ ପଟିଦିଅଁ ରୂପେ ଦର୍ଶନ କରିଥାନ୍ତି ସେମାନଙ୍କ ସମସ୍ତ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।
ଏହା ମଧ୍ୟ ପଢନ୍ତୁ କାହିଁକି ମହାପ୍ରଭୁଙ୍କୁ ଲାଗି ହୁଏ ସେନାପଟା ? କେଉଁଠୁ ଆସେ ବଉଳ କାଠ
ଏହା ମଧ୍ୟ ପଢନ୍ତୁ ରଥଯାତ୍ରା ପାଇଁ ପୁରୀରେ ସବୁ ହୋଟେଲ ବୁକିଂ ଶେଷ, 17 ହଜାର ଟଙ୍କା ପର୍ଯ୍ୟନ୍ତ ରୁମ୍ ଦର
ଇଟିଭି ଭାରତ, ପୁରୀ