ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ପଞ୍ଚାୟତରେ ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଖାଲି ପଡ଼ିଥିବା 1134 ପଦ ପୂରଣ ଲାଗି ରାଜ୍ୟ ନିର୍ବାଚନ କମିଶନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । କିନ୍ତୁ ଏହାକୁ ନେଇ ଚିନ୍ତାରେ ଅଛି ବିଜୁ ଜନତା ଦଳ । ବିରୋଧୀ ଦଳରେ ବସିଥିବା ବିଜେଡିର ବର୍ତ୍ତମାନ ସ୍ଥିତି, ଗୋଷ୍ଠୀ କଣ ଦଳ ପାଇଁ ଏସିଡ ଟେଷ୍ଟ ସଦୃଶ ହେବାକୁ ଯାଉଛି ।
- ପଞ୍ଚାୟତ ଉପନିର୍ବାଚନ ପୂର୍ବରୁ ଚିନ୍ତାରେ ବିଜେଡି
ସାଧାରଣ ନିର୍ବାଚନରେ ବିଜେଡିର ବଡ଼ ବିପର୍ଯ୍ୟୟ ହୋଇଛି । ସାଧାରଣ ନିର୍ବାଚନର ବର୍ଷକ ମଧ୍ୟରେ ବିଜେଡି ଅନେକ ବିବାଦ ଓ ସମସ୍ୟାର ସମ୍ମୁଖୀନ ହେଉଛି । ଦଳ ଛାଡିଛନ୍ତି ଦୁଇ ଜଣ ରାଜ୍ୟସଭା ସାଂସଦ । ନେତାଙ୍କ ମନରେ ଦଳ ଓ ଦଳର ନେତୃତ୍ୱ ପ୍ରତି ଆନୁଗତ୍ୟ ଉପରେ ସନ୍ଦେହ ସୃଷ୍ଟି ହୋଇଛି । ତୃଣମୂଳରେ ବିଜେଡି ସଂଗଠନ ଛିଡିବାରେ ଲାଗିଛି । ଅନେକ କର୍ମୀ ଦଳ ଛାଡିବାରେ ଲାଗିଛନ୍ତି । ୱାକଫ ବିଲକୁ ନେଇ ଦଳ ଭିତରେ ବଡ଼ ବିଭାଜନ ହୋଇଛି । ଏହି ନିଷ୍ପତ୍ତି ଯୋଗୁଁ ସିଧାସଳଖ ସଂଖ୍ୟାଲଘୁ ବିଜେଡି ହାତ ଛାଡି ପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି । ୱାକଫ ବିଲକୁ ନେଇ ସୃଷ୍ଟି ହୋଇଥିବା ବିବାଦରେ ଦଳ ଭିତରେ ଅନେକ ଭିନ୍ନ ମତ ପ୍ରକାଶ ପାଇଲା । ଯାହାକୁ ନେଇ ତୃଣମୂଳ ନେତା ଓ କର୍ମୀ ପ୍ରଭାବିତ ହୋଇଛନ୍ତି ।
ସାଧାରଣ ନିର୍ବାଚନରେ ଦଳର ପରାଜୟ ପାଇଁ ବିଜେଡି କର୍ମୀ ଭିକେ ପାଣ୍ଡିଆନଙ୍କୁ ଦାୟୀ କରୁଛନ୍ତି । ବର୍ତ୍ତମାନ ମଧ୍ୟ ଦଳ ତାଙ୍କ ନିୟନ୍ତ୍ରଣରେ ଥିବା ଅନେକ ବିଜେଡି କର୍ମୀ ଆଶଙ୍କା କରୁଛନ୍ତି । ଫଳରେ ଦଳ ଏକଜୁଟ ହୋଇ ଆଗକୁ ବଢିପାରୁ ନାହିଁ । ବିଜେଡି ନେତା ପରସ୍ପର ବିରୋଧୀ ମନ୍ତବ୍ୟ ଦେବା ତୃଣମୂଳ କର୍ମୀଙ୍କ ପାଖକୁ ଖରାପ ବାର୍ତ୍ତା ଯାଇଛି । ଯାହାକୁ ପ୍ରତିହତ କରିବା ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ । ଦଳର ସଂଗଠନ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ଛାମୁଆ ସଂଗଠନ ନେତୃତ୍ୱ କାହା ପାଖକୁ ଯିବା ତାହା ଆଗାମୀ ନିର୍ବାଚନରେ ମଧ୍ୟ ପ୍ରଭାବ ପକାଇବାର ଆଶଙ୍କା ରହିଛି ।
ବରିଷ୍ଠ ବିଜେଡ଼ି ବିଧାୟକ ଅରୁଣ ସାହୁ କହିଛନ୍ତି, "ପଞ୍ଚାୟତ ଓ ଗାଁ'ରେ ବିଜେଡି ଓ ବିଜେପି ଭିତରେ କନ୍ଦଳ ଅତି ତୀବ୍ର । ଅନେକ ନିର୍ବାଚନ ମଣ୍ଡଳୀରେ ଆମେ କହିପାରିବୁ କେଉଁ ଗାଁ'ରେ ବିଜେଡ଼ିର କେତେ ଭୋଟ ରହିଛି । ସାଧାରଣ ନିର୍ବାଚନରେ ବିଜେପି ଜିତି ନାହିଁ । ବିଜେପି ଜିତୁ ଜିତୁ ଜିତିଛି । ଆମ ଭୁଲ ଭଟକାରୁ ବିଜେପି ଫାଇଦା ନେଇ ଜିତିଛି । ଇଭିଏମ୍ ମେସିନ କାରବାର ଯୋଗୁଁ ବିଜେପି ଜିତିଛି ବୋଲି ଅନେକ କହୁଛନ୍ତି । ପଦ ଫାଙ୍କା ହେବାର 6 ମାସ ମଧ୍ୟରେ ଉପ ନିର୍ବାଚନ କରିବା ନୀତି ରହିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଉପନିର୍ବାଚନ ହୋଇନାହିଁ ।"
ସେ ଆହୁରି ମଧ୍ୟ କହିଛନ୍ତି, "ଉପନିର୍ବାଚନ ନକରିବା ପଛରେ ବିଜେପି ସରକାରଙ୍କର ଭୟ ରହିଛି । ଭୟ କରିବାର କାରଣ ହେଉଛି ପ୍ରଭାବୀ ପ୍ରଦର୍ଶନ କରିନଥିବା ସରକାର । ବିଜେପି ସରକାରର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି । ଅପରାଗ ସରକାର ଚାଲିଛି ବୋଲି ଲୋକଙ୍କ ପାଖକୁ ବାର୍ତ୍ତା ଯାଇଛି । ବିଜେଡିର ଭୋଟ କମେଇଥିବାରୁ ଲୋକଙ୍କର ମନ ଦୁଃଖ ହେଉଛି । ଅପାରଗ ସରକାରଙ୍କୁ ହଟେଇବା ଲାଗି ଲୋକେ ନିଷ୍ପତ୍ତି ନେଇ ଗଲେଣି । ଏହାର ପ୍ରତିଫଳନ ଭୋଟରେ ହେବ ବୋଲି ସେମାନେ ଆଶା କରୁଛନ୍ତି । ତେଣୁ ସରକାର ଉପନିର୍ବାଚନ କରେଇ ଦେଉନଥିଲେ । ଉପନିର୍ବାଚନରେ ବିଜେଡି ଅଧିକରୁ ଅଧିକ ସଫଳତା ପାଇବ ।"
ସେପଟେ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର କହିଛନ୍ତି, "ରାଜ୍ୟରେ ପଞ୍ଚାୟତରାଜ ଅନୁଷ୍ଠାନରେ ଖାଲି ପଡ଼ିଥିବା 1134ଟି ପଦ ପୂରଣ କରିବା ଲାଗି ରାଜ୍ୟ ନିର୍ବାଚନ କମିଶନ ପ୍ରାଥମିକ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ନିର୍ବାଚନ ହୋଇନଥିବା 771 ୱାର୍ଡ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ ଅଛି । ନୂଆ ସରକାରଙ୍କ ସ୍ଥିତି ଦିନକୁ ଦିନ ଦୋହଲିବାରେ ଲାଗିଛି । ତେଣୁ ସେମାନେ ନିର୍ବାଚନ କରିବା ଲାଗି ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । କଂଗ୍ରେସର ଉତ୍ଥାନ ସରକାରଙ୍କୁ ଦୋହଲେଇ ଦେଇଛି । ଆଶା ଯଥା ସମୟରେ ନିର୍ବାଚନ ହେବ । କଂଗ୍ରେସ ନିଜର ପୂର୍ବ ସ୍ଥିତି ଫେରି ପାଇବ । ପଞ୍ଚାୟତସ୍ତରରେ କଂଗ୍ରେସ ପୁନର୍ବାର ମଜବୁତ ହେବ’’ ।
- 1134 ପଦ ପାଇଁ ଉପନିର୍ବାଚନ
ରାଜ୍ୟର ପଞ୍ଚାୟତ ସ୍ତରରେ ଖାଲି ପଡ଼ିଥିବା ପଦ ପୂରଣ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । 1134 ପଦ ପୂରଣ ପାଇଁ ଉପନିର୍ବାଚନ ହେବ । ଏଥି ନିମନ୍ତେ ପ୍ରାଥମିକ ପଦକ୍ଷେପ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଆରମ୍ଭ ହୋଇଛି । 5 ଜିଲ୍ଲା ପରିଷଦ ସଭ୍ଯ, 41 ପଞ୍ଚାୟତ ସମିତି ସଦସ୍ୟ, 45 ସରପଞ୍ଚ, 272 ୱାର୍ଡ ମେମ୍ବର ପାଇଁ ଉପନିର୍ବାଚନ ହେବ । 771 ୱାର୍ଡରେ ନୂତନ ଭାବେ ନିର୍ବାଚନ ଅନୁଷ୍ଠିତ ହେବ । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷିତ ବର୍ଗ ପାଇଁ ଉଦ୍ଦିଷ୍ଟ ଥିବା 771 ୱାର୍ଡରେ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିବାରୁ ଉକ୍ତ ୱାର୍ଡ ଗୁଡିକରେ ନିର୍ବାଚନ ବନ୍ଦ ରହିଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ସଂପୃକ୍ତ ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ଉକ୍ତ ୱାର୍ଡକୁ ଅଣସଂରକ୍ଷିତ କରାଯିବା ପରେ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ସଚିବଙ୍କ ସୂଚନା ଅନୁଯାୟୀ, ଉକ୍ତ ୱାର୍ଡଗୁଡ଼ିକ ପାଇଁ ଏପ୍ରିଲ 17ରୁ 22 ତାରିଖ ମଧ୍ୟରେ ନିର୍ବାଚନ ଅଧିକାରୀମାନେ କେନ୍ଦ୍ର ନିର୍ବାଚନ ଆୟୋଗ ଦ୍ଵାରା ପ୍ରକାଶିତ ଭୋଟର ତାଲିକାରୁ ସମ୍ପୃକ୍ତ ୱାର୍ଡ ୱାରୀ ଭୋଟର ତାଲିକା ପ୍ରସ୍ତୁତ କରିବେ । ସେହିଭଳି ଏପ୍ରିଲ 24 ତାରିଖରେ ସଂପୃକ୍ତ ଗ୍ରାମପଞ୍ଚାୟତ ମୁଖ୍ୟାଳୟରେ ୱାର୍ଡ ୱାରୀ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ ।ଏପ୍ରିଲ 30 ତାରିଖ ସୁଦ୍ଧା ଅଭିଯୋଗ ଗ୍ରହଣ କରାଯିବ । ମେ 2ରୁ 5 ତାରିଖ ମଧ୍ୟରେ ସଂପୃକ୍ତ ଅଭିଯୋଗଗୁଡ଼ିକୁ ବିଚାରକୁ ନିଆଯାଇ ଉପଯୁକ୍ତ ପଦକ୍ଷେପ ନିଆଯିବ । ସଂଶୋଧିତ ଭୋଟର ତାଲିକାକୁ ନିର୍ବାଚନ ଅଧିକାରୀମାନେ ମେ 9 ତାରିଖ ଦିନ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିବେ ।
ଏହା ମଧ୍ୟ ପଢନ୍ତୁ ବିଜେଡି ସାଙ୍ଗଠନିକ ନିର୍ବାଚନ, 16 ଜିଲ୍ଲା ସଭାପତି ନିର୍ଦ୍ବନ୍ଦ୍ବରେ ନିର୍ବାଚିତଏହା ମଧ୍ୟ ପଢନ୍ତୁ ଢେଙ୍କାନାଳ, ଯାଜପୁର ଓ କେନ୍ଦୁଝରରେ ମାଓ ସକ୍ରିୟ; ଅସ୍ତ୍ରଶସ୍ତ୍ର ଧରି ବୁଲିବା ସହ ଅର୍ଥ ଆଦାୟ, ସରକାରଙ୍କ ନିଘା ନାହିଁ କହିଲା ବିଜେଡି