ଭୁବନେଶ୍ବର: ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ଲିମିଟେଡ଼ ବା OHPC ଏବଂ ୱାପକୋସ ଲିମିଟେଡ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । କଳାହାଣ୍ଡିର ମୁଖୀଗୁଡ଼ାରେ ୬୦୦ ମେଗାୱାଟ କ୍ଷମତା ବିଶିଷ୍ଟ ଅପର ଇନ୍ଦ୍ରାବତୀ ପମ୍ପଡ଼ ଷ୍ଟୋରେଜ ପ୍ରକଳ୍ପ ପରିଚାଳନା ପରାମର୍ଶ ସେବା ପାଇଁ ଚୁକ୍ତି ସ୍ୱାକ୍ଷର । ପ୍ରକଳ୍ପ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୩୬୪୨ କୋଟି ଟଙ୍କା । ୨୦୩୦ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ସମୟ ଧର୍ଯ୍ୟ ହୋଇଛି ।

OHPC ଏବଂ WAPCOS ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ:
ଭବିଷ୍ୟତର ଶକ୍ତି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ପାଇଁ ଭାରତର ପ୍ରତିବଦ୍ଧତା ସ୍ୱରୂପ,ଭାରତ ସରକାର ୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତି ଉତ୍ସରୁ ୫୦୦ ଗିଗାୱାଟ କ୍ଷମତା ହାସଲ କରିବାର ଲକ୍ଷ୍ୟ ରଖିଛନ୍ତି । ଏହି ପରିପ୍ରେକ୍ଷିରେ ଆଜି ମୁଖୀଗୁଡ଼ାରେ ୬୦୦ ମେଗାୱାଟ କ୍ଷମତା ବିଶିଷ୍ଟ ଅପର ଇନ୍ଦ୍ରାବତୀ ପମ୍ପଡ଼ ଷ୍ଟୋରେଜ ପ୍ରକଳ୍ପ ପରିଚାଳନା ପରାମର୍ଶ ସେବା ପାଇଁ ଓଡ଼ିଶା ଜଳ ବିଦ୍ୟୁତ ନିଗମ ଲିମିଟେଡ ଏବଂ ୱାପକୋସ ଲିମିଟେଡ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଉନ୍ନୟନ କମିଶନର ଅନୁ ଗର୍ଗ,ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବଙ୍କ ଉପସ୍ଥିତିରେ ଏହା ହୋଇଛି ।

ଇନ୍ଦ୍ରାବତୀ ପମ୍ପଡ଼ ଷ୍ଟୋରେଜ ପ୍ରକଳ୍ପ:
ଅପର ଇନ୍ଦ୍ରାବତୀ ପମ୍ପଡ଼ ଷ୍ଟୋରେଜ ପ୍ରକଳ୍ପର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ୱାପକୋସ ଦ୍ଵାରା ପ୍ରସ୍ତୁତ କରାଯାଇଛି । ଏହା ଏକ ବିଶାଳ ଶକ୍ତି ସଂରକ୍ଷଣ ପ୍ରଣାଳୀ । ଯାହା ଗ୍ରୀଡରେ ଉପଲବ୍ଧ ତଳ ଜଳଭଣ୍ଡାରରୁ ଉପର ଜଳଭଣ୍ଡାରକୁ ପାଣି ପମ୍ପ ସାହାଯ୍ୟରେ ଉଠାଯାଏ । ସର୍ବାଧିକ ବିଦ୍ୟୁତ ଚାହିଦା ସମୟରେ ବିଦ୍ୟୁତ ଉତ୍ପାଦନ ପାଇଁ ସେହି ପାଣିକୁ ତଳକୁ ଛଡ଼ାଯାଏ । ଓଏଚପିସି ଏହାର ୬୦୦ ମେଗାୱାଟ ପାରମ୍ପରିକ ଜଳ ବିଦ୍ୟୁତ ଗୃହ ସହିତ ବିଦ୍ୟମାନ ଅପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ନିକଟରେ ପମ୍ପଡ ଷ୍ଟୋରେଜ ପ୍ରକଳ୍ପ ନିର୍ମାଣ କରୁଛି । ଏହି ସହଭାଗିତା ଦକ୍ଷତା ବୃଦ୍ଧି କରିବା ସହିତ ଓଡ଼ିଶାର ଶକ୍ତି କ୍ଷେତ୍ରକୁ ଆଗକୁ ବଢାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ।
ଏପରି କହିଲେ ଉପମୁଖ୍ୟମନ୍ତ୍ରୀ:
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି,"ପ୍ରଧାନମନ୍ତ୍ରୀଙ୍କ ଫୋକସରେ ଅକ୍ଷୟ ଶକ୍ତି ରହିଛି । ତାକୁ ଆଗକୁ ନେବା ରାଜ୍ୟ ସରକାର ସଂକଳ୍ପ ବଦ୍ଧ । ଏହି କ୍ରମରେ WAPCOS ସହିତ ଆଜି ଓଡ଼ିଶା ସରକାରଙ୍କର ଓଡିଶା ଜଳ ବିଜୁଳି ଶକ୍ତି ନିଗମ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷର ହୋଇଛି । ଅପର ଇନ୍ଦ୍ରାବତିରେ ୬୦୦ ମେଗା ୱାଟର ପମ୍ପଡ ଷ୍ଟୋରେଜ ପ୍ରକଳ୍ପ ବା PSP ପ୍ରକଳ୍ପ ପାଇଁ ଚୁକ୍ତି ହୋଇଛି । ଚୁକ୍ତି ହେବା ପରେ WAPCOS ପ୍ରୋଜେକ୍ଟ ରିପୋର୍ଟ ଦାଖଲ କରିବ । ଆର୍ଥିକ ବର୍ଷ ୨୦୩୦/୩୧ ସୁଦ୍ଧା ପ୍ରକଳ୍ପ ଶେଷ କରିବା ଲାଗି ନିଷ୍ପତ୍ତି ହୋଇଛି । ପ୍ରକଳ୍ପ ଲାଗି ଜଙ୍ଗଲ ଅନୁମତି କେନ୍ଦ୍ର ସରକାରଙ୍କ ଠାରୁ ଆଣି ରାଜ୍ୟ ସରକାର ପଦକ୍ଷେପ ନେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ ନବୀକରଣ ଅକ୍ଷୟ ଶକ୍ତି କଥା କହୁଛନ୍ତି । ଏହି ପ୍ରକଳ୍ପ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୩୬୪୨ କୋଟି ଟଙ୍କା ।"
ଏପରି କହିଲେ WAPCOS ନିର୍ଦ୍ଦେଶକ:
WAPCOS ନିର୍ଦ୍ଦେଶକ ଅମିତାଭ ତ୍ରିପାଠୀ କହିଛନ୍ତି,"ଅପର ଇନ୍ଦ୍ରାବତୀ ପ୍ରକଳ୍ପର ଡିପିଆର WAPCOS ପ୍ରସ୍ତୁତ କରିଛି । ଏହାର କ୍ଲିୟରାନ୍ସ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ମିଳିଛି । ଅପର ଇନ୍ଦ୍ରାବତୀର ପ୍ରକଳ୍ପ ପରିଚାଳନା ଦାଇତ୍ୱ ରାଜ୍ୟ ସରକାର ଦେଇଛନ୍ତି । ଏହି ପ୍ରକଳ୍ପକୁ ଠିକ ସମୟରେ ଶେଷ କରିବା ଲାଗି ଚେଷ୍ଟା କରିବୁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ସମସ୍ତ କ୍ଲିଅରାନ୍ସ ମିଳିବ । ଏହି ଚୁକ୍ତି ସ୍ୱାକ୍ଷରିତ ବେଳେ ଜଳସମ୍ପଦ ବିଭାଗ, ଶକ୍ତି ବିଭାଗ, ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ଲିମିଟେଡ଼ର ନିର୍ଦ୍ଦେଶକ, ୱାପକୋସର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।"
ଇଟିଭି ଭାରତ, ଭୁବନେଶ୍ବର