ETV Bharat / state

ପଛୁଆ ଜନଜାତିଙ୍କ ପ୍ରେରଣାର ଉତ୍ସ ଜୈମିନୀ ଝାଙ୍କର; ପ୍ରଥମ ପିଏଚଡି ଡିଗ୍ରୀ ପାଇ ସାଜିଲେ ଉଦାହରଣ

ଓଡ଼ିଶାର ପ୍ରଥମ ଚୁକଟିଆ ଭୁଞ୍ଜିଆ ଜନଜାତିର ଝିଅ ପିଏଚଡି ଡିଗ୍ରୀଧାରୀ । ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି ଜୈମିନୀ ଝାଙ୍କର ।

Odisha's First Chuktia Bhunjia Tribal Woman From Remote Nuapada Village Who Completed A PhD
Odisha's First Chuktia Bhunjia Tribal Woman From Remote Nuapada Village Who Completed A PhD (ETV Bharat)
author img

By ETV Bharat Odisha Team

Published : September 24, 2025 at 5:35 PM IST

|

Updated : September 24, 2025 at 7:52 PM IST

5 Min Read
Choose ETV Bharat

ସ୍ପେଶାଲ ରିପୋର୍ଟ-ବିକାଶ କୁମାର ଦାସ

ଭୁବନେଶ୍ୱର: ପାଠ ପଢି ଆକାଶକୁ ଛୁଇଁବାର ଦୃଢ ଇଚ୍ଛା ଥିଲା। ହେଲେ ଗୋଟିଏ ପଟେ ବଣ ଜଙ୍ଗଲ ଘେରା ପାହାଡିଆ ରାସ୍ତା ତାଙ୍କର ବାଟ ଓଗାଳି ଥିଲା । ଅନ୍ୟପଟେ ଘରର ଆର୍ଥିକ ସମସ୍ୟା ତାଙ୍କର ଉଡି ବୁଲୁଥିବା ସ୍ୱପ୍ନର ଡେଣା କାଟି ଦେଇଥିଲା । ନା ଦିଶୁଥିଲା ପଥ ନା କିଏ ଥିଲେ କେହି ପଥ ପ୍ରଦର୍ଶକ । ହେଲେ ଗୋଟିଏ ଥିଲା ସମ୍ବଳ ବାପା-ମାଙ୍କ ପ୍ରୋତ୍ସାହନ । ସେହି ସମ୍ବଳ ତାଙ୍କ ମନୋବଳକୁ ଦୃଢ କରିଥିଲା। ହାତ ଧରି ବାଟ କଢାଇ ଦୁର୍ଗମ, ଅପହଞ୍ଚ ଗାଁରୁ ନେଇ ପହଞ୍ଚାଇ ଦେଇଥିଲା ରାଜଧାନୀରେ, ଯେଉଁଠି ସେ ପିଏଚଡି ଡିଗ୍ରୀ ହାସଲ କରିବାର ସୁଯୋଗ ପାଇଥିଲେ । ଚୁକଟିଆ ଭୁଞ୍ଜିଆ ଜନଜାତି ସଂପ୍ରଦାୟ ପାଇଁ ଇତିହାସ ରଚିବାର ବାର୍ତ୍ତାବହ ସାଜିଥିଲେ । ଦୁର୍ଗମ ଇଲାକାର ଏ ସୁନା ଝିଅ ଡଃ. ଜୈମିନୀ ଝାଙ୍କରଙ୍କୁ ଇଟିଭି ଭାରତ ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ଆଉ ଅଭିନନ୍ଦନ ।

ପ୍ରଥମ ଚୁକଟିଆ ଭୁଞ୍ଜିଆ ଜନଜାତି ବର୍ଗର ଝିଅ ଭାବେ ଡଃ. ଜୈମିନୀ ଝାଙ୍କର ପିଏଚଡି ଡିଗ୍ରୀ ହାସଲ କରିଛନ୍ତି। ଭୁବନେଶ୍ୱର ସ୍ଥିତ କିସ୍ ବିଶ୍ୱବିଦ୍ୟାଳୟରୁ 'Toxicity and safety implications of herbal medicine - A case study of Nuapada district'ରେ ଗବେଷଣା କରି ଏହି ଡିଗ୍ରୀ ଲାଭ କରିଛନ୍ତି । ପ୍ରତିକୂଳ ପରିସ୍ଥିତି ସହ ଲଢି କିପରି ସଫଳତା ହାସଲ କରିହୁଏ ତାହାର ଏକ ଉଦାହରଣ ସୃଷ୍ଟି କରି ଯାଇଛନ୍ତି। ତାଙ୍କର ନିଷ୍ଠାପର ଉଦ୍ୟମ, ଅବିଶ୍ରାନ୍ତ ପରିଶ୍ରମ ତଥା ଗବେଷଣା କରିବାର ନିଶା ଆଜି ତାଙ୍କୁ ସଫଳତାର ଶିଖରରେ ପହଞ୍ଚାଇ ଦେଇଛି । ସଂଘର୍ଷର ଏଇ ଲମ୍ବା ଯାତ୍ରା କିପରି ଥିଲା, କେତେ ପ୍ରତିକୂଳ ସ୍ଥିତି ସହ ଲଢିବାକୁ ପଡିଥିଲା.. EXCLUSIVE INTERVIEWରେ ସେହି ଅଙ୍ଗେ ନିଭାକଥା ଇଟିଭି ଭାରତକୁ କହିଛନ୍ତି ଜୈମିନୀ ।

ପ୍ରଶ୍ନ: କେମିତି ଥିଲା ଡଃ.ଜୈମିନୀଙ୍କ ସଂଘର୍ଷର କାହାଣୀ ?

ନୂଆପଡ଼ା ଜିଲ୍ଲାର ଦୁର୍ଗମ ସୁନାବେଢ଼ା ଗାଁର ଚୁକଟିଆ ଭୁଞ୍ଜିଆ ଜନଜାତିରୁ ଆସି ରାଜ୍ୟ ରାଜଧାନୀରେ ପଢିବା ଏବଂ ଏହି ସଫଳତା ପାଇବା ଖୁବ ସଂଘର୍ଷମୟ ଥିଲା । ବାପା (ବିଜୟ ଝାଙ୍କର) ଓ ମାଆ (ବୈଦେହୀ ଝାଙ୍କର)ଙ୍କ ପ୍ରୋତ୍ସାହନ ଥିଲା ଏକମାତ୍ର ଆଶ୍ୱାସନା । ଆମ ଜନଜାତିର ଝିଅମାନଙ୍କୁ ପାଠ ପଢ଼ିବା ପାଇଁ ଅଧିକ ସୁଯୋଗ ଦିଆଯାଏ ନାହିଁ। ପରିବାରର ମଧ୍ୟ ଆର୍ଥିକ ସ୍ଥିତି ବହୁତ୍ ଖରାପ। ତେଣୁ ପାଠ ପଢ଼ିବା ଦୂରର କଥା, ଚାଲିବା ପାଇଁ ବହୁତ୍ କଷ୍ଟ ହୋଇ ପଡୁଥିଲା। ଏକ ଆଦିବାସୀ ପରିବାରରୁ ଆସି ପିଏଚଡ଼ି କରିବା ମୋ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। ସ୍ଵପ୍ନ ତ ସମସ୍ତେ ଦେଖନ୍ତି କିନ୍ତୁ ସାକାର କରିପାରନ୍ତି ନାହିଁ। କିସ୍ ମୋ ସ୍ବପ୍ନକୁ ସାକାର କରିବାରେ ସାହାଯ୍ୟ କରିଛି । ଏ ସବୁ ସଫଳତାର ଶ୍ରେୟ ମୋ ପରିବାର । ମୋ ବାପା-ମା କେବେହେଲେ ସ୍କୁଲର ଛାଇ ମାଡ଼ିନାହାନ୍ତି କି ପାଠ ପଢ଼ିନହାନ୍ତି। କିନ୍ତୁ ଆମ ଭଳି ସୋସାଇଟିରେ ରହି ସେମାନେ ସବୁବେଳେ ଆମକୁ ଅନୁପ୍ରାଣିତ କରୁଥିଲେ ପାଠ ପଢିବା ପାଇଁ । ତା ଛଡା ସାଙ୍ଗ, ଶିକ୍ଷକମାନେ ମଧ୍ୟ ମୋତେ ବହୁତ୍ ସହଯୋଗ କରିଛନ୍ତି ।

First Chuktia Bhunjia Tribal Woman Who Completed  PhD
First Chuktia Bhunjia Tribal Woman Who Completed PhD (ETV Bharat Odisha)

ପ୍ରଶ୍ନ: କେଉଁ ସମସ୍ୟା ବାଟ ଉଗାଳିଥିଲା ? ସମୟ କ୍ରମେ ଏହି ସମସ୍ୟା କିପରି ପ୍ରେରଣା ପାଲଟିଗଲା ?

ପ୍ରଥମେ ଗାଁ ସ୍କୁଲରେ ପାଠ ପଢିଥିଲି । ଦଶମ ପଢିବା ପରେ ଲାଗୁଥିଲା ଆଉ ପଢି ପାରିବିନି, ରହିଯିବି। କିନ୍ତୁ ମନରେ ଭାବୁଥିଲି, ବାହାର ଦୁନିଆ ଜାଣିବାକୁ ହେଲେ ଶିକ୍ଷା ନିହାତି ଆବଶ୍ୟକ। ତେଣୁ ବାହାରେ ପଢ଼ିବା ପାଇଁ ଇଚ୍ଛା ବଢିଲା । ଅନ୍ୟମାନଙ୍କ ସହିତ ପଢ଼ିବା ପାଇଁ ମନ ବ୍ୟାକୁଳ ହେଲା ।

ଯାହା ହେଉ, ଦଶମ ପାସ କରିବା ପରେ ଇଣ୍ଟରମିଡିଏଟ୍ ପାଇଁ SSD ହାଇସ୍କୁଲରେ ନାଁ ଲେଖାଇଥିଲି । ଘଟଣାକ୍ରମେ ସାମ୍ବାଦିକ ଅଜିତ ପଣ୍ଡାଙ୍କୁ ଭେଟିଥିଲି ଯିଏ ମୋତେ ଉଚ୍ଚ ଶିକ୍ଷା ପାଇଁ ଉତ୍ସାହିତ କରିବା ସହ ସହାୟତା ମଧ୍ୟ କରିଥିଲେ । ତାଙ୍କ ସହାୟତାରେ ଖରିଆର କଲେଜରେ ସ୍ନାତକ ଡିଗ୍ରୀ କରିଲି । କହିବାକୁ ଗଲେ, ସ୍ନାତକ ଡିଗ୍ରୀ କ'ଣ ସେ ବିଷୟରେ ମୋର ଧାରଣା ହିଁ ନ ଥିଲା । ଅଜିତ ପଣ୍ଡା ମୋର ନାମ ଲେଖା ସହ ହଷ୍ଟେଲ ଖର୍ଚ୍ଚ ମଧ୍ୟ ଦେଇଥିଲେ। ବିଏସସି ପରେ ପିଜି ପାଇଁ ମନ ବଳିଲା । ଏହା ଦେଖି ପଣ୍ଡା ସାର୍ ଏବଂ ବାଳକୃଷ୍ଣ ସବର ସାର୍ ସହାୟତାର ହାତ ବଢାଇଥିଲେ । ବଲାଙ୍ଗୀର କଲେଜରୁ ପିଜି କରିବା ପରେ ଭୁବନେଶ୍ୱରରେ ରହି କିସରେ ପିଏଚଡି କରିଥିଲି ।

ଜୈମିନୀଙ୍କ ବାପା ବିଜୟ ଝାଙ୍କର ଓ ମା' ବୈଦେହୀ ଝାଙ୍କର
ଜୈମିନୀଙ୍କ ବାପା ବିଜୟ ଝାଙ୍କର ଓ ମା' ବୈଦେହୀ ଝାଙ୍କର (Etv Bharat)

ଘର ଛାଡି ହଷ୍ଟେଲରେ ରହିବା ଲାଗି ପ୍ରଥମେ ପ୍ରଥମେ ବହୁତ କଷ୍ଟ ହୋଇଥିଲା । କାରଣ ଗାଁରେ କୌଣସି ମୋବାଇଲ ନେଟୱାର୍କ ନଥିଲା । ତେଣୁ ମୁଁ ପରିବାର ସହିତ କୌଣସି ଯୋଗାଯୋଗ କରି ପାରୁ ନ ଥିଲି । ଧୀରେ ଧୀରେ ମୁଁ ବନ୍ଧୁ ଗଢିଲି, କେମିତି ଏମାନଙ୍କ ସହ ଚଳିବାକୁ ହେବ ଶିଖିଲି ଏବଂ ମୋର ସ୍ୱପ୍ନକୁ ଜୀବନ୍ତ ରଖିଲି।

ପ୍ରଶ୍ନ: ବାପା ଥିଲେ ପ୍ରେରଣାର ଉତ୍ସ । କେମିତି ଥିଲା ତାଙ୍କର ସଂଘର୍ଷ ? ତାଙ୍କ ସଂଘର୍ଷ କେତେ ପ୍ରଭାବିତ କରି ପାରିଥିଲା ?

ବାପା-ମା ଓ 7 ଭଉଣୀଙ୍କୁ ନେଇ ତାଙ୍କର ପରିବାର । ପୁଅ ନ ଥିବାରୁ ବାପା-ମାଙ୍କ ମନରେ କଷ୍ଟ ଥିଲା । କିନ୍ତୁ ଝିଅମାନେ ପୁଅଙ୍କ ଭଳି ଆଗକୁ ବଢ଼ିବେ ବାପା ଏହା ଚାହୁଁଥିଲେ । ଏହି ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ କିଛି ଉନ୍ନତି ନାହିଁ। ଯଦି ମୋ ଝିଅ ଭଲ ପାଠ ପଢି ଚାକିରି କରିଲା ତେବେ ସେ ଆମ ଅଞ୍ଚଳରେ ଥିବା ପିଲାମାନଙ୍କୁ ମଧ୍ୟ ଶିକ୍ଷାଗତ ଯୋଗ୍ୟତା ଦେବାରେ ସାହାଯ୍ୟ କରାଇବ ବୋଲି ବାପା ଭାବୁଥିଲେ। ପାଠ ପଢ଼ିବା ପାଇଁ ଜଙ୍ଗଲ ନାଳ ନର୍ଦ୍ଦମା ଡେଇଁ ସ୍କୁଲ ଯିବାକୁ ପଡେ । ଏପରିକି ଘାଟି ଅଞ୍ଚଳ ଦେଇ ମଧ୍ୟ ଯିବାକୁ ପଡିଥାଏ । ଏଇ ଦୁର୍ଗମ ରାସ୍ତରେ ସାଇକେଲରେ ବସାଇ ସ୍କୁଲ ନେଉଥିଲେ ବାପା । ସେ ଦିନ ମନେ ପଡିଲେ ଏବେ ଭାରି କଷ୍ଟ ଲାଗେ । ଏବେ ମୋର ସଫଳତା ଦେଖି ବାପା-ମା ବହୁତ ଖୁସି । ଆମ ସମାଜର ପିଲାମାନଙ୍କୁ ମୁଁ କିପରି ସହଯୋଗ କରିବି ସେନେଇ ଆଶା ରଖିଛନ୍ତି ମୋର ପରିବାର ଆଉ ସେ ଆଶାକୁ ମୁଁ ନିଶ୍ଟୟ ପୂରଣ କରିବି ।

ଚୁକଟିଆ ଭୁଞ୍ଜିଆ ଜନଜାତି ବର୍ଗର ସୁନା ଝିଅ  ଡଃ. ଜୈମିନୀ ଝାଙ୍କର
ଚୁକଟିଆ ଭୁଞ୍ଜିଆ ଜନଜାତି ବର୍ଗର ସୁନା ଝିଅ ଡଃ. ଜୈମିନୀ ଝାଙ୍କର (Etv Bharat)

ପ୍ରଶ୍ନ: କାହିଁକି ପିଏଚଡି ଡିଗ୍ରୀ କରିବାକୁ ଚାହିଁଲେ ?

ମୁଁ ଚାହୁଁଥିଲି ଆମ ସଂପ୍ରଦାୟରେ ଏକ ଉଦାଦରଣ ସାଜିବାକୁ । ଆମ ସଂପ୍ରଦାୟରେ ଲୋକେ ଭାବୁଥିଲେ ଯେ, ଝିଅମାନେ କେବଳ ଘରେ ଅଶିକ୍ଷିତ ହୋଇ ରହିବା କଥା। ହେଲେ ଏହି ଭାବନା ବଦଳାଇ ଏକ ଉଦାହରଣ ହେବାକୁ ଚାହୁଁଥିଲି । ଯଦି ତୁମର ଦୃଢ଼ ଇଚ୍ଛାଶକ୍ତି ଏବଂ ସଂକଳ୍ପ ଅଛି ତେବେ ଯେ କୌଣସି ଜିନିଷ ହାସଲ କରିପାରିବ- ଏହା ପ୍ରମାଣିତ କରିବାକୁ ଚାହୁଁଥିଲି । ଯେହେତୁ ପିଏଚଡିକୁ ସର୍ବୋଚ୍ଚ ଡିଗ୍ରୀ ଭାବରେ ବିବେଚନା କରାଯାଏ, ମୁଁ ଏହା ପ୍ରମାଣ କରିବାକୁ ଚାହୁଁଥିଲି ଯେ ଏକ ପଛୁଆ ଅଞ୍ଚଳରୁ ଆସି ମୁଁ ବି ଡକ୍ଟରେଟ୍ ଡିଗ୍ରୀ ପାଇ ପାରିବି ।

ପ୍ରଶ୍ନ: ଏମିତି ସମୟ କେବେ ଆସିଥିଲା, ଯେତେବେଳେ ଆପଣ ବହୁତ ଭାଙ୍ଗି ପଡିଥିଲେ ଏବଂ ପଢା ଛାଡି ଦେବାକୁ ଚାହିଁଥିଲେ ?

ହଁ, ମୁଁ ଯେତେବେଳେ ଯୁକ୍ତ ତିନି ଓ ପିଜି ପଢ଼ୁଥିଲି ଏମିତି ଏକ ସମୟ ଆସିଥିଲା । ସେହି ସମୟରେ ଗାଁରେ କୌଣସି ନେଟୱର୍କ ନଥିଲା। ବହୁତ୍ କଷ୍ଟରେ ହଷ୍ଟେଲରେ ରହୁଥିଲି । ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିପାରୁନଥିଲି। ରାସ୍ତା ବି ଭଲ ନଥିଲା। ଜଙ୍ଗଲ ମଧ୍ୟରେ ସ୍କୁଲ କଲେଜକୁ ଯିବାକୁ ପଡୁଥିଲା

ଏତେ କଷ୍ଟ ଭିତରେ ବେଳେବେଳେ ଅଧାରୁ ପାଠ ପଢା ଛାଡ଼ି ଦେବାର ଭାବନା ଆସିଥିଲା। ଠିକ ଭାବରେ ହଷ୍ଟେଲ କି କଲେଜରେ ସିଟ ମିଳିବ କି ନାହିଁ, ପାଠ ଠିକ ଭାବରେ ପଢିପାରିବି କି ନାହିଁ.. ସେଭଳି ଭାବନା ମଧ୍ୟ ଆସିଥିଲା। ହେଲେ ଯେତେବେଳେ ସେହି ପରିବେଶରେ ରହିବା ଶିଖିଲି, ସହରରେ ଚାଲିବା ଶିଖିଲି ଧୀରେ ଧୀରେ ସବୁ ସହଜ ହୋଇଗଲା ।

ପ୍ରଶ୍ନ: ଏହି ସଫଳତା ପାଇବା ପରେ ଲକ୍ଷ୍ୟ କଣ ରହିଛି ?

ପରିବାର ଲୋକଙ୍କୁ ଯେତେବେଳେ ଯାହା ମାଗିଛି ତାହା ମିଳିଛି। ବାପା-ମା ସିନା ପଢ଼ିନାହାଁନ୍ତି, କିନ୍ତୁ ଆମେ 7 ଭଉଣୀ କିପରି ପଢିବୁ ସେଥିପାଇଁ ସବୁବେଳେ ପ୍ରୋତ୍ସାହନ ଦେଉଥିଲେ । ଆମେ କେମିତି ନିଜ ଗୋଡ଼ରେ ଛିଡ଼ା ହେବୁ ସେ କଥା ସବୁବେଳେ ଆମକୁ ଶିଖାଉଥିଲେ । ଏବେ ମୁଁ ପାଠ ପଢିବା ରୋଜଗାରକ୍ଷମ ହେବା ପରେ ମୋର ଭଉଣୀମାନଙ୍କୁ ମଧ୍ୟ ଶିକ୍ଷା କ୍ଷେତ୍ରରେ ଆଗକୁ ନେବି। ସେମାନେ ଯେମିତି ଉଚ୍ଚ ଶିକ୍ଷା ପାଇବେ ସେ ସ୍ବପ୍ନ ମୋର ରହିଛି ।

ପ୍ରଶ୍ନ: ଚୁକଟିଆ ଭୁଞ୍ଜିଆ ଜନଜାତି ପିଲାଙ୍କ ପାଇଁ କି ବାର୍ତ୍ତା ଦେବେ ?

ମୁଁ ମୋର ଜନଜାତି ସମ୍ପ୍ରଦାୟର ପିଲାମାନଙ୍କୁ କହିବି, ସେମାନଙ୍କ ପାଖରେ ପାଠ ପଢ଼ିବା ପାଇଁ ଇଚ୍ଛା ଶକ୍ତି ରଖନ୍ତୁ । ଉଚ୍ଚାଭିଳାଷ ରହିବା ଜରୁରୀ। ମାଆ ବାପାଙ୍କ ସହଯୋଗ ବି ଦରକାର। ଆମେ ପଛୁଆ ବର୍ଗ ବୋଲି ମନରେ ନ ଭାବି ଆଗକୁ ବଢିବାର ସ୍ବପ୍ନ ଦେଖିବା ନିତାନ୍ତ ଆବଶ୍ୟକ।

ପୁଅ ଝିଅ ସମସ୍ତେ ସମାନ। ଆମ ସମାଜରେ ଶିକ୍ଷାର ଅଭାବ ରହିଛି। ପିଲା କମ ପାଠ ପଢିଲେ ସେମାନଙ୍କ ବିବାହ କରାଇ ଦିଅନ୍ତି ପରିବାର ଲୋକେ । ହେଲେ ଯଦି ପିଲାମାନେ ଶିକ୍ଷିତ ହେବେ ପରିବାର ଶିକ୍ଷିତ ହେବା ସହିତ ସମ୍ପୂର୍ଣ ଅଞ୍ଚଳ ମଧ୍ୟ ଶିକ୍ଷିତ ହୋଇଯିବ।

ପ୍ରଶ୍ନ: ଭବିଷ୍ୟତରେ କ'ଣ କରିବା ପାଇଁ ଯୋଜନା ରଖିଛନ୍ତି ?

ପାଠ ସରିଛି କିନ୍ତୁ ଯାତ୍ରା ସରିନି । ମୁଁ ପଢିଲି । ଆଗକୁ ଅନ୍ୟମାନଙ୍କୁ ପାଠ ପଢିବାର ରାସ୍ତା ଦେଖାଇବି । ଆମ ଜନଜାତିର ପିଲାମାନଙ୍କୁ ଶିକ୍ଷା କ୍ଷେତ୍ରରେ ଅଧିକରୁ ଅଧିକ ସାହାଯ୍ୟ ସହଯୋଗ କରିବି। ସମସ୍ତଙ୍କ ମନରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବି । ଏ ଯାତ୍ରା କେବେ ଶେଷ ହେବନି ।

ଇଟିଭି ଭାରତ, ଭୁବନେଶ୍ୱର

ଏହା ମଧ୍ୟ ପଢନ୍ତୁ ରାବଣ ତିଆରିରେ ଗଲାଣି ଅଧା ଜୀବନ, ଦଶହରା ଆସିଲେ ମନେ ପଡନ୍ତି 'ରାବଣ ମାଉସୀ'

ଏହା ମଧ୍ୟ ପଢନ୍ତୁ ଓଡ଼ିଆ ଫିଲ୍ମ 'ପୁଷ୍କରା ଓ ଦ ସି ଆଣ୍ଡ ସେଭନ ଭିଲେଜେସ'କୁ ଜାତୀୟ ପୁରସ୍କାର


Last Updated : September 24, 2025 at 7:52 PM IST