ଭୁବନେଶ୍ୱର: ବିଧାନସଭାରେ ପାରିତ ହେଲା ଓଡିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ ) ବିଧେୟକ ୨୦୨୪ । ବଜେଟ ଅଧିବେଶନର ୨୫ ତମ ଦିବସରେ ଦୀର୍ଘ ସାଢେ ୧୨ ଘଣ୍ଟାର ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ପାରିତ ହେଲା ଓଡିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ ) ବିଧେୟକ ୨୦୨୪ । ଏପଟେ ବିଧାନସଭାରେ ପାରିତ ହୋଇଛି ଓଡିଶା ରାଜ୍ୟ ରାଜପଥ ପ୍ରାଧିକାରଣ ବିଧେୟକ 2025 । NHAI ଢାଞ୍ଚାରେ ଓଡ଼ିଶା ରାଜପଥ ପ୍ରାଧିକରଣ । ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପରେ ବିଧାନସଭାରେ ହୋଇଛି ପାରିତ । ବିଧାନସଭାରେ ପାରିତ ପାଇଁ ଗୃହରେ ଆଗତ କରିଥିଲେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲ ୨୦୨୪ ପାରିତ, ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରତିକ୍ରିୟା-
"ଚଞ୍ଚକତା ପୂର୍ଣ୍ଣ ବିଲ ଆଣିଛନ୍ତି ବିଜେପି ସରକାର । ୨୦୨୪ ରେ ଯେଉଁ ବିଲ ଅଣା ଯାଇଛି ୧୯୮୯ ର ବିଲକୁ ସଂଶୋଧନ କରାଯାଇଛି ବୋଲି କୁହାଯାଇଛି । ବିଲର ବୈଧତା କଣ ଅଛି ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟରେ ଆଲୋଚନା ହେବ । ବିଲରେ ଗଭର୍ଣ୍ଣରଙ୍କ ପାୱାରକୁ କାଟି ଦିଆ ଯାଇଛି । ୟୁଜିସିର ଡ୍ରାଫ୍ଟ ଗାଇଡ଼ ଲାଇନ, NEP ର ଗାଇଡ଼ ଲାଇନ ଓ ନୂଆ ବିଲ ମଧ୍ୟରେ ତାଳ ମେଳ ନାହିଁ । ଯେହେତୁ ୪ ବର୍ଷ ତଳେ ବିଜେପି ବିରୋଧ ରେ ଥିଲେ, ୟୁଜିସି କୁ ଲଗେଇ ମାମଲା କରିଥିଲେ ତେଣୁ ନିଜ ଜିଦ ରକ୍ଷା ପାଇଁ ବିଲ ଆଣି ତରବରିଆ ଭାବେ ସଂଖ୍ୟା ବଳ ରେ ପାସ କରିଛନ୍ତି ।" ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ନେଇ ରାତି ତମାମ ଚାଲିଲା ପୁଙ୍ଖାନୁପୁଙ୍ଖ ଆଲୋଚନା । ବିଜେଡି ବିଧାୟକ ଅରୁଣ ସାହୁ ୩ ଘଣ୍ଟା ୨୦ ମିନିଟ ଯୁକ୍ତି ରଖିଥିଲେ ।
ରାତି ତମାମ ଚାଲିଲା ବିଧାନସଭା-
ପ୍ରାୟ ଦୁଇ ଦଶନ୍ଧି ପରେ ରାତି ତମାମ ସରଗରମ ହୋଇ ଚାଲିଲା ଗୃହ । ବିରୋଧୀ ବି ଉଜାଗର ସରକାର ବି ଉଜାଗର ।ଅପରାହ୍ନ ୪ ରୁ ଭୋର ୪ ଟା ୨୯ ପର୍ଯ୍ୟନ୍ତ ଜୋରଦାର ଆଲୋଚନା ପରେ ପାରିତ ହେଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟକ ୨୦୨୪।ଆଲୋଚନା ବେଳେ ଗୃହରେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।କିନ୍ତୁ ଅନୁପସ୍ଥିତ ଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।
ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟକ ରେ ୧୮ ଗୋଟି କ୍ଲଜ ରହିଥିବା ବେଳେ ୧୨ ଟି ସଂଶୋଧିତ ପ୍ରସ୍ତାବ ରହିଛି । ଆସନ୍ତୁ ଦେଖିବା କେଉଁ ଆଧାରରେ ବିଶ୍ୱବିଦ୍ୟାଳୟ ସଂଶୋଧନ ପ୍ରସ୍ତାବ ରହିଛି, ଆଉ କଣ ରହିଛି ସେ ପ୍ରସ୍ତାବ ଗୁଡିକ
୧୯୮୯ ମସିହାରେ ଓଡିଶା ବିଶ୍ବବିଦ୍ୟାଳୟ ଅଧୁନିୟମ ପ୍ରଣୟନ କରାଯାଇଥିଲା ଏବଂ ଏହାକୁ ୨୦୨୦ ପର୍ଯ୍ୟନ୍ତ ସଂଶୋଧନ କରାଯାଇଛି । ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ୧୫ଟି ସରକାରୀ ବିଶ୍ବବିଦ୍ୟାଳୟ ଓଡିଶା ବିଶ୍ବବିଦ୍ୟାଳୟ ଅଧୁନିୟମ, ୧୯୮୯ ଅନୁଯାୟୀ କାର୍ଯ୍ୟ କରୁଛି ।
ସମୟ କ୍ରମେ ଏବଂ ଜାତୀୟ ଶିକ୍ଷାନୀତି- ୨୦୨୦ ପ୍ରଣୟନ ପରେ ଏହି ଆଇନର କିଛି ବିଦ୍ୟମାନ ବ୍ୟବସ୍ଥାକୁ ସଂଶୋଧନ କରିବା, କିଛି ବ୍ୟବସ୍ଥାକୁ ପୁନଃସମୀକ୍ଷା ଏବଂ ସଂଶୋଧନ କରିବା ଜରୁରୀ ଅଟେ
ସରକାରୀ ବିଶ୍ବବିଦ୍ୟାଳୟ ଗୁଡିକ ରେ ନ୍ୟାୟିକ ମାମଲା ଯୋଗୁଁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଉପୁଜିଥିବା ସ୍ଥାଣୁତାକୁ ଏଡାଇବା ତଥା ଅଧିକ ଦକ୍ଷ ଅଧ୍ୟାପକ ନିଯୁକ୍ତି କରିବା ନିମନ୍ତେ ଏବଂ ଠିକ୍ ସମୟରେ ନିଯୁକ୍ତିକୁ ସୁଗମ କରି ପ୍ରକ୍ରିୟାଗତ ପ୍ରତିବନ୍ଧକକୁ ଦୂର କରିବା ପାଇଁ ଶିକ୍ଷାବିତମାନଙ୍କ ଦ୍ବାରା ଗଢ଼ା ଯାଇଥିବା ଏକ କମିଟି ଦ୍ବାରା ବିଶ୍ବବିଦ୍ୟାଳୟଗୁଡ଼ିକ ରେ ଶିକ୍ଷକ ନିଯୁକ୍ତି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି
ରାଜ୍ୟରେ ମୋଟ ନାମଲେଖା ଅନୁପାତ୍ର (Gross Enrolment Ratio) ବଢାଇବା ନିମନ୍ତେ ପ୍ରତ୍ୟେକ ବିଶ୍ବବିଦ୍ୟାଳୟରେ "ଦୂର ଶିକ୍ଷା" ପ୍ରଣୟନ କରିବା ବ୍ୟବସ୍ଥା ଏହି ଆଇନରେ ଅନ୍ତର୍ଭୁକ୍ତ କରାଯାଇଛି। ଏହାହାରା, ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଉଚ୍ଚଶିକ୍ଷା ହାସଲ କରିବାର ସୁଯୋଗ ମିଳିବ । ବିଶେଷକରି ସୁଦୂର ଏବଂ ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀମାନେ ଲାଭବାନ ହେବେ
'ସିନେଟ୍'କୁ ପୁନଃ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି । ସିନେଟ୍ ହେଉଛି ବିଶ୍ବବିଦ୍ୟାଳୟର ସର୍ବୋଚ୍ଚ ପରାମର୍ଶଦାତା ସଂସ୍ଥା ଯାହାକି ସମସ୍ତ ବର୍ଗର ଅଂଶୀଦାରଙ୍କୁ ନେଇ ଉଚ୍ଚଶିକ୍ଷା କ୍ଷେତ୍ରରେ ସେମାନଙ୍କର ମତାମତ ପ୍ରଦାନ କରିଥାଏ । ଏହା ଏମିତି ଏକ ମାଧ୍ୟମ ଯେଉଁଠି ଅଧ୍ୟାପକ ତଥା ଅନ୍ୟାନ୍ୟ କର୍ମଚାରୀ, ଛାତ୍ରଛାତ୍ରୀ, ପ୍ରଶାସନିକ କର୍ମଚାରୀ ସମେତ ସମସ୍ତ ଅଂଶୀଦାରଙ୍କ ଚିନ୍ତାଧାରାକୁ ଗୋଟିଏ ସ୍ଥାନରେ ଉପସ୍ଥାପନ କରାଯାଏ ।ଏତଦବ୍ୟତୀତ ସିଣ୍ଡିକେଟରେ ଥିବା ସଦସ୍ୟମାନଙ୍କ ତାଲିକାକୁ ମଧ୍ୟ ସଂଶୋଧନ କରାଯାଇଛି ।
ଜାତୀୟ ଶିକ୍ଷାନୀତି-୨୦୨୦ ର ଲକ୍ଷ୍ୟକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟର କାର୍ଯ୍ୟ ପରିସୀମା ଓ କ୍ଷମତାକୁ ୫୯ ସଂଖ୍ୟକ କାର୍ଯ୍ୟାବଳୀରେ ବ୍ୟାଖ୍ୟା କରାଯାଇଛି ଯାହା ଦ୍ବାରା ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷିତ ହେବା ସହ ରୋଜଗାରକ୍ଷମ ହୋଇପାରିବେ।
ଓଡିଶା ସାଧାରଣ ଆର୍ଥିକ ନିଗମ (Odisha General Financial Rules) କିମ୍ବା ରାଜ୍ୟ ସରକାରଙ୍କ ଅନ୍ୟ,(Delegation of Financial Power ଆନୁପାତିକ ବ୍ୟବସ୍ଥା ଅନୁଯାୟୀ ବିଶ୍ବବିଦ୍ୟାଳୟରେ ଆର୍ଥିକ ପରିଚାଳନାର ବ୍ୟବସ୍ଥାକୁ ସୁଦୃତ କରିବା ନିମନ୍ତେ ଅର୍ଥ କମିଟିକୁ ଏହି କାରଣରୁ ଅନ୍ତର୍ଭୁକ୍ତ କରାଯାଇଛି !
ଭିତ୍ତିଭୂମିର ଆବଶ୍ୟକତା ତଥା ବିଶ୍ଵବିଦ୍ୟାଳୟରେ ଚାଲିଥିବା ସମସ୍ତ ଭିତିଭୂମି ବିକାଶ ପ୍ରକଳ୍ପ ଗୁଡିକର ଅଗ୍ରଗତିର ସମୀକ୍ଷା ଏବଂ ଯାଞ୍ଚ ନିମନ୍ତେ ନିର୍ମାଣ (Building and Working ର ପ୍ରସ୍ତାବ ରଖାଯାଇଛି ।
କୁଳପତିଙ୍କ ବୟସ ସୀମା ୫୭ ବର୍ଷରୁ ୭୦ ବର୍ଷକୁ ବୃଦ୍ଧି କରାଯାଇଛି। ବିଶ୍ବବିଦ୍ୟାଳୟ ପ୍ରଶାସନରେ ଜାତୀୟ ଓ ଆନ୍ତର୍ଜାତୀୟ ବିଶ୍ବବିଦ୍ୟାଳୟର ବ୍ୟବସ୍ଥା ଅନୁଯାୟୀ ଜଣେ ପ୍ରବୁଦ୍ଧ ତଥା ପ୍ରବୀଣ ଥିକ ନେତୃତ୍ବଙ୍କୁ ଅନ୍ତର୍ଭୁର କରିବା ଏହାର ମୂଳ ଲକ୍ଷ୍ୟ ଅଟେ।
କୁଳପତି ଚୟନ ନିମନ୍ତେ ଏକ କମିଟି ତିନିଜଣ ସଦସ୍ୟଙ୍କୁ ନେଇ ଗଠିତ ହେବ ଏବଂ ଏଥିପାଇଁ ତିନିଜଣ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ଓଡ଼ିଆ କ୍ଷେତ୍ରରେ ସରକାରଙ୍କ ଦ୍ୱାରା ସୁପାରିଣ କରାଯାଇଥିବା ଜଣେ ସଦସ୍ୟଙ୍କୁ ଏହି କମିଟିର ଅଧ୍ୟକ୍ଷ ଭାବେ କୁଳାଧିପତି ମନୋନୀତ କରିବେ । ଦିତୀୟ ସଦସ୍ୟ ଶିକ୍ଷା କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବେ ଯାହାଙ୍କୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଅଧ୍ୟକ୍ଷ ମନୋନୀତ କରିବେ । ତୃତୀୟ ସଦସ୍ୟ ମଧ୍ୟ ଉଚ୍ଚଶିକ୍ଷା କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବେ ଯିଏକି ସିଣ୍ଡିକେଟ୍ ତରଫରୁ ସଦସ୍ୟ ଭାବରେ ମନୋନୀତ ହେବେ । ଏହାହାରା ମନୋନୟନ ପ୍ରକ୍ରିୟା ଅଧିକ ପାରଦର୍ଶୀ ଓ ଦକ୍ଷତା ଆଧାରିତ ହେବ। ଅଧିକନ୍ତୁ, ଏହି ପ୍ରକ୍ରିୟାରେ ସରକାରୀ ନିୟନ୍ତ୍ରଣ ହ୍ରାସ ପାଇବ
ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (UGC ) ଦ୍ୱାରା ଗ୍ରହଣ କରାଯାଇଥିବା ନୀତିଗୁଡିକୁ ଅନୁସରଣ କରି ବିଶ୍ବବିଦ୍ୟାଳୟକୁ ବିଶ୍ବ ମାନର ଶିକ୍ଷାନୁଷ୍ଠାନରେ ପରିଣତ କରିବାପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି
ରାଜ୍ୟରେ ଅଧୁନ ସଂଖ୍ୟନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ତଥା ରାଜ୍ୟର ମହାବିଦ୍ୟାଳୟଗୁଡିକୁ ବିଶ୍ବବିଦ୍ୟାଳୟ ସ୍ଥିତିକୁ ଭଜନୀତ କରି ମୋଟ ନାମଲେଖା ଅନୁପାତକୁ ଦୃଦ୍ଧି କରିବା ସରକାରଙ୍କ ଅନ୍ୟତମ ଲକ୍ଷ୍ୟ
ବିଶ୍ବବିଦ୍ୟାଳୟହାଲା ପ୍ରାପ୍ତ କିମ୍ବା ଉତ୍ପାଦିତ ସମସ୍ତ ପରିମାଣର ଅର୍ଥରାଶି ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକଙ୍କ (CAG) ଦ୍ବାରା ଅଡିଟ୍ କରାଯାଇ ତାହାର ବିବରଣୀ ଓଡ଼ିଶା ବିଧାନସଭା ସମ୍ମୁଖରେ ଉପସ୍ଥାପନ କରାଯିବା ସହ ପବ୍ଲିକ ଆକାଉଣ୍ଟସ କମିଟିରେ ମଧ୍ୟ ଆଲୋଚନା କରାଯିବା ନିମନ୍ତେ ପ୍ରସ୍ତାବ ଦିଆଯାଇଛି
ନିୟନ୍ତ୍ରଣ ବ୍ୟବସ୍ଥାକୁ ସମୟପଯୋଗୀ ଏବଂ ବିଶ୍ୱବିଦ୍ୟାଳୟ ଗୁଡ଼ିକର ପରିଚାଳନା ଦକ୍ଷତା ଵୃଦ୍ଧି କରିବା ଶିକ୍ଷାର ଗୁଣାତ୍ମକ ମାନ ନିରୂପଣ କରିବା ଉଦେଶ୍ୟ
ଉଚ୍ଚ ଶିକ୍ଷା ବିଭାଗରେ ଖାଲି ପଡିଥିବା ପଦବୀ ପାଇଁ ବିଭିନ୍ନ କୋର୍ଟରେ ମାମଲା ବିଚାର ଧୀନ ଥିବାରୁ ଏହାକୁ ଏଡାଇ ଖାଲି ପଡି ଥିବା ପଦବୀ ପୂରଣ କରିବାକୁ ଏହି ବିଲରେ ବ୍ୟବସ୍ଥା ରହିଛି
ଦୂର ନିରନ୍ତର ଶିକ୍ଷା ବା distance education କିଭଳି ରାଜ୍ୟର ଉପାନ୍ତ ଅଞ୍ଚଳ ରେ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚଶିକ୍ଷା ର ସୁଯୋଗ ମିଳିପାରିବ ସେ ନେଇ ମଧ୍ୟ ଏ ବିଲ ରେ ବ୍ୟବସ୍ଥା ରହିଛି
ବିଶ୍ୱବିଦ୍ୟାଳୟ ଗୁଡ଼ିକର ସର୍ବୋଚ୍ଚ ପରାମର୍ଶଦାତା ଅନୁଷ୍ଠାନ ସିନଟରେ ପୁନର୍ବିନ୍ୟାସ କରି ସେଥିରେ ଶିକ୍ଷକ, ଛାତ୍ରଛାତ୍ରୀ, ପ୍ରଶାସନିକ ଅଧିକାରୀ ପୁରାତନ ଛାତ୍ର ଓ ବାହ୍ୟ ବିଶେଷଜ୍ଞ ଙ୍କୁ ସାମିଲ କରିବା ପାଇଁ ଏହି ବିଲ ରେ ବ୍ୟବସ୍ଥା ରହିଛି।
୨୦୨୦ NEP ବା ଜାତୀୟ ଶିକ୍ଷାନୀତି ଅନୁସାରେ ବିଶ୍ୱବିଦ୍ୟାଳୟ ଗୁଡ଼ିକ ର ଦକ୍ଷତା କିଭଳି ବୃଦ୍ଧି କରାଯିବ ସେନେଇ ଏ ବିଲ ରେ ବ୍ୟବସ୍ଥା ରହିଛି ଏହାଦ୍ୱାରା ଛାତ୍ରଛାତ୍ରୀ ମାନେ ଅଧିକ ସଂଖ୍ୟାରେ ନିଯୁକ୍ତି ପାଇପାରିବେ।ଏହି ବିଲ ରେ ବିତିୟ ପରିଚାଳନା ପାଇଁ ସ୍ୱତନ୍ତ୍ର ଅର୍ଥ କମିଟି ଗଠନ କରାଯିବ
ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଭିତ୍ତିଭୂମି ନିର୍ମାଣ ଏବଂ ଅଗ୍ରଗତି ପାଇଁ ନିର୍ମାଣ କମିଟି ଗଠନ କରାଯିବା ନେଇ ପ୍ରସ୍ତାବ ରହିଛି
ଭିସିଙ୍କ ସର୍ବୋଚ୍ଚ ବୟସ ସୀମା ପୂର୍ବରୁ ୬୭ ଥିବାବେଳେ ଏବେ ୭୦ ବର୍ଷକୁ ବୃଦ୍ଧି କରାଯାଇଛି
"ମୂଳ ବିଲରେ ମୋଟ 18 ଟି କ୍ଲଜ ଏବଂ ଗୋଟିଏ ଅନୁସୂଚି ରହିଥିବାବେଳେ, ବିରୋଧୀ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ 2024 ରେ 12 ଟି କ୍ଲଜରେ ସଂଶୋଧନ ପ୍ରସ୍ତାବ ରଖିଥିଲେ । ପ୍ରତ୍ୟେକ ସଂଶୋଧନ ପ୍ରସ୍ତାବ ଉପରେ ବିରୋଧୀ ଦଳ ପକ୍ଷରୁ ଶଙ୍କା ଆଶଙ୍କା ପ୍ରକାଶ କରି ସରକାରଙ୍କୁ ସ୍ପଷ୍ଟୀକରଣ ମଗାଯାଇଥିଲା ଏବଂ ସରକାରଙ୍କ ପକ୍ଷରୁ ଉତ୍ତର ଦିଆଯାଇଥିଲା । ପରିଶେଷରେ ବିରୋଧୀ ସଦସ୍ୟଙ୍କ ସମସ୍ତ ସଂଶୋଧନ ପ୍ରସ୍ତାବ କାଟ ଖାଇଥିଲା," କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ।
"ଓଡ଼ିଶାରେ, ୧୮ ଟି ବିଶ୍ୱବିଦ୍ୟାଳୟ ରହିଛି ।ସେହିଭଳି ୨୦୦୯ ରେ କୋରାପୁଟରେ ସେଣ୍ଟ୍ରାଲ ୟୁନିଭରସିଟି ଏବଂ ୧୯୭୧ ରେ ପୁରୀ ରେ ସେଣ୍ଟ୍ରାଲ ସଂସ୍କୃତ ୟୁନିଭରସିଟି ରହିଛି । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ୨୦୨୧ -୨୨ରେ ସୁପ୍ରିମକୋର୍ଟରେ ମାମଲା ଦାୟର ହେଲା ଆଉ ସୁପ୍ରିମକୋର୍ଟ ଷ୍ଟେ କଲେ । କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନିଯୁକ୍ତି ଉପରେ କୌଣସି କଟକଣା ନଥିବା ଚର୍ଚ୍ଚା ହେଉଛି।ବିଗତ ୫ ବର୍ଷ ରେ ୨୦୨୦-୨୨ ମସିହାରେ ୨୧୫ ପଦବୀ ପୂରଣ କରାଯାଇଛି । ୨୦୨୦ରେ opsc ଦ୍ୱାରା ନିଯୁକ୍ତି ପ୍ରକ୍ରିୟାକୁ ସଙ୍କୁଚିତ କରାଯାଇଥିଲା । ଏବେ opsc ନୁହେଁ ,ପ୍ରତ୍ୟକ ବିଶ୍ୱବିଦ୍ୟାଳୟ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରିବେ । ପୂର୍ବ ସରକାରରେ ବିଶ୍ୱବିଦ୍ୟାଳୟ ଗୁଡ଼ିକର ସ୍ଵୟତତାକୁ ସଙ୍କୁଚିତ କରାଯାଇଥିଲା । ଏବେ ଆଉ ସେ ପ୍ରତିବନ୍ଧକ ରହିବ ନାହିଁ," କହିଛନ୍ତି ରାଜନୈତିକ ବିଶେଷଜ୍ଞ ଅକ୍ଷୟ ସାହୁ ।
ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍ ପାରିତ-
ଗୃହରେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍-୨୦୨୫ ପାରିତ । ବିଧାନସଭାରେ ୬ଟା ୨୫ ମିନିଟ୍ରେ ପାରିତ ହେଲା ବିଲ୍ । ବିଧାନସଭାରେ ଆଜି ପାରିତ ହୋଇଛି ଓଡିଶା ରାଜ୍ୟ ରାଜପଥ ପ୍ରାଧିକାରଣ ବିଧେୟକ 2025 । NHAI ଢାଞ୍ଚାରେ ଓଡ଼ିଶା ରାଜପଥ ପ୍ରାଧିକରଣ । ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପରେ ବିଧାନସଭାରେ ହୋଇଛି ପାରିତ । ବିଧାନସଭାରେ ପାରିତ ପାଇଁ ଗୃହରେ ଆଗତ କରିଥିଲେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ରାଜପଥ ଏବଂ ଏକ୍ସପ୍ରେସ ଗୁଡିକର ତ୍ବରିତ ନିର୍ମାଣ ପାଇଁ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବା NHAI ଢାଞ୍ଚାରେ ହେବ ଏକ ସ୍ବୟଂଶାସିତ ସଂସ୍ଥା । ଓଡ଼ିଶା ରାଜପଥ ପ୍ରାଧିକରଣରେ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଜଳସମ୍ପଦ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ଭଳି ବିଭାଗର ପ୍ରୟାସକୁ ସମନ୍ବିତ କରାଯିବ । ଏହି ବିଭାଗ ଗୁଡିକ ମିଶି 2029/30 ସୁଦ୍ଧା 75 ହଜାର କିଲୋମିଟର ବିଶ୍ବସ୍ତରୀୟ ସଡ଼କ ନିର୍ମାଣ କରିବେ । ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟାରେ ସ୍ବଚ୍ଛତା ଓ ପାରଦର୍ଶିତା ପାଇଁ OPWD କୋଡର ସଂଶୋଧନ କରାଯିବ । ଏଥିପାଇଁ କମିଟି ମଧ୍ୟ ଗଠନ କରାଯିବ ।
ପୂର୍ତ୍ତ ମନ୍ତ୍ରୀ କହିଛନ୍ତି, "ଦ୍ରୁତ ପ୍ରଗତିରେ ଆଗଉଛି ଓଡ଼ିଶା । ଓଡିଶା ସାମ୍ନାରେ ରହିଛି ଦୁଇଟି ଲକ୍ଷ୍ୟ । 2036 ବିକଶିତ ଓଡିଶା ଓ 2047ରେ ଦେଶ ବିକାଶର ଗ୍ରୋଥ ଇଞ୍ଜିନ ହେବା ଲକ୍ଷ୍ୟ ନେଇ ଚାଲୁଛି । ରାସ୍ତା ନେଟୱାର୍କରେ ଦେଶରେ 8 ନମ୍ବର ସ୍ଥାନରେ ଓଡିଶା ରହିଛି । ଜାତୀୟ ହାରରୁ ଓଡିଶା ପଛରେ ରହିଛି । ଦେଶର ହାର ପ୍ରତି ଲକ୍ଷେ ଲୋକରେ 69.08 କିମି ରାସ୍ତା । ରାଜ୍ୟର ପ୍ରତି ଲକ୍ଷେ ଲୋକ 61.5 କିମି ରାସ୍ତା । ରାଜ୍ୟ ସରକାର ଆଗାମୀ 5 ବର୍ଷ ମଧ୍ୟରେ 75 ହଜାର କିଲୋମିଟର ରାସ୍ତା ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ପୁର୍ତ୍ତ ବିଭାଗ ହାତରେ ରହିଛି 15 ହଜାର କିଲୋମିଟର ରାସ୍ତା । 2029ରେ ତାମିଲନାଡୁକୁ ହଟେଇ ତୃତୀୟ ଓ 2036ରେ ଉତ୍ତର ପ୍ରଦେଶକୁ ବାଦ ଦେଇ ପ୍ରଥମ ସ୍ଥାନ ଅଧିକାର କରିବା ଓଡ଼ିଶାର ଲକ୍ଷ୍ୟ ।"
ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ବିଧେୟକ, 2025ରେ ଅଛି କଣ ?
ବିକଶିତ ଓଡିଶାର ଦୃଷ୍ଟିକୋଣ 2036 ଅନୁଯାୟୀ ସଂପୂର୍ଣ୍ଣ ରାଜ୍ୟକୁ ଏକ ଅର୍ଥନୈତିକ ପାୱର ହାଉସ ଭାବେ ପରିଣତ କରିବାକୁ ପ୍ରୟାସ କରାଯିବ । ରାଜ୍ୟ ସରକାର ନିର୍ମାଣ ବିଭାଗ ଅଧୀନରେ 15000 କିଲୋମିଟର । ରାସ୍ତା ନେଟୱାର୍କର ବିକାଶକୁ ତ୍ୱରାନ୍ୱିତ ସହିତ ଜମି ଅଧିଗ୍ରହଣ, ପୁନର୍ବାସ ଏବଂ ଥଇଥାନ, ପରିବେଶ ଏବଂ ଜଙ୍ଗଲ ମଞ୍ଜୁରୀ ଏବଂ ଉପଯୋଗୀତା ସ୍ଥାନାନ୍ତରଣ ରାଜପଥରେ ଟ୍ରାଫିକ ନିୟନ୍ତ୍ରଣ ଆବଶ୍ୟକ । ଝାରଖଣ୍ଡ, ଉତ୍ତର ପ୍ରଦେଶ, ରାଜସ୍ଥାନ, ପଞ୍ଜାବ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କେରଳ ଏବଂ ଗୁଜରାଟ ପରି ରାଜ୍ୟରେ ଏହି ପ୍ରକାର ଅଥରିଟି ସ୍ଥାପିତ କରାଯାଇଛି ।
75000 କିଲୋମିଟର ରାସ୍ତାକୁ ବିଶ୍ୱସ୍ତରୀୟ ନେଟୱାର୍କ ଭାବେ ବିକଶିତ କରିବାର ଲକ୍ଷ୍ୟ ରଖିଛନ୍ତି ମୋହନ ସରକାର । ବିଭିନ୍ନ ଉଚ୍ଚ ମୂଲ୍ୟର ପ୍ରକଳ୍ପଗୁଡ଼ିକୁ ଏକ ସୁଗମ ଏବଂ ସାମଗ୍ରିକ ଭାବରେ କାର୍ଯ୍ୟକାରୀ କରିବାକୁ ଚିନ୍ତା କରୁଛନ୍ତି । ରାଜ୍ୟର ଉପରୋକ୍ତ ରାସ୍ତା ନେଟୱାର୍କର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଭୂମି ଅଧିଗ୍ରହଣ, ପୁନର୍ବାସ ଓ ଥଇଥାନ, ପରିବେଶ ଓ ଜଙ୍ଗଲ ମଞ୍ଜୁରୀ ଏବଂ ଉପଯୋଗୀତା ସ୍ଥାନାନ୍ତର, ରାଜପଥରେ ଟ୍ରାଫିକ ନିୟନ୍ତ୍ରଣ ଓ ରାଜ୍ୟରେ ସଡ଼କ ବ୍ୟବହାରକାରୀଙ୍କର ସୁରକ୍ଷା, ଜବରଦଖଲ ନିୟନ୍ତ୍ରଣ ଏବଂ ରାଜପଥର ବୈଜ୍ଞାନିକ ପରିଚାଳନା ସହିତ ଜଡିତ ବିଷୟଗୁଡ଼ିକ ପାଇଁ ଏକ ଦ୍ରୁତ ଗତିରେ କାର୍ଯ୍ୟାନ୍ୱୟନ କରିବା ଆବଶ୍ୟକ ।
ଇଟିଭି ଭାରତ, ଭୁବନେଶ୍ୱର