ଭୁବନେଶ୍ବର: ଓଡ଼ିଶାର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ କମୁଛି ନାକ୍( NAAC) ମାନ୍ୟତା । ଏପରିକି ଅନେକ କଲେଜ ଗୁଡିକରେ ନାକ୍ ମାନ୍ୟତା ନାହିଁ । ନାକ୍ ଗ୍ରେଡ କ୍ଷେତ୍ରରେ ରାଜ୍ୟର କଲେଜ ଗୁଡିକ ନୈରାଶ୍ୟଜନକ ପ୍ରଦର୍ଶନ କରିଚାଲିଛନ୍ତି । ରାଜ୍ୟରେ ମାତ୍ର ୨୦ ପ୍ରତିଶତରୁ କମ୍ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ନାକ୍ ମାନ୍ୟତା ପାଇବା ପାଇଁ ଆବେଦନ କରୁଛନ୍ତି । ଅନେକ କଲେଜ ଗୁଡିକରେ ଶିକ୍ଷକ ଅଭାବ ଭିତ୍ତିଭୂମି ଅଭାବ କାରଣରୁ ନାକ୍ ପାଇଁ ଆବେଦନ କରୁନାହାନ୍ତି । ଯାହା ଫଳରେ କି ନାକ୍ ମାନ୍ୟତାରୁ ବଞ୍ଚିତ ହେଉଛି ଶିକ୍ଷାନୁଷ୍ଠାନ । ଫଳରେ ଅସଜଡା ଭିତ୍ତିଭୂମି ଭିତରେ ନାକ୍ ମାନ୍ୟତା ଖୋଜୁଛି ଶିକ୍ଷାନୁଷ୍ଠାନ ।
ଭିତ୍ତିଭୂମି ସଜାଡିବା ପାଇଁ ପଦକ୍ଷେପ ନେଉଛି ବିଭାଗ:
ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ‘ଚଳିତ ଥର ପ୍ରଥମ ଥର କରି ୬୭୦ କୋଟି ଟଙ୍କା ସମସ୍ତ କଲେଜକୁ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ମାଧ୍ୟମରେ ପ୍ରଦାନ କରାଯାଇଛି । ଏହା ମେରୁ ସ୍କିମରେ ପ୍ରଦାନ କରାଯାଇଛି । ଏହି ସ୍କିମ ଅଧୀନରେ ୪ଟି ବିଶ୍ୱବିଦ୍ୟାଳୟକୁ ୧୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି, ଅନ୍ୟ ବିଶ୍ବବିଦ୍ୟାଳୟକୁ ୨୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ୨୪ କଲେଜମାନଙ୍କୁ ୫ କୋଟି ତାଙ୍କ ପ୍ରଦାନ କରାଯାଇଛି । ପାଖାପାଖି ୫ଟି କଲେଜକୁ ଲିଙ୍ଗଗତ ସମାନତାକୁ ନେଇ ୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି । କେନ୍ଦ୍ରର ଅନୁଦାନ ରାଜ୍ୟରେ ଥିବା ଅନେକ କଲେଜ ବିଶ୍ୱବିଦ୍ୟାଳୟ ପାଉଛନ୍ତି ଯାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ ।’
ନାକ୍ ପାଇନଥିବା କଲେଜ ଉପରେ ସ୍ବତନ୍ତ୍ର ଦୃଷ୍ଟି:
ମନ୍ତ୍ରୀ ଆହୁରି କହିଛନ୍ତି, ‘ଯେଉଁ ଯେଉଁ କଲେଜ ମାନେ ନାକ୍ର ମାନ୍ୟତା ପାଇପାରିନାହାନ୍ତି ବିଭାଗ ପକ୍ଷରୁ ସେମାନଙ୍କ ଉପରେ ସ୍ଵତନ୍ତ୍ର ଭାବରେ ଦୃଷ୍ଟି ଦିଆଯାଉଛି । କେବେ ଆବେଦନ କରିବେ କିଭଳି ଭିତ୍ତିଭୂମି ରହିବା ଆବଶ୍ୟକ ଆଦି ଉପରେ ଗୁରୁତ୍ଵ ଦିଆଯାଇଛି । ପୂର୍ବରୁ କଲେଜର ବା ବିଶ୍ବବିଦ୍ୟାଳୟର ଭିତ୍ତିଭୂମିକୁ ଠିକ କରିବା ପାଇଁ ପୂର୍ବରୁ ୧୦୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା କିନ୍ତୁ ଏବେ ପୁଣି ୧୬୮ କୋଟି ଟଙ୍କା ପ୍ରଦାନ କରାଯାଇଛି ।’
ନାକ୍ ମାନ୍ୟତା ନ ମିଳିଲେ କ'ଣ ହୁଏ ସମସ୍ୟା:
- ନାକ୍ ମାନ୍ୟତା ପାଇଁ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକୁ ପ୍ରଥମେ ଆବେଦନ କରିବାକୁ ହୁଏ
- ନାକ୍ ମାନ୍ୟତା ନପାଇବା ପର୍ଯ୍ୟନ୍ତ କଲେଜ ଗୁଡିକ କେନ୍ଦ୍ର ସରକାରଙ୍କ କୌଣସି ସୁବିଧା ସୁଯୋଗ ପାଇପାରିବେ ନାହିଁ
- ରୁଷା ପାଣ୍ଠି ଠାରୁ ଆରମ୍ଭ କରି ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟର ବିକାଶ ପାଇଁ ଆସୁଥିବା ଅନୁଦାନ ଅର୍ଥରାଶି ପ୍ରଦାନରେ କଟକଣା ରହିବ
- ଏପରିକି ଏ.ଆଇ.ୟୁର ସଦସ୍ୟ ମଧ୍ୟ ହୋଇପାରିବେ ନାହିଁ
- କୃତି ମେଧାବୀ ବିଦ୍ୟାର୍ଥୀଙ୍କୁ କୌଣସି ଉଚ୍ଚ ଅନୁଷ୍ଠାନରେ ସ୍ବୀକୃତି ମିଳିବା, ସ୍କଲାରସିପ ପାଇବାରେ କଷ୍ଟସାଧ୍ୟ ହୋଇପାରେ
ଆବେଦନ ନ କରିବା ପଛରେ ରହୁଛି କି ଭୟ ?
ବିଶ୍ବବିଦ୍ୟାଳୟ ଅଧିନରେ ଥିବା ମହାବିଦ୍ୟାଳୟ ଗୁଡିକ ନାକ୍ ଆବେଦନ ନକରିବା ପଛରେ ଭୟ ରହୁଥିବା ଚର୍ଚ୍ଚା ହେଉଛି । କାଳେ ଆବେଦନ କଲେ ନାକ ଗ୍ରେଡ ମିଳିବ ନାହଁ କିମ୍ବା ଖୁବ୍ କମ୍ ଗ୍ରେଡ ହୋଇଯିବ ଆଶଙ୍କା କରି ଅନେକ ଏହାକୁ ଆବେଦନ କରୁନାହାନ୍ତି । ଯାହା ଫଳରେ ଆଜି ପର୍ଯ୍ୟନ୍ତ ଅନେକ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଆବେଦନ କରିନାହାନ୍ତି । ଏପରିକି କେତେକ କଲେଜରେ ମଧ୍ୟ ନାକ୍ ମାନ୍ୟତାର ବୈଧତା ସମାପ୍ତ ହେଲା ପରେ ମଧ୍ୟ ବି ଅଧ୍ୟକ୍ଷମାନେ ପରବର୍ତ୍ତୀ ରାଉଣ୍ଡ ମାନ୍ୟତା ପାଇଁ ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଯାହା ଫଳରେ ଭିତ୍ତିଭୂମି ବିକାଶ ପାଇଁ ଏହି ମହାବିଦ୍ୟାଳୟ ଗୁଡ଼ିକ ବିଭିନ୍ନ ଅନୁଦାନରୁ ବଞ୍ଚିତ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: NAAC ରାଙ୍କିଂ ଲାଞ୍ଚ ମାମଲା, ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରଫେସରଙ୍କୁ ଉଠାଇନେଲା CBI ବଦଳିବ ନାକ୍ ନିୟମ; ଉଠିବ ଗ୍ରେଡେସନ୍, ଲାଗୁ ହେବ ଲେଭଲ ମାନ୍ୟତା - NAAC Accreditation System |
ରାଜ୍ୟରେ ଅନେକ କଲେଜର ନାହିଁ ନାକ୍ ମାନ୍ୟତା:
ରାଜ୍ୟରେ ଅନେକ ବିଶ୍ବବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ନାକ ମାନ୍ୟତା ନାହିଁ। ବର୍ଷ ବର୍ଷ ଧରି ବିନା ନାକ ମାନ୍ୟତାରେ ଚାଲିଛି ଉଚ୍ଚ ଶିକ୍ଷାନୁଷ୍ଠାନ। ଏପରିକି ରାଜ୍ୟରେ ୯ଟି ବିଶ୍ବବିଦ୍ୟାଳୟ ଓ ୩୨୮ ଟି ମହାବିଦ୍ୟାଳୟରେ ମାନ୍ୟତା ନାହିଁ । ଯାହା ଫଳରେ ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକୁ ସଠିକ ସମୟରେ ଅନୁଦାନ ମିଳିବାରେ ସମସ୍ୟା ହେଉଛି । ରାଜ୍ୟରେ ପଞ୍ଜୀକୃତ ହୋଇଥିବା ମୋଟ ୫୧୭ ମହାବିଦ୍ୟାଳୟ ମଧ୍ୟରୁ ୧୮୮ ମହାବିଦ୍ୟାଳୟ ନାକ ମାନ୍ୟତା ପାଇଛନ୍ତି । ବାକି ମହାବିଦ୍ୟାଳୟ ଗୁଡ଼ିକ କିଭଳି ନାକ ପାଇବେ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଗୁଡ଼ିଏ ପଦକ୍ଷେପ ନିଆଯାଉଛି। ଛାତ୍ରଛାତ୍ରୀଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତି, କଲେଜର ଭିତ୍ତିଭୂମି ସହ ଗବେଷଣା ଓ ଶିକ୍ଷକ ଅଭାବ ଲାଗି ଅଧିକାଂଶ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟ ନାକ ମାନ୍ୟତା ହାସଲ କରିପାରୁନାହାନ୍ତି ।
- ୯ଟି ବିଶ୍ବବିଦ୍ୟାଳୟରେ ନାହିଁ ନାକ୍ ମାନ୍ୟତା
- ୩୨୮ଟି ମହାବିଦ୍ୟାଳୟର ନାହିଁ ନାକ୍ ମାନ୍ୟତା
- ୧୮୮ ମହାବିଦ୍ୟାଳୟ ପାଇଛନ୍ତି ନାକ୍ ମାନ୍ୟତା
- ୫୧୭ ମହାବିଦ୍ୟାଳୟ ପଞ୍ଜିକୃତ ହୋଇଛନ୍ତି
ଇଟିଭି ଭାରତ, ଭୁବନେଶ୍ବର