ETV Bharat / state

କେମିତି ପାଳିବେ ସୁରକ୍ଷିତ ଦୀପାବଳି ? ଗାଇଡଲାଇନ ଜାରି କଲା ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ

ଦୀପବାଳିରେ ସବୁଜ ବାଣ ଫୁଟାଇବାକୁ ପରାମର୍ଶ । ସନ୍ଧ୍ୟା ୭ ଟାରୁ ରାତି ୯ ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ନିର୍ଦ୍ଦେଶ ।

ସୁରକ୍ଷିତ ଦୀପାବଳି ପାଳନ ନେଇ ଗାଇଡଲାଇନ ଜାରି କଲା ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ
ସୁରକ୍ଷିତ ଦୀପାବଳି ପାଳନ ନେଇ ଗାଇଡଲାଇନ ଜାରି କଲା ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ (ETV BHARAT ODISHA)
author img

By ETV Bharat Odisha Team

Published : October 13, 2025 at 7:44 PM IST

3 Min Read
Choose ETV Bharat

ଭୁବନେଶ୍ବର: ଦେଶରେ ବାୟୁ ପ୍ରଦୂଷଣ ଏବେ ଉଦବେଗଜନକ ସ୍ଥିତିରେ ରହିଛି। ଏପରିକି ଜାତୀୟ ରାଜଧାନୀ ଦିଲ୍ଲୀର ବାୟୁ ଗୁଣବତ୍ତା ଧିରେ ଧିରେ ବଢ଼ିବାରେ ଲାଗିଛି। ସେହିପରି ରାଜ୍ୟର ବିଭିନ୍ନ ପ୍ରମୁଖ ସହରରେ ମଧ୍ୟ ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ପ୍ରଦୂଷଣ ବହୁମାତ୍ରାରେ ବଢିବା ସହ ନିୟନ୍ତ୍ରଣ ବାହାରକୁ ଚାଲିଯିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଲାଣି। ଆଗକୁ ଦୀପାବଳି ଆସୁଥିବା ବେଳେ ପ୍ରଦୂଷଣରୁ ଦୁରେଇ ରହିବା ପାଇଁ ଓ ସୁରକ୍ଷିତ ଦୀପାବଳି ପାଳନ ନେଇ ‘ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ’ ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ଲାଇନ୍‌ ଜାରି କରାଯାଇଛି ।

ନଜର ପକାନ୍ତୁ ନିର୍ଦେଶାବଳୀ ଉପରେ:


୧) ଦୀପାବଳିରେ କେବଳ ଦୀପ ଜଳାଇ ଉତ୍ସବ ମନାନ୍ତୁ, ସନ୍ଧ୍ୟା ୭ ଟାରୁ ରାତି ୯ ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ନିର୍ଦ୍ଦେଶ ।
୨) ଅଧିକ ମାତ୍ରାରେ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ବାରଣ କରାଯାଇଛି ।

ସୁରକ୍ଷିତ ଦୀପାବଳି ପାଳନ ନେଇ ଗାଇଡଲାଇନ ଜାରି କଲା ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ (ETV BHARAT ODISHA)
୩) ଯେ କୌଣସି ବାଣର ୧୨୫ ଟିବିରୁ ଅଧିକ ଶବ୍ଦ ହୋଇପାରିବ ନାହିଁ । ୪) ବିଶେଷ ଭାବରେ ବଗିଚା, ପାର୍କ, ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋର୍ଟ, ଧାର୍ମିକ ସ୍ଥାନ ଇତ୍ୟାଦିର ୧୦୦ ମିଟର ଦୂରତା ଭିତରେ ବାଣ ଫୁଟାଇବା ଆବଶ୍ୟକ । କେବଳ ସବୁଜ ବାଣ ଖୋଲା ସ୍ଥାନରେ ଫୁଟାଇବାକୁ ଅନୁମତି ଦିଆଯାଇଛି । ସେହିପରି ଦୋକାନ, ଅଗ୍ନି ପ୍ରବଣ ସ୍ଥାନ, ରାସ୍ତା ଏବଂ ଅଧିକ ଯାତାୟାତ ସ୍ଥାନରେ ବାଣ ଫୁଟାଇବାକୁ ବାରଣ କରାଯାଇଛି । ୫) ୧୦ ବର୍ଷରୁ କମ୍ ବୟସର ଶିଶୁମାନେ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ବାରଣ ।୬) ବାଣ ଫୁଟାଇବା ସମୟରେ ସୁରକ୍ଷା ପାଇଁ କଟନ ବା ସୂତା କପଡା ପରିଧାନ କରିବା ଆବଶ୍ୟକ ।୭) ବାଣରେ ବେରିଅମ ଓ ଅନ୍ୟାନ୍ୟ ନିଷିଦ୍ଧ ରସାୟନିକ ବ୍ୟବହାର ସଂପୂର୍ଣ ନିଷେଧ କରାଯାଇଛି । ୮) ଏହି ସମସ୍ତ ନିର୍ଦ୍ଦେଶାବଳୀକୁ ଖିଲାପ କଲେ 2000 ଟଙ୍କା ଆକାରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୯) ବାଣ ଫୁଟାଇବା ସମୟରେ ନିକଟରେ ପାଣି କିମ୍ବା ବାଲି ରଖିନ୍ତୁ ।୧୦) ବାଣକୁ ହାତରେ ଧରି ଜଳାନ୍ତୁ ନାହିଁ, ଭୂମିରେ ରଖି ଜଳାନ୍ତୁ ବା ବାଣ ଫୁଟାନ୍ତୁ।୧୧) ବାଣ ଫୁଟିବା ସମୟରେ ସୁରକ୍ଷିତ ଦୂରତାକୁ ଯାଆନ୍ତୁ ।୧୨) ପ୍ରଥମ ଚେଷ୍ଟାରେ ଫୁଟିନଥିବା ବାଣକୁ ପୁଣିଥରେ ଜଳାଇବାକୁ ଚେଷ୍ଟା କରନ୍ତୁ ନାହିଁ ।୧୩) ବ୍ୟବହୃତ ବାଣ ଓ ତାହାର ଅବଶିଷ୍ଟକୁ ସୁରକ୍ଷିତ ଭାବରେ ନିଷ୍କାସନ କରନ୍ତୁ, ଯାହାଦ୍ୱାରା ଅବହାତ ଅବଶିଷ୍ଠ ଅଗ୍ନିକାଣ୍ଡରୁ ବଞ୍ଚି ଯାଇପାରିବ ।୧୪) ପଶୁପକ୍ଷୀଙ୍କୁ ବାଣର ଧୂଆଁରୁ ଓ ଶବ୍ଦରୁ ସୁରକ୍ଷା କରନ୍ତୁ ।
ସୁରକ୍ଷିତ ଦୀପାବଳି ପାଳନ ନେଇ ଗାଇଡଲାଇନ ଜାରି କଲା ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ
ସୁରକ୍ଷିତ ଦୀପାବଳି ପାଳନ ନେଇ ଗାଇଡଲାଇନ ଜାରି କଲା ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ (ETV BHARAT ODISHA)
୧୫) ବୃଦ୍ଧ ଓ ଶ୍ଵାସ ରୋଗୀମାନେ ବାଣର ଧୂଆଁରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।୧୬) ବାଣ ଫୁଟାଇବା ସମୟରେ ଆଖିର ସୁରକ୍ଷା ପାଇଁ ଚଷମା ପିନ୍ଧିବା ଆବଶ୍ୟକ ।ଏନେଇ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡର ମୁଖ୍ୟ ପରିବେଶ ବିଜ୍ଞାନୀ ନିରଞ୍ଜନ ମଲ୍ଲିକ କହିଛନ୍ତି," ବାଣ ଫୁଟାଇବା ପାଇଁ ଅନେକ କିଛି ନିର୍ଦ୍ଦେଶାବଳୀ ପାଳନ କରିବା ଆବଶ୍ୟକ, ଦୀପାବଳି ପୂର୍ବରୁ ବହୁତ ସନ୍ତୋଷଜନକ ରହିଥିଲା । କିନ୍ତୁ ଦୀପାବଳି ଦିନ ପ୍ରଦୂଷଣ ହେବାରେ ଦେଖାଯାଇଥିଲା । ରାଜ୍ୟରେ ଅନେକ ସହର ବିପଦ ପୂର୍ଣ୍ଣ ଭାବରେ ରହିଥାଏ, ସବୁବେଳେ ଗାଇଡ଼ଲାଇନକୁ ନେଇ ରାଜ୍ୟର ସମସ୍ତ ଏସପିଙ୍କୁ ଚିଠି କରାଯାଉଥିଲେ ମଧ୍ୟ ଭୁବନେଶ୍ୱର, ବାଲେଶ୍ୱର, ଅନୁଗୋଳ ଭଳି ଅନେକ ସହରରେ ପ୍ରଦୂଷଣ ମାତ୍ର ବଢ଼ିବାରେ ଲାଗିଥାଏ ।"ଏପଟେ ପରିବେଶବିତ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି ,"ବିଶେଷ ଭାବରେ ନଭେମ୍ବର ମାସ ଆସିଲେ ପ୍ରଦୂଷଣ ବଢିଥାଏ । ବର୍ତ୍ତମାନ ସମୟରେ ପ୍ରତ୍ୟେକ ବର୍ଷ ଦେଶର ରାଜଧାନୀ କହିଲେ ଅତ୍ୟନ୍ତ ଖରାପ ଅବସ୍ଥାରେ ପହଞ୍ଚିଥାଏ । ତେଣୁ ସବୁଜ ବାଣକୁ ଅଧିକ ବ୍ୟବହାର କରିବା । ଚାଇନା ବାଣ ସହିତ ଉଚ୍ଚ ଶବ୍ଦ ଥିବା ବାଣକୁ ବ୍ୟବହାର କରିବା ଆନୁଚିତ । ଏହା ଦ୍ୱାରା କେବଳ ପରିବେଶ ପ୍ରଦୂଷଣ ହେଉନାହିଁ ବରଂ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ଯଦି ପିଲାମାନଙ୍କ ପାଇଁ ଏକ ସବୁଜ ବାଣକୁ ନେଇ ଏକ ସ୍ୱତନ୍ତ୍ର ଦୀପାବଳି ପାଳନ କରାଯାଆନ୍ତା ତେବେ ସମାଜକୁ ଏକ ସଚେତନତା ବାର୍ତ୍ତା ମିଳିପାରନ୍ତା ।"



୨୦୨୪ ମସିହାରେ ଦୀପାବଳି ପୂର୍ବରୁ ଓ ପରବର୍ତ୍ତୀ ସମୟରେ କିପରି ରହିଥିଲା AQI:


ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡର ତଥ୍ୟ ଅନୁସାରେ, ଅନୁଗୋଳରେ ଦୀପାବଳି ପୂର୍ବରୁ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ରହିଥିଲା ୮୨, ବାଲେଶ୍ୱରର AQI ରହିଥିଲା ୬୬, ଭଦ୍ରକରେ ୬୯, ବ୍ରହ୍ମପୁରରେ ୪୪, ଭୁବନେଶ୍ଵରରରେ ୪୨, କଟକରେ ୫୧, ଝଡସୁଗୁଡାରେ ୭୯, କଳିଙ୍ଗନଗରରେ ୮୫, କେନ୍ଦୁଝରରେ ୫୦, କୋଣାର୍କରେ ୨୬, କୋରାପୁଟରେ ୪୩, ପାରାଦୀପରେ ୪୯, ପୁରୀରେ ୬୦, ରାୟଗଡାରେ ୫୮, ରାଉରକେଲାରେ ୧୦୮, ସମ୍ବଲପୁରରେ ୧୦୦ ଏବଂ ତାଳଚେରରେ AQI ରହିଥିଲା ୭୩ ।


ସେହିପରି ୨୦୨୪ରେ ଦୀପାବଳି ଦିନ ଅନୁଗୋଳରେ AQI ଥିଲା ୨୦୮, ଭୁବନେଶ୍ୱରରେ ୨୦୧ , ବ୍ରହ୍ମପୁରରେ ୧୫୯, କଟକରେ ୧୩୬, ରାଜନଗରରେ ୨୦୩, ରାଉରକେଲାରେ ୨୬୦, ସମ୍ବଲପୁରରେ ୨୭୪, ତାଳଚେରରେ ବାୟୁ ଗୁଣବତ୍ତା ସୂଚକାଙ୍କ ୧୭୮ ରହିଥିଲା ।

ଭୁବନେଶ୍ୱରରେ ଦୀପାବଳି ଦିନ କେତେ ରହିଥିଲା AQI ?
ଚନ୍ଦ୍ରଶେଖରପୁର ଅଂଚଳରେ ଦୀପାବଳି ଦିନ ବାୟୁ ଗୁଣବତ୍ତା ସୂଚକାଙ୍କ ୧୪୭, କ୍ୟାପିଟାଲ ପୋଲିସ ଷ୍ଟେସନ ଅଂଚଳରେ ୨୦୦, ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ ଅଫିସ ଅଂଚଳରେ ୧୪୭, ଖଣ୍ଡଗିରି ପୋଲିସ ଷ୍ଟେସନ ଅଂଚଳରେ ୧୯୭, ଆଇ ଆର ସି ଅଂଚଳରେ ୨୩୦, ପଳାଶୁଣୀ ଅଂଚଳରେ ଦୀପାବଳି ଦିନ ୨୦୭ AQI ରହିଥିଲା ।

ଏହା ମଧ୍ୟ ପଢନ୍ତୁ-ଫୋକସରେ ଗ୍ରୀନ ଦୀପାବଳି; ଆଲୋକର ପର୍ବରେ ଜଳିବ ପଞ୍ଚଗବ୍ୟ ଦୀପ, ପରିବେଶକୁ ଦେବ ସୁରକ୍ଷା

ଇଟିଭି ଭାରତ, ଭୁବନେଶ୍ବର