ଭୁବନେଶ୍ବର: ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ମହାପୁରୁଷ ଆଦର୍ଶ ଗାଁ ଯୋଜନା। ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇ ଝାସ ଦେଇଥିବା ମହାପୁରୁଷମାନଙ୍କ ଗାଁର ଉନ୍ନତି ପାଇଁ ସରକାର ଏହି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଯାହା ଅଧିନରେ ମହାପୁରୁଷ ମାନେ ଜନ୍ମ ହୋଇଥିବା ଗାଁ ଓ ପଞ୍ଚାୟତର ଉନ୍ନତି କରାଯାଇ ମହାପୁରୁଷ ଆଦର୍ଶ ଗାଁ ନାମରେ ନାମିତ କରାଯିବ ।
100 ରୁ 150 ଗାଁ ହେବ ମହାପୁରୁଷ ଆଦର୍ଶ ଗାଁ:
ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି, "ମହାପୁରୁଷ ଆଦର୍ଶ ଗାଁ ଆମର ଅସ୍ମିତା । ଓଡ଼ିଶାକୁ ଯେଉଁ ମାନେ ସ୍ବାଧୀନ କରିବା ପାଇଁ ମହାତ୍ମାଗାନ୍ଧୀଙ୍କ ସହିତ ସ୍ଵାଧୀନତା ସଂଗ୍ରାମରେ ସାମିଲ ହୋଇ ଝାସ ଦେଇଥିଲେ, ସେହି ମହାପୁରୁଷଙ୍କ ଜୀବନି ଆମେ ପଢିଛୁ । ତାଙ୍କ ଜନ୍ମ ବି ଗୋଟେ ଛୋଟ ଗାଁ ରେ ଏବଂ ପଞ୍ଚାୟତରେ ହୋଇଥିଲା । ସେ ଗାଁ ପଞ୍ଚାୟତ ଆଜି ବି ଅବହେଳିତ ଅଛି। ଆମର ଅନେକ ମହାପୁରୁଷ ଏମିତି ଅଛନ୍ତି ଯାହାଙ୍କୁ ମହାପୁରୁଷ ଆଦର୍ଶ ଗାଁ ଯୋଜନା ନାମରେ ଏକ ନୂଆ ଯୋଜନା ତିଆରି ହେବ । ସେହି ଗାଁର ଉନ୍ନତି ପଞ୍ଚାୟତୀରାଜ ବିଭାଗ କରିବ । 100 ରୁ 150 ଗାଁ ହେବ ମହାପୁରୁଷ ଆଦର୍ଶ ଗାଁ। 9 ରୁ 10 ବିଭାଗ ମିଳିତ ଭାବେ କାମ ହେବ । "
ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା :
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, " ରାସ୍ତା, ପିଇବାକୁ ପାଣି, କ୍ଷେତକୁ ପାଣି, ସ୍କୁଲ, ସ୍ୱାସ୍ଥ୍ୟର ବ୍ୟବସ୍ଥା ଆଦି ସୁବିଧା ସେ ପଞ୍ଚାୟତ ଓ ଗାଁ ରେ ଯୋଗାଇ ଦିଆଯିବ। ରହିବା ଠାରୁ ଚଳିବା ପର୍ଯ୍ୟନ୍ତ ସରକାରଙ୍କ ଯେତେ ବ୍ୟବସ୍ଥା ଅଛି ସବୁ ଯୋଗାଇ ଦିଆଯିବ । ପିଲାଙ୍କ ପାଠ ପଢା ସହ ଯିବା ଆସିବା ଆଦି ସୁବିଧା ଯୋଗାଇ ଦିଆଯିବ । ରାଜ୍ୟ ସ୍ତରରେ ମୁଖ୍ୟ ଶାସନ ସଚିବ ରହିବେ ଅଧକ୍ଷ, ଜିଲ୍ଲା ସ୍ତରରେ ଜିଲ୍ଲାପାଳ, ବ୍ଲକ ସ୍ତରରେ ବିଡ଼ିଓ ରହିବେ ଅଧକ୍ଷ । ଏନେଇ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ବିଭାଗୀୟ ସଚିବ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥିପାଇଁ ବଜେଟ ପ୍ରସ୍ତୁତ ହେଉଛି। ଦୀର୍ଘଦିନ ପରେ ଆମେ ଇତିହାସକୁ ଖୋଜୁଛନ୍ତି। ମହାପୁରୁଷଙ୍କ ପାଇଁ ଆମେ ଚିନ୍ତା କରୁଛୁ। ଯେଉଁମାନେ ଦୀର୍ଘଦିନ ଧରି ଶାସନ କରୁଥିଲେ ସେମାନେ ଚିନ୍ତା କରୁ ନ ଥିଲେ। ଆମ ସରକାର ଆମର ଅସ୍ମିତା ବିଚାରକୁ ନେଇ ପଦକ୍ଷେପ ନେଉଛୁ।"
ଇଟିଭି ଭାରତ, ଭୁବନେଶ୍ବର