ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ଭୁବନେଶ୍ୱରରେ ଜୋରଦାର ପ୍ରତିବାଦ
ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ 3 ମୁଖ୍ୟ ଅଭିଯୁକ୍ତ ଗିରଫ । ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଫୋନକୁ ଏଡ଼ାଉଛନ୍ତି ପଶ୍ଚିମବଙ୍ଗ ମହିଳା କମିଶନ ।

Published : October 12, 2025 at 4:54 PM IST
ଭୁବନେଶ୍ବର: ପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପ୍ରସଙ୍ଗରେ 3 ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏହି ଘଟଣାକୁ ନେଇ ରାଜନୈତିକ ମାହୋଲ ସରଗରମ ରହିଛି । ବିଭିନ୍ନ ଦଳ ଏହି ଘଟଣାକୁ ନିନ୍ଦା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏବିଭିପି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନରେ ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏ ସଂକ୍ରାନ୍ତରେ ପଶ୍ଚିମବଙ୍ଗ ସରକାର ସଠିକ ସହଯୋଗ କରୁନଥିବା ଅଭିଯୋଗ ହେଉଛି ।
ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପ୍ରସଙ୍ଗରେ ରାଜ୍ୟ ମହିଳା କମିଶନଙ୍କ ବୟାନ । ସାହାଯ୍ୟ କରୁନି ପଶ୍ଚିମବଙ୍ଗ ମହିଳା କମିଶନ । ମେଲ କରି ଅଭିଯୋଗ ଜଣାଇଲା ରାଜ୍ୟ ମହିଳା କମିଶନ । ରାଜ୍ୟ ମହିଳା କମିଶନର ଦୁର୍ଗାପୁର ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।
ପୀଡ଼ିତାଙ୍କ ବାପାଙ୍କ ସହିତ କଥା ହେଲେ ମୁଖ୍ୟମନ୍ତ୍ରୀ:
ଏହି ଘଟଣାରେ ଉଦବେଗ ପ୍ରକାଶ କରି ପୀଡ଼ିତା ଛାତ୍ରୀଙ୍କ ବାପାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମବେଦନା ଜଣାଇବା ସହ ତୁରନ୍ତ ପ୍ରଦାନ କରିବା ପାଇଁ ଦେଲେ ପ୍ରତିଶ୍ରୁତି । ଅଭିଯୁକ୍ତମାନଙ୍କୁ ଗିରଫ କରି କଠୋର ତମ ଦଣ୍ଡ ଦେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଘଟଣାର ତଦନ୍ତ ପାଇଁ ଦୁର୍ଗାପୁର ପୋଲିସ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି ବାଲେଶ୍ଵର ଏସ୍ପି' । ପୀଡ଼ିତାଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସହଯୋଗ କରୁନାହାଁନ୍ତି ପଶ୍ଚିମବଙ୍ଗ ମହିଳା କମିଶନ:
"ପଶ୍ଚିମବଙ୍ଗରେ ଓଡ଼ିଆ ଝିଅଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଁ ପଶ୍ଚିମବଙ୍ଗ ମହିଳା କମିଶନଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲି । ହେଲେ ସେ ବ୍ୟସ୍ତ ଥିବା କଥାକହି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଆଜି ରାଜ୍ୟ ପୋଲିସ ଡିଜିଙ୍କୁ ଭେଟି ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ କହିଛି । ପଶ୍ଚିମବଙ୍ଗ ମହିଳା କମିଶନଙ୍କୁ ମେଲ କରାଯାଇଛି । ପୀଡିତାଙ୍କ ବାପାଙ୍କ ସହ କଥା ହୋଇଛି । ଦୁର୍ବୃତ୍ତ ତାଙ୍କୁ ବଳାତ୍କାର କଲେ, ଏହା ବର୍ବର ଘଟଣା । ଏଭଳି ଘଟଣା ଦୁଃଖଦାୟକ । ଆଜି ବାଲେଶ୍ୱର ଏଡ଼ିଏମଙ୍କ ନେତୃତ୍ୱରେ ଏକ ଟିମ୍ ପଠାଯାଇଛି । ଘଟଣାର 36 ଘଣ୍ଟା ପରେ ମାତ୍ର 3 ଜଣ ଗିରଫ ହୋଇଛନ୍ତି । 2 ଜଣ ଏବେବି ଫେରାର ଅଛନ୍ତି । ପଶ୍ଚିମବଙ୍ଗ ସରକାରର ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଲା ।" ରାଜ୍ୟ ମହିଳା କମିଶନର ଏକ ସ୍ୱତନ୍ତ୍ର ଟିମ ପଶ୍ଚିମବଙ୍ଗ ଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ।

ପଶ୍ଚିମବଙ୍ଗ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ଉଠୁଛି ପ୍ରଶ୍ନ:
ପଶ୍ଚିମବଙ୍ଗ ଦୁର୍ଗାପୁର ମେଡ଼ିକାଲ କଲେଜରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ଏବେ ରାଜନୈତିକ ରୂପ ନେଇଛି । ବିଭିନ୍ନ ରାଜନୈତିକ ଦଳ ଏହି ଘଟଣାକୁ ନିନ୍ଦା କରିବା ସହ ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ଉଠୁଛି ଅସୁମାରୀ ପ୍ରଶ୍ନ । ତେବେ ଏଭଳି ପରିସ୍ଥିତିକୁ ନେଇ ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ଆରୋପ ପ୍ରତ୍ୟାରୋପକୁ ତେଜିଛି ରାଜନୀତି । ସେପଟେ ବିରୋଧୀ ବିଜେଡି ଏବଂ କଂଗ୍ରେସ ମଧ୍ୟ ପିଡିତାଙ୍କୁ ନେଇ ଦୁଃଖ ପ୍ରକାଶ କରିବା ସହ ଘଟଣାରେ ଦୃଢ଼ ନିନ୍ଦା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପଶ୍ଚିମବଙ୍ଗରେ ଓଡ଼ିଆ ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା: ନିନ୍ଦା କଲେ ମୁଖ୍ୟମନ୍ତ୍ରୀ ମୋହନ, କାର୍ଯ୍ୟାନୁଷ୍ଠାନ ପାଇଁ ମମତାଙ୍କୁ ଆହ୍ବାନ
କଠୋରତମ କାର୍ଯ୍ୟାନୁଷ୍ଠାନ ଦାବି:
ପଶ୍ଚିମବଙ୍ଗରେ ମହିଳା ଡାକ୍ତରୀ ଛାତ୍ରୀକୁ ଗଣଦୁଷ୍କର୍ମ ଘଟଣାରେ ପ୍ରତିକ୍ରିୟା ରଖିଛି କଂଗ୍ରେସ । ପିସିସି ସଭାପତି ଭକ୍ତ ଚରଣ ଦାଶ କହିଛନ୍ତି, "ଏହାକୁ ଦୃଢ଼ ନିନ୍ଦା କରିବା ସହ ଦୋଷୀ ବିରୋଧରେ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରୁଛୁ ।"
ଗଣଦୁଷ୍କର୍ମ ଘଟଣା ନିନ୍ଦନୀୟ:
ବିଜୁ ଜନତା ଦଳ ପକ୍ଷରୁ ବିଜେଡି ବିଧାୟକ, ସାରଦା ଜେନା କହିଛନ୍ତି,"ପଶ୍ଚିମବଙ୍ଗ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ଘଟଣାଟି ନିନ୍ଦନୀୟ । ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରୁଛି । ପଶ୍ଚିମବଙ୍ଗ ସରକାର ଉପରେ ରାଜ୍ୟ ସରକାର ଚାପ ପ୍ରୟୋଗ କରିବାର ଆବଶ୍ୟକତା ରହିଛି । ଏହି ଘଟଣାଟି ସମଗ୍ର ସମାଜ ପାଇଁ ନିନ୍ଦନୀୟ । ଯେଉଁମାନେ ଏଭଳି ଘୃଣ୍ୟ କାମ କରିଛନ୍ତି, ସେମାନଙ୍କ ବିରୋଧରେ କଡ଼ା ଦଣ୍ଡ ବିଧାନ କରାଯିବାର ଆବଶ୍ୟକତା ରହିଛି ।"

ପଶ୍ଚିମବଙ୍ଗ ଅସୁରକ୍ଷିତ:
ପଶ୍ଚିମବଙ୍ଗ ଅସାମାଜିକ ଓ ଆତଙ୍କବାଦୀଙ୍କ ଅଡ୍ଡାସ୍ଥଳ ହୋଇଯାଇଛି । କେବଳ ମହିଳାଙ୍କ ପାଇଁ ନୁହେଁ ଏବେ ସମସ୍ତଙ୍କ ପାଇଁ ପଶ୍ଚିମବଙ୍ଗ ଅସୁରକ୍ଷିତ ବୋଲି କହିଛନ୍ତି ବାଲେଶ୍ୱର ସାଂସଦ । ବାଲେଶ୍ବର ଜଳେଶ୍ବରର ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି, "ତିନି ଜଣଙ୍କୁ ଗିରଫ କରିଥିବା କହୁଛନ୍ତି କିନ୍ତୁ ମୁଖ୍ୟ ଅଭିଯୁକ୍ତଙ୍କୁ କେବେ ଗିରଫ କରିବେ ? ଆଜି ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଏ ବିଷୟରେ ଆଲୋଚନା କରିବି । ସ୍ଥାନୀୟ ଏସପିଙ୍କ ସହିତ ମଧ୍ୟ ଆଲୋଚନା କରିବି । ପଶ୍ଚିମବଙ୍ଗ ଗସ୍ତରେ ଯାଇ ପୀଡିତାଙ୍କୁ ଭେଟିବି ବୋଲି କହିଛନ୍ତି ବାଲେଶ୍ୱର ସାଂସଦ । ପଶ୍ଚିମବଙ୍ଗ ଅସାମାଜିକ ଓ ଆତଙ୍କବାଦୀଙ୍କ ଅଡ୍ଡାସ୍ଥଳ ହୋଇଯାଇଛି । କେବଳ ମହିଳାଙ୍କ ପାଇଁ ନୁହେଁ ସମସ୍ତଙ୍କ ପାଇଁ ପଶ୍ଚିମବଙ୍ଗ ଏବେ ଅସୁରକ୍ଷିତ । ଅନୁପ୍ରବେଶକାରୀଙ୍କ ଆଡ୍ଡାରେ ପରିଣତ ହୋଇଛି । ଏହି ସବୁରେ ପଶ୍ଚିମବଙ୍ଗ ସରକାର ମଧ୍ୟ ସହଯୋଗ କରୁଛନ୍ତି ।"
ରାଜ୍ୟରେ ଆକ୍ରୋଶର ମାହୋଲ:
2024 ଅଗଷ୍ଟରେ କୋଲକାତାର ଆର.ଜି. କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୩୧ ବର୍ଷୀୟ ପୋଷ୍ଟଗ୍ରାଜୁଏଟ୍ ତାଲିମପ୍ରାପ୍ତ ଡାକ୍ତରଙ୍କ ନିର୍ମମ ବଳାତ୍କାର ଏବଂ ହତ୍ୟା ଘଟଣା ମନରୁ ଲିଭିନଥିବା ବେଳେ ଓଡ଼ିଆ ଛାତ୍ରୀଙ୍କ ସହିତ ଗଣଦୁଷ୍କର୍ମ ଭଳି ଘଟଣା ଘଟିଯାଇଛି । ବିଭିନ୍ନ ମହଲରେ ଆକ୍ରୋଶ ଦେଖିବାକୁ ମିଳିଛି । ଏନେଇ ଏବିଭିପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହିତ ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।
ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ:
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ନାରାବାଜି କରିଛନ୍ତି । ଏହା ସହିତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ କରିଛି ଏଭିବିପି । ଏବିଭିପି ପକ୍ଷରୁ ଦୀପ୍ତି ପ୍ରତିହାରୀ କହିଛନ୍ତି, "ପଶ୍ଚିମବଙ୍ଗରେ ନାରୀ ଅସୁରକ୍ଷିତ । ଏହାରି ମଧ୍ୟରେ ଜଣେ ଓଡ଼ିଆ ଛାତ୍ରୀଙ୍କୁ ଗଣବଳାତ୍କାର ହେବା ପରେ ମଧ୍ୟ ସରକାର ନିରବ ଦ୍ରଷ୍ଟା ସାଜିଛନ୍ତି । ଏପଟେ ଘଟଣାକୁ ଚପେଇ ଦେବା ପାଇଁ ଷଡଯନ୍ତ୍ର କରୁଛନ୍ତି । ଏହା ବିରୋଧରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ତେବେ ତଦନ୍ତକୁ ବାଟବଣା କରିବା ପାଇଁ ପଶ୍ଚିମବଙ୍ଗର ସରକାର ଆଜି ଚୁପ ବସିଛନ୍ତି । ଏହି ଘଟଣାକୁ ନେଇ କୌଣସି ସ୍ପଷ୍ଟୀକରଣ ଦେଉନାହାନ୍ତି ।"
ଏହା ମଧ୍ୟ ପଢନ୍ତୁ: ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା: 3 ଗିରଫ, ଜଣେ ଅଟକ
ଇଟିଭି ଭାରତ, ଭୁବନେଶ୍ବର

