ETV Bharat / state

ପୁଣି ଆଇଏଏସ ସ୍ତରରେ ଅଦଳବଦଳ; 13 ଅଫିସରଙ୍କୁ ନୂଆ ଦାୟିତ୍ୱ

72 ଘଣ୍ଟା ତଳେ IAS ଅଫିସର ସ୍ତରରେ ଏକ ବଡଧରଣର ଅଦଳବଦଳ କରିଥିଲେ ମୋହନ ସରକାର । 13 IAS ଅଫିସରଙ୍କୁ ନୂଆ ଦାୟିତ୍ବ ପ୍ରଦାନ କଲେ ସରକାର ।

Odisha Govt effects reshuffle in IAS level
Odisha Govt effects reshuffle in IAS level (File pic)
author img

By ETV Bharat Odisha Team

Published : July 24, 2025 at 9:43 PM IST

2 Min Read
Choose ETV Bharat

Odisha government major ias reshuffle ଭୁବନେଶ୍ୱର: ରାଜ୍ୟ ସରକାର ଆଜି ପୁଣି ଥରେ ଆଇଏଏସ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି । 13 ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର । ସେମାନଙ୍କ ମଧ୍ୟରୁ 9 ଜଣ ନବୀନ ଆଇଏଏସ ଅଫିସରଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଦେବାଶିଷ ସିଂଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

72 ଘଣ୍ଟା ତଳେ ଆଇଏଏସ ଅଫିସର ସ୍ତରରେ ଏକ ବଡଧରଣର ଅଦଳବଦଳ କରିଥିଲେ ମୋହନ ସରକାର । ଜାରି ହୋଇଥିବା 47 ଜଣିଆ ଆଇଏଏସ ଅଫିସରଙ୍କ ବଦଳି ତାଲିକାର କିଛି ପ୍ରଶାସନିକ ତ୍ରୁଟି ଥିଲା । ଆଜି ପ୍ରକାଶିତ ତାଲିକା ଏହାର ସଂଶୋଧିତ ସଂସ୍କରଣ ବୋଲି କୁହାଯାଉଛି । ପୂର୍ବ ବଦଳି ସମୟରେ ଥିବା କିଛି ପ୍ରଶାସନିକ ତ୍ରୁଟିକୁ ସୁଧାରି ରାଜ୍ୟ ସରକାର ଏହି ବଦଳି ତାଲିକା ଜାରି କରିଛନ୍ତି । ସେହିପରି ନବ ନିଯୁକ୍ତ 2023 ବ୍ୟାଚର 8 ଜଣ ଯୁବ ଆଇଏଏସ ଅଫିସଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି ।



2005 ବ୍ୟାଚର ରାଜେଶ ପ୍ରଭାକର ପାଟିଲଙ୍କୁ ସମବାୟ ବିଭାଗର କମିଶନର ତଥା ସଚିବ ଭାବେ ନିଯୁକ୍ତି ମିଳିଛି । ପୂର୍ବରୁ ରାଜେଶ ଏହି ଦାଇତ୍ୱକୁ ଅତିରିକ୍ତ ଭାବେ ତୁଲାଉଥିଲେ । ଏହା ସହ ସେ ପୂର୍ବ ପରି ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଓ ଓଡିଶା ରାଜ୍ୟ ୱେଆରହାଉସିଂ ନିଗମର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ । ଗତ ବିଜ୍ଞପ୍ତିରେ ଭୁବନେଶ୍ୱର ମହାନଗର ନିଗମ କମିଶନ ଦାୟିତ୍ୱରୁ ରାଜେଶଙ୍କୁ ହଟେଇ ରାଜ୍ୟ ସରକାର ଚଞ୍ଚଳ ରଣାଙ୍କୁ ନିଯୁକ୍ତି ଦେଇଛନ୍ତି । ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ସହ କାର୍ଯ୍ୟକାରୀ ସଚିବ ଭାବେ କାର୍ଯ୍ୟ କରିବେ 2009 ବ୍ୟାଚର ବିଜୟ କେତନ ଉପାଧ୍ୟାୟ । ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଥିବା 1997 ବ୍ୟାଚର ଅଫିସର ସଞ୍ଜୀବ କୁମାର ମିଶ୍ରଙ୍କୁ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ କରିଛନ୍ତି ସରକାର । ଫଳରେ ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗର ସଚିବ ପଦ ଫାଙ୍କା ଥିଲା ।



ଓଡିଶା ଲଘୁ ଖଣିଜ ଦ୍ରବ୍ୟ ନିର୍ଦ୍ଦେଶକ ହୋଇଛନ୍ତି 2011 ବ୍ୟାଚର ସମର୍ଥ ବର୍ମା । ଏହା ସହ ସେ ଓଡ଼ିଆ ଫିଲ୍ମ ଉନ୍ନୟନ ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାଇତ୍ୱରେ ରହିବେ । ହକି ପ୍ରମୋସନ କାଉନସିଲର ସିଇଓ ହୋଇଛନ୍ତି 2014 ବ୍ୟାଚର ଦୀପଙ୍କର ମହାପାତ୍ର । ସେହିପରି 2023 ବ୍ୟାଚର 9 ଜଣ ଯୁବ ଅଫିସରଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି ।

ଧର୍ମଗଡ଼ ଉପଜିଲ୍ଲାପାଳ ହୋଇଛନ୍ତି ପ୍ରେକ୍ଷା ଅଗ୍ରୱାଲ । ପ୍ରଣତି ଦାଶ ବାଲିଗୁଡ଼ା ଉପଜିଲ୍ଲାପାଳ, କସ୍ତୁରୀ ପଣ୍ଡା କରଞ୍ଜିଆ ଉପଜିଲ୍ଲାପାଳ, ଅଭିଷେକ ଦିଲୀପ ଦୁଡହାଲ ଗୁଣୁପୁର ଉପଜିଲ୍ଲାପାଳ, ଅସ୍ନୀ ଏଏଲ ନବରଙ୍ଗପୁର ଉପଜିଲ୍ଲାପାଳ, ସି.ସରବଣା କୁଚିଣ୍ଡା ଉପଜିଲ୍ଲାପାଳ, ତେଜେସ୍ୱନୀ ବେହେରା ସୁନ୍ଦରଗଡ଼ ଉପଜିଲ୍ଲାପାଳ, ଶିବ ମାଲବ୍ୟ ଆନନ୍ଦପୁର ଉପଜିଲ୍ଲାପାଳ, ଅବିନାଶ କୁମାର ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି ।

ଏହା ବି ପଢନ୍ତୁ- ବଦଳିଲେ ୪୯ ଆଇଏଏସ, ୧୫ ଜିଲ୍ଲାପାଳ: ପୁରୀ କଲେକ୍ଟର ହେଲେ ବିଏମସି କମିଶନର - ODISHA IAS RESHUFFLE

ଗତ 22 ତାରିଖରେ ମୋହନ ସରକାର ଆଇଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରିଥିଲେ । 49 ଜଣ ଆଇଏଏସ ଓ ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ ହୋଇଥିଲା । ଭୁବନେଶ୍ୱର ମହାନଗର ନିଗମ କମିଶନଙ୍କ ସହ 15 ଜିଲ୍ଲାପାଳଙ୍କର ବଦଳି ହୋଇଥିଲା । କିଛି ଦିନ ପୂର୍ବରୁ ପୁରୀ ଜିଲ୍ଲାପାଳ ଭାବରେ ଦାୟିତ୍ବ ନେଇଥିବା ଆଇଏଏସ ଚଞ୍ଚଳ ରାଣାଙ୍କୁ ବିଏମସିର ନୂଆ କମିଶନର ଭାବରେ ଦାୟିତ୍ବ ଦିଆଯାଇଥିଲା ।

ହେମନ୍ତ କୁମାର ଶର୍ମାଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଥିଲା । ରାଜ୍ୟପାଳଙ୍କ ସଚିବ ଭାବେ ରୂପା ରୋସନ ସାହୁଙ୍କର ପାୱାର କରିଡ଼ରକୁ କମବ୍ୟାକ ହୋଇଛି । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଦେବାଶିଷ ସିଂଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ଇଟିଭି ଭାରତ, ଭୁବନେଶ୍ୱର