ରାଜ୍ୟର ପ୍ରଥମ ମହିଳା ମ୍ୟୁଜିକ୍ ବ୍ୟାଣ୍ଡ ରିଦମ୍ ପ୍ରିନସେସ, ବାଦ୍ୟଯନ୍ତ୍ରରେ ମଞ୍ଚ ଦୁଲୁକାଇଲେ 5 ବାଳିକା
ବ୍ରହ୍ମପୁରର 5 ଜଣ ବାଳିକାଙ୍କୁ ନେଇ ଗଠନ ହୋଇଛି ମହିଳା ମ୍ୟୁଜିକ୍ ବ୍ୟାଣ୍ଡ । ଯେଉଁଥିରେ ରହିଛନ୍ତି ଦୁଇ ଜଣ କିବୋର୍ଡ ପ୍ଲେୟାର, ଜଣେ ଗିଟାରିଷ୍ଟ, ଜଣେ ସାକ୍ସୋଫୋନିଷ୍ଟ ଏବଂ ଜଣେ ଓକ୍ଟାପ୍ୟାଡ ପ୍ଲେୟାର।

Published : October 9, 2025 at 3:14 PM IST
|Updated : October 9, 2025 at 3:46 PM IST
ସ୍ପେଶାଲ ରିପୋର୍ଟ: ସମୀର କୁମାର ଆଚାର୍ଯ୍ୟ
ବ୍ରହ୍ମପୁର: କିଏ ଗିଟାର ବଜାଉଛି ତ ଆଉ କିଏ ଓକ୍ଟାପ୍ୟାଡ... ପୁଣି କିଏ ସାକ୍ସୋଫୋନ ଓ କ୍ୟାସିଓ । ପେଷାଗତ ମ୍ୟୁଜିସିଆନ ନହୋଇବି ଜଣେ ଜଣଙ୍କ ଠାରୁ ବଳିକି... ଖୋକା ଭାଇଙ୍କ ଲୋକପ୍ରିୟ ଯାଯାବର ସଙ୍ଗୀତର ଅନ୍ତରାରୁ ମୁଖୁଡା ପର୍ଯ୍ୟନ୍ତ, ପ୍ରତିଟି ଧାଡିକୁ ବେଶ ତାଳର ସହ ମ୍ୟୁଜିକ ଉପକରଣ ମାଧ୍ୟମରେ ପରିବେଷଣ କରୁଛନ୍ତି 5 ବାଳିକା । ମଞ୍ଚରେ ଯେକେହିବି ଏହାକୁ ଦେଖିଛୁ ବା ଶୁଣୁଛି ପୁରା ଝୁମିଉଠୁଛି । ବ୍ରହ୍ମପୁରର 5 ଜଣ ବାଳିକା ବିଦ୍ୟାର୍ଥୀଙ୍କୁ ନେଇ ତିଆରି ହୋଇଛି ରାଜ୍ୟର ପ୍ରଥମ ମହିଳା ମ୍ୟୁଜିକ୍ ବ୍ୟାଣ୍ଡ । ଯାହାର ନାମ ହେଉଛି ରିଦମ୍ ପ୍ରିନସେସ ।
ରାଜ୍ୟର ପ୍ରଥମ ମହିଳା ମ୍ୟୁଜିକ୍ ବ୍ୟାଣ୍ଡ ରିଦମ୍ ପ୍ରିନସେସ:
କୌଣସି ଉତ୍ସବ ହେଉ କି ପର୍ବପର୍ବାଣୀରେ ସାଧାରଣତଃ ମ୍ୟୁଜିକ ବ୍ୟାଣ୍ଡରେ ପୁରୁଷ ମାନଙ୍କୁ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଉଥିବାର ଦେଖିବାକୁ ମିଳିଥାଏ । କିନ୍ତୁ ମହିଳାଙ୍କ ସ୍ଥାନ ଏଥିରେ ବହୁତ କମ୍ ରହିଥାଏ । ରେସମ ସହର ବ୍ରହ୍ମପୁରର ବିଦ୍ୟାର୍ଥୀ ପ୍ରିୟାଂଶୀ ମହାପାତ୍ର, ସୌମ୍ୟା ଶିତଲ, କେ.ଇରା କିଶୋରୀ, ଅନନ୍ୟା ପାଢୀ ଓ ସ୍ମୃତି ସଞ୍ଚରିକା ପାଠୀଙ୍କୁ ନେଇ ଗଠନ ହୋଇଛି ରିଦମ୍ ପ୍ରିନସେସ ମହିଳା ମ୍ୟୁଜିକ ବ୍ଯାଣ୍ଡ । ଏମାନଙ୍କ ବୟସ 16ରୁ 18 ବର୍ଷ । ପାଠପଢା ସାଙ୍ଗକୁ ବାଦ୍ୟଯନ୍ତ୍ର ମଧ୍ୟ ବଜାଇବା ଶିଖିଛନ୍ତି । ପୂର୍ବରୁ ଏହି ବିଦ୍ୟାର୍ଥୀ ମାନେ ବ୍ୟକ୍ତିଗତ ଭାବେ ନିଜ ନିଜର ବାଦ୍ୟଯନ୍ତ୍ର ଅଭ୍ୟାସ କରି ଆସୁଥିବା ବେଳେ ସମସ୍ତଙ୍କୁ ଏକତ୍ରିତ କରି ମହିଳା ମ୍ୟୁଜିକ୍ ବ୍ୟାଣ୍ଡ ତିଆରି କରି ଦର୍ଶକଙ୍କ ସମ୍ମୁଖକୁ ଆଣିଛନ୍ତି ଗୁରୁ ମାଧବ ପାତ୍ର । ଯାହାର ପ୍ରଥମ ଝଲକ ଦେଖିବାକୁ ମିଳିଥିଲା ବ୍ରହ୍ମପୁର ସହରର ଆୟୋଜିତ କୁମାର ପୁନେଇଁ ଜହ୍ନଲୋ କାର୍ଯ୍ୟକ୍ରମରେ ।
ଗାର୍ଲ୍ସ ବ୍ଯାଣ୍ଡରେ ଦୁଲୁକିଲା ମଞ୍ଚ:

ମଞ୍ଚକୁ ନିଜ ନିଜର ବାଦ୍ୟଯନ୍ତ୍ର ଧରି ଚଢିଥିଲେ 5 ବାଳିକା । ସୌମ୍ୟା ଶିତଲ ଓକ୍ଟାପ୍ୟାଡ, କେ.ଇରା ସାକ୍ସୋଫୋନ, ପ୍ରିୟାଂଶୀ କିବୋର୍ଡ, ସ୍ମୃତି ସଞ୍ଚରିକା କିବୋର୍ଡ ଓ ଅନନ୍ୟା ଗିଟାର ଧରିଥିଲେ । ମଞ୍ଚରେ ସେଟ୍ଅପ୍ ସରିଲା ପରେ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ । ଖୋକା ଭାଇଙ୍କ ଲୋକପ୍ରିୟ ଗୀତ ଯାଯାବର ତାଙ୍କ ସୁପୁତ୍ର ଚିତ୍ରଭାନୁ ମହାନ୍ତି ଗାନ କରିଥିଲେ । ଆଉ ଗୀତର ତାଳେ ତାଳେ ବାଦ୍ଯଯନ୍ତ୍ର ବଜାଇଥିଲେ ମ୍ୟୁଜିକ ବ୍ୟାଣ୍ଡର ସଦସ୍ୟା । ସଙ୍ଗୀତର ମୁର୍ଚ୍ଚନା ସାଙ୍ଗକୁ ବାଳିକାଙ୍କ ବାଦ୍ୟଯନ୍ତ୍ର ପରିବେଷଣ ଦର୍ଶକଙ୍କ ମନମୁଗ୍ଧ କରିଦେଇଥିଲା । ପ୍ରଥମ ଥର ପାଇଁ ଏହି ମହିଳା ବ୍ୟାଣ୍ଡ ମଞ୍ଚରେ ନିଜର କଳା ଦେଖାଇ ପ୍ରଶଂସିତ ହୋଇଥିଲେ ।
କଣ କୁହନ୍ତି ମ୍ୟୁଜିକ ବ୍ୟାଣ୍ଡ ସଦସ୍ୟା ?


ମଞ୍ଚରେ ମ୍ଯୁଜିକ ପରିବେଷଣ ପରେ ବେଶ ଖୁସି ପ୍ରକାଶ କରିଛନ୍ତି ମହିଳା ବ୍ୟାଣ୍ଡ ଟିମର ସଦସ୍ୟା । ଓକ୍ଟାପ୍ୟାଡ ପ୍ଲେୟାର ସୌମ୍ୟା ଶିତଲ କୁହନ୍ତି, " ଓଡିଶାର ପ୍ରଥମ ମ୍ୟୁଜିକ୍ ଗାର୍ଲ୍ସ ବ୍ୟାଣ୍ଡ ଭାବେ ଆମେ ଆଜି ଆମ କଳା ମଞ୍ଚରେ ଦେଖାଇଛୁ, ବହୁତ ଖୁସି ଲାଗିଲା । ଆମ ମ୍ୟୁଜିକ ବ୍ୟାଣ୍ଡରେ ଦୁଇ ଜଣ କିବୋର୍ଡ ପ୍ଲେୟାର, ଜଣେ ଗିଟାରିଷ୍ଟ, ଜଣେ ସାକ୍ସୋଫୋନିଷ୍ଟ ଏବଂ ଜଣେ ଓକ୍ଟାପ୍ୟାଡ ପ୍ଲେୟାର ଅଛନ୍ତି । ଆଗକୁ ଆହୁରି ପ୍ରୋଗ୍ରାମ କରିବାକୁ ଇଚ୍ଛା ଅଛି । ବ୍ୟକ୍ତିଗତ ଭାବେ ଆମେ ପରିବେଷଣ କରିଛୁ, କିନ୍ତୁ ପ୍ରଥମ ଥର ମିଶିକି ଏକା ସାଙ୍ଗରେ ପରର୍ଫରମାନ୍ସ କରିଲୁ । ସେକୋଫେନିଷ୍ଟ ପ୍ଲେୟାର ଇରା କିଶୋରୀ କହିଛନ୍ତି, " ମୁଁ ଓଡ଼ିଶାର ପ୍ରଥମ ସେକ୍ସୋଫେନିଷ୍ଟ ପ୍ଲେୟାର । ଆମ ଟିମ୍ରେ 5 ଜଣ ରହିଛୁ । ଯେଉଁବି କାର୍ଯ୍ୟକ୍ରମକୁ ଆମକୁ ଡକାଯିବ ଆମେ ଯିବାକୁ ପ୍ରସ୍ତୁତ । "

ପ୍ରିୟାଂଶୀଙ୍କ ବାପା ପ୍ରଦୀପ ମହାପାତ୍ର କହିଛନ୍ତି," ଓଡ଼ିଶାରେ ପ୍ରଥମ ଥର ପାଇଁ ଗାର୍ଲ୍ସ ବ୍ୟାଣ୍ଡପାର୍ଟି ତିଆରି ହୋଇଛି । ଝିଅ ମାନେ ଏଥିରେ ବାଦ୍ୟଯନ୍ତ୍ର ବଜାଇବାର କଳା ଦେଖାଉଛନ୍ତି । ସୁନାମ ଧନ୍ୟ କଣ୍ଠଶିଳ୍ପୀ ଅକ୍ଷୟ ମାହାନ୍ତିଙ୍କ ଯାଯାବର ସଙ୍ଗୀତର ତାଳେ ତାଳେ ବ୍ୟାଣ୍ଡ ପରିବେଷଣ କରିଥିଲେ ।"

ସଂସ୍କୃତି ଗବେଷକ ତଥା କୁମାର ପୁନେଇଁ ଜହ୍ନଲୋ କାର୍ଯ୍ୟକ୍ରମର ଆୟୋଜକ ହୃଷିକେଶ ପାଣିଗ୍ରାହୀ କହିଛନ୍ତି, " ଏହି ଗାର୍ଲ ବ୍ୟାଣ୍ଡ ଓଡି଼ଶାକୁ ଆମେ ଏହି କାର୍ଯ୍ୟକ୍ରମ ଜରିଆରେ ଏକ ଭେଟି । ରିଦମ୍ ପ୍ରିନସେସ ନାମକ ପ୍ରଥମ ମହିଳା ଗାର୍ଲ ବ୍ୟାଣ୍ଡର ନିଜସ୍ୱ ପ୍ରଡେକସନରେ ମଞ୍ଚରେ ପରିବେଷଣ ଅତ୍ୟନ୍ତ ଆକର୍ଷଣୀୟ ରହିଥିଲା । "

ବ୍ରହ୍ମପୁରରୁ ଆରମ୍ଭ ହୋଇଥିବା ଏହି ମହିଳା ବ୍ୟାଣ୍ଡ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଦେଶର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଲକ୍ଷ୍ୟ ରଖିଛନ୍ତି । ସେପଟେ ପିଲାଙ୍କ ପ୍ରତିଭାକୁ ଦୃଷ୍ଟିରେ ରଖି ପରିବାର ବର୍ଗ ମଧ୍ୟ ଉତ୍ସାହିତ କରୁଛନ୍ତି ।
ଚୁଲି ମୁଣ୍ଡରୁ ଷ୍ଟିଅରିଂ: ନାରୀ ସଶକ୍ତିକରଣର ମିଶାଲ୍, ମହିଳା ଅଟୋ ଚାଳକଙ୍କ ସଂଘର୍ଷ କାହାଣୀ
30 ଆଦିବାସୀ ମହିଳାଙ୍କୁ ସ୍ବାବଲମ୍ବୀ କରିଛି ମହୁଚାଷ, ବର୍ଷକରେ 200 କେଜି ଉତ୍ପାଦନ
ଇଟିଭି ଭାରତ, ବ୍ରହ୍ମପୁର

