Debrigarh Sanctuary for Indian Bisons ସମ୍ବଲପୁର: ଦେବ୍ରିଗଡ଼ ଅଭୟାରଣ୍ୟ । ସମ୍ବଲପୁର ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ 50 କିଲୋମିଟରେ ଦୂରତାରେ ଥିବା ଏହି ଅଭୟାରଣ୍ୟଟି ବରଗଡ଼ ଜିଲ୍ଲା ଭିତରେ ରହିଛି । ଗୋଟିଏ ପାର୍ଶ୍ଵରେ ହୀରାକୁଦ ଜଲଭଣ୍ଡାରର ବିସ୍ତୀର୍ଣ୍ଣ ଜଳ ରାଶିକୁ ଅନ୍ୟପଟେ ରହିଛି ଦେବ୍ରିଗଡ଼ ଅଭୟାରଣ୍ୟ । ସୁନ୍ଦର ପ୍ରାକୃତିକ ମନୋରମ ପରିବେଶ ପାଇଁ ଲୋକପ୍ରିୟ ଥିବା ଏହି ଅଭୟାରଣ୍ୟ ଏବେ ଆଉ ଏକ ଉପଲବ୍ଧି ପାଇଁ ଲୋକପ୍ରିୟ ହୋଇପାରିଛି । ତାହା ହେଉଛି ଭାରତୀୟ ଗୟଳ । ଗୟଳଙ୍କ ନିର୍ଭୟ ଚରାଭୂଇଁ ଏବେ ଦେବ୍ରିଗଡ ଅଭୟାରଣ୍ୟ । ନା ଏଠାରେ ଶିକାରର ଭୟ ନା ଖାଦ୍ୟାଭାବ । ଗୟଳଙ୍କ ଅନୁଯାୟୀ ଅନୂକୂଳ ପରିବେଶ ଥିବାରୁ ଦିନକୁ ଦିନ ଏଠାରେ ଗୟଳଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏବେ ଏହି ସଂଖ୍ୟା ପହଞ୍ଚିଛି 788 ।
ବନ୍ୟପ୍ରାଣୀ ଫଟୋଗ୍ରାଫର ଆଶିଷ ପ୍ରଧାନ କୁହନ୍ତି ଯେ ‘‘ପୂର୍ବରୁ କେବେଳ ଦେବ୍ରିଗଡ଼ ଅଭୟାରଣ୍ୟ ନୁହେଁ ବରଂ ଆଖପାଖ ବାରପାହାଡ଼ ଜଙ୍ଗଲ ଅଞ୍ଚଳରେ ବହୁ ସଂଖ୍ୟକ ଗୟଳ ରହି ଆସୁଛନ୍ତି । ବର୍ତ୍ତମାନ ଦେବ୍ରିଗଡ଼ ଅଭୟାରଣ୍ୟରେ ଗୟଳ ମାନଙ୍କ ପାଇଁ ପ୍ରଚୁର ଖାଦ୍ୟ ଓ ପାନୀୟ ଜଳର ଉପଲବ୍ଧ ଥିବାରୁ ଏବେ ଦେବ୍ରିଗଡ଼ରେ ବହୁ ସଂଖ୍ୟକ ଗୟଳ ସୁରକ୍ଷିତ ଭାବରେ ରହୁଛନ୍ତି । ସେମାନଙ୍କ ବଂଶ ମଧ୍ୟ ବୃଦ୍ଧି ହେଉଛି । ବର୍ତ୍ତମାନ ଏଠାରେ ହୀରାକୁଦ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବହୁ ପରିମାଣର କୃତ୍ରିମ ତୃଣଭୂମି ସୃଷ୍ଟି କରାଯାଇଛି । ଏହା ପାଖରେ ହୀରାକୁଦ ଜଳ ଭଣ୍ଡାରର ବିସ୍ତୀର୍ଣ୍ଣ ଜଳରାଶି ସଂଲଗ୍ନ ହୋଇ ରହିଛି । ଯେଉଁଥିପାଇଁ ଏଠାରେ ଗୟଳ ମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି ’’।
- ଗୟଳଙ୍କ ବାସସ୍ଥାନ ଦେବ୍ରିଗଡ
ଏହି ଦୁର୍ଲଭ ପ୍ରାୟ ପ୍ରଜାତିର ପ୍ରାଣୀଙ୍କୁ ସୁରକ୍ଷା ଦେବାରେ ବର୍ତ୍ତମାନ ଦେବ୍ରିଗଡ଼ ଅଭୟାରଣ୍ୟ ସାରା ଦେଶରେ ପ୍ରମୁଖ ଭୂମିକା ନିଭାଉଛି । ଏହାକୁ schedule -1-species କୁହାଯାଉଥିବା ବେଳେ ବର୍ତ୍ତମାନ ବନ୍ୟପ୍ରାଣୀ ବିଶେଷଜ୍ଞ ମାନେ ଦେବ୍ରିଗଡ଼ ଅଭୟାରଣ୍ୟକୁ land of Indian bisons ବୋଲି କହୁଛନ୍ତି । ଏପରିକି ଦେଶର ଅନ୍ୟ ଅଭୟାରଣ୍ୟ ତୁଳନାରେ ଦେବ୍ରିଗଡ଼ ଅଭୟାରଣ୍ୟ ଗୟଳ ମାନଙ୍କ ପାଇଁ ଅଧିକ ସୁରକ୍ଷିତ ବୋଲି ଚର୍ଚ୍ଚା ହେଉଛି । ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଅଭୟାରଣ୍ୟର ସଫାରୀ ଜୋନରେ 100 ରୁ 150 ଟି ଗୟଳଙ୍କୁ ପର୍ଯ୍ୟଟକ ମାନେ ଦେଖି ପାରନ୍ତି । ଯାହା ପୂର୍ବ ଭାରତର ଅନ୍ୟ କୌଣସି ଅଭୟାରଣ୍ୟରେ ଦେଖିବାକୁ ମିଳନ୍ତି ନାହିଁ । ସେଥିପାଇଁ ଦେବ୍ରିଗଡ଼କୁ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗୁଛି ।

- 6 ମାସରେ 129ଟି ଗୟଳ ଜନ୍ମ
ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ଦେବ୍ରିଗଡ଼ ଅଭୟାରଣ୍ୟ ପାଲଟିଛି ଗୟଲ ମାନଙ୍କ ନିର୍ଭୟ ଆଶ୍ରୟସ୍ଥଳୀ । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ସୂଚନା ଅନୁସାରେ ଏଠାରେ ମୋଟ 788 ଗୟଳ ରହିଛନ୍ତି । ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିଗତ 6 ମାସ ମଧ୍ୟରେ ଏଠାରେ 129 ଟି ଗୟଲଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତ ବର୍ଷ ନଭେମ୍ବର 12 ଓ 13 ତାରିଖରେ ବନ ବିଭାଗ ପକ୍ଷରୁ ହୋଇଥିବା ଗୟଳ ଗଣନାରେ ଏଠାରେ 659 ଟି ଗୟଳ ରହିଥିଲେ । ତେବେ ଚଳିତ ବର୍ଷ ମଇ 11 ରୁ 12 ତାରିଖ ପର୍ଯ୍ୟନ୍ତ ହୋଇଥିବା ଗଣନାରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇ 788ରେ ପହଞ୍ଚିଛି । ଏଥିରେ 315 ଟି 2 ବର୍ଷରୁ କମ ବୟସ୍କ ଗୟଳ ଛୁଆ ରହିଥିବା ବେଳେ 128 ଟି 3 ମାସରୁ କମ ବୟସ୍କ ଗୟଳ ଛୁଆ ଅଛନ୍ତି । ବର୍ତ୍ତମାନ ଏହି ଅଭୟାରଣ୍ୟରେ ଥିବା ଗୟଳ ମାନଙ୍କ 40 ପ୍ରତିଶତ କେବଳ ଛୁଆ ଅଛନ୍ତି । ସର୍ବମୋଟ 788 ଗୟଳରୁ 315 ଟି ଛୁଆ ରହିଛନ୍ତି ।
ଦେବ୍ରିଗଡ଼ ଅଭୟାରଣ୍ୟର ଉନ୍ନତିକରଣ ଓ ସୁରକ୍ଷାରେ ପ୍ରମୁଖ ଭୂମିକା ନିଭେଇ ଥିବା ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଡ଼ିଏଫଓ ଅଂଶୁପ୍ରଜ୍ଞା ଦାଶ କହିଛନ୍ତି ଯେ ‘‘ଆମେ ଗତ ମଇ ମାସରେ ଗୟଳ ମାନଙ୍କ ଗଣନା କରିଥିଲୁ। ଗଣନାରୁ 788 ଟି ଗୟଳ ଥିବା ଜଣା ପଡିଥିଲା । ଏମାନଙ୍କ ମଧ୍ୟରେ 315 ଶିଶୁ ଗୟଳ ଥିବାର ଜଣାପଡିଛି । ଏହି ଶିଶୁ ଗୟଳ ମାନଙ୍କ ବୟସ 2 ବର୍ଷ ରୁ କମ ରହିଛି ଓ ଏମାନଙ୍କ ସଂଖ୍ୟା ସମୂହ ଗୟଲ ମାନଙ୍କ ସଂଖ୍ୟାର 40% ଅଟେ । ଏହା ଏକ ଶୁଭ ସଂକେତ ଅଟେ । ଆଗକୁ ଆମେ ପ୍ରତ୍ୟେକ ମାସ ଗୟଳ ମାନଙ୍କ ଗଣନା କରିବୁ ଓ କେତେ ସଂଖ୍ୟକ ନୂତନ ଗୟଳ ଶିଶୁ ଜନ୍ମ ହେଉଛନ୍ତି ତାର ତଥ୍ୟ ସଂଗ୍ରହ କରିବୁ । ଏହାଦ୍ୱାରା ଗୟଲ ମାନଙ୍କର ଜନ୍ମ ଦେବାର ସମୟ (breeding season) ବିଷୟରେ ଅଧିକ ତଥ୍ୟ ପାଇପାରିବୁ । ଏହା ଆମକୁ ସେମାନଙ୍କ ର ଜନସଂଖ୍ୟା ବୃଦ୍ଧି ଜନକ ବିବିଧତା ଓ ସୁରକ୍ଷା ଦେବାରେ ସହାୟତା କରିବ ’’।

- କାହିଁକି ଦେବ୍ରିଗଡରେ ବଢୁଛି ଗୟଳଙ୍କ ସଂଖ୍ୟା ?
ପୂର୍ବରୁ ଏଠାରେ 50 ଟି ଗୟଳଙ୍କ ଦଳ ଥିବା ବେଳେ ବର୍ତ୍ତମାନ 60ଟି ଦଳ ଭିନ୍ନ ଭିନ୍ନ ସ୍ଥାନରେ ରହୁଛନ୍ତି । ଗୟଳ ମାନଙ୍କ ଉପରେ ନଜର ରଖୁଥିବା ଦଳର ବନ୍ୟ କର୍ମଚାରୀ ମାନଙ୍କୁ ଦେଶର ବରିଷ୍ଠ ଗୟଳ ବିଶେଷଜ୍ଞ ମାନେ ତାଲିମ ଦେଇଛନ୍ତି । ମୁଖ୍ୟତଃ ଗୟଳ ମାନଙ୍କ ଆଚରଣ କେମିତି ରହିଥାଏ, ସେମାନଙ୍କ ଗତିବିଧି କେମିତି କରିଥାନ୍ତି, ତାଙ୍କୁ କେମିତି ଟ୍ରାକ କରାଯିବ, ଏହି ସବୁ ବିଷୟ ଗୁଡିକ ଉପରେ ମନିଟରିଙ୍ଗ ଷ୍ଟାଫକୁ ପ୍ରଶିକ୍ଷଣ ଦିଆଯାଇଛି । ଏହାସହ ଅଭୟାରଣ୍ୟର ଚତୁର୍ପାର୍ଶ୍ଵରେ 300 ସ୍କ୍ୱାର୍ଡ ପ୍ରତ୍ୟେକ ଦିନ ପାଟ୍ରୋଲିଙ୍ଗ କରୁଛନ୍ତି । ଏହି ସ୍କ୍ୱାର୍ଡ ରେ କେତେକ ପୂର୍ବତନ ସେନା ଅଧିକାରୀ ମଧ୍ୟ ନିୟୋଜିତ ଅଛନ୍ତି । ତଥା କେତେକ ସମ୍ବେଦନଶୀଳ ଅଞ୍ଚଳରେ ସୋଲାର ଫେନସିଂର ବ୍ୟବସ୍ଥା ମଧ୍ୟ କରାଯାଇଛି । ଦେବ୍ରିଗଡ଼ ଅଭୟାରଣ୍ୟର ସୀମାରେଖା ଅଞ୍ଚଳରେ ଥିବା 59 ଗାଁର ଲୋକ ମାନଙ୍କୁ ନେଇ ଏକ ଗ୍ରୁପ ତିଆରି କରି ଲୋକ ମାନଙ୍କୁ ସଚେତନ କରାଯାଇ ବାର୍ଷିକ ତାଙ୍କୁ କିଛି କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଆଖପାଖର ସ୍କୁଲ ଗୁଡିକରେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ "ଦେବ୍ରିଗଡ଼ ଅଭିନନ୍ଦନ' ନାମକ ଏକ କାର୍ଯ୍ୟକ୍ରମ କରାଯାଇ ସେମାନଙ୍କୁ ସଚେତନ କରାଯାଉଛି । ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଦୀର୍ଘ ମିୟାଦି ଭାବରେ ଦେବ୍ରିଗଡ଼ ସୁରକ୍ଷା ନେଇ ସଚେତନତା କରାଯାଉଛି ।

ଦେବ୍ରିଗଡ଼ ଅଭୟାରଣ୍ୟରେ ଗୟଳଙ୍କ ସଂଖ୍ୟା ବୃଦ୍ଧି ନେଇ ଡିଫଓ କହିଛନ୍ତି ଯେ ‘‘ଦେବ୍ରିଗଡ଼ ଅଭୟାରଣ୍ୟର ଭୌଗଳିକ ଅବସ୍ଥିତି, ହୀରାକୁଦ ଜଲଭଣ୍ଡାରର ଆଦ୍ରଭୂମି ନିକଟରେ ରହିଥିବାରୁ, 100 କିଲୋମିଟର ଦୀର୍ଘ ତୃଣଭୂମି ତଥା ଏସବୁକୁ ବନ୍ୟ ବିଭାଗର କର୍ମଚାରୀ ମାନେ ବହୁ ଭଲ ଭାବରେ ପରିଚାଳନା କରୁଥିବାରୁ ଗୟଳ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଖରା, ବର୍ଷା ଓ ଶୀତ ଦିନରେ ଭିନ୍ନ ଭିନ୍ନ ପଦ୍ଧତିରେ ତୃଣଭୂମି ପରିଚାଳନା କରାଯାଉଛି । ଫଳରେ ବର୍ଷ ତମାମ ଏଠାରେ ଗୟଳ ମାନଙ୍କ ଖାଦ୍ୟ ଓ ପାନୀୟର ଅସୁବିଧା ହେଉନାହିଁ । ଅପରପକ୍ଷରେ ଦେବ୍ରିଗଡ଼ ଅଭୟାରଣ୍ୟରେ ବନ ବିଭାଗର ତ୍ରିସ୍ତରୀୟ ସୁରୁକ୍ଷା ବ୍ୟବସ୍ଥା ଲାଗିରହିଛି । କ୍ୟାମେରା ଟ୍ରାପ ବ୍ୟବସ୍ଥା ଜରିଆରେ ସୁରକ୍ଷା ବ୍ୟବସ୍ଥା କୁ 24 ଘଣ୍ଟା ନିରୀକ୍ଷଣ କରାଯାଉଛି । ଉପଯୁକ୍ତ ରହଣି ପରିବେଶ, ତାର ସଠିକ ପରିଚାଳନା, ସଠିକ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଏଠାରେ ଗୟଳ ମାନଙ୍କ ସଂଖ୍ୟା ବଢ଼ି ଚାଲିଛି । କେବଳ ଏତିକି ନୁହେଁ ଗୟଳ ମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ’’।
ସମ୍ବଲପୁରର ଚଢେଇ କ୍ଳବର ସଦସ୍ୟ ତଥା ଫଟୋଗ୍ରାଫର କୁହନ୍ତି ‘‘ ଏଠାରେ ମଣିଷ ଓ ପଶୁ ମାନଙ୍କ ମଧ୍ୟରେ କୌଣସି ସଂଘର୍ଷ ହେଉନାହିଁ । ଏହାଦ୍ୱାରା ଏହି ଗୟଳ ମାନଙ୍କ ଶିକାର ମଧ୍ୟ ହେଉନାହିଁ । ହୀରାକୁଦ ବନ୍ୟପ୍ରାଣୀ ବିଭାଗର ସଠିକ ବନ୍ୟା ପରିଚାଳନା ସ୍ୱରୂପ ଅଭୟାରଣ୍ୟ ଭିତରେ ଥିବା ଗାଁ ଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇ ସେ ଗୁଡିକୁ ବ୍ୟବସ୍ଥିତ ଭାବରେ ଥଇଥାନ କରାଯାଇଛି । ସେହି ଗାଁର ମହିଳା ଓ ଯୁବକ ମାନଙ୍କୁ ବନ୍ୟ ସୁରକ୍ଷାରେ ନିୟୋଜିତ କରାଯାଇ ସେମାନଙ୍କୁ ରୋଜଗାରର ରାହା ଦେଖାଇଥିବାରୁ ଗ୍ରାମବାସୀ ମାନେ ବନ୍ୟପ୍ରାଣୀ ସୁରକ୍ଷାରେ ପ୍ରମୁଖ ଭୂମିକା ନିଭେଇବା ସହ ବନ୍ୟଜନ୍ତୁଙ୍କୁ ଶିକାରୀ ମାନଙ୍କ କବଳରୁ ସୁରକ୍ଷା ଦେଉଛନ୍ତି । ଫଳରେ ଏଠାରେ ଏହି ଗୟଳ ମାନଙ୍କ ସଂଖ୍ୟା ଦ୍ରୁତଗତିରେ ବଢିବାରେ ଲାଗିଛି । ଏଠାରେ ଅନ୍ୟ ଜୀବଜନ୍ତୁଙ୍କ ଅପେକ୍ଷା ଗୟଳଙ୍କ ସଂଖ୍ୟା ସବୁଠୁ ଅଧିକ । ବନ ବିଭାଗର ସୁରକ୍ଷା ବ୍ୟବସ୍ଥା ସହ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟ ବହୁ ଅବଦାନ ରହିଛି ।’’
ସଂକ୍ଷେପରେ ଦେବ୍ରିଗଡ ଅଭ୍ୟୟାରଣ୍ୟ
- ଭାରତରେ ବିଶ୍ୱର 85% ଗୟଳ ଦେଖିବାକୁ ମିଳନ୍ତି ।
- ସମ୍ବଲପୁରର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ 353 ବର୍ଗକିମି ବ୍ୟାପ୍ତ ଦେବ୍ରିଗଡ଼ରେ ପ୍ରତି ବର୍ଗକିମିରେ 2 ଟି ଗୟଳ ଦେଖିବାକୁ ମିଳନ୍ତି ।
- ସେଥିପାଇଁ ଏହାକୁ ଗୟଳଙ୍କ ଅଧିକ ଘନତ୍ଵ ଥିବା ଅଭୟାରଣ୍ୟ କୁହାଯାଏ ।
- ଏଠାରେ ଏହାର ସୁରକ୍ଷା ପାଇଁ 68ଟି ଇକୋଡେଭେଲପମେଣ୍ଟ କମିଟି ଗଠନ ହୋଇଛି ।
- ଏହି ଅଭୟାରଣ୍ୟ 353 ବର୍ଗକିମିକୁ ପରିବ୍ୟାପ୍ତ ହୋଇଥିବା ବେଳେ ଏଠାରେ 40 ପ୍ରକାର ସ୍ଥନ୍ୟପାୟୀ,234 ପ୍ରକାର ପକ୍ଷୀ ଓ 41 ପ୍ରକାର ସରୀସୃପ ଅଛନ୍ତି ।
- ଭାରତୀୟ ଗୟଳ
ଭାରତର 12 ଟି ଅଞ୍ଚଳ ରେ ପ୍ରାୟ 22 ହଜାର ଗୟଳ ଥିବା ସୂଚନା ରହିଛି । ଗୟଳ ମୁଖ୍ୟତଃ ମଧ୍ୟ ଭାରତ, ଉତ୍ତର ପୂର୍ବ ଭାରତ, କେରଳ, ପଶ୍ଚିମବଙ୍ଗ, ଓଡିଶା ଆଦି ସ୍ଥାନରେ ଦେଖା ଯାଆନ୍ତି । ପାହାଡିଆ ଜଙ୍ଗଲ ଅଞ୍ଚଳରେ ଏମାନେ ରହିବାକୁ ପସନ୍ଦ କରନ୍ତି । ଏହି ଜନ୍ତୁ ଦେଖିବାକୁ ବହୁତ ବଡ଼। ପୁରୁଷ ଗୟଳ 1000 କିଲୋଗ୍ରାମର ମଧ୍ୟ ଥାଏ । ତେବେ ସେମାନେ ପାହାଡ଼ ଚଢି ଓ ଓହ୍ଲେଇ ପାରନ୍ତି । ଏହା ସହ ବାଉଁଶ ଓ ତୃଣଭୂମି ଥିବା ଅଞ୍ଚଳରେ ରହିବାକୁ ପସନ୍ଦ କରନ୍ତି ଯାହା ଏଠାରେ ଉପଲବ୍ଧ ଅଛି । ଏହା ସହ ସାଧାରଣତଃ ଗୟଳ ସ୍ଥାନୀୟ ଆଖ ପାଖ ଅଞ୍ଚଳରେ ବୁଲା ବୁଲି କରିବାକୁ ପସନ୍ଦ କରନ୍ତି । ମୁଖ୍ୟତଃ ଗୟଳର ସିଙ୍ଗ ଓ ଚମଡା ପାଇଁ ଶିକାର କରାଯାଇଥାଏ । ତେବେ ଦେବ୍ରିଗଡ଼ରେ ଗୋଟିଏ ମଧ୍ୟ ଶିକାର ହେବାର ବିଗତ ବର୍ଷ ଗୁଡିକ ରେ ନଜିର ନାହିଁ ।
ଏହା ମଧ୍ୟ ପଢନ୍ତୁ ଅର୍ଦ୍ଧନାରୀଶ୍ୱର ଏବଂ କିନ୍ନର, ସମ୍ବଲପୁର ଶୀତଳଷଷ୍ଠୀର ଅନନ୍ୟ ପରମ୍ପରା
ଏହା ମଧ୍ୟ ପଢନ୍ତୁ ଠିକା ଶ୍ରମିକ ଏବେ କୋଟିପତି, 49 ଟଙ୍କା ଲଗାଇ ପାଇଲେ 30000000 ଟଙ୍କା
ଇଟିଭି ଭାରତ, ସମ୍ବଲପୁର