ଭୁବନେଶ୍ୱର: ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ଯୋଗ ସମାରୋହ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମବେତ ଯୋଗାଭ୍ୟାସ କରିଛନ୍ତି। ଏହା ସହିତ ଯୋଗ ହେଉଛି ବିଶ୍ୱ ମାନବ ସମାଜକୁ ଭାରତର ଏକ ମହାର୍ଘ୍ୟ ଉପହାର ବୋଲି ସେ କହିଛନ୍ତି।
ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଯୋଗକୁ ଆମ ଦୈନନ୍ଦିନ ଜୀବନର ଅଂଶ କରିବା ସହ ଏହାର ସୁଫଳକୁ ଆହୁରି ସୁଦୂର ପ୍ରସାରୀ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ବାର୍ତ୍ତା ଦେଇଛନ୍ତି। #ଅନ୍ତର୍ଜାତୀୟଯୋଗଦିବସ pic.twitter.com/1n7lqubJy5
— I & PR Department, Odisha (@IPR_Odisha) June 21, 2025
ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶାଖାପାଟନମରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, 'ଯୋଗ କେବଳ ଏକ ବ୍ୟାୟମ କିମ୍ବା ଯୋଗକୁ କିଛି ଆସନ ମଧ୍ୟରେ ସୀମିତ ରଖିବା ଉଚିତ ନୁହେଁ। ଶାରୀରିକ ବ୍ୟାୟମ ଠାରୁ ଏହାର ସ୍ଥାନ ବହୁତ ଉଚ୍ଚରେ। ଯୋଗ ହେଉଛି ଶାରୀରିକ, ବୌଦ୍ଧିକ, ମାନସିକ ଏବଂ ଅଧ୍ୟାତ୍ମିକତାର ଏକ ଅପୂର୍ବ ସଙ୍ଗମ। ଭାରତୀୟ ସଂସ୍କୃତି ଏବଂ ଯୋଗୀ ପରମ୍ପରାରୁ ସୃଷ୍ଟି ହୋଇଥିବାରୁ ଏହା କୌଣସି ନିର୍ଦ୍ଦିଷ୍ଟ ଧର୍ମ ସହିତ ଜଡ଼ିତ ନୁହେଁ । ଶରୀର, ଆତ୍ମା ଏବଂ ଚିନ୍ତନ ଶକ୍ତିକୁ ଉଦ୍ବୁଦ୍ଧ କରୁଥିବା ଯୋଗ, ଆଜି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ଦ୍ଵାରା ଆଦୃତ ହୋଇ ପାରିଛି।

ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ଏକ ଅବିଛେଦ୍ୟ ଅଙ୍ଗ ହେଉଛି ‘ଯୋଗ’ । ଯାହା କେବଳ ଦେଶ ଭିତରେ ସୀମିତ ହୋଇ ରହିଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମେ’ ମାସରେ ଦାୟିତ୍ଵ ଗ୍ରହଣ କରିବାର ମାତ୍ର ଛ’ ମାସ ମଧ୍ୟରେ ଯୋଗକୁ ସାରା ବିଶ୍ଵରେ ପରିଚିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଫଳରେ ୨୦୧୪ ଡିସେମ୍ବର ୧୧ ତାରିଖରେ ଜାତିସଂଘ ପ୍ରତିବର୍ଷ ଜୁନ ୨୧ ତାରିଖକୁ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ଭାବେ ପାଳନ କରିବା ପାଇଁ ପ୍ରସ୍ତାବ ପାରିତ କରିଛି। ଆଜି ପୃଥିବୀର ପ୍ରାୟ ସବୁ ଦେଶରେ ଲୋକେ ଆଗ୍ରହ ଏବଂ ଉତ୍ସାହର ସହିତ ଏହାକୁ ପାଳନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, "ଚଳିତ ବର୍ଷ ପାଳନ ହେଉଥିବା ଅନ୍ତର୍ଜାତୀୟ ଯୋଗ ଦିବସର ଶୀର୍ଷକ ହେଉଛି, "ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ" ଯାହା, ବ୍ୟକ୍ତିଗତ କଲ୍ୟାଣ ଓ ପୃଥିବୀର ସ୍ୱାସ୍ଥ୍ୟ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ଉଜାଗର କରେ। ଏଥିରେ ଦର୍ଶାଯାଇଛି ଯେ, କିପରି ପ୍ରାଚୀନ ଯୋଗ ଅଭ୍ୟାସ କେବଳ ଶରୀର ଓ ମନକୁ ପୋଷଣ କରେ ନାହିଁ ବରଂ ପ୍ରକୃତି ଏବଂ ସମସ୍ତ ଜୀବଜନ୍ତୁଙ୍କୁ ସମ୍ମାନ ଦେଉଥିବା ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଜୀବନଶୈଳୀକୁ ପ୍ରୋତ୍ସାହିତ କରେ। ଓଡ଼ିଶାରେ ଆମେ ଯୋଗକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରୁଛୁ। ଆମର ସ୍କୁଲ, କଲେଜ, ଛାତ୍ରାବାସ ଏବଂ କ୍ରୀଡା କେନ୍ଦ୍ର ମାଧ୍ୟମରେ ଆମେ କର୍ମଶାଳା ଆୟୋଜନ କରୁଛୁ । ସଚେତନତା ସୃଷ୍ଟି କରୁଛୁ। ଆମେ ଯୋଗକୁ ବିଦ୍ୟାଳୟ କାର୍ଯ୍ୟକ୍ରମ ଏବଂ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ପଦକ୍ଷେପ ନେଉଛୁ। ଆମର ଲକ୍ଷ୍ୟ ହେଉଛି ଏକ ସୁସ୍ଥ, ଆତ୍ମନିର୍ଭରଶୀଳ ଏବଂ ଦକ୍ଷ ତଥା ସଶକ୍ତ ଓଡ଼ିଶା ଗଠନ କରିବା। ଆଜି ଓଡ଼ିଶାର ସମସ୍ତ ଜିଲ୍ଲାରେ ଯୋଗ ଅଧିବେଶନ ଅନୁଷ୍ଠିତ ହେଉଛି।

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳ, ହଜାର ହଜାର ଲୋକ ଯୋଗ ଦିବସ ପାଳନ କରିବାକୁ ଏକାଠି ହେଉଛନ୍ତି। ଏହି ଗଣ ଅଂଶଗ୍ରହଣ ଆମ ଲୋକଙ୍କ ମଧ୍ୟରେ ବଢ଼ୁଥିବା ସଚେତନତା ଏବଂ ସୁସ୍ଥ ଜୀବନଯାପନ ପ୍ରତି ସେମାନଙ୍କର ଆଶା ଓ ବିଶ୍ୱାସକୁ ଦର୍ଶାଉଛି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏହି ରାଜ୍ୟ ସ୍ତରୀୟ ଯୋଗ ଶିବିରରେ ପ୍ରାୟ ୧୫ ହଜାର ଜନସାଧାରଣ ସାମିଲ ହୋଇଛନ୍ତି। ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ ଓ ବରିଷ୍ଠ ଅଧିକାରୀ, ପୂର୍ବତନ ମନ୍ତ୍ରୀ ମାନେ ଯୋଗ ଦେବା ସହିତ ଯୋଗାଭ୍ୟାସ କରିଛନ୍ତି । ଏହି ଅବସରରେ ସଂସ୍କୃତି ବିଭାଗ ପକ୍ଷରୁ ପାରମ୍ପରିକ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରାଯାଇଛି।

୨୦୧୫ ମସିହା ଜୁନ ୨୧ରେ ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଥିଲା। ମିଳିତ ଜାତିସଂଘର ୬୯ତମ ଅଧିବେସନରେ ଆମ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୨୦୧୪ ସମ୍ବୋଧନରେ ଯୋଗ ଦିବସ ସମ୍ପର୍କରେ ପରାମର୍ଶ ଦେଇଥିଲେ। ପରବର୍ତ୍ତୀ ସମୟରେ ୨୦୧୪ ମସିହା ଡିସେମ୍ବର ୧୧ ତାରିଖରେ ୧୯୩ ଜଣ ସଦସ୍ୟ ଜୁନ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ରାଜି ହୋଇଥିଲେ । ସେହି ଦିନଠାରୁ ଏହି ଦିବସ ସମଗ୍ର ବିଶ୍ୱରେ ପାଳନ କରାଯାଉଛି।

ଏହା ମଧ୍ୟ ପଢ଼ନ୍ତୁ- ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ
ଏହା ମଧ୍ୟ ପଢ଼ନ୍ତୁ- ଆନ୍ତର୍ଜାତୀୟ ଯୋଗ ଦିବସର 75 ଦିନିଆ କାଉଣ୍ଟଡାଉନ, କଳିଙ୍ଗ ଷ୍ଟାଡିୟମରେ ବିଶାଳ 'ଯୋଗ ମହୋତ୍ସବ' ଆୟୋଜନ

ଇଟିଭି ଭାରତ, ଭୁବନେଶ୍ବର