ଭୁବନେଶ୍ବର: ‘ଗାଁର ଗୁରୁଜନ, ମହିଳାଙ୍କ ସହ କଥା ହୁଅ । ଦଳିତ ବର୍ଗର ଲୋକଙ୍କ ସହ ଆଲୋଚନା କର । ନିଜକୁ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟରେ ଯୋଡ଼ିବାର ଅଛି । ସମସ୍ତଙ୍କୁ ନେଇ ଚାଲ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ନିଜ ପରିବାର ସଦସ୍ୟ ଭଳି ଭାବି ଆଗକୁ ନିଅନ୍ତୁ ।’ ପୁରୀରେ ଚାଲିଥିବା ବିଜେପିର ପାଠଶାଳାରେ ବିଧାୟକ ଓ ସାଂସଦଙ୍କୁ ଏପରି ଟିପ୍ସ ଦେଇଛନ୍ତି ବରିଷ୍ଠ ବିଜେପି ନେତା ।
ସରିଲା ବିଜେପିର ପାଠଶାଳା:
ବିଜେପିର 2 ଦିନିଆ ପ୍ରଶିକ୍ଷଣ ଶିବିର ଶେଷ ହୋଇଛି । ପୁରୀ ଠାରେ ଦୁଇ ଦିନ ଧରି ଚାଲିଥିବା ଏହି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ଼ା ଏବଂ ଶେଷ ଦିନରେ ଯୋଗ ଦେଇଥିଲେ ରାଷ୍ଟ୍ରୀୟ ମହାମନ୍ତ୍ରୀ ବିଏଲ ସନ୍ତୋଷ । ରାଜ୍ଯରେ ବିଜେପିର ସବୁ ସାଂସଦ ଏବଂ ବିଧାୟକ ମାନଙ୍କୁ ନଡ୍ଡା ଦେଲେ ଗୁରୁ ମନ୍ତ୍ର ।
ନେତା-ସାଂସଦଙ୍କୁ ଟ୍ରେନିଂ ଦେଲେ ନଡ୍ଡା:
ଜେପି ନଡ଼ା 14ଟି ବିନ୍ଦୁ ଉପରେ ବିଧାୟକ ଓ ସାଂସଦଙ୍କୁ ଟ୍ରେନିଂ ଦେଇଛନ୍ତି । ଗାଁକୁ ଯାଇ ସ୍ଵଚ୍ଛତା ଅଭିଯାନରେ ଯୋଗଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନଡ୍ଡା । ଗାଁର ଗୁରୁଜନ, ମହିଳାଙ୍କ ସହ କଥା ହୁଅ । ଦଳିତ ବର୍ଗର ଲୋକଙ୍କ ସହ ଆଲୋଚନା କର । ନିଜକୁ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟରେ ଯୋଡ଼ିବାର ଅଛି । ସମସ୍ତଙ୍କୁ ନେଇ ଚାଲ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ନିଜ ପରିବାର ସଦସ୍ୟ ଭଳି ଭାବି ଆଗକୁ ନିଅନ୍ତୁ । ବିକାଶ ମୂଳକ କାର୍ଯ୍ୟରେ ବିଶେଷ ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି । ଆଗାମୀ ଦିନରେ କେମିତି କାମ କରିବେ, ବିଧାୟକ, ସାଂସଦ ମାନେ କଣ କରିବେ, କଣ କରିବେ ନାହିଁ ତାକୁ ନେଇ ମଧ୍ୟ ଟିପ୍ସ ଦେଇଛନ୍ତି ନଡ୍ଡା ।
କଣ ଟିପ୍ସ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ?
ଗ୍ରାଉଣ୍ଡକୁ ଯାଅ । ଅଙ୍ଗନୱାଡି, ମେଡିକାଲକୁ ଯାଇ ଅଧେ ଘଣ୍ଟା ବସ । ଅଫିସରଙ୍କ ସହ ଭଲ ସମ୍ପର୍କ ରଖି କାମ ଆଦାୟ କରିବା ଶିଖ । ସରକାର ସହ ସଂଗଠନକୁ ନେଇକି ଚାଲ । ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଯୋଜନାକୁ ଜାଣ. ତାହା କେତେଦୂର କାର୍ଯ୍ୟକାରୀ ହେଉଛି ଗ୍ରାଉଣ୍ଡକୁ ଯାଇ ଦେଖ । ଏମିତିକି ଅଙ୍ଗନବାଡି ଏବଂ ମେଡିକାଲରେ ଯାଇ ସମୟ ବିତାଅ । ସରକାର ସହ ସଂଗଠନକୁ ନେଇକି ଚାଲ । ସଂଗଠନ କେମିତି ବୃଦ୍ଧି ହେବ ସେ ଦିଗରେ ଦୃଷ୍ଟି ଦିଅ । ଏମିତି ଅନେକ ମନ୍ତ୍ର ଦେଇଛନ୍ତି ନଡ଼ା । ଏବେ ସରକାରକୁ 11 ମାସ ବିତିବାକୁ ବସିଲାଣି ବିଧାୟକ ଏବଂ ସାଂସଦ ମାନେ ନିଜ ନିଜ ଅଞ୍ଚଳରେ କେତେ କାମ କରିଛନ୍ତି ଏବଂ ଏବେ ପ୍ରଶିକ୍ଷଣ ପରେ ନଡ୍ଡାଙ୍କ ଗୁରୁମନ୍ତ୍ରକୁ କେତେ କାର୍ଯ୍ୟକାରୀ କରିବେ ତାକୁ ନେଇ ପ୍ରଶ୍ନବାଚୀ ।
ନଡ୍ଡା ଯାହା କହିଲେ ତାକୁ ପାଳନ କରିବୁ:
ତେବେ ଏହାକୁ ନେଇ ସାଂସଦ ବିଭୂ ତରାଇ କହିଛନ୍ତି, ‘ନଡ୍ଡା ଯାହା କହିଛନ୍ତି ତାକୁ ଆମେ ପାଳନ କରିବୁ । ଗରିବ ଲୋକଙ୍କ ବିକାଶ ପାଇଁ ମହିଳା, ଯୁବକ ଏବଂ ଚାଷୀ ମାନଙ୍କ ପାଖରେ ପହଞ୍ଚିବୁ । ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ସହିତ ମିଶି ସମସ୍ତ କାର୍ଯ୍ୟ କରାଯିବ । ତଳ ସ୍ତରରେ ଲୋକମାନଙ୍କୁ କିଭଳି ସ୍ୱାବଲମ୍ବୀ କରାଯିବ ଏଥିପାଇଁ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି ନଡ୍ଡା । ବୁଝାମଣା ଏବଂ ସମନ୍ବୟ ଉପରେ ଗୁରୁତ୍ଵ ମଧ୍ୟ ଦେଇଛନ୍ତି ।’
ଏହା ମଧ୍ୟ ପଢନ୍ତୁ: ପୁରୀରେ ନଡ୍ଡାଙ୍କ ପାଠଶାଳା, ବିଧାୟକ ସାଂସଦକୁ ଦେଲେ ଗୁରୁଜ୍ଞାନ ଅରୁଣଙ୍କ ତେରଛା ବାଣ; ଦଳ ଭିତରେ ସଂସ୍କାର ଓ ବିଜେପି ବିରୁଦ୍ଧରେ ରଣହୁଙ୍କାର, ସମ୍ବିତଙ୍କ ମୂଷା ଉପାଖ୍ୟାନ |
ସବୁ ସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ:
ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ‘ଏହା ଆମ ଦଳର ରୁଟିନ କାର୍ଯ୍ୟ । ସବୁ ସ୍ତରରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଏ । ପଞ୍ଚାୟତ ନିର୍ବାଚନ ସହିତ ଏହାର କିଛି ସମ୍ପର୍କ ନାହିଁ । ହେଲେ ପଞ୍ଚାୟତ ନିର୍ବାଚନରେ ବିଜେପି ଭଲ ଭାବରେ ଲଢିବ । ସେହିପରି ଖାଲି ପଡ଼ିଥିବା ନିଗମ ଓ ବୋର୍ଡକୁ ନେଇ କହିଛନ୍ତି ଉଚିତ୍ ସମୟରେ ହେବ । ବୈଠକ ପରେ ବୈଠକ ଚାଲିଛି ଏହାକୁ ନେଇ । କେଉଁଠି ଅଟକି ନାହିଁ ସବୁ ଠିକରେ ଚାଲିଛି ।’
ଏହା ରୁଟିନ କାର୍ଯ୍ୟ:
ସେପଟେ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି, ‘ସବୁ ଦଳର ପ୍ରଶିକ୍ଷଣ ଶିବିର କରାଯାଏ । ଏହା ରୁଟିନ କାର୍ଯ୍ୟ । ବିଧାୟକ ଓ ସାଂସଦ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଏ । ସେହିପରି ରାଜ୍ଯରେ ନୂଆ ସଭାପତି ଏବଂ ବୋର୍ଡ ନିଗମ ଉପରେ କହିଛନ୍ତି, ସବୁ କେନ୍ଦ୍ର ଉପରେ ନିର୍ଭର କରାଯାଉଛି ।’
ଇଟିଭି ଭାରତ,ଭୁବନେଶ୍ବର