ନଭେମ୍ବର 11ରେ ନୂଆପଡ଼ା ଉପନିର୍ବାଚନ, 14ରେ ଫଳାଫଳ
ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ ।

Published : October 6, 2025 at 4:42 PM IST
|Updated : October 6, 2025 at 6:28 PM IST
Nuapada By Election 2025 ଭୁବନେଶ୍ବର: ବାଜିଲା ନୂଆପଡା ଉପନିର୍ବାଚନ ବିଗୁଲ । ଆସନ୍ତା ନଭେମ୍ବର 11ରେ ମତଦାନ ଅନୁଷ୍ଠିତ ହେବ । 14 ନଭେମ୍ବରରେ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନ ତାରିଖ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ । ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଖାଲି ପଡ଼ିଛି ଆସନ ।
ନଭେମ୍ବର 11ରେ ନୂଆପଡା ଉପନିର୍ବାଚନ:
ଆସନ୍ତା ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ ଓଡ଼ିଶାର ନୂଆପଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ । ନଭେମ୍ବର ୧୪ ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ । ଭାରତୀୟ ନିର୍ବାଚନ ଆୟୋଗ ବା ଇସିଆଇଙ୍କ ତରଫରୁ ଆଜି ଏନେଇ ସୂଚନା ଦିଆଯାଇଛି । ସେହିପରି ନିର୍ବାଚନ ତାରିଖ ଘୋଷଣା ହେବା କ୍ଷଣି ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ନୂଆପଡା ଉପନିର୍ବାଚନ ନେଇ ଆଜି ବିଗୁଲ ବାଜିଛି । ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡାରେ ହେଉଛି ଉପ ନିର୍ବାଚନ ।

ଇସିଆଇଙ୍କ ସୂଚନା ଅନୁସାରେ ଉପନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହା ପରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ । ୭ ଦିନ ନାମାଙ୍କନ ବା ପ୍ରାର୍ଥୀପତ୍ର ଦାଖଲ ହେବ । ଅକ୍ଟୋବର ୨୦ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି । ଅକ୍ଟୋବର ୨୨ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ୨୪ ତାରିଖରେ ପ୍ରତ୍ୟାହାର ପାଇଁ ଶେଷ ତାରିଖ ରହିଛି । ସେହିପରି ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ ନୂଆପଡା ଉପ ନିର୍ବାଚନ । ନଭେମ୍ବର ୧୪ ତାରିଖରେ ଗଣତି ସହ ଫଳାଫଳ ଘୋଷଣା କରାଯିବ ।

ନୂଆପଡା ଉପନିର୍ବାଚନ:
- ଅକ୍ଟୋବର 13ରେ ପ୍ରକାଶ ପାଇବ ନୂଆପଡା ଉପନିର୍ବାଚନ ପାଇଁ ବିଜ୍ଞପ୍ତି
- ଅକ୍ଟୋବର 20ରେ ନାମାଙ୍କନ ଦାଖଲର ଶେଷ ତାରିଖ
- ଅକ୍ଟୋବର 22ରେ ହେବ ନାମାଙ୍କନ ଯାଞ୍ଚ
- ଅକ୍ଟୋବର 24ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ
- ନଭେମ୍ବର 11ରେ ନୂଆପଡାରେ ମତଦାନ ଅନୁଷ୍ଠିତ ହେବ
- ନଭେମ୍ବର 14ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ
ନୂଆପଡାରେ କେତେ ଅଛନ୍ତି ଭୋଟର ?
- ସେପ୍ଟେମ୍ବର ୨୦୨୫ରେ ପ୍ରକାଶିତ ଚିଠା ନିର୍ବାଚନ ତାଲିକା ଅନୁସାରେ ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା ୨ ଲକ୍ଷ ୪୮ ହଜାର ୨୫୬ ଜଣ ।
- ପୁରୁଷ ଭୋଟର ସଂଖ୍ୟା ୧ ଲକ୍ଷ ୨୨ ହଜାର ୧୦୩
- ମହିଳା ଭୋଟର ସଂଖ୍ୟା ୧ ଲକ୍ଷ ୨୬ ହଜାର ୧୩୨
- ତୃତୀୟ ଲିଙ୍ଗି ଭୋଟର ୨୧ ଜଣ ଅଛନ୍ତି
- ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା ୪ ହଜାର
- ପୁରୁଷ ୨୩୪୩ (ଭିନ୍ନକ୍ଷମ)
- ମହିଳା ୧୬୫୭ (ଭିନ୍ନକ୍ଷମ)
- ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ୨୦୦୭ ଥିବାବେଳେ ପୁରୁଷ ୬୯୪ ଓ ମହିଳା ୧୩୧୩ ଅଛନ୍ତି ।
- ନୂଆପଡା ନିର୍ବାଚନ ମଣ୍ଡଳୀ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଚାଲିଛି ।
- ନୂଆପଡାର ସମସ୍ତ ଯୋଗ୍ୟ ଓ ନୂତନ ଭୋଟର ତାଲିକାରେ ନାଁ ସାମିଲ କରିବା ଲାଗି ଅକ୍ଟୋବର ୭ ତାରିଖ ଭିତରେ ଆବେଦନ କରିପାରିବେ ।
- ଅକ୍ଟୋବର ୯ ତାରିଖରେ ପ୍ରକାଶିତ ଏବଂ ନାମାଙ୍କନ ଦାଖଲ ତାରିଖ ପର୍ଯ୍ୟନ୍ତ ଅଦ୍ୟତନ ହୋଇଥିବା ଚୂଡାନ୍ତ ଭୋଟର ତାଲିକା ନିର୍ବାଚନ ପାଇଁ ବ୍ୟବହାର କରାଯିବ ।

ନୂଆପଡାରେ ଲାଗୁ ହେଲା ଆଦର୍ଶ ଆଚରଣ ବିଧି:
ନୂଆପଡା ନିର୍ବାଚନ ମଣ୍ଡଳୀ ପାଇଁ ଉପ ନିର୍ବାଚନ ଘୋଷଣା ସହିତ ସମଗ୍ର ନୂଆପଡା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଜିଲ୍ଲାରେ ଅବସ୍ଥିତ କେନ୍ଦ୍ର ସରକାରୀ ଏଜେନ୍ସି ପାଇଁ ମଧ୍ୟ ପ୍ରଯୁଜ୍ୟ ।
- ନୂଆପଡା ନିର୍ବାଚନ ମଣ୍ଡଳୀ ଅଧୀନରେ ୩୫୮ ମତଦାନ କେନ୍ଦ୍ର ରହିଛି
- ସମସ୍ତ ବୁଥରେ ୱେବକାଷ୍ଟିଂ ହେବ
- ଉପନିର୍ବାଚନରେ ବ୍ୟବହାର ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଇଭିଏମ ଏବଂ ଭିଭିପାଟର ବ୍ୟବସ୍ଥା କରାଯାଇଛି
- ଆବଶ୍ୟକୀୟ ସଂଖ୍ୟକ ଇଭିଏମ ଅର୍ଥାତ ମତଦାନ କେନ୍ଦ୍ର ସଂଖ୍ୟାର ୨୦୦% ଯଥା ୭୨୦ ବାଲଟ ୟୁନିଟ, ୭୨୦ କଣ୍ଟ୍ରୋଲ ୟୁନିଟ ଏବଂ ୭୨୦ ଭିଭିପାଟ ପୂର୍ବରୁ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ନୂଆପଡ଼ା ଜିଲ୍ଲାପାଳଙ୍କ ପାଖରେ ଉପନିର୍ବାଚନରେ ବ୍ୟବହାର ପାଇଁ ଉପଲବ୍ଧ ଅଛି ।
- ୮୫ ବର୍ଷରୁ ଅଧିକ ବୟସ୍କ ଏବଂ ଭିନ୍ନକ୍ଷମ ଭୋଟରଙ୍କୁ ୧୨ - ଡି ଫର୍ମ ବଣ୍ଟନ କରାଯିବ । ଯାହା ସେମାନଙ୍କୁ ପୋଷ୍ଟାଲ ବାଲଟ ମାଧ୍ୟମରେ ଭୋଟ ଦେବାର ବିକଳ୍ପ ବ୍ୟବହାର କରିବାରେ ସାହାଯ୍ୟ କରିବ ।
ପ୍ରଚାର ସମୟରେ ପୂର୍ବବର୍ତ୍ତୀ ଅପରାଧିକ ମାମଲାରେ ଜଡ଼ିତ ଥିବା ପ୍ରାର୍ଥୀଙ୍କୁ ଏହି ସମ୍ବନ୍ଧରେ ଖବରକାଗଜ ଏବଂ ଟେଲିଭିଜନ ଚ୍ୟାନେଲ ମାଧ୍ୟମରେ ତିନିଥର ସୂଚନା ପ୍ରକାଶ କରିବାକୁ ପଡ଼ିବ । ରାଜନୈତିକ ଦଳ ପକ୍ଷରୁ ମଧ୍ୟ ଏ ବିଷୟରେ ସୂଚନା ଉଭୟ ୱେବସାଇଟ ଏବଂ ଖବରକାଗଜ ତଥା ଟେଲିଭିଜନ ଚ୍ୟାନେଲରେ ତିନିଥର ପ୍ରକାଶ କରିବାକୁ ପଡ଼ିବ ।

ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡା ଆସନ ଖାଲି:
ସେପ୍ଟେମ୍ବର ୮ ତାରିଖରେ ପୂର୍ବତନ ମନ୍ତ୍ରୀ ତଥା ନୂଆପଡ଼ା ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କର ଦେହାନ୍ତ ହୋଇଛି । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ନବୀନ ସରକାରରେ ଯୋଜନା ଏବଂ ସଂଯୋଜନା ମନ୍ତ୍ରୀ ଥିଲେ ରାଜେନ୍ଦ୍ର । ରାଜେନ୍ଦ୍ର ନୂଆପଡ଼ା ବିଧାନସଭା ଆସନରୁ ୨୦୦୪ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ନିର୍ବାଚିତ ହୋଇଥିଲେ । ୨୦୦୯ ମସିହାରେ ବିଜେଡି ଟିକେଟରେ ବିଧାନସଭା ଆସିଥିଲେ । ୨୦୧୪ ନିର୍ବାଚନରେ ରାଜେନ୍ଦ୍ରଙ୍କୁ ପରାସ୍ତ କରିଥିଲେ ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡା । ୨୦୧୯ରେ ପୁଣି ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ ରାଜେନ୍ଦ୍ର । ଏହାର କେବଳ ବିଧାନସଭା ଆସିନଥିଲେ, ନବୀନ ସରକାରରେ ମନ୍ତ୍ରୀ ହୋଇଥିଲେ ରାଜେନ୍ଦ୍ର । ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନା ବିଭାଗର କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ ରାଜେନ୍ଦ୍ର । ୨୦୨୪ରେ ପୁନର୍ବାର ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ।
ଇଟିଭି ଭାରତ, ଭୁବନେଶ୍ବର

