ଭୁବନେଶ୍ବର: ଖୋଲିବ ଓଡ଼ିଶାରେ ଚାଲିଥିବା ଦେହ ବ୍ୟବସାୟ ଗୁମର। ଫିଟିବ ଗୋଲକ ଧନ୍ଦା ପଛରେ ନିରିହ କୋମଳମତିଙ୍କ ଅତ୍ୟାଚାର ଗୁମର। ନାବାଳିକାଙ୍କୁ ନେଇ ଦେହ ବ୍ୟବସାୟ ଚଳାଉଥିବା ଦଲାଲଙ୍କ ଉପରେ ଏବେ NIA ନଜର। କାରଣ କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ହେବା ଘଟଣା ପରେ ଏବେ ଏହା ପଛର ସିଣ୍ଡିକେଟର ଚେର ଖୋଜିବ NIA ଟିମ।
- ଦେହ ବ୍ୟବସାୟୀଙ୍କ ଉପରେ NIA ନଜର
କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ମାମଲା ରୁଜୁ କରିଛି NIA ଟିମ୍। ଗତ ୨୧ ତାରିଖରେ RC 6/25 ରେ ଏକ ସ୍ବତନ୍ତ୍ର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି NIA ଟିମ୍। ଏନେଇ ଓଡ଼ିଶାରେ ବାଙ୍ଗଲାଦେଶୀ ଯୁବତିଙ୍କୁ ନେଇ ଦେହ ବ୍ୟବସାୟର ଖୋଜିବ ଖିଅ। ଏଥିପାଇଁ କଟକ ମଧୁପାଟଣା ଥାନାର କେସକୁ ଆଧାର କରି ଗିରଫ ହୋଇଥିବା ୬ ଜଣଙ୍କୁ ସମନ୍ କରିଛି NIA ଟିମ ।ଆସନ୍ତା ୧୦ଏପ୍ରିଲ ରେ NIA କୋର୍ଟରେ ହାଜର ପରେ ଏହାର ତନାଘନା ଆଗକୁ ବଢାଇବ ଟିମ୍ ।

NIA ତଦନ୍ତକୁ ନେଇ ଆଇନଜିବି ଉମାକାନ୍ତ ତାଣ୍ଡି କହିଛନ୍ତି ଯେ ‘‘ଏହା ସ୍ବାଗତ କଥା ଯେ ଏହାକୁ ଏନ୍ ଆଇଏ ତଦନ୍ତ କରିବ। ଦେହ ବ୍ୟବସାୟରେ ଯେଉଁ ମାନେ ଅଛନ୍ତି ସେମାନଙ୍କୁ ଧରିବାକୁ ତୃଣମୂଳ ସ୍ତରକୁ ଯିବାକୁ ପଡିବ। କେବଳ ବାଙ୍ଗଲାଦେଶ ନୁହେଁ ନାଗାଲାଣ୍ଡ ,ମଣିପୁର ଆସାମରୁ ଏପରିକି ଓଡ଼ିଶାର ଗାଁ ଗଣ୍ଡା ରୁ ମଧ୍ୟ ଝିଅ ଆଣି ମଧ୍ୟ ଏମାନେ ନିୟୋଜିତ କରୁଛନ୍ତି। ଓଡ଼ିଶା ପୋଲିସ ଚିନ୍ତା କରିବା ଦରକାର ଯେ ଏମାନଙ୍କ ମୂଳରେ କିଏ ଅଛି । ଏନଆଇଏ ଯେଭଳି ତଦନ୍ତ କରୁଛି ସେଭଳି ତଦନ୍ତ କରିବେ ବା ଅଭିଯୁକ୍ତଙ୍କୁ ଧରିବେ ତାହାଲେ ଦେହ ବ୍ୟବସାୟ ଯେଉଁଭଳି ହେଉଛି ସେଭଳି ଘଟନ୍ତା ନାହିଁ । ଏମାନେ କେବଳ ଉପରଠାଉରିଆ ଭାବେ ତଦନ୍ତ କରୁଛନ୍ତି । ଏନ୍ଆଇଏ ତଦନ୍ତ କଲେ ଏହାର ପୁରା ଘଟଣା ସାମ୍ନାକୁ ଆସିପାରିବ’’।
କୋର୍ଟରେ ସେମାନଙ୍କ ଠାରୁ ସୂଚନା ଆଧାରରେ ପରବର୍ତ୍ତୀ ତଦନ୍ତ କରିବ ଟିମ୍। ବିଶେଷ କରି ତଦନ୍ତରେ ଏହି ସବୁ ଦିଗକୁ ଏନ୍ଆଇଏ ଗୁରୁତ୍ବ ଦେବ। ମଧୁପାଟଣା ଥାନା ଘଟଣାରେ ଚାକିରି ଦେବା ନାଁରେ ବାଙ୍ଗଲାଦେଶରୁ ଆଣି ଦେହ ବେପାରରରେ ନିୟୋଜିତ କରିଥିବା ନାବାଳିକା ତଥ୍ୟକୁ ଆଧାରକରି ତଦନ୍ତ ହେବ। ବିଶେଷ କରି ଚାକିରି ଦେବା ନାଁରେ କିଭଳି ଯୁବତିଙ୍କୁ ସେଠାରୁ ଅଣାଯାଉଛି।ଏନେଇ କେଉଁ ସବୁ ଦଲାଲ ଏଭଳି କାରବାର କରୁଛନ୍ତି । କିଭଳି ଭାରତିୟ ସୀମା ଅତିକ୍ରମ କରି ସେମାନଙ୍କୁ ଆଣାଯାଉଛି ? ଏସବୁ ପଛରେ କେଉଁ ମାନେ ଓ କିଭଳି ଢଙ୍ଗରେ କାରବାର କରି ଆଣୁଛନ୍ତି, ଏହାର ରୁଟ ଲାଇନ ବା ଗଳାବାଟ କଣ ରହିଛି ସେ ନେଇ ତର୍ଜମା କରିବ ଏନଆଇଏ ।
- ଏହି ଦିଗରେ ତଦନ୍ତ କରିବ NIA
ସୀମାରେ ନିୟୋଜିତ ସୁରକ୍ଷାକର୍ମୀ କିପରି ଦଲାଲଙ୍କ ଚାଲ୍ ଜାଣି ପାରୁନାହନ୍ତି ତାକୁ ନେଇ ସନ୍ଦେହରେ ଅଛି ଏନଆଇଏ । ସେହିପରି ଆଣିବା ପରେ ସେମାନଙ୍କୁ କେଉଁ ସହରରେ ରଖାଯାଉଛି ଏବଂ କେଉଁ କେଉଁ ରାକେଟରେ ସାମିଲ କରାଯାଉଛି, କେଉଁଠି କେଉଁଠି ଏସବୁ ରାକେଟ ଅପରେଟ ହେଉଛି, ଏହି ରାକେଟର କିଏ ସବୁ କିଙ୍ଗପିନ ରହିଛନ୍ତି, କେଉଁ କେଉଁ ସହରକୁ ଏହାର ନେଟୱର୍କ ଲମ୍ବିଛି, ଏହା ପଛରେ କିଛି ପେଷାଦାର ଦେହବେପାରି ବା ମାନବ ଚାଲାଣ ମାଫିଆ ଅଛନ୍ତି ନା ନାହିଁ ଏସବୁ ଦିଗରେ ତଦନ୍ତ କରିବ NIA । ସେହିପରି ଏମାନଙ୍କର ନେଟୱର୍କ ରାଜ୍ୟ ବାହାରକୁ ବା ଦେଶ ବାହାରକୁ ରହିଛି ନା ନାହିଁ ସେ ଦିଗ ମଧ୍ୟ ତଦନ୍ତ ସାକ୍ଷେପ । କେବଳ ବାଙ୍ଗଲାଦେଶର ଯୁବତୀ ନା ଅନ୍ୟ କେଉଁ ଦେଶର ନିରିହ ଯୁବତିଙ୍କୁ ଏମାନଙ୍କ ନେଟୱର୍କରେ ସାମିଲ କରାଯାଉଛି, ଏପରିକି କେଉଁ ସବୁ ବଡ଼ ବଡ଼ ହୋଟେଲ ବା ସ୍ପା ବା ଅନ୍ୟ କଣ ସବୁ ଉପାୟ ରହିଛି ଏମାନଙ୍କ ସେକ୍ସ୍ ରାକେଟ ଅପରେଟ ପଛରେ ସମସ୍ତ ଦିଗକୁ ନେଇ ଗୋଟି ଗୋଟି କରି ତଦନ୍ତ କରିବ ଏନଆଇଏ ଟିମ୍।
ତେବେ ମଧୁପାଟଣା ଥାନାରେ ଗତ ବର୍ଷ ନଭେମ୍ବର ମାସରେ ଜଣେ ନାବାଳିକା ପୋଲିସ ଆଗରେ ନିଜର ଅତ୍ୟାଚାରର କାହାଣି ବଖାଣି ଥିଲା। ଯାହାକୁ ନେଇ ଗତ ନଭେମ୍ବର ୨୩ରେ କଟକ ମଧୁପାଟଣା ଥାନା କେସ ନମ୍ବର ୩୦୭/୨୪ରେ ମମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।ଏହି ଘଟଣାରେ ପୋଲିସ ସେତେବେଳେ ବିଏନଏସର ଧାରା 143(4),141,144(1),64(1),3(5),Pocsho act,Itp act ରେ ତନାଘନା କରିଥିଲା। ଆଉ ଏହି ଘଟଣାରେ ବାଙ୍ଗଲାଦେଶରୁ ଯୁବତିକୁ ଚାକିରି ଦେବା ନାରେ ଆଣି କଲିକତାରେ ରଖିବା ଓ କଲିକତାରୁ ଆଣି ବାରିପଦାରେ ରଖି ଦେହ କାରବାରରେ ନିୟୋଜିତ କରିବା ଘଟଣା ସାମନାକୁ ଆସିଥିଲା । ଏହା ପରେ ବ୍ରହ୍ମପୁର, କଟକ, ରାଉଲକେଲା ଭଳି ବିଭିନ୍ନ ସହରରେ ଜୋରଜବରଦସ୍ତି ଏକ ରାକେଟରେ ନିୟୋଜିତ କରିବା ଭଳି ଘଟଣାରେ ନିୟୋଜିତ କରିବା ନେଇ ପୋଲିସ ୬ ଜଣଙ୍କୁ ଗିରଫ କରିଥିଲା । ସେମାନେ ହେଲେ ରଶ୍ମି ଚୌଧୁରି, ଓମ୍ ପ୍ରକାଶ ମହାନ୍ତି, ସୁନିତା ଦାସ, ଡି ଶିବକୁମାର ଦୋରା, ରଜନିକାନ୍ତ ବେହେରା, ଅବଦୁଲ ସହିଦୁଲ ସୋଲେମାନ ।
ଏହା ମଧ୍ୟ ପଢନ୍ତୁ ଶିଳ୍ପ ପାଇଁ ଗଛ କଟା ପରେ ବୃକ୍ଷରୋପଣ ହୋଇଛି କି ନା ? ଜବାବ ମାଗିଲେ ହାଇକୋର୍ଟଏହା ମଧ୍ୟ ପଢନ୍ତୁ ଏମିତି ବ୍ୟବସ୍ଥା: ସରକାରୀ ପୋର୍ଟାଲରେ ଚାଷୀ ଚାକିରିଆ, ମିଳୁନି ଯୋଜନା ଲାଭ