ପୁରୀ: ରଥ ଉପକରଣ ବିକ୍ରି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆସିଲା ନୂଆ ଏସଓପି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚକ ଦାମ୍ ୩ ଲକ୍ଷ ଟଙ୍କା ରହିଥିବା ବେଳେ ଅନ୍ୟ ରଥର ଚକାର ମୂଲ୍ୟ କେତେ କଣ ରହିଛି ଆସନ୍ତୁ ଜାଣିବା । ପ୍ରତି ବର୍ଷ ରଥଯାତ୍ରା ପରେ ସବୁ ରଥର ଚକ ଏବଂ ବିଭିନ୍ନ ଉପକରଣ ବିକ୍ରି କରାଯାଏ । ତେଣୁ ଚଳିତ ବର୍ଷ ମଧ୍ୟ ରଥର ବିଭିନ୍ନ ଅଂଶ ବିକ୍ରି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ଏସଓପି ଜାରି ହୋଇଛି । ସେପଟେ ଉଚ୍ଚା ଦର ଯୋଗୁଁ ଗତବର୍ଷ ମାନଙ୍କରେ ବ୍ୟବହୃତ ରଥର ଚକ ବିକ୍ରି ହୋଇନପାରି, ସେଗୁଡ଼ିକ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଖତ ଖାଉଛି ।

ଜାଣନ୍ତୁ ନୂଆ ଏସଓପିରେ କଣ ରହିଛି ?:
ଚଳିତ ପାଇଁ ରଥ ଉପକରଣ ବିକ୍ରି ନିମନ୍ତେ ନୂଆ ଏସଓପି ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଏଥିସହ ନୂଆ ଦର ମଧ୍ୟ ନିର୍ଦ୍ଧାରଣ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ଦର ଅନୁସାରେ ବଡ଼ଠାକୁରଙ୍କ ତାଳଧ୍ଵଜ ରଥର ଚକ ପିଛା ଦାମ୍ ୨ ଲକ୍ଷ ଟଙ୍କା, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଚକ ପିଛା ଦାମ୍ ଦେଢ଼ ଲକ୍ଷ ଟଙ୍କା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚକ ଦାମ୍ ୩ ଲକ୍ଷ ଟଙ୍କା ରଖାଯାଇଛି ।

ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୧୫:
ସେହିପରି ଗୁଜ ଓ ଅଂଶୁଆରୀ ଗୋଟା ପିଛା ଦାମ୍ ୧୫ ହଜାର ଟଙ୍କା ରହିଛି । ପ୍ରଭା ପିଛ ଦାମ୍ ୨୫ ହଜାର ଟଙ୍କା ରହିଛି । ତେବେ ପ୍ରତ୍ଯେକ ରଥର ଗୋଟାଏ ଲେଖାଏଁ ଚକ କିଣିଲେ ଦାମ୍ ୬ ଲକ୍ଷ ଟଙ୍କା ସ୍ଥିର କରାଯାଇଛି । ଆବେଦନକାରୀ ନିର୍ଦ୍ଧାରିତ ଫି ଦେଇ ଆବେଦନ କରିବା ପରେ ଏହା ଉପରେ ବିଚାର କରି ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ସୂଚନା ଦେଇଛନ୍ତି । ଆବେଦନର ଶେଷ ତାରିଖ ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ରହିଛି ।
ଏହା ମଧ୍ୟ ପଢନ୍ତୁ... ଆସୁଛି ଘୋଷଯାତ୍ରା, ଆଗେଇ ଚାଲିଛି ରଥ କାର୍ଯ୍ୟ - RATHA YATRA 2025 ଏହା ମଧ୍ୟ ପଢନ୍ତୁ... ରଥଖଳା ଅପଡେଟ , ଶେଷ ହେଲା ତିନି ରଥର ଚକ ଅଖ ସଂଯୋଗ - RATHA YATRA PREPARATION |
ଇଟିଭି ଭାରତ, ପୁରୀ