Neem leaves Taste Sweet: ନିମ୍ବ ପତ୍ର ମିଠା ଲାଗେ କି ? ଉତ୍ତର ଆସିବ ନା...କିନ୍ତୁ ଭାବିଲେ ନିମ୍ବ ପତ୍ର ତା ପୁଣି ମିଠା ଲାଗିବ । ଏକଥା ଆପଣଙ୍କୁ ଅଡୁଆ ଏବଂ ଅବିଶ୍ବାସ ଲାଗିପାରେ । କିନ୍ତୁ ଏହା ସତ । ନିମ୍ବ ପତ୍ର ଲାଗୁଛି ମିଠା । କଟକ ଜିଲ୍ଲା ନିଆଳି ଥାନା ଦଧିବାମନ ନଦୀ କୂଳ ତଥା କସର୍ଦ୍ଦା ଦିପୋଟି ମେଲଣ ପଡ଼ିଆରେ ରହିଛି ଏକ ବିରାଟ ନିମ୍ବ ଗଛ । ଯାହାର ପତ୍ର ବେଶ୍ ମିଠା । କିନ୍ତୁ କେମିତି ? ଏହାକୁ ନେଇ ବିଶ୍ବାସ ବନାମ ବିଜ୍ଞାନ କଣ କହୁଛି । ଜାଣନ୍ତୁ..
ନିମ୍ବ ପତ୍ର ଲାଗୁଛି ମିଠା (Neem Tree with Sweet Leaves):
କଟକ ଜିଲ୍ଲା ନିଆଳି ଥାନା ଦଧିବାମନ ନଦୀ କୂଳ ତଥା କସର୍ଦ୍ଦା ଦିପୋଟି ମେଲଣ ପଡ଼ିଆରେ ପୂଜା ପାଉଛନ୍ତି ଅନନ୍ତ ଶୟନ ଠାକୁର । ସେଠାରେ ଗୋଟିଏ ନିମ୍ବ ଗଛ ମଧ୍ୟ ପୂଜା ପାଉଛି । ଯାହାକି 100 ବର୍ଷରୁ ଅଧିକ ବର୍ଷ ହେବ ଏଠାରେ ପୂଜା ପାଉଥିବା ସ୍ଥାନୀୟଲୋକେ କୁହନ୍ତି । ତେବେ ଏହି ଗଛର ଚମତ୍କାରିତା ମଧ୍ୟ ଢେର୍ । ଅନେକ ସ୍ଥାନରେ ନିମ୍ବଗଛର ପତ୍ର ପିତା ହୋଇଥିବା ବେଳେ ଏଠାରେ ପୂଜା ପାଉଥିବା ନିମ୍ବଗଛର ପତ୍ର ମିଠା । ଏଠାରେ ଯାହା ମାନସିକ କଲେ ପ୍ରାପ୍ତି ହୁଏ ବୋଲି ଲୋକ ବିଶ୍ୱାସ ରହିଛି ।

କେଉଁଠି ଅଛି ଏହି ମିଠା ନିମ୍ବ ଗଛ (Niali Kasarda Dopati Sweet Neem Tree) ?
କଟକ ଜିଲ୍ଲା ନିଆଳି ଥାନା ଦଧିବାମନ ନଦୀ କୂଳ ତଥା କସର୍ଦ୍ଦା ଦିପୋଟି ମେଲଣ ପଡ଼ିଆ । ଏଠାରେ ପୂଜା ପାଉଛନ୍ତି ଅନନ୍ତ ଶୟନ ଠାକୁର । ଅନନ୍ତ ଶୟନ ସ୍ଥଳରେ ପୂଜା ପାଉଛି ଏହି ନିମ୍ବ ଗଛ ।

ନିମ୍ବପତ୍ର ମିଠାକୁ ନେଇ କଣ କୁହନ୍ତି ପୂଜକ ?
ଏହି ନିମ୍ବ ଗଛର ଚମତ୍କାରିତା ସମ୍ପର୍କରେ ପୂଜକ ଦିଲ୍ଲୀପ ମହାପାତ୍ର କହିଛନ୍ତି, ‘ମୁଁ ପନ୍ଦର ବର୍ଷ ହେଲାଣି ପୂଜା କରୁଛି । ପୂର୍ବରୁ ମୋ ବଡ ଭାଇ ପୂଜା କରୁଥିଲେ । ନିମ୍ବ ଗଛ କେତେ ବର୍ଷର ସେମିତି କିଛି କହି ହେବ ନାହିଁ । ତଥାପି ଶହେ ବର୍ଷର ନିମ୍ବ ଗଛ । ଏ ଜଗନ୍ନାଥ ବରାଦ, ଚାରି କର ଯାକ ନିମ୍ଵଗଛ ଅଛି । ସବୁଆଡେ ଖାଇବେ ନିମ୍ବପତ୍ର ପିତା । କିନ୍ତୁ ଭଗବାନଙ୍କ ମାହାତ୍ମ୍ୟ କ'ଣ ଅଛି ୟାକୁ ଖାଇଲେ ବେଲପତ୍ର ସଦୃଶ୍ୟ । ଏଠାରେ ଅନନ୍ତ ନାରାୟଣ ପୂଜା ପାଉଛନ୍ତି । ଗଛ କିଏ ଲଗାଇଥିଲେ କିଛି ପ୍ରମାଣ ନାହିଁ । ବଡ ଭାଇ ମାନେ ପୂଜା କରୁଥିଲେ ଆମେ ଏବେ ପୂଜା କରୁଛୁ । ଭକ୍ତ ମାନେ ଆସନ୍ତି ଗୁଆ ନଡିଆ ବସାନ୍ତି । ଭକ୍ତଙ୍କ ମନସ୍କାମନା ମହାପ୍ରଭୁ ପୂରଣ କରନ୍ତି । ଗଛରୁ ଚନ୍ଦନ ଏବଂ ଅନ୍ନପୂର୍ଣ୍ଣା ପତ୍ର ପରି ବାସ୍ନା ହୋଇଥାଏ ।’
ମାନସିକ ପୂରଣ ହୁଏ ବୋଲି ଲୋକ ବିଶ୍ବାସ:
ଜଣେ ଶ୍ରଦ୍ଧାଳୁ କହିଛନ୍ତି, ‘ମୋତେ ୭୭ ବର୍ଷ ହେଲାଣି । ଗଛ ସେବା କରି ଆସୁଛି । ପିତା ବଦଳରେ ଏ ଗଛର ପତ୍ର ମିଠା ଲାଗେ । ଛିଣ୍ତେଇବାର କୌଣସି ନିୟମ ନାହିଁ । ଗଛରୁ ମନକୁ ନିମ୍ବ ପତ୍ର ପଡିଲେ ଆମେ ଖାଇଥାଉ । ଠାକୁରଙ୍କ ନିକଟରେ ଯିଏ ଯାହା ମାନସିକ କରନ୍ତି ତାହା ପୂରଣ ହୋଇଥାଏ ।’

ଅନନ୍ତ ବାସୁଦେବ ମଠ (Ananta Basudev Matha):
ସେହିପରି ଆଉ ଜଣେ ଶ୍ରଦ୍ଧାଳୁ ପ୍ରକାଶ ମଲ୍ଲିକ କହିଛନ୍ତି, ‘କସର୍ଦ୍ଦା ଦିପୋଟି ମେଲଣ ପଡିଆ, ଏ ସ୍ଥାନ ଅନନ୍ତ ବାସୁଦେବ ମଠ । ଆମେ ପିଲା ବେଳୁ ଦେଖି ଆସୁଛୁ ଏ ଗଛର ପତ୍ର ବେଲ ପତ୍ର ସଦୃଶ୍ୟ । ଆମେ ଚାରିଆଡେ କାମ କରୁଛୁ, ଦେଖିଛୁ ନିମ୍ବ ଗଛର ପତ୍ର ପିତା କିନ୍ତୁ ଏ ଜାଗାରେ ନିମ୍ବପତ୍ର ବେଲପତ୍ର ସହିତ ସମାନ । ଯିଏ ଯେତେବେଳେ ଯେଉଁ ମାନସିକ ନେଇ ଗୁଆ ଓ ନଡିଆ ବସାନ୍ତି ମାନସିକ ପୂରଣ ହୋଇଥାଏ ।’

ନିମ୍ବପତ୍ର ମିଠା ଲାଗିବାର ବୈଜ୍ଞାନିକ କାରଣ କଣ ? Scientific Reason:
ନିଆଳି ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ଯାପକ ହିରଣ୍ଯ ବିଦାରକ ମହାପାତ୍ର କହିଛନ୍ତି, ‘ସାଧାରଣତଃ ନିମ୍ବ ପତ୍ର ପିତା ଲାଗେ । ନିମ୍ବ ପତ୍ରରୁ ବୈଜ୍ଞାନିକ ନାମ ହେଉଛି 'Azadirachta Indica' । ବହୁତ କେମିକାଲ ରିଆକ୍ସନ ଯୋଗୁଁ ପ୍ଲାଣ୍ଟରେ ହୁଏ । ସେହିପରି ଏନଜାଇମ ଅଛି, ଯାହା ଆଜାଡି ରାକ୍ଟ୍ରିନ ଏନଜାଇମ, ଯଦି କେମିକାଲରେ ଯାହା ପରିବର୍ତ୍ତନ ହୁଏ । ଲାଇକୋ ସ୍ଲାଇଡରେ ପରିବର୍ତ୍ତନ ହୁଏ । ହାଇଡ୍ରୋଲାଇଜ ହୋଇ ଗାଇକ୍ଲୋସାଇଡରେ ପରିଣତ ହୁଏ ତାହାଲେ ସାଧାରଣ ମିଠା ନୁହେଁ ମୃଦୁ ମିଠା ଲାଗିବ । ଦକ୍ଷିଣ ଭାରତରେ ଏହି ବୃକ୍ଷ ଦେଖାଯାଏ । ଏହାର ପତ୍ର ପୂରା ମିଠା କିମ୍ବା ପିତା ନୁହେଁ ସାଧାରଣ ପତ୍ର ଭଳି ଲାଗିବ ।’

ଭାରତରେ କେଉଁଠି ଦେଖିବାକୁ ମିଳେ ଏହି ନିମ୍ବ ଗଛ ?
ସବୁ ସ୍ଥାନରେ ନୁହେଁ ବହୁତ କମ ସ୍ଥାନରେ ଏପରି ନିମ୍ବ ଗଛ ଦେଖିବାକୁ ମିଳେ । ଶିରିଡି, ଦକ୍ଷିଣ ଭାରତର କିଛି ଅଞ୍ଚଳରେ ଏହି ଗଛ ରହିଛି । କସର୍ଦ୍ଦା ଦିପୋଟିରେ ଥିବା ନିମ୍ବ ଗଛର ପତ୍ର ମୃଦୁ ମିଠା ଲାଗେ ବୋଲି କହିଛନ୍ତି ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ଯାପକ ।
କେମିକାଲରେ ପରିବର୍ତ୍ତନ:
ଭାରତୀୟ ମାନେ ନିମ୍ବ ଗଛକୁ ପୂଜା କରିଛନ୍ତି । ବୈଜ୍ଞାନିକ ଦୃଷ୍ଟିକୋଣରୁ ଯଦି ଦେଖାଯାଏ, କେମିକାଲ ପରିବର୍ତ୍ତନ ପାଇଁ ଏପରି ହେଉଛି । ତାପମାତ୍ରାରେ ପରିବର୍ତ୍ତନ, ସେଠାକାର ଜଳବାୟୁକୁ ନେଇ ହୋଇଥାଏ । ପତ୍ରରେ ଯେତେବେଳେ ସୂର୍ଯ୍ୟକିରଣ ପଡେ Azadirachta ଏନଜାଇମରେ ଜାରଣ ଘଟୁଛି । ବ୍ରେକସଡାଉନ ହୋଇକି ଗାଇକ୍ଲୋସାଇଡରେ ପରିଣତ ହେଉଛି । ଏନଜାମେଟିକ ପରିବର୍ତ୍ତନ ପାଇଁ ଏପରି ଘଟୁଛି ବୋଲି ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ଯାପକ କହିଛନ୍ତି ।
ଇଟିଭି ଭାରତ, ନିଆଳି