Nayagarh Forester Half burnt Body Found ନୟାଗଡ: ନୟାଗଡ଼ରେ ଚାଞ୍ଚଲ୍ୟ । ଘର ଭିତରୁ ଫରେଷ୍ଟଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ପଞ୍ଚରିଡା ବନାଞ୍ଚଳର ଫରେଷ୍ଟର ଶିଶିର ସାହୁ । ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ତାଙ୍କ ମୃତ୍ୟୁକୁ ନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି । ଖବର ପାଇ ତଦନ୍ତ ଆରମ୍ଭ କରିଛି ପୋଲିସ ।
ଘର ଭିତରୁ ମିଳିଲା ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ:
ନୟାଗଡ ଜିଲ୍ଲା ମାରମାସି ଦଣ୍ଡା ସ୍ଥିତ ଘରୁ ଶିଶିରଙ୍କ ମୃତଦେହକୁ ଟାଉନ ଥାନା ପୋଲିସ ଉଦ୍ଧାର କରିଛି । ତେବେ କିପରି ତାଙ୍କର ମୃତ୍ୟୁ ହେଲା ତାହା ଜଣାପଡିନାହିଁ । ଗତକାଲି(ଶୁକ୍ରବାର) ମୃତ ଶିଶିର ଏବଂ ତାଙ୍କ ସ୍ତ୍ରୀ ପୁଅ ଘରେ ଥିବା ବେଳେ ହଠାତ୍ ଘରୁ ନିଆଁ ବାହାରିଥିଲା । ଶିଶିରଙ୍କ ସ୍ତ୍ରୀ ଘରୁ ବାହାରି ଚିତ୍କାର କରି ଡାକିଥିଲେ ଘରେ ନିଆଁ ଲାଗିଯାଇଛି । ଆଉ ସେହି ନିଆଁରେ ଶିଶିର ମଧ୍ୟ ପୋଡ଼ି ଯାଇଛନ୍ତି । ଘର ଭିତରେ ତାଙ୍କ ମୃତଦେହ ରହିଛି । ଉଦ୍ଧାର କରିବା ପାଇଁ ଯାଇ ଶିଶିରଙ୍କ ସ୍ତ୍ରୀ ସାମାନ୍ୟ ଆହତ ହୋଇଥିବାରୁ ତାଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏଥିରେ ପୁଅର କୌଣସି କ୍ଷତି ହୋଇନାହିଁ ।

ଘରେ କିପରି ଲାଗିଲା ନିଆଁ, ବଢିଲା ସନ୍ଦେହ:
ଗତକାଲି ନିଆଁ ଲାଗିଥିବା ଖବର ପାଇଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଖଟରେ ଶିଶିରଙ୍କ ଅଧାପୋଡା ମୃତଦେହ ରହିଥିଲା । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବାରୁ ଶିଶିରଙ୍କ ମୃତ୍ୟୁ ନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି ।

ଟାଉନ ପୋଲିସର ଛାନଭିନ:
ମୃତ ଶିଶିରଙ୍କ ବଡ ଭାଇ ହତ୍ୟା ଅଭିଯୋଗ କରିଥିବା ପରେ ଟାଉନ ଥାନା ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ ନୟାଗଡ଼ SDPO ଟାଉନ ଥାନା ଆଇଆଇସି ଏବଂ ଫୋରେନସିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ଶିଶିରଙ୍କ ସ୍ତ୍ରୀ ପୁଅଙ୍କୁ ଟାଉନ ଥାନାରେ ଅଟକ ରଖି ପଚରାଉଚରା କରିଛି ପୋଲିସ ।

ଦୁଇ ମାସ ତଳେ ପଞ୍ଚରିଡାରେ ଫରେଷ୍ଟର ଭାବେ କାମ କରୁଥିଲେ:
ପଞ୍ଚରିଡ଼ା ବନାଞ୍ଚଳର ମୃତ ଫରେଷ୍ଟର ଶିଶିର ସାହୁଙ୍କ ଘର ନୟାଗଡ଼ ମାନପୁର ହୋଇଥିବା ବେଳେ ସେ ନୟାଗଡ଼ ଟାଉନ ଥାନାର ବାରମାସୀ ଦଣ୍ଡା ସ୍ଥିତ ଅଞ୍ଚଳରେ ଘର କରି ସ୍ତ୍ରୀ ଏବଂ ପୁଅଙ୍କ ସହ ରହୁଥିଲେ । ପୂର୍ବରୁ ଶିଶିର ଗଣିଆଁ ବନାଞ୍ଚଳରେ କାର୍ଯ୍ୟ କରିଥିବା ବେଳେ ଦୁଇ ମାସ ତଳେ ସେ ଶରଣକୂଳ ପଞ୍ଚରିଡ଼ା ରେଞ୍ଜରେ ଫରେଷ୍ଟର ଭାବେ କାର୍ଯ୍ୟ କରୁଥିଲେ ।
ସନ୍ଦେହରେ ଶିଶିରଙ୍କ ମୃତ୍ୟୁ:
ସୂଚନା ଅନୁଯାୟୀ ନିକଟରେ ପଞ୍ଚରିଡା ରେଞ୍ଜ ଅଧିନ ଗୋଛା ଜଙ୍ଗଲରେ ଶିକାରୀ ଗୁଳିରେ ଗୋଛା ଗାଁର ସୂର୍ଯ୍ୟମଣି ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା । ପ୍ରମାଣ ନଷ୍ଟ କରିବାକୁ ଯାଇ ଶିକାରୀ ମାନେ ତରବରିଆ ଭାବେ ମୃତଦେହକୁ ପୋଡ଼ି ଦେଇଥିଲେ । ଅଭିଯୋଗ ପରେ ପୋଲିସ ଅଧାପୋଡା ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଗତକାଲି ରାତିରେ ଫରେଷ୍ଟର ଶିଶିର ସାହୁ ନିଜ ଘରେ ନିଆଁରେ ପୋଡ଼ି ହୋଇ ମୃତ୍ୟୁ ହେବା ଘଟଣା ସନ୍ଦେହ ସୃଷ୍ଟି କରିଛି ।

ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ କଣ କହିଲେ ଭାଇ ?
ମୃତ ଶିଶିରଙ୍କ ବଡ଼ ଭାଇ ଶରତ ଚନ୍ଦ୍ର ସାହୁ କହିଛନ୍ତି, ‘ଗତକାଲି ରାତି ପ୍ରାୟ 1ଟା ବେଳେକୁ ପୁତୁରା ଫୋନ କରି କହିଲା ଘରେ ନିଆଁ ଲାଗି ଯାଇଛି । ଆମେ ଆସି ପହଞ୍ଚି ଦେଖିଲୁ ନିଆଁ ହୁତୁହୁତୁ ହୋଇ ଜଳୁଛି । ନିଆଁ ଜୋରରେ ଥିବାରୁ ଆମେ ଭିତରକୁ ଯାଇପାରିନଥିଲୁ ଦମକଳ ଗାଡିକୁ ଫୋନ କରି ଡକାଇଥିଲୁ । ମୃତ ଶିଶିରଙ୍କ ଉପରେ ଜିଆଇ ତାର ପଡିଥିଲା । ତାର ପଡିଥିବାରୁ ସନ୍ଦେହ ଲାଗୁଛି ତାକୁ ହତ୍ୟା କରାଯାଇଛି ।’
ପାରିବାରିକ କଳହ ଅନୁମାନ:
ବନସେବା ସଂଘର ସମ୍ପାଦକ ସନାତନ ସ୍ବାଇଁ କହିଛନ୍ତି, ‘ମଧ୍ୟରାତ୍ରୀରେ ଘଟଣା ହୋଇଥିବାରୁ ପାରିବାରିକ କଳହ ହୋଇଥିବା ଅନୁମାନ କରାଯାଉଛି । ସବୁ କର୍ମଚାରୀଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିଲା । ତାଙ୍କ ମୃତ୍ୟୁର ପ୍ରକୃତ ରହସ୍ୟ ଉନ୍ମୋଚନ ହେଉ ।’
ଏହା ମଧ୍ୟ ପଢନ୍ତୁ: ଲୁଟ କରିବାକୁ ଆସି ବୃଦ୍ଧାଙ୍କୁ ହତ୍ୟା, ମୁଖ୍ୟ ଅଭିଯୁକ୍ତ ଯମୁନା ଗିରଫ ଝିଆରୀ ପାଇଁ ନେଇଥିଲେ ଦାଦା ଜୀବନ, 5 ଜଣଙ୍କୁ ଆଜୀବନ ପୋଲିସ ଇନଫରମର ସହଦେବ ହତ୍ୟା ଘଟଣା, ଫେରାର ହତ୍ୟାକାରୀର ଘର ଭାଙ୍ଗିଲା ବିଏମସି |
ସ୍ଥାନୀୟ ବାସିନ୍ଦା ଆଣିଲେ ଷଡଯନ୍ତ୍ର ଅଭିଯୋଗ:
ସେହିପରି ସ୍ଥାନୀୟ ବାସିନ୍ଦା କହିଛନ୍ତି, ‘ସେ ଘରେ ଥିଲେ । ଛୁଆ ପିଲା ବି ଥିଲେ । ଲାଗୁଛି ଶିଶିରଙ୍କ ସହ କିଛି ଦୁର୍ଘଟଣା କରାଯାଇଛି । ବେଡରେ ବନ୍ଧା ଯାଇ ପଡିଲା ଭଳି ଲାଗୁଛି । ତାଙ୍କୁ କେହି ଜଳାଇଥିବା ପରି ଲାଗୁଛି । ତାର ବନ୍ଧା ଯାଇଛି । ଏହା ଅର୍ଥ କିଛି ଷଡଯନ୍ତ୍ର କରାଯାଇଛି । ତଦନ୍ତ କରାଯିବା ଆବଶ୍ୟକତା ରହିଛି ।’
ପାରିବାରିକ ସମସ୍ୟା ଥିଲା:
ନୟାଗଡ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ପଣ୍ଡା କହିଛନ୍ତି, ‘ହତ୍ୟା ସନ୍ଦେହରେ ତାଙ୍କ ବଡ଼ ଭାଇ ଏକ ରିପୋର୍ଟ ଦାଖଲ କରିଛନ୍ତି । ତାଙ୍କ ପରିବାରଲୋକଙ୍କୁ ପଚରାଉଚରା କରାଯାଇଛି । ସବୁ ଦିଗରୁ ତଦନ୍ତ କରାଯାଉଛି । ପ୍ରାଥମିକତା ତଦନ୍ତରୁ ଯାହା ଜଣାପଡିଛି ତାଙ୍କର ପାରିବାରିକ କିଛି ସମସ୍ୟା ରହିଛି । ପୋଲିସ ଘଟଣାକୁ ଗୁରୁତ୍ବର ସହ ନେଇଛି । ହତ୍ୟା ଅଭିଯୋଗକୁ ଭିତ୍ତି କରି ତଦନ୍ତ କରୁଛି ପୋଲିସ ।
ଇଟିଭି ଭାରତ, ନୟାଗଡ