Naba das Murder Case ଝାରସୁଗୁଡା: ପୁଣି ଖୋଲିଲା ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଫାଇଲ । ଆଜି ଏହି ବହୁ ଚର୍ଚ୍ଚିତ ହତ୍ୟା ଘଟଣାର ପୁନଃ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଝାରସୁଗୁଡ଼ାରେ କ୍ରାଇମବ୍ରାଞ୍ଚ ଟିମ ତନାଘନା କରିଛି । ଦ୍ୱିତୀୟ ପର୍ଯ୍ୟାୟରେ ଝାରସୁଗୁଡ଼ାରେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ପଚରାଉଚରା ଆରମ୍ଭ କରିଛି ।
ପ୍ରବୀଣ ଦେଓଙ୍କ ବୟାନ ରେକର୍ଡ:
ରାଜପୁର ପଞ୍ଚାୟତ ସରପଞ୍ଚ ସରସ୍ଵତୀ ନାୟକଙ୍କ ସ୍ବାମୀ ଗଣେଶ ବାଗ ଓ ଗୋପାଳଙ୍କ ମୋବାଇଲରୁ ଶେଷ କଲ୍ ଯାଇଥିବା ରାଜପୁରର ପ୍ରବୀଣ ଦେଓଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ । କାହିଁକି ଓ କେଉଁ ପରିସ୍ଥିତିରେ ନବ ଦାସ ହତ୍ୟାକାଣ୍ଡର କିଛି ସମୟ ପୂର୍ବରୁ ଅଭିଯୁକ୍ତ ଗୋପାଳ ଦାସ ପ୍ରବୀଣଙ୍କୁ ଫୋନ୍ କରିଥିଲା ସେନେଇ ଜାଣିବାକୁ ଚେଷ୍ଟା କରିଛି କ୍ରାଇମବ୍ରାଞ୍ଚ । ଏହି ତଦନ୍ତ ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ଆଉ କାହାକୁ ଜେରା କରିବ ସେନେଇ ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରିନି ।
ମାମଲାର ଖୋଳତାଡ ଜାରି:
ଏନେଇ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପି ବିଜୟ ମଲ୍ଲିକ କହିଛନ୍ତି, ବର୍ତ୍ତମାନ ତଦନ୍ତ ଚାଲିଛି । କଲ୍ ରେକର୍ଡ ଯାଞ୍ଚ ଚାଲିଛି । ମାମଲାର ଯାଞ୍ଚ ଚାଲିଛି । ଯାହାର ଆବଶ୍ୟକ ପଡିବ । ଡକାଯାଇ ଯାଞ୍ଚ କରାଯିବ ।’
ମାର୍ଚ୍ଚରେ 5 ଦିନ ଧରି ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ:
ଗତ ମାର୍ଚ୍ଚ ମାସରେ କ୍ରାଇମବ୍ରାଞ୍ଚର ଟିମ୍ ଝାରସୁଗୁଡାରେ ରହି ଲଗାତାର 5 ଦିନ ଧରି ମାମଲାର ଯାଞ୍ଚ କରିଥିଲା । ହତ୍ୟାକାଣ୍ଡ ମାମଲାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରିଥିଲା । ଯେଉଁଥିରେ 5 ଦିନ ତଦନ୍ତରେ 14 ଜଣଙ୍କୁ ପଚରାଉଚରା କରାଯାଉଥିଲା । ନବ ଦାସଙ୍କ ପରିବାର ସଦସ୍ୟଙ୍କଠୁ ନେଇ ଚିକିତ୍ସା କରିଥିବା ଡାକ୍ତର, ବିମାନ ବନ୍ଦରରେ ପଚରାଉଚରା କରିଥିଲା ଟିମ୍ । ତେବେ ଆବଶ୍ୟକ ପଡିଲେ ପୁନଃ ତଦନ୍ତ ପାଇଁ ଝାରସୁଗୁଡା ଟିମ ଆସିବ ବୋଲି ସେତେବେଳେ କହିଥିଲେ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସପି । ଆଜି(ଶୁକ୍ରବାର) ମାମଲାର ପୁଣି ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ।
ନବ ଦାସ ହତ୍ୟାକାଣ୍ଡ ମାମଲା:
2023 ଜାନୁଆରୀ 29ରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା ଗୋପାଳ ଦାସ । ସେ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ବ୍ରଜରାଜନଗର ଗାନ୍ଧୀ ଛକ ନିକଟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏ ମାମଲାର ତଦନ୍ତ ବର୍ତ୍ତମାନ ସୁଦ୍ଧା ଜାରି ରହିଛି ।
ଇଟିଭି ଭାରତ, ଝାରସୁଗୁଡା