ରାଜ୍ୟର ପ୍ରଥମ ବିଶ୍ଵବିଦ୍ୟାଳୟ ଭାବେ BARC ସହ ଜିଏମ ବିଶ୍ଵବିଦ୍ୟାଳୟ MoU ସ୍ଵାକ୍ଷରିତ, ପ୍ରତିଷ୍ଠା ହେବ ଆକୃତି କେନ୍ଦ୍ର
ରାଜ୍ୟର ପ୍ରଥମ ଶିକ୍ଷା ଅନୁଷ୍ଠାନ ଭାବେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଆଜି ମୁମ୍ବାଇର 'ଭାବା ଅଟୋମିକ ରିସର୍ଚ୍ଚ ସେଣ୍ଟର' ସହ ଏକ MOU ସ୍ଵାକ୍ଷରିତ କରିଛି ।

Published : October 13, 2025 at 6:03 PM IST
Akruti Kendra Sambalpur GM University ସମ୍ବଲପୁର: ରାଜ୍ୟର ପ୍ରଥମ ଶିକ୍ଷା ଅନୁଷ୍ଠାନ ଭାବେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଆଜି ମୁମ୍ବାଇର 'ଭାବା ଅଟୋମିକ ରିସର୍ଚ୍ଚ ସେଣ୍ଟର' (Bhabha Atomic Research Centre) ସହ ଏକ MOU ସ୍ଵାକ୍ଷରିତ କରିଛି । ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କୁଳପତି ଓ BARC ମଧ୍ୟରେ ଏହି ଏମଓୟୁ ସ୍ଵାକ୍ଷରିତ ହୋଇଛି । ଏହା ଦ୍ୱାରା ସମ୍ବଲପୁର ଜିଏମ ୟୁନିଭର୍ସିଟିରେ ଆକୃତି କେନ୍ଦ୍ର (Advance Knowledge For Rural Urban Technology Implementation Initiative Programme) ପ୍ରତିଷ୍ଠା ହେବ । ଦେଶରେ 13ତମ ତଥା ଓଡ଼ିଶାର ପ୍ରଥମ ଶିକ୍ଷା ଅନୁଷ୍ଠାନ ଭାବେ GMU ସହ ଏହି ଏମଓୟୁ କରିଛି BARC ।
BARC ସହ GMU ମଧ୍ୟରେ MoU ସ୍ଵାକ୍ଷରିତ-
BARC ପକ୍ଷରୁ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଫାକଲ୍ଟିମାନଙ୍କୁ ବିଭିନ୍ନ ପ୍ରକାର ଟେକ୍ନୋଲୋଜି ନେଇ ତାଲିମ ଦିଆଯିବ । ପରେ ଏହି ତାଲିମ ପ୍ରାପ୍ତ ଫାକଲ୍ଟିମାନେ ସ୍ଥାନୀୟ ଛାତ୍ରଛାତ୍ରୀ ଅଥବା ଉଦ୍ୟମୀ ଯୁବକ, ଯୁବତୀମାନଙ୍କୁ ଏହି ଆକୃତି କେନ୍ଦ୍ରରେ ତାଲିମ ଦେଇ ସେମାନଙ୍କ ଦକ୍ଷତା ବିକାଶ କରିବେ । ଏହାସହ ତାଲିମ ପରେ ସେହି ଉଦ୍ୟମୀ ଯୁବକ ଯୁବତୀମାନଙ୍କୁ ତାଲିମ ଦିଆଯାଇଥିବା ଟେକ୍ନୋଲୋଜିର ଏକ ନନ-କମର୍ସିଆଲ ( ଅଣ-ବାଣିଜ୍ୟିକ) ଲାଇସେନ୍ସ ଦିଆଯିବ । ଫଳରେ ସ୍ଥାନୀୟ ଉଦ୍ୟମୀ ଯୁବକ-ଯୁବତୀମାନେ ନିଜର ଷ୍ଟାର୍ଟ ଅପ୍ ଅଥବା ଇଣ୍ଡଷ୍ଟ୍ରି ପ୍ରତିଷ୍ଠା କରି ଭଲ ରୋଜଗାର କରି ପାରିବେ ।

ଉଦ୍ୟମୀମାନଙ୍କ ଆର୍ଥିକ ଉନ୍ନତି:
ଆଜି ସମ୍ବଲପୁର ଜିଏମ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଏହି MOU ସ୍ଵାକ୍ଷରିତ କାର୍ଯ୍ୟକ୍ରମରେ BARCର ବୈଜ୍ଞାନିକ ଭାରତୀ ଭାଲେରାଓ ଯୋଗ ଦେଇ କହିଛନ୍ତି, "BARC ପାଖରେ 200ରୁ ଅଧିକ ଟେକ୍ନୋଲୋଜି ରହିଛି । ଏସବୁ ମଧ୍ୟରୁ କେତେକ ଟେକ୍ନୋଲୋଜି ନେଇ ଆମେ ଏହି ଶିକ୍ଷା ଅନୁଷ୍ଠାନର ଫାକଲ୍ଟିମାନଙ୍କୁ ତାଲିମ ଦେବୁ । ପରେ ସେହି ତାଲିମ ପ୍ରାପ୍ତ ଫାକଲ୍ଟିମାନେ ସ୍ଥାନୀୟ ଇଚ୍ଛୁକ ଉଦ୍ୟମୀ ଛାତ୍ରଛାତ୍ରୀ ତଥା ଯୁବକ ଯୁବତୀମାନଙ୍କୁ ତାଲିମ ଦେବେ । ପରେ ସେହି ଯୁବକ ଯୁବତୀମାନେ ଏଠାରେ ନିଜ ନିଜ ଷ୍ଟାର୍ଟଅପ ପ୍ରତିଷ୍ଠା କରିପାରିବେ । ଏହା ଦ୍ୱାରା BARCର ଲ୍ୟାବର ଟେକ୍ନୋଲୋଜି ସ୍ଥାନୀୟ ଛାତ୍ରଛାତ୍ରୀ ସିଧା ସଳଖ ପାଇ ପାରିବେ । ଏହାଦ୍ୱାରା ଏହି ଉଦ୍ୟମୀମାନଙ୍କ ଆର୍ଥିକ ଉନ୍ନତି ହୋଇ ପାରିବ । ମୁଖ୍ୟତଃ ସେମାନେ BARCର ଅଣ-ବାଣିଜ୍ୟିକ ଲାଇସେନ୍ସ ପାଇବେ ।"

ବୈଜ୍ଞାନିକ ଭାରତୀ ଭାଲେରାଓ ଆହୁରି କହିଛନ୍ତି, "ଆସନ୍ତା 2 ମାସ ମଧ୍ୟରେ ଏହି ଆକୃତି କେନ୍ଦ୍ର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହୋଇଯିବ । ଏଠାରେ ମୁଖ୍ୟତଃ କୃଷି ଟେକ୍ନୋଲୋଜି, ବାୟୋସାଇନ୍ସ ଟେକ୍ନୋଲୋଜି, ୱାଟର ଟେକ୍ନୋଲୋଜି, ସଏଲ ଟେଷ୍ଟିଙ୍ଗ କିଟ ତିଆରି ଟେକ୍ନୋଲୋଜି, ବାୟୋଗ୍ୟାସ ପ୍ଲାଣ୍ଟ ଟେକ୍ନୋଲୋଜି, ଟେମ୍ପଲ ୱେଷ୍ଟ ଓ କିଚେନ ୱେଷ୍ଟ ଟେକ୍ନୋଲୋଜି ଆଦିର ତାଲିମ ଦେବାର ବ୍ୟବସ୍ଥା ରହିବ । ଜିଏମ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ଓ ସ୍ଥାନୀୟ ଆବଶ୍ୟକତାକୁ ଦେଖି ଟେକ୍ନୋଲୋଜି ଦିଆଯିବ ।"

ଭିତ୍ତିଭୂମି ଦେଖି ଟେକ୍ନୋଲୋଜି ପ୍ରଦାନ:
ସେହିପରି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା BARC କୋଲାବରେସନ ମୁଖ୍ୟ ଡାନିଏଲ ବାବୁ କହିଛନ୍ତି, "ଆମ ପାଖରେ 200 ଟେକ୍ନୋଲୋଜି ରହିଛି । ଏଥିରେ ମେଡିସିନ, ୱାଟର ଟେକ୍ନୋଲୋଜି ଓ ଇଞ୍ଜିନିୟରିଂ ପରି ଟେକ୍ନୋଲୋଜି ରହିଛି । ପୂର୍ବରୁ ଉଦ୍ୟମୀମାନେ ଲାଇସେନ୍ସ, ତାଲିମ ଓ ବୈଜ୍ଞାନିକଙ୍କୁ ଭେଟିବା ପାଇଁ ମୁମ୍ବାଇ ଯାଉଥିଲେ । ବର୍ତ୍ତମାନ ଆମର ବୈଜ୍ଞାନିକମାନେ ଏଠିକାର ଫାକଲ୍ଟିମାନଙ୍କୁ ତାଲିମ ଦେବେ ଆଉ ସେମାନେ ସ୍ଥାନୀୟ ଉଦ୍ୟମୀମାନଙ୍କୁ ତାଲିମ ଦେବେ । ଫଳରେ ଏହା ସ୍ଥାନୀୟ ଉଦ୍ୟମୀମାନଙ୍କୁ ଶିଳ୍ପ ବା ଷ୍ଟାର୍ଟ ଅପ୍ ପ୍ରତିଷ୍ଠାରେ ସହାୟକ ହେବ। ଏହା ଦ୍ୱାରା ସେମାନେ କମ ଦାମରେ BARCର ଟେକ୍ନୋଲୋଜି ପାଇ ପାରିବେ । ଆମେ ସ୍ଥାନୀୟ ଭିତ୍ତିଭୂମି ଦେଖି ଟେକ୍ନୋଲୋଜି ପ୍ରଦାନ କରିବୁ ।"

ଏହା ମଧ୍ୟ ପଢ଼ନ୍ତୁ... ସମ୍ବଲପୁରରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ହାର ଅଧିକ; ମହିଳା ସଶକ୍ତୀକରଣରେ ବି ଆଗରେ 'ପଶ୍ଚିମ ଓଡି଼ିଶାରେ ହେଉ WODC ମୁଖ୍ୟାଳୟ', ନୂଆ ସରକାରଙ୍କୁ ଅଞ୍ଚଳବାସୀଙ୍କ ଆହ୍ବାନ |

MOU ସ୍ଵାକ୍ଷରିତ ହେବା ପରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁଶାନ୍ତ କୁମାର ଦାସ କହିଛନ୍ତି, "ସ୍ଥାନୀୟ ଉଦ୍ୟମୀମାନେ ଆମଠାରୁ ଫର୍ମ ନେଇ କୌଣସି ଟେକ୍ନୋଲୋଜିର ତାଲିମ ପାଇଁ ଆବେଦନ କରିବେ । ଏହା ପରେ ଆମେ ଯୋଗ୍ୟ ଉଦ୍ୟମୀମାନଙ୍କୁ ଚୟନ କରି ସେମାନଙ୍କୁ ଏଠାରେ ଆମର ତାଲିମ ପ୍ରାପ୍ତ ଫାକଲ୍ଟିମାନଙ୍କ ଦ୍ୱାରା ତାଲିମ ଦେବୁ ଅଥବା ତାଙ୍କୁ ମୁମ୍ବାଇ ପଠେଇବୁ । ବର୍ତ୍ତମାନ ନୂଆ ଶିକ୍ଷା ନୀତି ଅନୁସାରେ ଇଙ୍କୁବେସନ, ଷ୍ଟାର୍ଟ ଅପ୍, ଦକ୍ଷତା ବିକାଶ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ତେଣୁ ଏହି ଆକୃତି କେନ୍ଦ୍ର ପ୍ରତିଷ୍ଠା କରାଯାଉଛି । ପୂର୍ବରୁ କୌଣସି ଉଦ୍ୟମୀ ଷ୍ଟାର୍ଟ ଅପ୍ କରିବାକୁ ଚାହିଁଲେ ସେମାନଙ୍କୁ ବମ୍ବେ ଯିବାକୁ ପଡୁଥିଲା । କିନ୍ତୁ ଏବେ ଆମର ଫାକଲ୍ଟି ଆମରି ଲ୍ୟାବ ଓ ଭିତ୍ତିଭୂମିର ସହାୟତାରେ ସେମାନଙ୍କୁ ତାଲିମ ଦେବେ । ଆମେ BARCର ଟେକ୍ନୋଲୋଜି ବିଷୟରେ ଆମ ଲ୍ୟାବରେ ଆମ ଫାକଲ୍ଟି ଗବେଷଣା କରିପାରିବେ ।"

ଏହି ଆକୃତି କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ମୁଖ୍ୟତଃ ସ୍ଥାନୀୟ ଅଞ୍ଚଳର କୃଷି କ୍ଷେତ୍ରର ଷ୍ଟାର୍ଟଅପ୍ ଗୁଡିକ ଲାଭବାନ ହୋଇ ପାରିବେ ବୋଲି ଛାତ୍ର ଶୁଭମ ଶର୍ମା କହିଛନ୍ତି ।
ଇଟିଭି ଭାରତ, ସମ୍ବଲପୁର

