MKCG Medical Student Ragging Allegation ବ୍ରହ୍ମପୁର: ପୁଣି ରାଗିଂଙ୍କ ଶିକାର ହେଲେ ଡାକ୍ତରୀ ଛାତ୍ର । ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ (MKCG) ମେଡିକାଲରେ ପୁଣି ରାଗିଂ ହୋଇଥିବା ଅଭିଯୋଗ ଆସିଛି । ଜଣେ ଏମବିବିଏସ ଚତୁର୍ଥ ବର୍ଷର ଛାତ୍ରଙ୍କୁ ଦୁଇ ହାଉସ ସର୍ଜନ ରାଗିଂ କରିଥିବା ଅଭିଯୋଗ ହୋଇଛି । ସେପଟେ ଅଭିଯୋଗର ତଦନ୍ତ କରି ଦୁଇ ହାଉସ ସର୍ଜନଙ୍କୁ 25 ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ଏମ.କେ.ସି.ଜି ମେଡିକାଲର ଡିନ ପ୍ରଫେସର ସୁଚିତ୍ରା ଦାଶ ।
ପୁଣି MKCGରେ ରାଗିଂ:
ତେବେ ଗତ ମେ’ 12ତାରିଖରେ MKCG ଏମବିବିଏସ ଚତୁର୍ଥ ବର୍ଷର ଛାତ୍ରଙ୍କୁ ଦୁଇ ହାଉସ ସର୍ଜନ ରାଗିଂ କରିଥିଲେ । ଏନେଇ ଛାତ୍ର ଜଣକ ଗତ ମେ ୧୩ ତାରିଖରେ ଏମକେସିଜି ମେଡିକାଲର ଡିନଙ୍କୁ ଦୁଇ ଜଣ ରାଗିଂ କରିଥିବା ନେଇ ଲିଖିତ ଅଭିଯୋଗ ଦେଇଥିଲେ । ଏହା ପରେ ଆଣ୍ଟି ରାଗିଂ କମିଟିରେ ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇଥିଲା ।

ଶାରିରୀକ ନିର୍ଯାତନା ନୁହେଁ, ପାଟିରେ ରାଗିଂ:
ଏନେଇ ଏମ.କେ.ସି.ଜି ମେଡିକାଲର ଡିନ ପ୍ରଫେସର ସୁଚିତ୍ରା ଦାଶ କହିଛନ୍ତି, ‘ଗତ ମେ’ ମାସର ୧୨ରେ ଜଣେ ଏମବିବିଏସ ଚତୁର୍ଥ ବର୍ଷର ଛାତ୍ରଙ୍କୁ ରାଗିଂ ହୋଇଥିଲା । ଯାହାକି ଗତ ମେ ୧୩ ତାରିଖରେ ଦୁଇ ଜଣ ରାଗିଂ କରିଥିବା ନେଇ ଲିଖିତ ଅଭିଯୋଗ ଦେଇଥିଲେ ସମ୍ପୃକ୍ତ ଛାତ୍ର । ଯାହାକୁ ନେଇ ଗତ କିଛି ଦିନ ପୂର୍ବରୁ ଏହାକୁ ନେଇ ସେମାନଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା । ହେଲେ ଇତି ମଧ୍ୟରେ ଦିଲ୍ଲୀର ଆଣ୍ଟି ରାଗିଂ କମିଟିରେ ଅଭିଯୋଗ ହେବା ପରେ ଏହାର ତଦନ୍ତ କରିବାକୁ ଏମକେସିଜି ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟକୁ ପତ୍ର ଆସିଥିଲା । ପରେ ମେଡିକାଲର ଆଣ୍ଟି ରାଗିଂ ସେଲର ବୈଠକରେ ଏହାକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଦୁଇ ହାଉସ ସର୍ଜନ କେବଳ କାହିଁକି ସିନିୟରଙ୍କୁ ସମ୍ମାନ ଦେଉନାହିଁ କହି କେବଳ ପାଟିରେ ଏଭଳି ରାଗିଂ କରିଥିଲେ । କୌଣସି ଶାରିରୀକ ନିର୍ଯାତନା ଦିଆଯାଇନାହିଁ । ଏନେଇ ଦୁଇ ହାଉସ ସର୍ଜନଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି ।’
ଇଟିଭି ଭାରତ, ବ୍ରହ୍ମପୁର